You are currently viewing ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି- ଗୋପାଳ ଛୋଟରାୟ
ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି- ଗୋପାଳ ଛୋଟରାୟ (Gopal Chhotray)

ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି- ଗୋପାଳ ଛୋଟରାୟ

ଆଧୁନିକ ଓଡ଼ିଆ ନାଟ୍ୟ ସାହିତ୍ୟକୁ ଅନୁପମ ସୃଷ୍ଟିରେ ଶ୍ରୀମନ୍ତ ଓ ରୁଦ୍ଧିମନ୍ତ କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ଗୋପାଳ ଛୋଟରାୟ (Gopal Chhotray) ଥିଲେ ଅନ୍ୟତମ । ସେ ଏକାଧାରରେ ଥିଲେ ଜଣେ ନାଟ୍ୟକାର, ଅଭିନେତା, ଗୀତିନାଟ୍ୟର ରଚୟିତା ତଥା ମାର୍ଗ ନିର୍ଦ୍ଦେଶକ, କଥାକାର, ଜୀବନୀକାର, ଚଳଚ୍ଚିତ୍ରର ସଂଳାପ ଲେଖକ, ଅନୁବାଦକ, ସଂଗଠକ ଓ ମିଷ୍ଟଭାଷୀ ଭାବରେ ସବୁରି ପ୍ରିୟ ଓ ପରିଚିତ ।

ତାଙ୍କ ଆତ୍ମଜୀବନୀ ‘ପଥିକ’ ପୃଷ୍ଠାରୁ ସେ କେତେ ସରଳ ଓ ନିରହଙ୍କାରୀ ଥିଲେ ଏକ ଛୋଟିଆ ଉଦାହରଣରୁ ସୁସ୍ପଷ୍ଟ – “ରଚନାଟି ମୋର ଜୀବନୀ ନୁହେଁ କି ଆତ୍ମଜୀବନୀ ନୁହେଁ । ଏଥିପାଇଁ ମୁଁ ବେଳାଭୂମିରୁ ଉପଳ ସଂଗ୍ରହ କରିନି କି ମହୋଦଧିରୁ ମୁକ୍ତା ଆହରଣ କରିନି । ମୋର ପ୍ରିୟ ସହର/ଲକ୍ଷ୍ମୀ ସହର କଟକର କିଛି ମାଟି ଗୋଡ଼ି ସଂଗ୍ରହ କରି ସେଇଥିରେ ମୁଁ ପଥିକର କଳେବରକୁ ସୁସଜ୍ଜିତ କରିବାର ପ୍ରୟାସ କରିଛି ମାତ୍ର ।” ଦର୍ଶନ ବହିର କୈାଣସି ଗୋଟିଏ ସଂଳାପ ଭଳି ମନେ ହୁଏ ତାଙ୍କ ରଚନାର ପ୍ରଥମ ବାକ୍ୟ ଯଥା- “ପଥିକ କେବଳ ତା’ର ଯାତ୍ରାପଥ ଅତିକ୍ରମରେ ନାହିଁ, ତା’ର ଜୀବନର ଗତିପଥ ମଧ୍ୟ ଅତିକ୍ରମ କରି ଚାଲିଥାଏ ।” ଯାତ୍ରାପଥରେ ସତରେ ଚିହ୍ନା ଅଚିହ୍ନା ମଣିଷମାନେ କିପରି ଆତ୍ମୀୟତାର ହାତ ବଢ଼ାଇଛନ୍ତି ଏବଂ ସେ ସମୟର ଭୈାଗଳିକ, ସାମାଜିକ, ସାଂସ୍କୃତିକ ମାନସିକତା ତାଙ୍କୁ କିପରି ପ୍ରଭାବିତ କରିଛି ବା ଜୀବନର ଗତିପଥକୁ ଅତିକ୍ରମ କରି ଯାଇଛି ତାହା ଏକ ଜାତିର ପ୍ରାଣବନ୍ତ ଆନ୍ଦୋଳନର ଅତ୍ୟନ୍ତ ସୁନ୍ଦର ଓ ସ୍ପଷ୍ଟ ପାଦଚିହ୍ନ ବୋଲି ମନେହୁଏ ।

