You are currently viewing କଞ୍ଚାଆମ୍ବ ଖଟା
କଞ୍ଚାଆମ୍ବ ଖଟା

କଞ୍ଚାଆମ୍ବ ଖଟା

ଆମ୍ବ ପ୍ରାୟ ସଭିଙ୍କର ପ୍ରିୟ ହୋଇଥାଏ । ଏବେ ତ ଆମ୍ଭର ଋତୁ ଆରମ୍ଭ ହେଇଗଲାଣି ଆଉ ବଜାରରେ ମଧ୍ୟ ପାଚିଲା ଆମ୍ବର ଦୋକାନ ସହ ବିଭିନ୍ନ ପ୍ରକାରର ଆମ୍ବରସ ବିକ୍ରି ଆରମ୍ଭ ହୋଇଗଲାଣି । ଆମ୍ବ କଷିହେବାଠାରୁ ଲୋକେ ଏହାକୁ ଭିନ୍ନ ଭିନ୍ନ ପ୍ରକାରେ ଖାଇବା ଆରମ୍ଭ କରିଦେଇଥାନ୍ତି । କେହି କେହି କଷି ଆମ୍ବର ରସକୁ ପଖାଳରେ ମିଶେଇ ଖାଆନ୍ତି ତ କେହି ଆମ୍ବକୁ ଭଜା ବଡ଼ି ସହିତ ଛେଚି ଖାଇଥାନ୍ତି । ଆମ୍ବ ପାଚିବା ପୂରରୁ ଏବେ କଞ୍ଚା ଆମ୍ବକୁ ନେଇ କେମିତି ପ୍ରସ୍ତୁତ କରିବା ଆମ୍ବଖଟା, ଆସନ୍ତୁ ସେ ବିଷୟରେ ଦେଖିବା ଆଉ ଜାଣିବା କେମିତି ଅଳ୍ପ ସମୟରେ ପ୍ରସ୍ତୁତ କରିପାରିବା ଆମ୍ବଖଟା ।

ଆବଶ୍ୟକୀୟ ଉପାଦନ:

୧. କଞ୍ଚାଆମ୍ବ (ଛୋଟ ଛୋଟ ହୋଇ କଟା ହୋଇଥିବ) – ୧ଟା
୨. ତେଲ – ୨ ଚାମଚ
୩. କଞ୍ଚା ଲଙ୍କା – ୧/୨ଟା
୪. ପଞ୍ଚୁଫୁଟଣ – ୧/୨ ଚାମଚ
୫. ଅଦା କୋରା (ଛେଚା ହୋଇଥିବା ଅଦା) – ୧/୨ ଚାମଚ
୬. ଭୃସଙ୍ଗ ପତ୍ର – ଆବଶ୍ୟକ ଅନୁସାରେ
୭. ହେଙ୍ଗୁ – ଅଳ୍ପଟିକେ
୮. ଚିନି/ଗୁଡ଼ – ସ୍ୱାଦ ଅନୁସାରେ
୯. ଲୁଣ – ସ୍ୱାଦ ଅନୁସାରେ
୧୦. ହଳଦୀ – ଆବଶ୍ୟକ ଅନୁସାରେ
୧୧. ପାଣି – ଆବଶ୍ୟକ ଅନୁସାରେ
୧୨. ଭଜା ଜୀରା – ଅଳ୍ପ କିଛି
୧୩. ଲଙ୍କାଗୁଣ୍ଡ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ଆମ୍ବ ଖଟା ପ୍ରସ୍ତୁତି ପାଇଁ ପଥମେ କଢ଼େଇକୁ ଚୁଲି ବା ଚୁଲାରେ ବସେଇ ତେଲ ପକାଇବା ଆଉ ତେଲ ଟିକେ ଗରମ ହେଲେ ସେଥିରେ ପଞ୍ଚୁଫୁଟଣ, କଟା ହୋଇଥିବା କଞ୍ଚା ଲଙ୍କା ଆଉ ଟିକିଏ ହେଙ୍ଗୁ ପକାଇଦେବେ । ଲଙ୍କା ଟିକିଏ ଜରିଆସିଲେ, ସେଥିରେ ଛେଚା ହୋଇଥିବା ଅଦା ପକାଇବା ଆଉ ତା’ପରେ ଭୃସଙ୍ଗ ପତ୍ର ପକେଇ ଭାଜିବେ ।

