ଗୁପଚୁପ
ଗୁପଚୁପ

ଗୁପଚୁପ

ଗଣେଶ ପୂଜା ଆଉ ଦୁଇ ଦିନ ବାକି ଅଛି । ରାସ୍ତାରେ ନାହିଁନଥିବା ଗହଳି । ସମସ୍ତେ ପୂଜା ଲାଗି କିଣାକିଣିରେ ବ୍ୟସ୍ତ । ଚାରିଆଡ଼େ ଗୋଟେ ଖୁସିର ବାତାବରଣ । ଦଳ ଦଳ ହେଇ ପୁଅ ଝିଅ ସବୁ ଦୁଇ ଚକିଆ ଗାଡି ପେଁ ପାଁ କରି ରାସ୍ତାରେ ଛୁଟିଛନ୍ତି, କାହାରିକୁ ତାଙ୍କର ଖାତିର ନାହିଁ । ସନ୍ଧ୍ୟା ସମୟ ହେଲାଣି । ରାସ୍ତା ପାର ହେଇ ଘରକୁ ଯିବ ବୋଲି ଶୋଭା ଠିଆ ହେଇଚି ଯେ ହେଇଚି । ଡର ମାଡ଼ୁଚି ତାକୁ ଆଜିକାଲିକା ପିଲାଙ୍କର ହାବଭାବ ଦେଖି । ଯଦି କିଏ ବାଡ଼େଇ ଦବ, କ’ଣ ଅବସ୍ଥା ହବ? ରାସ୍ତା ଆର ପଟେ ଉଠା ଦୋକାନୀଙ୍କ ଭିଡ଼ । ରାସ୍ତା ଏପଟରୁ ଆଖି ପହଁରେଇ ଆଣିଲା ଶୋଭା…. ମିଠା ମକା, ଆଇସକ୍ରିମ, ବରା ପକୁଡ଼ି, ଜୁସ୍, ସୁପ୍, ଫଳ ଦୋକାନ, ମୋମୋ, ଆହୁରି ସବୁ କ’ଣ, କ’ଣ । ଶେଷ ମୁଣ୍ଡରେ ଠିଆ ହେଇଚି ଗୁପଚୁପ ବାଲା । ତା’ ଆଖି ସେଇଠି ଅଟକିଗଲା । ଅଟକିଗଲା ତା’ର ଘରକୁ ଯିବା ବ୍ୟଗ୍ରତା । ମନ ଫେରିଗଲା ତିରିଶ ବର୍ଷ ତଳକୁ । ରମାଦେବୀ କଲେଜ ସାମ୍ନା ଗୁପଚୁପ ବାଲା ପାଖକୁ ।

ଲମ୍ବା ଧାଡ଼ି ଗୁପଚୁପ ବାଲା, ତାଙ୍କ ସାମ୍ନାରେ ଦଳ ଦଳ କଲେଜ ଝିଅ । ରାସ୍ତା ଆରପଟେ ଥିବା କୋଚିଂ ସେଣ୍ଟରରୁ ପୁଅ, ଝିଅ ବି ଆସି ସେ’ଠି ଖଟି ଜମାନ୍ତି । ଆଖି ଇଶାରାରେ ମନ ଦିଅ ନିଆ ବି ଚାଲେ । ଚୁମୁଟା ଚୁମୁଟି, ଟାହି ଟାପରା, ହସ, ଖୁସି ସବୁ ଚାଲେ । ତା’ ଭିତରେ ଚାଲେ ଗୁପଚୁପ ଖାଇବା ପ୍ରତିଯୋଗୀତା । ଟଙ୍କାଟେରେ ପାଞ୍ଚ-ଛଅଟା ଗୁପଚୁପ । ବାଜି ମରାମାରି ଚାଲେ, କିଏ କେତେ ଅଧିକ ଖାଇ ପାରିବ । ଭାଇନା, ଆଉ ଟିକେ ଲୁଣ ପକାଅ ଆଳୁ ମସଲାରେ, ନାଇଁ ନାଇଁ ଆଉ ଲଙ୍କା ଗୁଣ୍ଡ…. ଇସ !!! ଏ ଖଟା ପାଣି କେତେ ରାଗ ଲାଗୁଚି, ମୋ ପାଟି ପୋଡ଼ିଲାଣି…. ତୁ ଶୋଭା ଏତେ ରାଗ କେମିତି ଖାଉଚୁ??? ଆଖି ନଚେଇ ପଚାରେ ଫୁଲେଇ ସ୍ୱାତୀ । ସ୍ୱାତୀ କଥାରେ ମୁରୁକି ହସଟିଏ ମାରି ଖାଇବାରେ ମନ ଦିଅ ଶୋଭା, ଅତି କମରେ କୋଡ଼ିଏ ପଚିଶିଟା ନ ଖାଇଲେ ତା’ ମନ ପୂରେନି । ବିଚରା ବ୍ୟତିବ୍ୟସ୍ତ ହେଇପଡ଼ନ୍ତି ଗୁପଚୁପ ବାଲା ସବୁ ଏଇ ଝିଅମାନଙ୍କ ଇଛା ମୁତାବକ ମସଲା ତିଆରି କରିବାରେ, କିନ୍ତୁ ସେମାନଙ୍କ ମନବି ରଙ୍ଗୀନ ହେଇଯାଏ ଏଇ ପ୍ରଜାପତି ମାନଙ୍କ ଗହଣରେ । ଦିନର ଏଇ ସମୟଟା ବୋଧହୁଏ ତାଙ୍କ ପାଇଁ ସବୁଠୁ ଭଲ, ବେପାରକୁ ବେପାର ହୁଏ ଆଉ ମନୋରଞ୍ଜନ ବି । କିଛି କିଛି ଗୁପଚୁପ ବାଲା ଝିଅ ମାନଙ୍କ ଟାହି ଟାପରା କଥାରେ ସାମିଲ ବି ହୁଅନ୍ତି । କିନ୍ତୁ, ମଟର ସାଇକେଲ ନେଇ ପାଖାପାଖି ଅଞ୍ଚଳର ବଦମାସ ପିଲା ପହଞ୍ଚି ଗଲେ ଝିଅ ମାନେ ଟିକିଏ ଶଙ୍କି ଯାଆନ୍ତି । ଆଉ ବେଶୀ ହୋ ହାଲ୍ଲା ନକରି ଚୁପଚାପ ଚାଲି ଯା’ନ୍ତି ।

ମଟରସାଇକେଲର ତା’ କାନ ପାଖରେ ପେଁ ପେଁ କର୍କଶ ହର୍ଣ୍ଣରେ ପ୍ରକୃତିସ୍ଥ ହେଲା ଶୋଭା । ହେ ଭଗବାନ !!! ରାସ୍ତା ମଝିରେ ସେ କେତେବେଳେ ଠିଆ ହେଇଚି ଜାଣିନି । ଏବେ କ’ଣ ହେଇଥାନ୍ତା !!!! ବାଁ ହାତ ଦେଖାଇ ଧୀରେ ଧୀରେ ରାସ୍ତା ପାର ହେଲା ଶୋଭା । ଆଜି ଗୁପଚୁପ ଦି’ଟା ଖାଇଲେ କେମିତି ହୁଅନ୍ତା? ମନ କୁ ମନ ପଚାରିଲା ସେ । କିନ୍ତୁ କେହି ପରିଚିତ ଲୋକ ଯଦି ଦେଖିଦେବେ ସେ ଗୁପଚୁପ ଖାଉଛି ବୋଲି !!!! ଆଉ ଯଦି ମିସେସ ଦାସ ଦେଖିଦେଲେ ତ’ କଥା ସରିଲା, ସାରା କଲୋନୀରେ ଡ଼ିବିଡ଼ିବି ବଜେଇବେ ଯେ ସେ ଏ ବୟସରେ ରାସ୍ତାରେ ଠିଆ ହେଇ ଗୁପଚୁପ ଖାଉଥିଲା ବୋଲି । ଯିଏ ଦେଖୁଚି ଦେଖୁ, ଆଜି ସେ ନିଶ୍ଚୟ ଖାଇବ… ନିଜକୁ ବୁଝାଇ ପାଦ ବଢ଼ାଇଲା ସେ ଗୁପଚୁପ ବାଲା ପାଖକୁ ।

ଟଙ୍କାରେ କେତେଟା ଦଉଚ? ତା’ ପ୍ରଶ୍ନରେ ଗୁପଚୁପ ବାଲା ମୁରୁକି ହସିଲା, ପାଖରେ ଖାଉଥିବା ପିଲାମାନେ ବି ଚୁପିଚୁପି ହସିଲେ । ବୁଝିପାରିଲାନି ଶୋଭା ସେ କ’ଣ ଭୁଲ ପଚାରିଲା ବୋଲି । ଆଜ୍ଞା, ଟଙ୍କା ରେ ନୁହେଁ, ଦଶ ଟଙ୍କାରେ ଛ’ଟା । ଗୁପଚୁପ ବାଲାର ଉତ୍ତରରେ ଲାଜ ଲାଗିଲା ଶୋଭାକୁ । ଛିଃ.. ସେ କେତେ ପଛରେ ଅଛି । ତା’ର ଦୋଷ ବା କ’ଣ? ବାହା ହେଇ ଆସିଲା ପରେ ଦୁଇ ଚାରି ଥର ସୁରେଶ ତାକୁ ଗୁପଚୁପ ଖୁଆଇଚନ୍ତି, ସିଏ ବି ରମାଦେବୀ କଲେଜ ଛକରେ । ସେତେବେଳର କଥା ଅଲଗା ଥିଲା, ସେ ଯାହା କହିଲେ ତା’ କଥା ରହୁଥିଲା । କିନ୍ତୁ ସମୟ ସାଙ୍ଗରେ ସୁରେଶଙ୍କ ମନ ବି ବଦଳି ଗଲାଣି । ତା’ ଛଡ଼ା, ସେ ମନ ଖୁସିରେ ସେତେବେଳେ ଗୁପଚୁପ ଖାଇଲାବେଳେ ସୁରେଶଙ୍କର ନାକ ଟେକା ମୁହଁ ତା’ର ଏବେ ବି ମନେ ପଡ଼ୁଚି । ସେଥିଲାଗି ତା’ ଗୁପଚୁପ ଖାଇବା ନିଶାଟା ତାକୁ ଭୁଲିବାକୁ ପଡ଼ିଛି । ଝିଅ ବି ପୂରା ବାପା ତା’ ଭଳି । ଥରେ ପଚାରିଥିଲା ମାମା, ତତେ କ’ଣ ଭଲ ଲାଗେ? ସେ କିଛି କହିବା ଆଗରୁ ସୁରେଶ କଟାକ୍ଷ କରି କହିପକାଇଲେ ଗୁପଚୁପ । ସେ ଉତ୍ତରରେ ଝିଅ ନାକ ଛିଞ୍ଚାଡ଼ି ପକାଇଲା, ଏହେ !! ଛିଃ ମାମା, କେତେ ଅସନା… ସେ ଗୁପଚୁପ ବାଲା ଯୋଉ ଆଳୁ ଚକଟି ପକାଏ ଅସନା ହାତରେ, ପୁଣି ବୁଢ଼ା ଆଙ୍ଗୁଠିରେ ଯୋଉ ଗୁପଚୁପକୁ କଣା କରେ…. କେତେ ମଇଳା ହେଇଥିବ ତା’ ନଖ… ଇସ….. ବାପ ଝିଅ ତା’ପରେ ହୋ ହୋ ହେଇ ହସିଥିଲେ । ଭାରି ଆଘାତ ଲାଗିଥିଲା ଶୋଭା ମନରେ । ଆଖିରେ ଲୁହ ଜକେଇ ଆସିଥିଲା, ମିଛରେ ଆଖିରେ କ’ଣ ପଡି ଯାଇଛି କହି ରୋଷେଇ ଘରକୁ ପଶିଯାଇଥିଲା ମୁହଁ ଧୋଇବ ବୋଲି । ବାପ ଝିଅଙ୍କୁ କିନ୍ତୁ ପିଜା ଭଲ ଲାଗେ । ଝିଅ ସବୁ ରବିବାର ଅନ ଲାଇନ ଡୋମିନୋରୁ ପିଜା ମଗାଇ ଆଣେ, ଟିଭି ଦେଖି ଦେଖି ସେମାନେ ଆରାମରେ ସେତକ ଉଦରସ୍ଥ କରନ୍ତି । ଥରଟିଏ ଜବରଦସ୍ତ ଝିଅ ତାକୁ ଖୁଏଇଥିଲା, କିନ୍ତୁ ଶୋଭାକୁ ଜମା ଭଲ ଲାଗିଲାନି ତା ସ୍ୱାଦ । ବେଳେ ବେଳେ ଶୋଭା ଭାବେ ପଚାରିବ ବୋଲି, ଏଇ ବାସି ମୋଟା ରୁଟି ଉପରେ ବାସି ମସଲା ଦିଆ ପିଜା କ’ଣ ଏମିତି ଭଲ ଲାଗୁଚି?? କିନ୍ତୁ କେବେ ପଚାରିବା ସାହସ କରିନି, ବାପ ଝିଅ ତାକୁ ଗାଉଁଲୀ କହିବେ ବୋଲି ।

ଆଜ୍ଞା, ଖାଇବେ, ନା ପାର୍ସଲ କରି ଦେବି । ନା, ନା, ଖାଇବି । ଦଶ ଟଙ୍କାର ଦିଅ । ତା’ କଥାରେ ଗୁପଚୁପ ବାଲା ତାକୁ ଛୋଟ ପତ୍ର ଦନାଟିଏ ଧରାଇ ଦେଲା । ପ୍ରଥମ ଗୁପଚୁପଟି ପାଟିରେ ନେଲା ବେଳେ ତା’ କଣ୍ଠରୁଦ୍ଧ ହେଇଗଲା । ଆଖି ବି ଜକେଇ ଆସିଲା । ଆଖି ପୋଛି ଦେଇ, ଗଳା ଝାଡ଼ି ଖାଇବାରେ ମନ ଦେଲା ସେ । ଆଉ ଦଶ ଟଙ୍କାର ଦିଅ । ଆଜିର ଏଇ ସମୟଟିକୁ ମନଭରି ନିଜର କରିବାକୁ ଚାହୁଁଥିଲା ଶୋଭା ।

ତା’ ପଛରୁ କେହି ଜଣେ କରୁଣ ସ୍ୱରରେ ଡାକିଲା, ମାଆ !!! ମତେ ଯୋଡ଼େ ଖାଇବାକୁ ଦବ?? ଶୋଭା ଦେଖିଲା ଭିକାରୁଣୀଟିଏ । ଗୁପଚୁପ ଖାଇବୁ?? ଆଗକୁ ଆସୁନୁ । ନେ, ପତ୍ର ଠୋଲାଟେ ନେ କହି ଗୁପଚୁପ ବାଲା ପାଖରୁ ଠୋଲାଟେ ଆଣି ଭିକାରୁଣୀକୁ ବଢ଼ାଇଦେଲା । ତାକୁ ଆଗ ଦିଅ । ତା’ ଆଡ଼କୁ ବଢ଼ ଆସୁଥିବା ଗୁପଚୁପ ବାଲାର ହାତ ବୁଲି ଗଲା ଭିକାରୁଣୀ ପାଖକୁ । ଖାଇ ସାରି ପଚାଶ ଟଙ୍କିଆ ନୋଟଟିଏ ବଢ଼ାଇଦେଲା ସେ ଗୁପୁଚୁପ ବାଲାକୁ । ତାକୁ କୋଡ଼ିଏ ଟଙ୍କାର ଖାଇବାକୁ ଦବ, ଆଉ ଦଶ ଟଙ୍କା ତା’ ହାତ ରେ ଫେରାଇ ଦବ ।

ହାଁ କରି ଅନାଇ ଥିଲା ଗୁପଚୁପ ବାଲା ଭଦ୍ର ମହିଳାଙ୍କୁ । ଭିକାରୁଣୀ ଆଖିରେ କୃତଜ୍ଞତା ଭାବ । ସେ ସବୁକୁ ଏଡାଇ ଦେଇ ତା ପ୍ରିୟ ହିନ୍ଦୀ ଗୀତ काँटों से खींच के वो आँचल.. ଗୁଣୁ ଗୁଣେଇ ଘର ଅଭିମୁଖେ ପାଦ ବଢ଼ାଇଲା ଶୋଭା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu