You are currently viewing ଡ୍ରେସ୍ ପିନ୍ଧା ସାବିତ୍ରୀ
Odia Story Dress Pindha Sabitri (ଡ୍ରେସ୍ ପିନ୍ଧା ସାବିତ୍ରୀ) by Sudeep Rohan Bagh

ଡ୍ରେସ୍ ପିନ୍ଧା ସାବିତ୍ରୀ

ସାବିତ୍ରୀ ବ୍ରତ ସଧବାର ଦାୟିତ୍ଵଠୁଁ ଗର୍ବ ବେଶୀ । ମଥାରେ ଝଟକୁ ଥିବା ସିନ୍ଦୂରକୁ ନାଇ ଜୁଇକୁ ଯିବାକୁ ଇଚ୍ଛା ବ୍ରତର ନିଷ୍ଠାକୁ ଦୁଇ ଗୁଣ କରେ । ବର୍ଷକୁ ଥରେ ବାପ ଘରୁ ମିଳିଥିବା ଶାଢ଼ୀ ଶଙ୍ଖା ସିନ୍ଦୂରକୁ ପୂଜା କରି ନୂଆ ନାଇ, ସଜେଇ ହେଇ, ସ୍ୱାମୀର ଆୟୁଷକୁ ନିଜଠୁଁ ବଢ଼ାଇବାକୁ କାମନା କରୁଥାଏ ନାରୀ ।

ପୁରୁଷ ହିସାବରେ ନାରୀର ନିଷ୍ଠାକୁ ବ୍ୟକ୍ତ କରିବାକୁ ମୋ ପାଖରେ ଅଧିକ ଶବ୍ଦ ନାହିଁ ଯଦିଓ ତଥାପି ଭାବନାରେ ଅନେକ ସମ୍ମାନ ଅଛି । ବେଶୀ ଭଲ ଲାଗେ ଯେବେ ଶୁଣେ ସ୍ୱାମୀଟିଏ ମଧ୍ୟ ସମାନ ସମ୍ମାନ ଦେଇ ନିଜେ ସ୍ତ୍ରୀ ସହ ସେହି ବ୍ରତରେ ସାମିଲ ହୁଏ । ଏମିତି ଶୁଣି ଇଚ୍ଛା ହୁଏ ଭଗବାନଙ୍କୁ ନିବେଦନ କରିବାକୁ ସେଇ ଯୋଡ଼ିଙ୍କ ପୂର୍ବ ନିର୍ଦ୍ଧାରିତ ଆୟୁଷରେ ମିଶାଣ ଫେଡ଼ାଣ କରି ସମାନ କରିଦେବାକୁ । ଯେମିତି କାହା ବିରହର କଷ୍ଟରେ କେହି ବାକି ଜୀବନ ନ ବିତାଉ ।

କିଶୋର ଆଉ ପ୍ରତୀକ୍ଷାର ବାହାଘର ପରେ ଏଇଟା ପ୍ରତୀକ୍ଷାର ପ୍ରଥମ ସାବିତ୍ରୀ । ବାପଘର ଲୋକ ସଜବାଜ ହେଉଥାଆନ୍ତି ପ୍ରଥମ ଭାରକୁ ନେଇ । ଯେହେତୁ ଗାଁରେ ଘରଲୋକ ଦେଖିବେ କ’ଣ ଆସିଚି ବାପଘରୁ, କେହି କିଛି ଖୁଣ ନ କଢ଼ିଲା ଭଳି ସବୁ ଜିନିଷ ଦାମୀ ଆଉ ପସନ୍ଦ ଯୋଗ୍ୟ ବଛା ହେଉଥାଏ । ବାହାଘର ଭାର ପସନ୍ଦ ଆସିଥିଲା ବୋଲି ସେହି ଗୁଡ଼ିଆକୁ ଡାକି ତିଆରି ଚାଲିଛି ସମାନ ମାନର ମିଠେଇ ।

ବଡ଼ ଶାଢ଼ୀ ଦୋକାନରୁ ଦାମୀ ଶାଢ଼ୀ, ଟିଭି ବିଜ୍ଞାପନରେ ଆସୁଥିବା କମ୍ପାନୀର ସାଜସଜା ସାମଗ୍ରୀ, ବଛାବଛା ନାନା ପ୍ରକାରର ଫଳ । ତା’ ସାଙ୍ଗକୁ ରଙ୍ଗ ବେରଙ୍ଗ ଟୋକେଇ, ନୂଆ ନୂଆ ପେଟି, ଭଲ ସାଦା କାଗଜ । ଭଲ କରି ନିଜ ହାତରେ ଗୋଟି ଗୋଟି ଫଳ ପରଖି ଟୋକେଇରେ ରଖୁଥିଲେ ପ୍ରତୀକ୍ଷାର ବାପା । ଆଉ ଭାଇ ସବୁ ନୂଆ ପେଟି ସଫା କରି ଭାର ଜିନିଷ ରଖି ସାଦା କାଗଜରେ ଢାଙ୍କି ସଜାଡ଼ିବାରେ ଲାଗି ପଡ଼ିଥିଲା ।

