ବେଳେବେଳେ ହୃଦୟର ଅଭିବ୍ୟକ୍ତି
ଅଧାରୁ ନୀରବିଯାଏ,
ପରିସ୍ଥିତି ଆଉ ଔପଚାରିକତାର ବାଦଲ ପଛରୁ
ଅପେକ୍ଷା କରିଥାଏ
ଗୋଟିଏ ସୁଯୋଗର;
ଯେବେ ପୁଣି କାଳି ବୋଳି ହୋଇ
ନିଜ ଅସ୍ତିତ୍ୱର ପ୍ରମାଣ ଦେଇପାରିବ
ପୂର୍ଣ୍ଣଚ୍ଛେଦ ପଡ଼ିବା ଆଗରୁ ।
ମୁଁ ବି ବଞ୍ଚାଇ ରଖିଥାଏ
କ୍ଷତବିକ୍ଷତ ଆଶାର ସ୍ପନ୍ଦନ,
ଅଟକ ରଖିଥାଏ
କାଗଜ ଉପରେ ମାଡ଼ିଯାଉଥିବା
କଲମ ମୁନକୁ;
କାଳେ ଗୋଟିଏ ପୂର୍ଣ୍ଣଚ୍ଛେଦ
ପାଲଟିଯିବ ଗୋଟେ ଅଧା କାହାଣୀର
ଲକ୍ଷ୍ମଣରେଖା !!
ମଉନବ୍ରତୀ ସମ୍ପର୍କକୁ ବି
ଅର୍ଦ୍ଧବିରାମର ସାହାରା ନେଇ
ମୁଁ ଲେଖୁଥାଏ,
କାରଣ ଥରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲେ
ଶୁନଶାନ୍ ଲାଗିବ
ଜୀବନର ସବୁ ରାସ୍ତା ।
ଗୋଟିଏ ପୂର୍ଣ୍ଣଚ୍ଛେଦ !
ପରିସମାପ୍ତି;
ହେଲେ ସେଇ ପୂର୍ଣ୍ଣଚ୍ଛେଦ ବି
ବାଧ୍ୟ କରେ ଉଡ଼ିବାକୁ
ସକାଳିଆ ଆକାଶର
ନୂତନତ୍ୱ ଆଡ଼କୁ ।
– ଅର୍ପିତା ମିଶ୍ର