You are currently viewing ମକର ଚାଉଳ
ମକର ଚାଉଳ

ମକର ଚାଉଳ

ନମସ୍କାର ବନ୍ଧୁଗଣ !
ମୁଁ ଆଶିଷ, ଆସନ୍ତୁ ଆପଣଙ୍କୁ ଗୋଟେ ଛୋଟ କାହାଣୀ କହୁଛି; ମକର ଚାଉଳର କାହାଣୀ…

ଧନୁ ସଂକ୍ରାନ୍ତିରେ ମୁଆଁ ଭାର ନେଇ ଏକମାସ ପାଇଁ ବାପ ଘରକୁ ଯାଇଥିବା ମା’ ଲଷ୍ମୀ ଶ୍ରୀମନ୍ଦିରକୁ ଫେରନ୍ତି ମକର ସଂକ୍ରାନ୍ତି ଦିନ । ମହାପ୍ରଭୁ ତଥା ବଡ଼ ସାଆନ୍ତଙ୍କ ମାନ ଭଞ୍ଜନ ପାଇଁ ବାପଘରୁ ସାଥିରେ ଆଣି ଆସିଥାନ୍ତି ସେହି ଋତୁର ନୂତନ ଚାଉଳରେ ପ୍ରସ୍ତୁତ ସ୍ୱାଦିଷ୍ଟ ମକର ଚାଉଳ । ମକର ଚାଉଳର ଭୋଗ ଖାଇ ତୃପ୍ତ ହୁଅନ୍ତି କାଳିଆ ସାଆନ୍ତ; ମାନ ଭଞ୍ଜନ ହୁଏ ତାଙ୍କର । କେଉଁ ଯୁଗରୁ ଶ୍ରୀମନ୍ଦିରରେ ଏ ପ୍ରଥା ଚାଲି ଆସୁଛି ଏମିତି । ମକର ଚାଉଳ ଖାଲି ଯେ ଆମ ସଂସ୍କୃତି ସହ ଯୋଡ଼ି ହେଇ ରହିଛି ତାହା ନୁହେଁ, ବରଂ ଏହା ଆମ କୃଷିଭିତ୍ତିକ ପର୍ବ ପର୍ବାଣୀର ଆଉ ଏକ ଅନନ୍ୟ ଉଦାହରଣ । ସଦ୍ୟ ଅମଳ ଧାନର ଚାଉଳ, ଆଖୁର ଗୁଡ଼, ବାଡ଼ି ନଡ଼ିଆ ଆଦିରେ ପ୍ରସ୍ତୁତ ମକର ଚାଉଳ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟକର ମଧ୍ୟ । ତା’ହେଲେ କେମିତି ପ୍ରସ୍ତୁତ ହୁଏ ଏହି ମକର ଚାଉଳ ଆସନ୍ତୁ ଜାଣିବା;

ଆବଶ୍ୟକ ସାମଗ୍ରୀ:-

  1. ନୂଆ ଅରୁଆ ଚାଉଳ
  2. ଗୁଡ଼/ଚିନି
  3. ନଡ଼ିଆ କୋରା
  4. ଛେନା
  5. ପାଚିଲା କଦଳୀ
  6. ଅଦା
  7. ଗୋଲ ମରିଚ
  8. ଖାଇବା କର୍ପୂର

(ଆପଣ ଚାହିଁଲେ ଏଥିରେ ଆପଣଙ୍କ ପସନ୍ଦର ଫଳ ମୂଳ ଛୋଟ ଛୋଟ ଖଣ୍ଡ କରି ପକାଇ ପାରିବେ । ମକର ଚାଉଳରେ ମୁଖ୍ୟତଃ ଗୁଡ଼ ପଡ଼େ । କିନ୍ତୁ ଆପଣ ଚାହିଁଲେ ଚିନି ପକେଇ ପାରିବେ ।)

ଦୁଇରୁ ଚାରି ଘଣ୍ଟା ବତୁରା ଯାଇଥିବା ଦୁଇ କପ୍ ନୂଆ ଚାଉଳକୁ ପ୍ରଥମେ ଛେଚି ଗୁଣ୍ଡ ଗୁଣ୍ଡ କରନ୍ତୁ । ସେଥିରେ ଏକ କପ୍ ନଡ଼ିଆ କୋରା, ଏକ କପ ଛେନା, ଦୁଇଟି ପାଚିଲା କଦଳୀ ଓ ସ୍ୱାଦ ଅନୁସାରେ ଗୁଡ଼ ବା ଚିନି ପକେଇ ଚକଟି ଦିଅନ୍ତୁ । ସବୁ ଜିନିଷ ଭଲ ଭାବେ ମିଶିଗଲା ପରେ ସେଥିରେ ଗୋଟେ ଚାମଚ ଅଦା ଛେଚା, ଗୋଟେ ଚାମଚ ଗୋଲ ମରିଚ ଗୁଣ୍ଡ ଓ ଅଳ୍ପ ଖାଇବା କର୍ପୂର ଦେଇ ଆଉଥରେ ଭଲରେ ଗୋଳେଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହେଇଗଲା ମକର ଚାଉଳ । ଦେଖିଲେ କେତେ ସହଜ ! ତେବେ ଏଇ ମକର ସଂକ୍ରାନ୍ତିରେ ଆପଣ ବି ଘରେ ଏମିତି ମକର ଚାଉଳ ପ୍ରସ୍ତୁତ କରନ୍ତୁ ନା !!!

ହଉ ରହିଲି ଆଜ୍ଞା
ନମସ୍କାର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶିଷ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।