You are currently viewing କାନ୍ଧ
Odia Poem Kandha (କାନ୍ଧ) by Snigdha Panda

କାନ୍ଧ

ଦୁନିଆଁରେ ସଭିଙ୍କର ଲୋଡ଼ାହୁଏ କାନ୍ଧଟିଏ
ପୁଅର ଲୋଡ଼ା
ନିଜ କାନ୍ଧ ଚଉଡ଼ା ହେଲାଯାଏଁ
ଝିଅର ଲୋଡ଼ା
ଆଖିର ଆକ୍ଷେପରୁ ନିଜକୁ ଲୁଚେଇ ଦେବାକୁ
ଆର ଘରକୁ ଗଲାଯାଏଁ ॥

ସ୍ତ୍ରୀ ଲୋକର ବି ଲୋଡ଼ା
ପ୍ରେମ ଆଉ ଅହଙ୍କାରକୁ
ଦାଣ୍ଡରେ ପ୍ରକାଶିବା ଯାଏଁ
ବୟସ ବୋଝରେ କ୍ଳାନ୍ତ ବାପାଙ୍କର,
ମାଆର ବି ଲୋଡ଼ାହୁଏ କାନ୍ଧ
ଅନ୍ୟକୁ ଦେଖେଇବାକୁ
ସବୁ ଭଲ-ମନ୍ଦ ବେଳକୁ ॥

ଜିଇଁଥିବା ସବୁ ଲୋକର ଲୋଡ଼ା
କାନ୍ଧଟିଏ
ଉପରକୁ ଉଠିବାକୁ
ପାପକୁ ଲୁଚେଇବାକୁ
ଆଉ ମଲା ଲୋକର ତ ଲୋଡ଼ା
ଅନେକ କାନ୍ଧ
ମଶାଣିରେ ପହଞ୍ଚିଯିବାକୁ ॥

– ସ୍ନିଗ୍ଧା ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ନିଗ୍ଧା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।