ସେଲଫି
ସେଲଫି

ସେଲଫି

ହଠାତ୍ କି ନିଦ ଭାଙ୍ଗିଗଲା ଅନନ୍ଦିତାର । ମୋବାଇଲଟାକୁ ଅନ୍ଧାରରେ ଅନ୍ କରିକି ଦେଖେ ତ’ ଭୋର ୪ଟା ୩୦ ମିନିଟ ହେଇଛି । ଲାଇଟ ଲଗେଇ ଚେୟାରରେ ବସିଲା ଯାଇ ତା’ ନିୟମିତ ଢଙ୍ଗରେ । ଶୁଷ୍କ ଓଠ ସାଙ୍ଗକୁ ଆଖି ଦୁଇଟି ଫୁଲି ଯାଇଥାଏ, ମୁଣ୍ଡର ବାଳ ପୁରା ଅସ୍ତବ୍ୟସ୍ତ । ଘରଟା ପୁରା ଶୂନଶାନ, ତାକୁ ଛାଡ଼ି ଏଇ ଘରେ ଏବେ କେହି ବି ରୁହନ୍ତିନି । ଖଟଟା ଉପରକୁ ଟିକେ ନଜର ବୁଲେଇ ଆଣିଲା । ଏକା କଉଠି ସେ ଶୋଇଥିଲା? ଅମରକୁ ସେଲଫିଟେ ଉଠେଇ ମେସେଜ କଲା, “ଦେଖ ଅମର ! ମୁଁ ଶେଯରେ ଏକୁଟିଆ ନାହିଁ, ମୋ ସାଙ୍ଗରେ ଅଛନ୍ତି ତୁମର ଏଇ ପସନ୍ଦର ଧଳା ସାର୍ଟ, ହେଡ଼ଫୋନ, ନୋଟ ଖାତା, ପେନ, କିଛିଟା ମେଡିକାଲ ପ୍ରାକ୍ଟିସ ବହି ଆଉ ମୋର ପସନ୍ଦର ଉପନ୍ୟାସ ବହି । ବାସ ତୁମର ଅନି ।”

ଏମିତି କେତେ ରାତି ନ କଟିଛି ବିନା ଅମରରେ । ଦିନ ଖାକ ଖୁବ ବ୍ୟସ୍ତତା ଭିତରେ କଟିଗଲେ ମଧ୍ୟ, ନିର୍ଜନ ରାତିଟା ତାକୁ କେବେବି ନିଜକୁ ଠକିବାର ସୁଯୋଗ ଦେଇନି ଆଜି ଯାଏ । ରାତିରେ ଅମରକୁ ଗୋଟେ ମେସେଜ ପଠେଇବା ତାର ନିତ୍ୟନିୟମିତ କର୍ତ୍ତବ୍ୟ ସତେ ଯେମିତି । ଆଗରୁ ପ୍ରତିଉତ୍ତରଟେ ଆସୁଥିଲା, ଏବେ ସେତକ ବି ବନ୍ଦ ହେଇସାରିଲାଣି ଅମର ତରଫରୁ । କିନ୍ତୁ ଅନନ୍ଦିତାର କେବେ ଭୁଲିବାର ସୁଯୋଗ ଦେଇନି ଅମରକୁ ନିଜ ମନରୁ ଅଥବା ଫୋନରୁ । ଏଇ ମେସେଜ ଦିଆନିଆ ଗତ ୮ବର୍ଷର । କଲେଜ ଦିନର ମଧୁର ଭଲପାଇବାଟା ଆଗକୁ ଯାଇ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କରେ ରୂପାନ୍ତରିତ ହୋଇଯାଇଥିଲେ ମଧ୍ୟ କିଛି ବଦଳିବାକୁ ଦେଇନଥିଲା ସେ ଦୁଇଜଣଙ୍କ ମଧ୍ୟରେ । ସେମିତି ଅଫିସରୁ ଆସି ମିସ୍‌କଲଟେ ଅବା ରାତିରେ ଶୋଇବା ପୂର୍ବରୁ ମେସେଜଟେ କରିବା ଯେମିତି ତା’ର ଗୋଟେ ନିୟମିତ କର୍ମ ପାଲଟି ଯାଇଥିଲା । ଅମର ବି ତା’ର ଏହି ଛୁଅଳିଆମିକୁ ଭାରି ଭଲ ପାଉଥିଲା । ଆଉ ଯଦି ଭୁଲରେ କେବେ ଅନନ୍ଦିତା ଭୁଲିଯାଉଥିଲା, ଅମର ଗୋଟେ ମେସେଜ ନିଜ ଆଡ଼ୁ ପଠେଇ ଦଉଥିଲା ତାକୁ “କ’ଣ ଅନି, ଭୁଲିଗଲ?” ବୋଲି ଲେଖି । କଡ଼ ଲେଉଟି ହସି ଦଉଥିଲା ଅନନ୍ଦିତା ପ୍ରତିଉତ୍ତରରେ ଅମର ମୁହଁକୁ ଚାହିଁ ।