ଏତିକିବେଳେ ସମୁଦୁଣିଙ୍କ ଫୋନ ଦେଖି ବ୍ୟସ୍ତ ହେଇ ପଡ଼ିଲେ ପ୍ରତୀକ୍ଷାର ମାଆ । ମା’ ମନ କାଳେ କ’ଣ ଅଘଟଣକୁ କଳନା କରି ଡରି ଡରି ଫୋନ ଉଠାଇ ସମୁଦୁଣୀ ନମସ୍କାର କହିବା ପରେ, ସେପଟ କୁଶଳ ଖବରରେ ଆସ୍ଵସ୍ଥି ହେଲେ ପ୍ରତୀକ୍ଷାର ମା’ । ହେଲେ ଶାଢ଼ୀ ବଦଳରେ ନୂଆ ଡ୍ରେସ୍ ଆଣିବା ପାଇଁ କହୁଥିବା ସମୂଦୁଣିଙ୍କ କଥା ହଜମ କରି ପାରିଲେ ନାହିଁ । ହଁ କହି ବିବ୍ରତ ହେଇ ଧାଇଁଲେ ପ୍ରତୀକ୍ଷାର ବାପାଙ୍କ ପାଖକୁ ।

– ଆରେ ଶୁଣୁଚ? କୁଆଡ଼େ ଗଲ?
– ହଁ, କୁହ । ଏତେ ବ୍ୟସ୍ତ କ’ଣ ପାଇଁ?
– ସମୂଦୁଣୀ ଫୋନ୍ କରି କହିଲେ ଶାଢ଼ୀ ନୁହେଁ ଡ୍ରେସ୍ ପାଠେଇବାକୁ ।
– ହେଲେ କାହିଁକି?
– ଏଇ ଝିଅକୁ କ’ଣ ପାରିହେବ? ଘରେ ପାଇଖାନା ଗାଧୁଆ ଘର ନାଇଁ ବୋଲି ଯିଏ ଶାଶୁଙ୍କୁ ମୁହେଁ ମୁହେଁ ଜବାବ ଦେଇଥିଲା, ସେ ଡ୍ରେସ୍ ପିନ୍ଧିବ ବୋଲି ଝଗଡ଼ାଝାଟି କରିନି ତ?
– ନା ସେ ଏମିତି କରି ପାରିବନି । ସେ କ’ଣ ସବୁଦିନ ଗାଁରେ ରହୁଚି ଯେ ଝଗଡ଼ା କରିବ? ମୁଁ କଥା ହେବି ତା’ ସାଙ୍ଗରେ । ଯଦି ସେମିତି କିଛି ହେଇ ଥାଏ ତାକୁ ବୁଝେଇବି ସାବିତ୍ରୀରେ ଶାଢ଼ୀ ଯାଏ । ସେ ଶାଢ଼ୀ ପିନ୍ଧି ପୂଜା କରିବ ।
– ସବୁ ତୁମରି ଦୋଷ । ପିଲାଟି ବେଳୁ ମୁହଁ ଦେଲ, ଆକଟ କଲ ନାହିଁ । ସମୁଦୁଣି ଏମିତି ଫୋନ କରି କହିଲେ ମୋତେ କେତେ ଖରାପ ଲାଗୁଚି ତୁମେ ଜାଣି ପାରିବ ନାହିଁ ।

ଏତିକି ଭିତରେ ପ୍ରତୀକ୍ଷାର ବାପା ତାକୁ ଫୋନ୍ ଲଗେଇ ପଚାରିଲେ;

– ଆରେ ମା, ତୁ ତ ବାହାରେ ରହୁଛୁ, ସେଠି ଯାହା ଇଚ୍ଛା ପିନ୍ଧେ । ମନା କରିବାକୁ କେହି ନାହାନ୍ତି । ହେଲେ ପର୍ବ ପର୍ବାଣୀରେ ଯାହା ରୀତି ଅଛି ସେଇଟା ଚଳୁ । ଶାଶୁଶଶୁରଙ୍କ ମନ ଦୁଃଖ କରି କ’ଣ ଲାଭ ପାଇବୁ?
– କ’ଣ ହେଲା ବାପା? କୋଉ କଥା କହୁଛନ୍ତି?
– ତୋ’ ଶାଶୁ ଫୋନ କରିଥିଲେ, କହିଲେ ଶାଢ଼ୀ ନଦେଇ ଡ୍ରେସ୍ ଦେବାକୁ । ତୁ କିଛି କହିଥିବୁ ବୋଲି ସେ ଏମିତି କହିଲେ ନା?
– ନା ବାପା ମୁଁ କିଛି କହିନି, କି ଆମ ଘରେ ସେ ବିଷୟରେ କିଛି ଆଲୋଚନା ହେଇନି ।
– ତାହାଲେ ତୋ’ ଶାଶୁ ଏମିତି କାହିଁ କହିଲେ?
– ସେ କହିଲେ, ଆପଣଙ୍କୁ ଯାହା ଠିକ୍ ଲାଗୁଚି କରନ୍ତୁ । ମୋର ଯାହା ହେଲେ ଚଳିବ । ଯଦି ସେ ଚାହୁଁଛନ୍ତି ଡ୍ରେସ୍ ତାହାଲେ ଡ୍ରେସ୍ ନେଇ ଆସନ୍ତୁ ।

