ରାମରାଜ୍ୟ ମରିନାହିଁ
ରାମରାଜ୍ୟ ମରିନାହିଁ

ରାମରାଜ୍ୟ ମରିନାହିଁ

ଝାଡ଼ୁ ନବ ମା’ ଝାଡ଼ୁ“– ଏମିତି ଡାକି ଡାକି ଡିସେମ୍ବର ମାସର ଏକ ଶୀତୁଆ ସକାଳରେ ସେ ଗେଟ୍ ଖୋଲି ପଶିଆସିଥିଲା । ମୁଁ ପଚାରିଥିଲି “ମୋ ପାଖରେ କିଛି ନଡ଼ିଆ ଖଡିକା ଅଛି, ତୁମେ ଝାଡୁ ବାନ୍ଧି ଦେଇପାରିବ?” ସେ ଅତି ସହଜରେ ରାଜି ହୋଇ ଆମ ଘର ବାରଣ୍ଡାରେ ଜାଗାଟିଏ ଖୋଜି ବସିପଡ଼ିଲା । ଦୁଇଟା ଝାଡ଼ୁ ବାନ୍ଧିବା ପରେ ମୋତେ ପାଣି ଗ୍ଲାସଟିଏ ମାଗିଲା । ଆଉ ମୁଁ ଗ୍ଲାସଟି ତା’ ହାତକୁ ବଢ଼ାଇ ଦେଉ ଦେଉ ମୋର ସ୍ୱଭାବ ସୁଲଭ ଢଙ୍ଗରେ ପଚାରିଲି “ତୁମ ଘର କେଉଁଠି?” ସେ କହିଲା, “ଏଇ ପାଖରେ ମାଆ, ହଳଦୀପଦା । ଟ୍ରେନରେ ଆସି ବେପାର ସାରି ପୁଣି ଫେରିଯାଏ । ମୋର ଦୁଇ ଝିଅ, ଗୋଟିଏ ପୁଅ । ବୟସ ଥିଲାବେଳେ ମଜୁରୀ ଖଟୁଥିଲି । ଏବେ ବୟସ ଗଲାରୁ ମୋର ଏ ବେପାର । ପୁଅ ମୋର କାମ ଦାମ କରେ । ତଥାପି ପେଟ ପୁରେନା, ଏତେ ପ୍ରାଣୀ କୁଟୁମ୍ବ ।” ମୁଁ କହିଲି, “କାହିଁକି? ସରକାର ତ’ ଏବେ ଟଙ୍କାକିଆ ଚାଉଳ, ଗହମ ଦଉଛନ୍ତି । ତୁମ ପିଲାଙ୍କ ପାଇଁ ସବୁ ସୁବିଧା କଲେଣି । ତୁମର ପୁଣି ଅସୁବିଧା କ’ଣ?” ସେ କହିଲା, “ମୋ ନାଆଁ ବିଦ୍ୟାଧର କାନୁନ୍‌ଗୋ । ଆମ ଜାତିରେ ସ୍ତ୍ରୀ ଲୋକମାନେ ବାହାରେ କାମଦାମ କରନ୍ତି ନାହିଁ । ଆମକୁ ବିପିଏଲ କୋଟା ମିଳେ ନା । ଜାତିଟା ବଡ଼ ସିନା ମାଆ ହେଲେ ପେଟକୁ ଦାନା ନାହିଁ । ସବୁ ସୁବିଧାରୁ ମୋ ପିଲା ବଞ୍ଚିତ । ଟଙ୍କା ଅଭାବରୁ ପିଲାଏ ମୂର୍ଖ ହେଲେ । ସରକାର କହୁଛନ୍ତି ଜାତିପ୍ରଥା ଉଚ୍ଛେଦ କର । ହେଲେ ନିଜେ ସରକାର ତ’ ଏ ବ୍ୟବସ୍ଥା କରିଛନ୍ତି ।”

