You are currently viewing କେବଳ ଶାଶ୍ୱତ
Odia Poem Kebala Saswata (କେବଳ ଶାଶ୍ୱତ) by Sabita Satapathy

କେବଳ ଶାଶ୍ୱତ

ଜୀବନ ଜିଜୀବିଷା
ଖୋଜୁଥାଏ ଅହର୍ନିଶ
ଭଲ ପାଇବାର ଦରୋଟି ଭାଷା
ପ୍ରେମରେ ପୂର୍ଣ୍ଣତା ହିଁ
ଜାଗ୍ରତ କରେ ବିଶ୍ୱାସ ଓ ଆସ୍ଥା
ନୂତନ ସମ୍ଭାବନାର ଆଶା ।

ବାସନା ଭରା ପ୍ରେମ
ଅବା ଲୋଲୁପତାର
ଆୟୁଷ ବା କେତେ?
ଅପଲକେ ଧରାଶାୟୀ ହୁଏ
ଧୂମକେତୁ ପରି,
ଅକ୍ଷମ ଆବେଗମାନେ ଛଟପଟ ହୁଅନ୍ତି
ବାସି ବିଛଣାରେ…
ପ୍ରତାରଣାର ଆଘାତରେ ବ୍ୟାପ୍ତ ହୁଏ
ଆକାଶ ଉନ୍ମୁଖି ପ୍ରଲମ୍ବିତ ତିମିରତା ।
ଫଗୁଣର ସ୍ୱପ୍ନ ସବୁ
ଉର୍ବଶୀର ଗାଁରେ
ପାଲଟି ଯାଆନ୍ତି
ଲୁହର ଚିରସ୍ରୋତା ଉଷ୍ମ ପ୍ରସ୍ରବଣ ।

ଆଖି ଯେବେ ପରଖି ପାରେନି
ପ୍ରେମର ସ୍ଥିତିଗତି… ହୃଦୟର ଚିତ୍ତବୃତ୍ତି
ପ୍ରେମ ପୃଥିବୀରେ ପ୍ରେମରେ ପ୍ରେମରେ
ଘଟିଯାଏ ଅପରାଧ

ପ୍ରେମର ଅଦ୍ୟ ସ୍ତବକରେ
ଏଣୁ ଲେଖିଦିଅ “କେବଳ ଶାଶ୍ୱତ”
ଉଭେଇଯିବ ଧରିତ୍ରୀର ଯେତେ ସବୁ କୋହ
ଏ ଧରା ହେବ ମଧୁମୟ,
ଜାଗିଉଠିବ ଜିଜୀବିଷା
ନଥିବ କିଛି ସଂଶୟ ଅବା ଭୟ ।

– ସବିତା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସବିତା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।