You are currently viewing ଅପେକ୍ଷା
ଅପେକ୍ଷା

ଅପେକ୍ଷା

ଲିଭି ଯାଇଛି,
ପାଖା ପାଖି ଲେଖାଯାଇଥିବା
ଦୁଇଟି ନାଁ, ସେଇ ପ୍ରାଚୀନ ପ୍ରାଚୀରରୁ…
କାହିଁ କେତେ ନୂଆ ନାଁ
ଯୋଡ଼ି ହୋଇଛି ସେଠାରେ
ନୂଆ କରି ଏବେ ଚୁନ ଆଉ ରଙ୍ଗରେ ।
ପାଶୋରି ଗଲେଣି ଆମ ନାଁ
ଏ ତରୁ ଲତା, ଏ ପାଣି ପବନ କେଉଁ କାଳରୁ
ମନ ଭିତରେ ସ୍ଵଚ୍ଛତାର ଅଭିଯାନ କରି ।
କାହିଁକି ବା ରଖିଥାନ୍ତେ ଅନ୍ତରେ ଆମକୁ
ଯେଉଁଠି,
ଆମେ ଦୁହେଁ ବି କେବେଠୁ ଭୁଲିଲେଣି
ଆମ ଚଲାପଥ,
ଥିଲାଯାହା ଏକ ଦିଗର, ଏକ ଗନ୍ତବ୍ୟର
ଏକ ମନର ଆଉ ଏକ ଲୟର ।
ଯାହା ଏବେ ବିପରୀତ
ସୀମାହୀନ ଚଲାପଥର
ନା ଜଣା ଏବେ ମୋତେ ତୁମ ଠିକଣା
ନା ଜଣା ଏବେ ତୁମକୁ ମୋ ଠିକଣା
ନା କେବେ ତୁମେ ନେଇଛ ଖବର
ନା ମୁଁ କେବେ ନେଇଛି ଖବର
ହସ କାନ୍ଦର ଲୁହ ଲୋହୁର
ସୁଖ ଦୁଃଖର ସମୟ ଅସମୟର ।
ହେଲେ !
ଅନ୍ତର ମଧ୍ୟରେ ଏବେବି ତୁମେ
ମୋ ଆକାଶର ଧୃବତାରା
ଏବେବି ଏ ମନ ତୁମକୁ ଖୋଜେ
ଦିନ, ମାସ ବର୍ଷ ସାରା ।
ତୁମେ କଣ କେବେ ଖୋଜିନ ମୋତେ
କେବେ ଭ୍ରମରେ, ତୁମ ଭାବନାରେ ।
ତୁମ ସ୍ୱପ୍ନରେ, କେବେ ବାସ୍ତବତାରେ ।
ଏବେବି ଅପେକ୍ଷା ତୁମକୁ,
ସେଇ ପଥରେ, ଜହ୍ନି ଫୁଲରେ
କଷି କାକୁଡ଼ିରେ, ସୋରିଷ କ୍ଷେତରେ ।
ଫେରିବକି ତୁମେ
ମୋ ଜୀବନକୁ ପୁଣିଥରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶ୍ରୀମାନ ଅଜରା ଯାଜପୁରସ୍ଥିତ ପାଥପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ସମାଜସେବା କରିବା ସହିତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।