You are currently viewing ମସଲା ମଣ୍ଡା
Masala Manda (ମସଲା ମଣ୍ଡା) Recipe

ମସଲା ମଣ୍ଡା

ପାଶ୍ଚାତ୍ୟ ଖାଦ୍ୟଶୈଳୀରେ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟସବୁ ଆମ ନୂତନ ପିଢ଼ିଙ୍କଠାରୁ ଆସ୍ତେ ଆସ୍ତେ ଦୂରେଇ ଯିବାରେ ଲାଗିଛି । ଓଡ଼ିଆ ଘରେ ବାର ମାସରେ ତେର ପର୍ବ ଓ ପ୍ରତି ପର୍ବରେ ଛପନ ପିଠା ପଣା ମିଠା ଭୋଗ । ଏହିପରି ଏକ ପାରମ୍ପରିକ ଓଡ଼ିଆ ରୋଷେଇ ଘରର ପିଠା ହେଲା ସିଝା ମଣ୍ଡାପିଠା । ସବୁ ପର୍ବରେ ସିଝା ମଣ୍ଡାପିଠା ଘରେ ଘରେ ହୁଏ । ସୂଜି କିମ୍ବା ଚାଉଳ ଚୂନା ଜନ୍ତଣି ହେଇ ତା’ ଭିତରେ ନଡ଼ିଆ କିମ୍ବା ସିଝା ମୁଗପୁର ଦିଆ ହେଇ ତିଆରି ହେଇଥାଏ ଏହି ମଣ୍ଡାପିଠା । ହେଲେ ଆଜିକାଲି ସେ ପରମ୍ପରା ଲୋପ ପାଇବା ଅବସ୍ଥାରେ । ପର୍ବପର୍ବାଣିକୁ ଛାଡ଼ିଦେଲେ ଅନ୍ୟ ସମୟରେ ଏ ପିଠା ଏବେ ଘରେ ଘରେ ସ୍ୱପ୍ନ । ମଣ୍ଡା ପିଠାର ସ୍ଥାନ ଏବେ ପୂରଣ କରିଛି ମୋମୋ । ଆଧୁନିକ ପିଲାମାନଙ୍କର ଅତି ପସନ୍ଦ ଏବେ ଏ ମୋମୋ । ହେଲେ ମଇଦାରେ ତିଆରି ମୋମୋଠାରୁ ଆମ ସୂଜି ତିଆରି ମଣ୍ଡା ପିଠା ସ୍ୱାସ୍ଥ୍ୟ ପାଇଁ ବହୁତ ଗୁଣରେ ଭଲ । ହେଲେ ଆଜି କାଲିକା ଛୁଆମାନେ ମିଠା ନଡ଼ିଆ ପୁର କି ମୁଗଡାଲି ପୁର ଏତେ ପସନ୍ଦ କରନ୍ତିନି । କିନ୍ତୁ ଆମେ ଚାହିଁଲେ ପାରମ୍ପରିକ ମଣ୍ଡାପିଠାକୁ ସୁଆଦିଆ ମସାଲେଦାର ଟ୍ୱିଷ୍ଟ ଦେଇ ପାରିବା । କେମିତି କରିବା !?
ଆସନ୍ତୁ ଶିଖିବା !!

ଭିତରେ ମିଠା ନଡ଼ିଆ ପୁର ବଦଳରେ କଟା ମସଲା ପୁର ଦେଇ ଆମେ କରି ପାରିବା ମସଲା ମଣ୍ଡା । ଶୀତ ଦିନେ ଆଳୁ, ଫୁଲ କୋବି, ଗାଜର, ବାଦାମ ସହ ଓ ଅନ୍ୟ ସମୟରେ ସିଝା ମଟର ଦେଇ ପୁର ମସଲା କରି ପାରିବେ । ବାଦାମକୁ ତେଲରେ ଭାଜିକି ବାହାର କରିଦିଅନ୍ତୁ । ତା’ପରେ ତେଲରେ ଜୀରା, କଟା ପିଆଜ ପକେଇ ଭାଜନ୍ତୁ । ତା’ ପରେ ଅଦା, ରସୁଣ, କଞ୍ଚା ଲଙ୍କା ଛେଚା ପକେଇ ଭାଜନ୍ତୁ । ତା’ପରେ କଟା ପରିବା ପକେଇ ଭଲ କି ଭାଜି, ଭଜା ବାଦାମ ମିଶେଇ ଦିଅନ୍ତୁ । ଏବେ ଆମର ମସଲା ପୁର ପ୍ରସ୍ତୁତ ।

ତା’ପରେ ଏହି ମସଲା ପୁରକୁ ସୂଜି ଜନ୍ତଣି ଭିତରେ ଦେଇ ଗୋଲ ଗୋଲ ମଣ୍ଡା କିମ୍ବା ଲମ୍ବା ଲମ୍ବା ପିଠା କରି ଗଢ଼ିବା । ଗଢ଼ା ହେଇଥିବା ପିଠାସବୁ ହାଣ୍ଡିରେ କପଡ଼ା ବାନ୍ଧିକି କରିପାରିବେ । ନ ହେଲେ ଏବେ ବଜାରରେ ଷ୍ଟିମ୍ କୁକର୍ ବି ମିଳୁଛି, ସେଥିରେ ବି ସିଝେଇ ପାରିବେ ଅତି ସହଜରେ । ମିଡିଅମ୍ ଫ୍ଲେମ୍‌ରେ ପନ୍ଦର ମିନିଟ ଭିତରେ ହେଇଯିବ । ଶେଷରେ ମଜାର ସହ ଆନନ୍ଦ ନିଅନ୍ତୁ ମସଲା ମଣ୍ଡାର । ଛୁଆ, ଟୋକା, ବୁଢ଼ା ସମସ୍ତେ ଆନନ୍ଦର ସହ ଖାଇବେ ଓ ପସନ୍ଦ ହିଁ କରିବେ । ସୋରିଷ ସସ୍ ସହ ଖାଇଲେ ଆହୁରି ଭଲ ଲାଗିବ । କରନ୍ତୁ, ଖାଆନ୍ତୁ ଆଉ ଖୁଆନ୍ତୁ, ଆଉ ଆମକୁ ଆପଣଙ୍କ ମତାମତ ଲେଖି ଜଣାନ୍ତୁ ।

– ସ୍ନିଗ୍ଧାରାଣୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ନିଗ୍ଧାରାଣୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।