ପିଲାଟିଦିନୁ ଯାତ୍ରା ଆଉ ନାଟକ ଲେଖିବାର ନିଶା ତାଙ୍କର ଥିଲା । ସେ କହୁଥିଲେ – “ଅଭିନୟ ଯେତେ ନିଖୁଣ ହେଲେ ମଧ୍ୟ ଉଚ୍ଚାରିତ ସଂଳାପ ଯଦି ଅଭିନୟର ଭାବକୁ ଦର୍ଶକମାନଙ୍କ ପାଖରେ ସଠିକ୍ ଭାବେ ପହଞ୍ଚାଇ ନପାରେ, ତାହା ହେଲେ ଅଭିନୟ ହୃଦୟଗ୍ରାହୀ ହେବ କିପରି ।” ତେଣୁ ସେ ନାଟକରେ ସଂଳାପକୁ ଗୁରତ୍ୱ ଦେଉଥିଲେ ଓ ଲେଖୁଥିଲେ ଜୀବନଧର୍ମୀ ସଂଳାପ । ତାଙ୍କ ସଂଳାପରେ ଥିଲା ବଳିଷ୍ଠ ସମ୍ମୋହନୀ ଶକ୍ତି । ରେଡ଼ିଓ ଭଳି ଏକ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମକୁ ସେ ସଫଳତାର ସହିତ ବିନିଯୋଗକରି ଓଡ଼ିଆ ଅପେରାକୁ କି ସାକ୍ଷର ନିରକ୍ଷର ସବୁ ଶ୍ରେଣୀର ଶୋତ୍ରାମାନଙ୍କ ପାଖରେ ପହଞ୍ଚାଇ ଦେଇଥିଲେ ।

୧୯୪୨-୪୩ ଦ୍ୱିତୀୟ ମହାଯୁଦ୍ଧ ସମୟରେ ମୁକୁରର ସମ୍ପାଦକ ତଥା ସାହିତ୍ୟିକ ବ୍ରଜସୁନ୍ଦର ଦାସ ଜାତୀୟ ଯୁଦ୍ଧ ସାମୁଖ୍ୟର ଅଧ୍ୟକ୍ଷ ଥିଲେ । ମିତ୍ର ପକ୍ଷକୁ ସମର୍ଥନ ଜଣାଇବା ପାଇଁ ଓଡ଼ିଶା ସରକାର ସାହିତ୍ୟିକ, କଳାକାର ଓ ନଟ୍ୟକାରମାନଙ୍କଠାରୁ ପାଲା, ଦାସକାଠିଆ, ଏକାଙ୍କିକା, ନାଟକର ପାଣ୍ଡୁଲିପି ପଠାଇବା ନିମନ୍ତେ ଆହ୍ୱାନ କରିଥାନ୍ତି । ଏଥିରେ ସେ “ସାଗର କନ୍ୟା” ନାମକ ଏକଘଣ୍ଟିଆ ଏକାଙ୍କିକା ନାଟକ ଲେଖି ବ୍ରଜସୁନ୍ଦରଙ୍କୁ ଦେବାରେ ସେ ଅତିଶୟ ପ୍ରୀତ ହୋଇଥିଲେ ଓ ତା’ ନାମ ପରିବର୍ତ୍ତନ କରି ରଖିଥିଲେ ‘ସହଧର୍ମିଣୀ’ । ଏହା ଅର୍ଣ୍ଣପୂର୍ଣ୍ଣା ଓ ଭାରତୀ ଥିଏଟରରେ ଅଭିନୀତ ହୋଇଥିଲା । ଏହି ନାଟକରେ ଥିଲା ମାଟି ମା’ ଓ ଦେଶପ୍ରେମ ସମ୍ବନ୍ଧୀୟ ଉଚ୍ଚ ଭାବଧାରା ଅର୍ଥାତ୍ ମିତ୍ର ଶକ୍ତିକୁ ସାହାଯ୍ୟ କର, କିନ୍ତୁ ତା’ର ଅନ୍ତଃ ସ୍ରୋତଥାଏ ଏ’ ଦେଶଟା ଆମର । ଏ ଜାତି ବି ଆମର । ଆମେ ସବୁ ତା’ର ସନ୍ତାନ । ନାଟକ ଅଭିନୀତ ହେଉଥିବା ବେଳେ ଓଡିଶାର ତତ୍କାଳୀନ ଲାଟ୍‌ସାର୍ ହର୍ଥର୍ଣ୍ଣ ଲୁଇ ଏବଂ ଓଡ଼ିଶାର ପ୍ରଧାମନ୍ତ୍ରୀ ପାରଳା ମହାରାଜା ଏହାକୁ ଦେଖି ଉଚ୍ଚପ୍ରଶଂଶିତ କରି ପୁରସ୍କୃତ କରିଥିଲେ । ଏ ନାଟକ ତାଙ୍କ ଜୀବନରେ ନୂଆ ମୋଡ଼ ଆଣି ଦେଇଥିଲା । ଆଗାମୀ ଦିନରେ ରଙ୍ଗମଞ୍ଚ ନିମନ୍ତେ ଆଉ ଅଧିକ ନାଟକ ଲେଖିବା ନିମନ୍ତେ ବହୁ ଉଦ୍‌ବୁଦ୍ଧ କରିଥିଲା ।

୧୯୬୦ ମସିହାରେ ପ୍ରଥମେ ଗଣକବି ବୈଷ୍ଣବପାଣିଙ୍କ ଗୀତିନାଟ୍ୟ ରଙ୍ଗସଭାକୁ ସେ ବେତାର ରୂପାନ୍ତର କରି ସୁନାମ ଅର୍ଜନ କରିଥିଲେ । ତତ୍କାଳୀନ ସମୟରେ ରଙ୍ଗସଭା କାର୍ଯ୍ୟକ୍ରମ ରେଡ଼ିଓରୁ ଶୁଣି ଡ. ପ୍ରାଣକୃଷ୍ଣ ପରିଜା ଆକାଶବାଣୀର ଷ୍ଟେସନ ନିର୍ଦ୍ଦେଶକ ସି.ଭି. କୃଷ୍ଣମୂର୍ତ୍ତିଙ୍କୁ ପ୍ରୀତ ହୋଇ ଫୋନ୍‌ରେ “Krushnamurthy, your station is reborn today” (ଆକାଶବାଣୀର ପୁନର୍ଜନ୍ମ) ହୋଇଛି ବୋଲି କହିଥିଲେ । ଏହା ପରେ ପରେ ଆଉ ପଛକୁ ନ ଚାହିଁ ସେ ବହୁ ଆଧୁନିକ ଛାଞ୍ଚରେ ଯୁଗୋପଯୋଗୀ ଗୀତିନାଟ୍ୟ ରଚନାକରି ଚର୍ଚ୍ଚିତ ହୋଇଥିଲେ । ସେଗୁଡ଼ିକ ମଧ୍ୟରେ – ଅଗ୍ରପୂଜ୍ୟ ଗଣନାୟକଙ୍କ ମହତ୍ତ୍ୱକୁ ନେଇ ଶ୍ରୀଗଣେଶ, ମାତୃଶକ୍ତିର ବିଜୟ ଉଦ୍‌ଘୋଷିତ ମହିଷାମର୍ଦ୍ଧିନୀ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କର ଅଭିଷେକୋତ୍ସବକୁ ନେଇ ସମ୍ପୂର୍ଣ୍ଣ ରାମାୟଣ ଓ ଭାଗବତର ଦଶମ ସ୍କନ୍ଦ ଗୋପଲୀଳା, କୃଷ୍ଣଜନ୍ମ ପ୍ରସଙ୍ଗକୁ ନେଇ ତାଙ୍କର ‘ଜନ୍ମାଷ୍ଟମୀ’ ଗିତୀନାଟ୍ୟ ରଚିତ । ଏଥିରେ କଂସର ଆସୁରୀ ସ୍ୱଭାବ ତାକୁ କିପରି ପ୍ରତିହିଂସା ପରାୟଣ କରିଛି ଓ ଭଗବାନ ଶ୍ରୀକୃଷ୍ଣଙ୍କର ଦେବତ୍ୱ ସମଗ୍ର ନାଟକର ପରିବେଶକୁ ଆଚ୍ଛନ୍ନ କରି ରଖିବାରେ ସମର୍ଥ ହୋଇଛି । ସମସ୍ତ ଓଡ଼ିଆ ପ୍ରାଣ ଜନତାଙ୍କ ମନରେ ଭକ୍ତି ଉଦ୍ରେକ କରିବା ସହିତ ଉତ୍କଣ୍ଠାରେ ମନପ୍ରାଣ ତଲୀନ ହୋଇଯାଏ । ଶବର ବିଶ୍ୱାବସୁର ଆରାଧ୍ୟ ଦେବତା ନୀଳମାଧବ ବିଦ୍ୟାପତି କର୍ତ୍ତୃକ ଆବିଷ୍କୃତ ହୁଅନ୍ତି । ବ୍ରାହ୍ମଣ ବିଦ୍ୟାପତି ଶବର ରାଜକନ୍ୟା ଲଳିତାକୁ ବିବାହ କରି ଆର୍ଯ୍ୟ ଅନାର୍ଯ୍ୟ ସଂସ୍କୃତିର ମିଳନ ଘଟାଇବାରେ ସକ୍ଷମ ହୁଅନ୍ତି । ଏପରି ଇତିହାସ ସହିତ ଅନେକ କିମ୍ବଦନ୍ତୀର ଶୋଭନ ସଂଯୋଗ ଘଟିଛି ‘ଶ୍ରୀଜଗନ୍ନାଥ’ରେ । ଗଜପତିଙ୍କର ଠାକୁରଙ୍କ ନିକଟରେ ନିର୍ବଂଶ ହେବାକୁ ପ୍ରାର୍ଥନା କରିବା ତାଙ୍କର ନମ୍ରତା ଓ ଭକ୍ତିଭାବର ପରିଚାୟକ । ଭକ୍ତଶିରୋମଣି ‘ମୀରାବାଈ’ଙ୍କ କୃଷ୍ଣୈକ ପ୍ରାଣତା, ତୀର୍ଥ ସ୍ଥାନ ଭ୍ରମଣ କରି ଗିରିଧର ଗୋପାଳଙ୍କ ପ୍ରଦତ୍ତ ପ୍ରେମଧର୍ମର ପ୍ରଚାର ଓ ନାଟକରେ ସନ୍ନିବେଶିତ ମୀରା ଭଜନ ଗୁଡ଼ିକ ଅତ୍ୟନ୍ତ ଊକ୍ତିରସାତ୍ମକ ଓ ମର୍ମସ୍ପର୍ଶୀ ମନେହୁଏ । ଭାରତୀୟ ନାରୀର ତ୍ୟାଗ ଓ ନିଷ୍ଠାର ବିଜୟ ଉଦ୍‌ଘୋଷଣା କରେ “ନପାହୁ ରାତି ନମରୁ ପତି”ରେ । ଏହା ରାମାୟଣର କାହାଣୀ ଉପରେ ଆଧାରିତ ଏବଂ ସଂପୂର୍ଣ୍ଣ କରୁଣ ରସର ମୂର୍ଚ୍ଛନା ଭିତରେ ବିଷୟ ବିନ୍ୟାସ ଅତ୍ୟନ୍ତ ହୃଦୟଗ୍ରାହୀ ମନେହୁଏ । ଅନୁସୂୟାଙ୍କର ପତି ଭକ୍ତି ପାଇଁ ରୁଗ୍‌ଣ ବ୍ରାହ୍ମଣ ବିଷ୍ଣୁ ଦାସ ପୁନର୍ଜୀବନ ଲାଭ କରିପାରନ୍ତି । କ୍ରୋଧୀ ତପସ୍ୱୀଙ୍କର ଅଭିଶାପରୁ ନିଜ ପତିଙ୍କୁ ଉଢ଼ାଳରେ ରଖିବା ପାଇଁ ସୂର୍ଯ୍ୟ ଦେବତାଙ୍କର ଗତିରୁଦ୍ଧ କରିବାରେ ତାଙ୍କର ଦମ୍ଭ ବାସ୍ତବରେ ଅତ୍ୟାଶ୍ଚର୍ଯ୍ୟ । ଏତଦ୍‌ବ୍ୟତୀତ ଉତ୍କଳ କାହାଣୀ ଅବଲମ୍ବନରେ ବୋଲେ ହୁଁ ଟି, ଫକୀରମୋହନ ସେନାପତିଙ୍କ ସମାଜ ସଂସ୍କାର ମୂଳକ ଗଳ୍ପ ପେଟେଣ୍ଟ ମେଡିସିନ୍ ଉପରେ ଶ୍ରୀମତୀ ସମାର୍ଜନୀ, ବିନ୍ଦୁସାଗର, ସୀତା ଲବକୁଶ, ଘରବରଦେଖା ପ୍ରଭୃତି ଅତ୍ୟନ୍ତ ଶିକ୍ଷଣୀୟ ଓ ସାମାଜିକ ନୀତିଶିକ୍ଷା ଉପରେ ଅଧାରିତ । ଏକଥା ସତ ଯେ ବିଭିନ୍ନ ପାରମ୍ପରିକ ସ୍ୱରର ସଙ୍ଗୀତ, ବାଦ୍ୟ, ଗାନ, ସହଜ ବିଷୟବସ୍ତୁ, ଅକୃତ୍ରିମ ଭାବ ପ୍ରକାଶ ତଥା ଆକର୍ଷଣୀୟ ସାଜସଜ୍ଜା ହିଁ ଶ୍ରୋତା ମନରେ ଗୀତିନାଟକ ପ୍ରତି ଏକ ଗଭୀର ଶ୍ରଦ୍ଧା ଭାବ ସହ ଆକୃଷ୍ଟ କରିଥାଏ । ଏତଦ୍‌ସମ ସେତେବେଳେ ଗାଁ ଗହଳର ଲୋକମାନେ ଭାଗବତ ଟୁଙ୍ଗିରେ ଭାଗବତ ପାରାୟଣ ଶୁଣିବା ଭଳି ତାଙ୍କ ହାସ୍ୟରସାତ୍ମକ ଧାରାବାହିକ ନାଟକ ‘ଶ୍ରୀହରିର ସଂସାର’ ଏବଂ ‘ପୂରାପୂରି ପାରିବାରିକ’ ରେଡ଼ିଓରେ ପ୍ରଚାରିତ ହେଲାବେଳେ ଚାରିପଟେ ଘେରି ବସୁଥିଲେ ।

ବହୁ ପ୍ରଥିତ ଯଶା ଔପନ୍ୟାସିକ ଓ ଗାଳ୍ପିକଙ୍କ ରଚନାକୁ ସେ ନାଟ୍ୟରୂପ ଦେଇ ଯଥେଷ୍ଟ ସଫଳତା ଲାଭ କରିଥିଲେ । ତନ୍ମଧ୍ୟରେ ଉପେନ୍ଦ୍ର କିଶୋର ଦାସଙ୍କ ‘ମଲାଜହ୍ନ’, ଡ. ହରେକୃଷ୍ଣ ମହତାବଙ୍କ ପ୍ରତିଭା, ବସନ୍ତ କୁମାରୀ ପଟ୍ଟନାୟକଙ୍କ ଅମଡ଼ାବାଟ, କାହ୍ନୁଚରଣ ମହାନ୍ତିଙ୍କ ଝଞ୍ଜା, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ମାମୁଁ, ଛ’ମାଣ ଆଠଗୁଣ୍ଠ, ଧୂଳିଆ ବାବା, ଗୋପିନାଥ ମହାନ୍ତିଙ୍କ ପରଜା, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମୁକ୍ତାଗଡ଼ର କ୍ଷୁଧା ଓ ବିଭୂତି ପଟ୍ଟନାୟକଙ୍କ ବଧୂ ନିରୁପମା ଅନ୍ୟତମ । ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ଲେଖକ ଭାବରେ ମଧ୍ୟ ସବୁରି ମୁହଁରେ ତାଙ୍କର ପ୍ରଶଂସା । ଏଥିରେ ସେ ନିଜର ଅମ୍ଳାନ ସ୍ୱାକ୍ଷର ରଖି ଯାଇଛନ୍ତି । ୧୯୪୯ ମସିହାରେ ନିର୍ମିତ ହୋଇଥିବା ‘ଶ୍ରୀଜଗନ୍ନାଥ’ର ସେ ସଂଳାପ ରଚନା କରିଥିଲେ । ପରେ ପରେ ଅମଡ଼ାବାଟ, ଅଭିନେତ୍ରୀ, ମା’, ନୂଆବୋଉ, ଅଦିନମେଘ, ମାଟିର ମଣିଷ, ଧରିତ୍ରୀ, କିଏ କାହାର, ବନ୍ଧୁମହାନ୍ତି, ରାମାୟଣ ସୂର୍ଯ୍ୟମୁଖୀ, ମାଂସର ବିଳାପ ଏପରି କୋଡ଼ିଏରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରର ସଂଳାପ ରଚନା କରିଥିଲେ । ଏତଦ୍‌ବ୍ୟତୀତ ଦୂରଦର୍ଶନ ପାଇଁ ଶତାଧିକ ନାଟକ ସେ ଲେଖିଥିଲେ ।

ଏହି ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କର ଆବିର୍ଭାବ ହୁଏ ୧୯୧୬ ମସିହା ଏପ୍ରିଲ ମାସ ୧୬ ତାରିଖରେ ଜଗତସିଂହପୁର ଜିଲ୍ଲାର ପୁରୁଣାଗଡ଼ ଗ୍ରାମରେ । ତାଙ୍କ ପିତାଙ୍କ ନାମ ହଳଧର ଛୋଟ୍ଟରାୟ ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ । ଗାଁ ମାଇନର ସ୍କୁଲରେ ପଢୁଥିଲା ବେଳେ ସେ ସମଗ୍ର ଓଡ଼ିଶାରେ ପ୍ରଥମ ହୋଇଥିଲେ ଓ ସେତିକିବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ପ୍ୟାରୀମୋହନ ଏକାଡେମୀରୁ ସେ କୃତିତ୍ୱର ସହିତ ମାଟ୍ରିକ ପାସ କରିଥିଲେ । ହାଇସ୍କୁଲରେ ପଢ଼ିଲା ବେଳେ ୧୯୩୨-୩୩ରେ ପଲ୍ଲୀସଖା ନାମରେ ହାତଲେଖା ପତ୍ରିକା ବାହାର କରିଥିଲେ । ସ୍କୁଲ ଓ ହଷ୍ଟେଲ ପତ୍ରିକାରେ ନିଜର ଲେଖା ପ୍ରକାଶ କରିବା ସହ ପ୍ରଗତି, ସହକାର, ଗୋଧୂଳି, ଡଗର ପ୍ରଭୃତି ପତ୍ରିକାରେ ତାଙ୍କର ବିଭିନ୍ନ କବିତା ଓ ଗଳ୍ପ ମଧ୍ୟ ପ୍ରକାଶ ପାଉଥିଲା । ତତ୍ପରେ ସେ ରେଭେନ୍ସା କଲେଜରେ ଅଧ୍ୟୟନ କରିଥିଲେ । କଟକ ଡିଷ୍ଟ୍ରିକ୍ଟ ବୋର୍ଡ଼ରେ ସେ ୧୯୩୬ ମସିହାରୁ ୧୯୪୩ ଯାଏଁ ଚାକିରି କରିଥିଲେ । ତତ୍ପରେ କଟକ ରେଡ଼ିଓ ଷ୍ଟେସନରେ ସ୍କ୍ରିପ୍ଟ ରାଇଟର ହିସାବରେ ନିଯୁକ୍ତି ପାଇଥିଲେ । ସେଠାରେ ୧୯୫୬ରୁ ୧୯୭୫ ଯାଏଁ କାର୍ଯ୍ୟ କରିବା ସମୟରେ ଓଡ଼ିଶାର traditional folk formର ନାଟକ ଅଛି କି ନାହିଁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଅପେରାର ନବୀକରଣ ସହିତ ନିଜକୁ ସଂଶ୍ଳିଷ୍ଟ କରି ଓଡ଼ିଆ ନାଟକ ବିଭାଗ ସୁସମୃଦ୍ଧ ଓ ଜନାଦୃତ କରିଥିଲେ । ନାଟକ ଲେଖା ସାଙ୍ଗକୁ ସେ ଭାରତୀ ଥିଏଟର୍ସର ‘ପତିତା’, ‘ସିନ୍ଦୁରଗାର’ ଓ ‘ମୁଲିଆ’ ନାଟକରେ ଅଭିନୟ ମଧ୍ୟ କରିଥିଲେ ।

ମହାତ୍ମାଗାନ୍ଧିଙ୍କ ‘ଗାଁକୁ ଫେରିଚାଲ’ ଆହ୍ୱାନ ଉପରେ ତାଙ୍କ ରଚିତ ‘ଫେରିଆ’ ନାଟକ ହେଉଛି ଏକ ଯୁଗାନ୍ତକାରୀ ସୃଷ୍ଟି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଜନନେତା ନବକୃଷ୍ଣ ଚୈାଧୁରୀ, ମାଳତୀ ଚୈାଧୁରୀ ଓ ହରେକୃଷ୍ଣ ମହତାବ ଏହାକୁ ଦେଖି ତାଙ୍କୁ ଖୁସିରେ କୁଣ୍ଢାଇ ପକାଇ ଥିଲେ । ତାଙ୍କ ରଚିତ ‘ପର କଲମ’ ହେଉଛି ଏକ ସଫଳ ରାଜନୈତିକ ନାଟକ । ୧୯୫୧ ନିର୍ବାଚନରେ ପ୍ରତ୍ୟକ୍ଷଦର୍ଶୀ ଭାବେ ଆଖିରେ ଦେଖିଥିବା କଥା ହିଁ ପରକଲମ ନାଟକର ବିଷୟବସ୍ତୁ । ତାଙ୍କର ସମାଲୋଚକମାନେ ହିଁ ଏହାର ଯଶଗାନ କରିଥିଲେ । ଏହି ବହିର ଅନେକ ସଂସ୍କରଣ ହୋଇଛି । ବିଭିନ୍ନ ଶ୍ରେଣୀର ପାଠ୍ୟପୁସ୍ତକରେ ମଧ୍ୟ ଏହା ସ୍ଥାନିତ ହୋଇଛି । ସେତେବେଳେ ବିଧାନସଭାରେ ବି ୟାକୁ ନେଇ ପ୍ରଶ୍ନ ଉଠିଥିଲା । ଦିଲ୍ଲୀ, ଆସାମ ଓ ଆଲ୍ଲାହାବାଦରେ ଏହା ଅଭିନୀତ ହୋଇଛି । କେତେକ ଇଂରାଜୀ ନାଟକର ଓଡ଼ିଆ ରୂପାନ୍ତର ଓ ଶରତ ଚନ୍ଦ୍ର ଚାଟାର୍ଜୀଙ୍କ ବଙ୍ଗଳା ଉପନ୍ୟାସ ‘ରାମର ସୁମତି’କୁ ମଧ୍ୟ ନାଟ୍ୟ ରୂପ ଦେଇଥିଲେ । ଅନେକ ସଫଳ ମଞ୍ଚନାଟକ ଯଥା- ଫେରିଆ, ଭରସା, ପରକଲମ, ଶଙ୍ଖାସିନ୍ଦୂର, ନଷ୍ଟ ଉର୍ବଶୀ, ଅର୍ଦ୍ଧାଙ୍ଗିନୀ, ଘଟକ, ଅଭାଗିନୀର ସ୍ୱର୍ଗ, ସହଧର୍ମିଣୀ, ପଥିକ ବନ୍ଧୁ, ସାଧନା, ଜନଶତ୍ରୁ, ଦଳବେହେରା, ଶାଖାପ୍ରଶାଖା, ଅମର ବିଳାସ, ପଦ୍ମାଳୟା, ନୂଆବୋଉ, ଶତରଞ୍ଜ, ନଟଖଟ ନାଟକ, ପଞ୍ଚବଟୀ, ଶୋଭା, ଏମିତି ହୁଏନାହିଁ, ଶେଷ ପର୍ଯ୍ୟାୟ, ମୀରାବାଈ, ଗାଁ ପରିମଳ ପ୍ରଭୃତି ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟକୁ ସମୃଦ୍ଧ କରିବା ସହିତ ସେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ । ଆପଣ ବେତାର, ଦୂରଦର୍ଶନ ଏବଂ ମଞ୍ଚ ପାଇଁ ନାଟକ ଲେଖୁଛନ୍ତି, ଏସବୁ ମଧ୍ୟରୁ କେଉଁଟି ଆପଣଙ୍କ ପାଇଁ ସବୁଠାରୁ ଭାବପ୍ରକାଶନର ଶ୍ରେଷ୍ଠ ମାଧ୍ୟମ ବୋଲି ପଚାରିବାରେ ସେ କହିଥିଲେ – “ତିନୋଟିଯାକ ମାଧ୍ୟମ ମୋ ପକ୍ଷରେ ଗ୍ରହଣୀୟ ହୋଇ ପାରିଛି । କିନ୍ତୁ ମଞ୍ଚ ଏବଂ ଦୂରଦର୍ଶନ ପାଇଁ ଜଣେ ନାଟ୍ୟକାରକୁ ଅଧିକ ବହୁବିଧ ଶକ୍ତି ଓ କୈାଶଳ ପ୍ରୟୋଗ କରିବାକୁ ପଡ଼ିଥାଏ । ବେତାର ମାଧ୍ୟମ ଏହି ଦୃଷ୍ଟିରୁ ଗୋଟିଏ ନାଟ୍ୟକାର ପାଇଁ ସୁଗମ ପନ୍ଥା ।”

ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ୱରୂପ ସେ ବହୁ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ତଥା ସମ୍ମାନିତ ହୋଇଥିଲେ । ସେ ସମସ୍ତ ମଧ୍ୟରେ ବିଷୁବ ମିଳନ ୧୯୫୩, କଳାବିକାଶ କେନ୍ଦ୍ର, ପରକଲମ ନାଟକ ସମ୍ମାନ ୧୯୫୪, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ ପ୍ରତିଯୋଗିତାରେ ଅର୍ଦ୍ଧାଙ୍ଗିନୀ ନାଟକ ପାଇଁ ପୁରସ୍କାର, ବେତାର ସଙ୍ଗୀତ ରୂପକ ଶ୍ରୀମତୀ ସମାର୍ଜନୀ ପାଇଁ ସର୍ବଭାରତୀୟ ଆକାଶବାଣୀ ନାଟକ ପୁରସ୍କାର, ୧୯୭୪, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୧୯୭୫, ହାସ୍ୟରସର ନାଟକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୧୯୮୨, ତିନୋଟି ଅପେରା ଏକତ୍ର ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୮୪, ରାଜ୍ୟପାଳଙ୍କ ତାମ୍ରଫଳକ ୧୯୯୧, ବିଷୁବ ପୁରସ୍କାର ୧୯୯୭, ଶାରଳା ପୁରସ୍କାର ୨୦୦୦ ଏବଂ ୨୦୦୨ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ ।

ଓଡ଼ିଆ ନାଟ୍ୟସାହିତ୍ୟକୁ ରୂଚିପୂର୍ଣ୍ଣ, ପରମ୍ପରା ପିଣ୍ଡିତ ତଥା ଆଧୁନିକ ଜୀବନ ପ୍ରତି ଶ୍ରଦ୍ଧାଶୀଳ କରାଇବାରେ ତାଙ୍କର ସ୍ଥାନ ଥିଲା ଗୁରୁତ୍ୱପୂର୍ଣ୍ଣ । ୨୦୦୩ ମସିହା ଜାନୁୟାରୀ ୨୨ ତାରିଖରେ ଏହି ମହାନ ସ୍ରଷ୍ଟାଙ୍କର ମହାପରାୟଣ ହୋଇଥିଲା, ସେ ଆଜି ନାହାନ୍ତି ସତ, ହେଲେ ରଖି ଦେଇ ଯାଇଛନ୍ତି ଚିରନ୍ତନ ସ୍ମୃତି । ତାଙ୍କର ମୈାଳିକ ନାଟ୍ୟ କୃତି ଓ କୀର୍ତ୍ତୀ ନିମନ୍ତେ ସେ ଏ ମହାଜାତିର ସାରସ୍ୱତ ଜଗତରେ ଚିର ସ୍ମରଣୀୟ ହୋଇ ରହିବେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୃଷ୍ଣ ଚନ୍ଦ୍ର ସୁଆର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଜୀବନୀ ଆଦି ଅତି ନିଖୁଣ ଭାବରେ ରଚନା କରିଥାନ୍ତି ।