ଏତେ ଗୁଡ଼ାଏ କଥା କହିସାରି ପୁଣି ଭାରି ସନ୍ତର୍ପଣରେ ସେ କହିଲା “ମାଆ ବାବୁଙ୍କର ପୁରୁଣା ଶୀତ ଜିନିଷ କିଛି ନାହିଁ? ଏ ହାଡ଼ଭଙ୍ଗା ଶୀତରେ ହାତ ଗୋଡ଼ ମୋର ଚଳୁନି । ବୟସ ଆସି ଏକାଅଶୀ ହେଲାଣି ଯେ । ସରକାର ତ’ କହୁଥିଲେ ଆମ ପାଇଁ ଆଚ୍ଛାଦିନ ଆସିବ ବୋଲି ।” ମୁଁ ସେସବୁ କଥା ନଶୁଣି ତରତରରେ କିଛି ପୁରୁଣା ଲୁଗା ତାକୁ ଖୋଜି ଦେଇଦେଲି । ତା ସାଙ୍ଗରେ ଝାଡ଼ୁବନ୍ଧା ପାଇଁ ଟଙ୍କା କିଛି ନେଇ ମୋ ପାଖରୁ ସେ ଦିନ ସେ ଖୁବ୍ ଖୁସିରେ ବିଦାୟ ନେଲା ।

ଠିକ୍ ପରଦିନ ପୁଣି ସେତିକିବେଳେ ସେ ଗେଟ୍ ଖୋଲି ଭିତରକୁ ଆସିଲା । ମୁଁ ଝରକାପଟୁ ତାକୁ ଦେଖି ଆଉ ବାହାରକୁ ଗଲିନି । ଭାବିଲି ପୁଣି କ’ଣ ମାଗିବାକୁ ଏ ଆସିଗଲା । ଏମାନଙ୍କୁ ପରା ଆଙ୍ଗୁଳି ଦେଖେଇଲେ ଏମାନେ ବାହା ଗିଳିବେ । ସେ କଲିଂ ବେଲ୍ ଟିପିଲା, ମୁଁ ଆସିଲିନି । ପୁଣି କବାଟ ବାଡ଼େଇଲା । ଏଥର ମୁଁ ଆସିଲି କହିଲି “ପୁଣି କ”ଣ? କାଲିପରା ତୁମକୁ ଏତେ ଜିନିଷ ଦେଇଛି ?”

ସେ ମୋ କଥାକୁ ନଶୁଣି ତା ଅଣ୍ଟାରୁ ପାଞ୍ଚଶହ ଟଙ୍କାର ନୋଟଟିଏ ମୋ ହାତକୁ ବଢାଇ ଦେଉ ଦେଉ କହିଲା “ଆପଣ ବାବୁଙ୍କର ଯେଉଁ କୋଟ ଦେଇଥିଲେ ତା’ ପକେଟରେ ଏ ଟଙ୍କା ରହିଯାଇଥିଲା ।” ଅପମାନରେ ମୋ ମୁଣ୍ଡ ତଳକୁ ହୋଇଗଲା । ସତରେ ଅବା ମୋତେ କିଏ ପାହାରେ ପକେଇଲ । ମୋତେ ଦୋଷୀ ଦୋଷୀ ଲାଗୁଥିଲା । ସେ ମୋ ଉତ୍ତରକୁ ଅପେକ୍ଷା ନକରି ଚାଲୁଯାଉଥିଲା । ମୁଁ ତା ସଚ୍ଚୋଟତାକୁ ସଲାମ ନକରି ରହିପାରିଲିନି । ଭାବୁଥିଲି ଆଜି ବି ରାମରାଜ୍ୟ ମରିନାହିଁ । ଏବେ ବି ବଞ୍ଚିଛି ଏ ବିଦ୍ୟାଧର କାନୁନ୍‌ଗୋ ମାନଙ୍କ ଭିତରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu