You are currently viewing ଗାଁ ତୁଠ
ଗାଁ ତୁଠ

ଗାଁ ତୁଠ

କେଉଁକାଳରୁ ଏ ତୁଠଟା ଏମିତି ମୂକସାକ୍ଷୀ ହେଇ ଛିଡ଼ା ହେଇଛି ଗାଁ ମୁଣ୍ଡରେ । ଖାଲି ଅପବାଦ ଯେ ମୁଣ୍ଡେଇଛି ତା’ ନୁହେଁ, କିଛି ପ୍ରଶଂସା ବି ସାଉଁଟିଛି ସମୟର ସୁଅରେ । କେବେ ବିଚଳିତ କିମ୍ବା ବିବ୍ରତ ହେଇନି ଏ ଘାଟ । ଅନେଶତ ମସିହା ମହାବାତ୍ୟା ହେଉ କି ଅଶୀ ମସିହା ମରୁଡ଼ି, ଗାଁ ଯାକର ଦୁଃଖ ସୁଖକୁ ମୁଣ୍ଡେଇ କେବେ ବି ଭାରାକ୍ରାନ୍ତ ହେଇନି ।

କେଇଖଣ୍ଡ ବାଉଁଶକୁ ଯୋଡ଼ି ଆରମ୍ଭ ହେଉଥିବା ପୋଖରୀ ତୁଠରେ ଯେଉଁଦିନ ପଡ଼ିଥିଲା ଗୋଟେ ମାଙ୍କିଡ଼ିଚିଆ ପଥର, ସେଦିନ ବୋଧେ ଗାଁ ଯାକର ଲୋକ ଖୁସିରେ ଫୁଲି ଉଠିଥିଲେ । ପକ୍କାଘାଟ ହେଲା ପରେ ପରେ ଶଙ୍ଖମଲ ପଥରରେ ପୁରା ପୋଖରୀ ଏବେ ଶୋଭା ପାଉଛି ।

ଏହି ଘାଟ, ଯୋଉଠି ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡ଼ିବା ଆଗରୁ ଗାଁ ମାଇପେ ଗାଧୋଇ ପଡ଼ନ୍ତି, ଖାଲି ସେତିକି ନୁହଁ ଟିଭି ଚ୍ୟାନେଲରେ ମୁଖ୍ୟ ସମାଚାର ପଢ଼ିଲା ପରି ଲୁଗା ପାଲୁଟୁ ପାଲୁଟୁ ଟୁପୁରୁ ଟାପୁରୁ ଫୁସଫୁସ ହେଇ ଗାଁ ଯାକର ଖବର ଗପିଯାଆନ୍ତି । ଝଗଡ଼ା ସହ ମୁହଁଫୁଲା ବି ଚାଲେ ତା’ ଭିତରେ । ତାଙ୍କ ଗୋଠ ଭାଙ୍ଗୁଭାଙ୍ଗୁ ଦାନ୍ତକାଠି ଧରି ପହଞ୍ଚି ଯାଆନ୍ତି ବୁଢ଼ା ବୁଢ଼ୀ ଶ୍ରେଣୀୟ ଲୋକ । ସବୁ କଥା ପଡ଼େ ସେଇଠି, କାଲି ଦିନର ହାଟରେ ପରିବା ଦରଠୁ ନେଇ କିଏ କେତେବେଳେ ଘରକୁ ଫେରିଲା, ସବୁ ଆଲୋଚନା ସେଇଠି । ଏ ଦଳଟି ଯାଉ ଯାଉ ଆସିଯାନ୍ତି ସ୍କୁଲ ପଢ଼ୁଆ ଚାକିରିଆ ଗୋଷ୍ଠୀ ।

ଏହି ତୁଠ ମୂକସାକ୍ଷୀ ହେଇଛି କେତେ ଅଧାଗଢ଼ା ପ୍ରେମ କାହାଣୀର । କେତେକଙ୍କ ଚୋରା ପିରତୀ ତ ଏହି ପୋଖରୀ ତୁଠରୁ ଆରମ୍ଭ ହେଇଛି । ପୋଖରୀ କଡ଼ରେ ଥିବା କୃଷ୍ଣଚୁଡ଼ା ଗଛଟି ସିନା ଋତୁ ସହ ତାଳଦେଇ ରଙ୍ଗ ବଦଳେଇଛି, ହେଲେ ଏ ତୁଠର ଆକର୍ଷଣ କେବେ ଫିକା ପଡ଼ିନି । ସଞ୍ଜ ହେଉହେଉ ଆରମ୍ଭ ହୁଏ ତୁଠ ମୂଳରେ ତାସ ପାଲି, ତା ସାଙ୍ଗକୁ ଖପରା କାତି ଖେଳ ପିଲାମାନଙ୍କର । ଆଉ ସଞ୍ଜ ନଇଁଗଲେ ବସେ ସଙ୍ଗୀତର ଆସର ନହେଲେ ଗପର ପସରା ।