ଏଇ ଗତ ଦେଢ଼ ବର୍ଷ ଭିତରେ ତା’ ହସଖୁସିର ଦୁନିଆଟା ସତେ ଯେମିତି ଓଲଟପାଲଟ ହେଇ ଯାଇଛି । ୟା ଭିତରେ ଅମରର ପ୍ରୋଜେକ୍ଟ କାମରେ ବିଦେଶ ଗସ୍ତ, ଅନନ୍ଦିତାର ବାଙ୍ଗାଲୋରରୁ ପୁନାକୁ ବଦଳି ଆଉ ଅନେକ କିଛି । ଅମର ଆମେରିକା ଗଲାପରେ, ତା’ ସାର୍ଟ, ତା’ ଅତର, ଟେବୁଲ, ବହି, ସେମାନଙ୍କର ବିଛଣା ଆଦିରେ ସେ କେମିତି କେଜାଣି ଖୋଜିକି ପାଇ ଯାଉଥିଲା ତା ବାସ୍ନାକୁ । ସବୁକୁ ଖୁବ ଯତ୍ନର ସହକାରେ ରଖିଛି ସେ ନିଜ ଅଖାପାଖରେ । ସବୁଦିନ ରାତିରେ ସବୁ କାମଧନ୍ଦା ସାରି ରାତି ୪ଟା ବେଳକୁ ସେଲଫିଟେ ଉଠେଇ ପଠେଇବାକୁ ବି କେବେ ଭୁଲିନି ଆଜି ଯାଏ ସେ । କାରଣ ସେଠି ସକାଳ, ଆଉ ଅମର ଉଠେ ଠିକ ସେଇ ସମୟରେ । ଅମରର ଆମେରିକା ଯିବାର ମାସେ ପରେ ପୁନା ଲାଗି ବଦଳି ଖବର ପାଏ ଅନନ୍ଦିତା । ଏବେ ଖୁବ ବାଧେ ତାକୁ, ସତେ ଯେମିତି ଏବେ ହିଁ ତାକୁ ଅଲଗା ହବାକୁ ପଡୁଛି ଅମର ଠାରୁ ବାସ୍ତବରେ । ନିଜ ମନକୁ ବୁଝେଇ ଘରଟାକୁ ତାଲା ପକେଇ ଯାଏ ପୁନା । ରୁହେ ନିଜ ବଡ଼ ଭଉଣୀ ସାଙ୍ଗରେ, ତାର ବଡ଼ ବଙ୍ଗଳାରେ, କିନ୍ତୁ ମନେମନେ ଭାରି ଖୋଜିହୁଏ ଅମରର ଉପସ୍ଥିତିକୁ । ଅମରକୁ କୁହେନା କେବେ ତା’ ମନ କଥା, କିନ୍ତୁ ଅମର କୁ କି ଅଛପା ତା’ର ଅନିର ମନ କଥା । କଥା ଛଳେ କେତେ ଥର କହି ଦିଏ, “ଅନି ଆଉ ମାତ୍ର ବର୍ଷେ, ହେଇ ଗଣୁ ଗଣୁ ସରିଯିବ, ତା’ପରେ ମୁଁ ପୁଣି ତୁମ ପାଖରେ ।” ଅନନ୍ଦିତାର ମୁହଁରେ ଆପେ ଆପେ ହସର ଲହରୀ ଖେଳିଯାଏ ଅମରର କଥା ଶୁଣି । ଏମିତି ଚାତକ ପକ୍ଷୀ ପରି ଦିନ ଗଣୁଥାଏ ସେ ଅମରର ଆସିବା ରାସ୍ତାକୁ ଚାହିଁ । ଏଇ ମାସେ ଦି’ମାସ ହେଲା ଅମର ଆଉ ମେସେଜର ଉତ୍ତର ଦଉନି, କଥାବାର୍ତ୍ତା ବି ସପ୍ତାହକୁ ଥରେ ଅଧେ ହେଇପାରୁଛି, ସେ କୁଆଡ଼େ ଖୁବ ବ୍ୟସ୍ତ । ଅନନ୍ଦିତା ନିଜ ମନକୁ ବାସ କିଛି ନା କିଛିରେ ବ୍ୟସ୍ତ ରଖି ଭୁଲେଇବାକୁ ଚେଷ୍ଟା କରୁଛି ନିଜର ଯନ୍ତ୍ରଣାକୁ । କଉ ପଥରରେ ତିଆରି ସେ ନାରୀର ମୂର୍ତ୍ତିଟା ଯେ, ସବୁ ଲୁହ, କଷ୍ଟ, ଯନ୍ତ୍ରଣାକୁ ଶୋଷି ନିଏ ନିଜ ଶରୀର ମଧ୍ୟକୁ, କାହାକୁ ବି ଜଣା ପଡ଼େନା ତା’ ବେଦନାର ପରିଭାଷା । ତଥାପି ଅମରକୁ ସେଲଫି ଆଉ ମେସେଜ ଦେବା ଭୁଲେନି ସେ । ଏଇ ମାସେ ହେଲା ଅମରର ଫୋନ ବନ୍ଦ ଦେଖଉଛି, ମେଲ ଆଉ ଫେସବୁକ ବି ବନ୍ଦ । ତା’ର ସେଇଠି କିଛି ଖୋଜଖବର ମିଳୁନି । ଅନନ୍ଦିତା ଆମ୍ବାସିକୁ ଯାଇ କେତେ କାକୁତି ମିନତୀ ହେଲା ପରେ ସେମାନେ ଖୋଜାଖୋଜି ଆରମ୍ଭ କରିଛନ୍ତି ଅମରର । ବର୍ଷେ ହେଇଗଲାଣି କିଛି ଖବର ପାଇନି ଏଯାଏଁ ସେ । ଘର ଲୋକଙ୍କ ଅନେକ ବାରଣ ସତ୍ୱେ ଫେରିଆସିଛି ବାଙ୍ଗାଲୋର, ତା’ର ଆଉ ଅମରର ସେଇ ଛୋଟ ଆପଣାର ନୀଡ଼କୁ । କିଛି ବି ବଦଳିନି ତା’ର ସେ ଘରେ, ବାସ ଖାଲି କିଛି ଧୂଳିର ଆବରଣ ଆଉ ଅମରର ଅନୁପସ୍ଥିତି । ସାଙ୍ଗମାନେ ଯେତେ କହିଲେ ସୁଦ୍ଧା ନିଜେ ଏକୁଟିଆ ଝାଡ଼ିଝୁଡ଼ି ପରିସ୍କାର କରିଛି ସେ ଘରକୁ । ଠିକ ଯେମିତି ଥିଲା ଦେଢ଼ ବର୍ଷ ତଳେ, ଅମରର ଆମେରିକା ଯିବା ପୂର୍ବରୁ । ପ୍ରତିଟି ରାତି ଭିଜୁଛି ତା’ ବିଛଣା ଗରମ ଗରମ ଲୁହରେ, ରାତି ଠିକ ଚାରି କି ସାଢ଼ ଚାରିରେ ନିଦ ବି ଭାଙ୍ଗୁଛି । ପ୍ରଥମେ ଖୋଜୁଛି ତା ଫୋନକୁ, ଆଉ ଚିରାଚରିତ ଢଙ୍ଗରେ ନିଜକୁ ସଜାଡ଼ି ହସ ହସ ମୁହଁରେ ଗୋଟେ ସେଲେଫି ଉଠେଇ ପଠାଉଛି ଅମରର ଫୋନକୁ ।