ଝିଅର କିଛି ଭୁଲ ନଥାଇ ବି କାହିଁକି ସମୁଦୁଣୀ ଏମିତି କହିଲେ, ମନ ଭିତରେ ସଂଶୟ ରଖି ଭାର ଆଉ ଜିନିଷ ଧରି ପହଞ୍ଚିଲେ ଦୁଇ ପ୍ରାଣୀ ସମୁଦୁଣୀଙ୍କ ଘରେ । ଭାର ଦେଇ ବିଦାୟ ପୂର୍ବରୁ ସମୁଦୁଣୀଙ୍କୁ ଏମିତି ନିଷ୍ପତ୍ତିର କାରଣ ପଚାରି ବସିଲେ ପ୍ରତୀକ୍ଷାର ମାଆ । ଉତ୍ତରରେ ଯାହା ଶୁଣିଲେ…

ସେଦିନ ମୁହଁ ସଞ୍ଜରେ ପୋଖରୀ ପାଣି ଯାଇ ଫେରିଲା ବେଳେ ଆମରି ଗାଆଁ ପିଲାଙ୍କ ମୁହଁରୁ କିଛି ନୂଆ ବୋହୂଙ୍କ ଶରୀର ଗଠନକୁ ନେଇ ଯେଉଁ ମନ୍ତବ୍ୟ ସବୁ ଶୁଣିଲି, ତାହା କୌଣସି ବଳାତ୍କାର କାହାଣୀ ଠୁଁ କମ୍ ନଥିଲା । ତେଣୁ ଭାବିଲି, ସାବିତ୍ରୀରେ ଯେବେ ମୋ’ ବୋହୂ ଶାଢ଼ୀ ପିନ୍ଧି ମନ୍ଦିର ଯିବ ସେହି ପିଲାଙ୍କ ଖରାପ ଦୃଷ୍ଟି ପଡ଼ିବା ଆଗରୁ ବ୍ୟବସ୍ଥା କରିନେବା ଭଲ; ସେଇଥିପାଇଁ ଡ୍ରେସ୍ ଆଣିବାକୁ କହିଲି ।

ଘରେ ନୂଆ ହେଇଥିବା ଗାଧୁଆ ଘର ଆଉ ପାଇଖାନା ନିଶ୍ଚିତ ଭାବେ ସେହି ଭୟର ପ୍ରତିକାର ବୋଲି ବୁଝିବା ବାକି ନଥିଲା ।

ଏକମାତ୍ର ଡ୍ରେସ୍ ପିନ୍ଧା ସାବିତ୍ରୀକୁ ହେଇଥିବା ଟାହି ଟାପରାକୁ ଅନର୍ଗଳ ବୋଉ ଉପରେ ବର୍ଷା କରିଚାଲିଥିଲା ପ୍ରତୀକ୍ଷା । ନା ବୋଉ କଥା ଶୁଣିବାକୁ ଧୈର୍ଯ୍ୟ ନା ବୋଉକୁ କହିବାକୁ ସୁଯୋଗ । ଚାରି ପାଞ୍ଚ ଥର “ଆରେ ମା ଶୁଣ” କହିବା ଭିତରେ ପ୍ରତୀକ୍ଷାର ବାପା ଫୋନ୍‌ଟା ଛଡ଼େଇ ନେଇ କହିଲେ, “ତୋ’ ଶାଶୁ ତୋ’ ପାଇଁ ଘରେ ପାଇଖାନା, ଗାଧୁଆ ଘର ଯେଉଁ କାରଣ ପାଇଁ କଲେ, ସେହି କାରଣ ପାଇଁ ସେ ଚୁଡ଼ିଦାର ଆଣିବାକୁ କହିଥିଲେ ।”

ବାପାଙ୍କ କଥା ଶୁଣି ପ୍ରତୀକ୍ଷାର ଆଖି ଆଗରେ ନାଚି ଉଠୁଥିଲା ସେ ଦିନ ଘରେ ପାଇଖାନା ଆଉ ଗାଧୁଆ ଘର କ’ଣ ପାଇଁ ନାହିଁ ବୋଲି ଶାଶୁଙ୍କ ସହ ଯୁକ୍ତି ପୂର୍ବର ଦୃଶ୍ୟ ।

ପରିଧାନ ଯାହା ବି ହେଉ, ନିଷ୍ଠା ଥାଉ, ପରମ୍ପରା ବଞ୍ଚେଇ ରଖିବାର ପ୍ରୟାସ ରହୁ ।

– ସୁଦୀପ ରୋହନ ବାଘ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଦୀପ ରୋହନ ବାଘ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।