ଏହାପରେ ସେଥିରେ କଟା ହୋଇଥିବା ଆମ୍ବ ପକେଇ ଗ୍ୟାସ୍ ଚୁଲାକୁ ଟିକେ କମେଇଦେବେ ଆଉ ଚୁଲି ହୋଇଥିଲେ ଜାଳ ଟିକେ କମେଇଦେବେ । ପାଖାପାଖି ୧ ମିନିଟ୍ ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଆଉ ଆବଶ୍ୟକ ପରିମାଣରେ ହଳଦୀ ପକେଇ ଭଲରେ ଗୋଳେଇଦେବେ । ଏହାପରେ କମ୍ ଆଞ୍ଚରେ ଏହାକୁ କିଛିସମୟ ସଝିବାକୁ ଛାଡ଼ିଦେବେ ।

ଅଧାସିଝା ହେଇଗଲେ ସେଥିରେ ସ୍ୱାଦ ଅନୁସାରେ ଗୁଡ଼ ବା ଚିନି ପକେଇବେ । ଚିନି ପକାଇଲେ ଚିନି ନାଲ ପଡ଼ିବାଯାଏଁ ତାକୁ ଭାଜିବେ ଆଉ ଗୁଡ଼ ଦେଲେ ମଧ୍ୟ ତାକୁ ଭଲଭାବରେ ଭାଜିବେ । ଗୁଡ଼ ଆଉ ଚିନି ମିଳେଇ ଆସିଲାବେଳକୁ ସେଥିରେ ଆବଶ୍ୟକ ଅନୁସାରେ ପାଣି କିଛି ଦେଇ ଘୋଡ଼େଇଦେବେ ଆଉ ଏବେ ଆମ୍ବକୁ ସମ୍ପୂର୍ଣ୍ଣ ସୁଝିବାକୁ ଛାଡ଼ିଦେବେ ।

ଏବେ ଆମ୍ବ ୯୦ ପ୍ରତିଶତ ପାଖାପାଖି ସିଝିଗଲେ ସେଥିରେ ଭଜା ଜୀରା ଆଉ ଆବଶ୍ୟକ ପରିମାଣରେ ଲଙ୍କାଗୁଣ୍ଡ ପକେଇ ପୁଣି ଘୋଡ଼େଇଦେବେ । ପାଖାପଖି ୨ ମିନିଟ୍ ଅଳ୍ପ ଆଞ୍ଚରେ ଏହାକୁ ଘୋଡ଼େଇ ଫୁଟେଇବେ । ଏବେ ଆମ୍ବଖଟା ପ୍ରସ୍ତୁତ ହେଇଗଲା ।

ଏହି ଆମ୍ବଖଟା ଜଳଖିଆରେ ଏବଂ ଭାତ ସହିତ ଖାଇପାରିବେ । ଏହାକୁ ଗରମ ଗରମ ଏବଂ ଥଣ୍ଡା ହେଲେ ମଧ୍ୟ ଖାଇହେବ । କେହି କେହି ଆମ୍ବ ଖଟାକୁ ଫ୍ରିଜ୍‌ରେ ରଖି ତାକୁ ୩/୪ ଦିନ ପର୍ଯ୍ୟନ୍ତ ମଧ୍ୟ ଖାଇଥାଅନ୍ତି ।

ଯଦି ଏହି ପ୍ରାଣାଳୀରେ ଆପଣ ନିଜେ କେବେ ରୋଷେଇ କରନ୍ତି, ତେବେ ମୋର ଇନ୍‌ଷ୍ଟାଗ୍ରାମ୍ ଆଇଡି @food_stories99ରେ ମୋତେ ଟ୍ୟାଗ୍ କରିବାକୁ ଆଦୌ ଭୁଲିବେନି ।

ଇତିଶ୍ରୀୟା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଇତିଶ୍ରୀୟା ଜଣେ ଓଡ଼ିଆ ବ୍ଲଗ୍‌ର, ଯିଏକି ରୋଷେଇ କରିବାକୁ ଭଲ ପାଆନ୍ତି । ଘରେ ରୋଷେଇ କରି ବାପାମାଆଙ୍କୁ ଖୁଆଉ ଖୁଆଉ କେତେବେଳେ ରୋଷେଇକୁ ଏତେ ଭଲ ପାଇଗଲେ ତାଙ୍କୁ ଜଣାପଡ଼ିଲାନି ବୋଲି ସେ କୁହନ୍ତି । ଇଷ୍ଟାଗ୍ରାମ୍‌ରେ ପ୍ରତ୍ୟେକ ଦିନ ରୋଷେଇ କରି ଫଟୋ ପୋଷ୍ଟ କରି ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଲୋକମାନଙ୍କୁ ଜଣାଇବା ତାଙ୍କର ମୁଖ୍ୟ ଏବେ ହେଇଯାଇଛି ।