ହଠାତ ଆଲାର୍ମର ଶବ୍ଦରେ ନିଜ ଭାବନା ରାଜ୍ୟରୁ ଫେରିଆସିଲା ଅନନ୍ଦିତା । ଦେଖିଲା ସକାଳ ୬ଟା ବାଜିଲାଣି । ତା’ ଫୋନର ଆଲାର୍ମ ତ ଇୟେ ନୁହେଁ । ଅମରର ସ୍ମାଇଲ ମେସେଜଟେ ଆସିଛି । ଚେୟାରରୁ ଉଠି ଅମରର ପଢ଼ା ଟେବୁଲ ଉପରୁ ନଜର ବୁଲେଇଦେଲା । ଅମରର ଫୋନଟା ବାଜୁଛି ତାହେଲେ, ଆଲାର୍ମକୁ ବନ୍ଦ କରି ଟିକେ ହସିଦେଲା । ଅମର ତ’ ନାହିଁ ହେଲେ ତାଙ୍କ ଫୋନ ତ’ ଅଛି ମୋ ପାଖରେ । ହରେଇ ଦେଇଛି ସେ ଅମରକୁ ଗୋଟେ ସଡ଼କ ଦୁର୍ଘଟଣାରେ ବର୍ଷେ ତଳେ, ବାସ୍ ମିଳିଛି ତା’ର ଏଇ ଫୋନଟି ତାକୁ । ସବୁ ହଜେଇକି ବି ସେ ହଜେଇବାକୁ ଦେଇନି ତାଙ୍କର ଏଇ ଚିରନ୍ତନ ପ୍ରେମକୁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu