You are currently viewing ଅନ୍ତର୍ଦ୍ୱନ୍ଦ
Odia Poem Antardwanda (ଅନ୍ତର୍ଦ୍ୱନ୍ଦ) by Manas Ranjan Nayak

ଅନ୍ତର୍ଦ୍ୱନ୍ଦ

ପରିବ୍ୟାପ୍ତ ଏ ସଂସାର ପରିଧି, ଆଞ୍ଜୁଳାଏ ଆୟୁଷକୁ ନେଇ
ଅଶାନ୍ତ ଜୀବନ ପାରିଧି, ମୋହ ମାୟାର ଜୁଆର ଭଟ୍ଟା ପାଇ
ବିସ୍ମୃତ ବିଲୁପ୍ତ ପ୍ରାୟ ଆତ୍ମପ୍ରତ୍ୟୟର ଅମୃତ ମନ୍ତ୍ର ଧ୍ୱନି
ଅନ୍ତଃକରଣ ପାସୋରି ଅନୁତାପେ କାନ୍ଦୁଛୁ ବାହୁନି ବାହୁନି !…(୧)

ମୁଁ କାର ଗୁଞ୍ଜନ ଛାଡ଼ି, ଓଁକାର କରତୁ ଦିବା ନିଶି ସ୍ମରଣ
ଜନ୍ମ ସହ ଧ୍ରୁବ ସତ୍ୟ ମରଣ, ମୋକ୍ଷ ମିଳେ ଥିଲେ ସମର୍ପଣ
ପରିବର୍ତ୍ତିତ ମୁହୂର୍ତ୍ତ ବିକାଶ ଦର୍ପଣରେ ଲାଜେଇ ଯାଆନ୍ତି
ଚେତନା ଚଢ଼େଇ ଦଳ ଅନ୍ଧାର ପଞ୍ଜୁରୀରୁ ଘୁମୁରି ଉଠନ୍ତି… (୨)

ଗିରି ଗୁହ୍ୱେ ଆରମ୍ଭ ବିବର୍ତ୍ତନ, ବିଶ୍ୱାସେ ତୋ’ ଗିରିଶୃଙ୍ଗେ ଶେଷ
ଭୂମି ପାଇଁ ଦୂଷିତ ରକ୍ତ ସମ୍ପର୍କ, ଚାଲେ ଅନ୍ତରୀକ୍ଷେ ବିକାଶ
ନିଁହାଣ ମୁନରେ କୋଣାର୍କରେ ଜାଜୁଲ୍ୟମାନ ଜୀବନ୍ତ ଭାସ୍କର୍ଯ୍ୟ
ବନ୍ଧୁକ ଅଗ୍ରେ ଅୟୁତେ ମୃତ୍ୟୁ ବଦଳରେ ଅଧିକୃତ ସାମ୍ରାଜ୍ୟ ।… (୩)

ଭାଗ ଭୋଗ ସାଜେ ଦୃଢ଼ ମୂଳଦୁଆ, ସମ୍ପର୍କ ତାଜମହଲର
ଜୀବନ ଦୀପ ଲିଭିବା ବେଳେ ଶୁଭୁଛି, ଭାଗବତର ଝଙ୍କାର
ଦିଗରୁ ଦିଗନ୍ତ ବ୍ୟାପ୍ତ ଏବେ, ଇନ୍ଦ୍ରଦ୍ୟୁମ୍ନର ସ୍ୱାର୍ଥ ମେଘନାଦ
ନିଲାମ ଚାଲିଛି ଏବେ ପେଟ ପାଇଁ ଭିକ୍ଷା, ବଳକା ଆଶୀର୍ବାଦ ।…(୪)

ମନ୍ଦିରେ ସମର୍ପିତ ହୋଇ ପରମାତ୍ମାଙ୍କ ସାନ୍ନିଧ୍ୟକୁ ପ୍ରତୀକ୍ଷା
କାଳର ଲକ୍ଷ୍ମଣ ରେଖା ଟପି ଅମରତ୍ୱ ପ୍ରାପ୍ତିର ଉଚ୍ଚାକାଂକ୍ଷା
ସତସଙ୍ଗ ଦୀକ୍ଷିତ ହୋଇ ଆଧ୍ୟାତ୍ମିକ ଚେତନାର ଗୁଣଗାନ
ଧର୍ମର ମର୍ମ ଭୁଲି ପାଶବିକ ହିଂସା ସଂଘର୍ଷର ପ୍ରଦର୍ଶନ ।… (୫)

ଯୁଗେ ଯୁଗେ ଇପ୍ସିତ ତୋ’ ଚିରୁଡ଼ାଏ ଅମାୟିକ ବିଭୁ ପ୍ରତ୍ୟୟ
ସାଂସାରିକ ସ୍ନିଗ୍ଧ ସମ୍ମୋହନେ ବିଚଳିତ ଅୟୁତେ ସୂର୍ଯ୍ୟୋଦୟ
ବେଳ ଲେଉଟାଣି ହେଲେ ସୁକ୍ଷ୍ମ-ସ୍ଥୂଳ ମନେ ତୁମୁଳ ଅନ୍ତର୍ଦ୍ୱନ୍ଦ
ଚେତନାନ୍ମୁଖୀ ସାଧନାରେ ନିଶ୍ଚୟ ତୁ ପାଇବୁ ପରମାନନ୍ଦ ।… (୬)

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।