ଗାଁ ଭିତରେ ଯେତେ ସାହି ଯେତେ ଘର, ସବୁ ପର୍ବପର୍ବାଣୀ ଆଉ ବାରତୀର୍ଥରେ ଏହି ତୁଠର ପାଣି ଗଙ୍ଗାଜଳ ଭଳି ବ୍ୟବହାର କରନ୍ତି । ବାହାଘର ବ୍ରତଘରର ଦେହ ମଙ୍ଗୁଳା ହେଉକି ମୃତାହ କାମ ଏହି ତୁଠରେ ସ୍ନାନ କରନ୍ତି ସମସ୍ତେ । ଏହି ତୁଠରେ ଚଷା ଘର ବୋହୂ ଚିତଉ ପିଠା ଦିଏ, ଏଇଠି କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଯାଏ । କୁମ୍ଭ କଳସଠାରୁ ମୂର୍ତ୍ତି ବିସର୍ଜନ ସବୁକୁ ନିଜର କରି ଆପଣେଇଥିବା ତୁଠ ବହିଛି ବହୁ ଅପବାଦର ଭାର । ଗାଁରେ କିଛି ରୋଗ ବୈରାଗ ହେଲେ, ସରକାରୀ ବାବୁଙ୍କ ପ୍ରଥମ ଆକ୍ରୋଶର ଶିକାର ହୁଏ ସବୁବେଳେ । ବ୍ରହ୍ମ ରାକ୍ଷସଟିଏ ରହୁଛି ପୋଖରୀ ତୁଠରେ ବୋଲି ଆଖପାଖ ଗାଁରେ ଚର୍ଚ୍ଚା । ଏମିତି କେତେ କ’ଣ ନାହିଁ ନଥିବା ଚର୍ଚ୍ଚା ।

ସବୁ ପରେ ବି ଏ ତୁଠକୁ କେହି ଘୃଣା କରି ନଥିଲେ କି କାହାର ଭଲ ପାଇବା କମି ନଥିଲା ଏ ତୁଠ ପ୍ରତି । ସେଇଥିପାଇଁ ତ, ଯାହାର ଯେତେ କାମ ଥିଲେ, ଯିଏ ଯେତେ ବି ଥକି ଯାଇଥିଲେ ଏହି ତୁଠରେ ଟିକିଏ ବସି ପଡ଼ିଲେ ସବୁ କଷ୍ଟ ଲାଘବ ହେଇଯାଉଥିଲା । ଆଉ ଗାଁରେ ଯେତେକ ନ୍ୟାୟ ନିଷ୍ପତି ସବୁ ଏହି ତୁଠ ପାଖରେ ହେଉଥିଲା ।

ସମୟ ବଦଳି ଯାଇଛି, ଆଜିକାଲି ସେମିତି କେହି ଆସୁ ନାହାନ୍ତି। ନା ଆସୁଛନ୍ତି ଝିଅ ବୋହୂ, ନା ଜମୁଛି ଖଟି । ଅନ୍ଧାର ହେଲେ ଯାହା ଦଳେ ମଦୁଆ ଆସୁଛନ୍ତି, ଆଉ ବୋତଲ ସହ ପ୍ଲାଷ୍ଟିକ ଫୋପାଡ଼ି ଯାଉଛନ୍ତି । ପରିଷ୍କାର ତୁଠ ଆଜି ଅବର୍ଜନାରେ ବିମଣ୍ଡିତ । ସରକାରଙ୍କ ଯୋଜନା ପରେ ଯୋଜନାରେ ଫଳକ ସଂଖ୍ୟା ବଢ଼ି ଚାଲିଛି, ଆଉ ରାଜନୀତିର ଖେଳରେ ସମସ୍ତେ ବିଭୋର ଏଇଠି । ଗାଁ ଛୁଆ ଖପରା କାତି ଖେଳୁ ନାହାଁନ୍ତି, ଯେଉଁମାନେ ଆସୁଛନ୍ତି ସେମାନେ ହେଲେ ଉଚ୍ଚଶିକ୍ଷିତ ଭଦ୍ରଲୋକ । ସ୍ଵଛଭାରତ ଲେଖାଥିବା ସୁନ୍ଦର ସୁନ୍ଦର ଟି-ସାର୍ଟ ପିନ୍ଧି ଫୋଟୋ ଉଠେଇବାକୁ । ସମୟ ବଦଳି ଯାଇଛି, ଗାଁ ତୁଠ ଅଲୋଡ଼ା ହେଇ ଯାଇଛି । ଆଉ ବ୍ରହ୍ମ ରାକ୍ଷସ ବି ବାହାରୁ ନାହିଁ । ନା ଆଉ କିଏ ନିନ୍ଦା ଅପମାନ ଦେଉଛି ନା କିଏ ନିଜର କରୁଛି । ଖାଲି ଯାହା ମୂକସାକ୍ଷୀ ସାଜି ଛିଡ଼ା ହେଇଛି ।

ଷ୍ଟାଲ୍ଲିନ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଷ୍ଟାଲ୍ଲିନ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ କିଛି ଗପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।