ଅଷ୍ଟମରଙ୍ଗ
ଅଷ୍ଟମରଙ୍ଗ

ଅଷ୍ଟମରଙ୍ଗ

– ବାପା ତମେ ଆଉ ଆଗ ଭଳି ବେଶୀ କାଇଁ ହଷ୍ଟେଲ ଆଡେ ଆସୁନା?
– ଏଇ ଟିକେ କାମରେ ବ୍ୟସ୍ତ ରହି ଯାଇଥିଲି ତ !
– ଚାଲ ଲୁଚକାଳି ଖେଳିବା ସବୁଥର ଭଳି !
– ହଉ ! ମୁଁ ଆଖି ବୁଜୁଛି ତୁ ଲୁଚେ
– ହେଇ ଗଣିବା ଆରମ୍ଭ କରିଲି ୧,୨,୩,୪….
– ବହୁତ ସମୟ ପରେ ଝିଅ ବାପାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଲା ।
– ବାପା ତମେ ଠକ। ମୋତେ ଖୋଜିବାକୁ ଆସିଲନି। ମୁଁ ଭାବିଲି କୁଆଡେ ପଳେଇଲ !

ବାପା ଅତି ସନ୍ତର୍ପଣ ଭାବେ ନିଜ ପକେଟରେ ରକ୍ତ ମିଶା କଫ ଭିଜା ରୁମାଲଟି ରଖୁ ରଖୁ କହିଲେ, “ତୁ ବ୍ୟସ୍ତ ହେବୁନିରେ ମାଆ ! ମୁଁ ତୋତେ ଏମିତି କେତେବେଳେ ଏକୁଟିଆ ଛାଡ଼ିଦେଇ ଚାଲିଯାଇପାରେ !!”

ଆଜିର ଦିନ ହିଁ ମିଳିଥିଲା ମୋତେ ରାଜଧାନୀ ଯିବାକୁ ! ଭାବୁଥିଲା ତନ୍ମୟ । ଆଜି କାଳେ ପ୍ରାୟ ଷ୍ଟାଫ ଆସି ନଥିବେ ବଡ଼ ଅଫିସରେ ତେଣୁ ନିକାଞ୍ଚନରେ ଲାଞ୍ଚ ଟଙ୍କା ଆରାମରେ ଧରିପାରିବେ ବୋଧେ ବଡ଼ ବାବୁ !! ସେଇଥିପାଇଁ ଆଜି ଡକେଇଲେ । ମଣିଷକୁ ମାଇଲେ । ଚାକିରୀ ଖଣ୍ଡେ ବଦଳରେ ପ୍ରାଣ ବି ନେଇଯିବେ ଦରକାର ପଡିଲେ !!!

କଣ କହିବ ମୋତେ ! ଆଚ୍ଛା ଗୋଟେ ଓଡ଼ିଶା ବନ୍ଦ ହେଇଛି ଯେ ଗାଡ଼ି ମଟର ଗୋଟେ ହେଲେ ଯିବାକୁ ନାହିଁ । ଏତେ ଚଢ଼ା ଦରରେ ଟାକ୍ସି, ଗୋଟେ ଦଦରା ଆମ୍ବାସାଡର ଭଡ଼ା କରି ସେଥିରେ ପୁଣି ଜଣଙ୍କ ସଙ୍ଗେ ଆଡ଼ଜଷ୍ଟ କରି ପଛ ସିଟ୍‌ରେ ଯିବାକୁ ପଡ଼ୁଚି । ଧନ୍ଯ କହିବ ମୋ ଭାଗ୍ୟକୁ ! ଏ ଶଳା ଟାକ୍ସି ଡ୍ରାଇଭର କେଜାଣି କୋଉ ତସ୍କରି ମାଲ ଏଇଠି ଭର୍ତ୍ତି କରିଛି, ଟିକେ ହେଲେ ବି ଜାଗା ନାହିଁ । ସେଥିରେ ପୁଣି ୨ ଜଣ !! ଏ ମାଇକିନା ଖଣ୍ଡକ ମାର୍ଚ୍ଚ ମାସରେ ବି ଏମିତି ମୋଟା ଚଦର କାଇଁ ଘୋଡ଼ି ହେଇ ବସିଛି କେଜାଣି । ଟିକେ ଭଲ କି ବସିବାକୁ ଜମା ଜାଗା ହେଉନି । ଏ ବୋଧେ ମହିଳା ମାଓବାଦୀ ନା କ’ଣ ! ଚଦର ଭିତରେ ମାରଣାସ୍ତ୍ର ରଖିଚି ବୋଧେ । ଏ ଶଳା ଆଜି ସମସ୍ତଙ୍କୁ ମାରିବ । ବେକାର ସ୍ତ୍ରୀ ଲୋକଟା । ବନ୍ଦ ଦିନରେ ୟାକୁ କୁଆଡ଼େ ବୁଲି ଯିବାର ଥିଲା ରାଜଧାନୀ ।

ଭାକ୍ ଶଳା, ୟେ ପୁଣି ମୋ କାନ୍ଧରେ ମୁଣ୍ଡ ରଖି ଶୋଇପଡ଼ିଲାଣି । ଇଏ ଆଉ ଦେହଜୀବି ନୁହେଁ ତ ! ଧନ୍ୟ କହିବ । ମୋ ଭାଗ୍ୟରେ ଆଜି କ’ଣ ଅଛି କେଜାଣି । କେମିତି ଏଇ ୮୦/୯୦ କିଲୋମିଟର ଯିବ ଆଉ ମୁଁ ଯାଇ ପହଞ୍ଚିବି ଠିକଣାରେ । ଏମିତି କ୍ଷୋଭ ଆଉ ଆଶଂକାର ମଝାମଝି ପାହାଚରେ ଚଢ଼ୁ ଚଢ଼ୁ ଢୁଳେଇ ପଡ଼ିଥିଲା ତନ୍ମୟ । ହଠାତ୍ କାରର ଝରକା ଖୋଲିଲାରୁ ଖରା ଟିକେ ପଡ଼ିଲା ଆଖିରେ । ମିଟି ମିଟି ଅନାଇଲା ତନ୍ମୟ । ଡ୍ରାଇଭର କହୁଚି, “ହେଇଗଲା ତମ ଷ୍ଟପେଜ ଓଲ୍ହା ଏଥର ।” ମାଇକିନିଆଟା ଚାଦର ଟେକିଦେଲା । ଏଥର ଭିତରୁ ରୋଗିଣା କଙ୍କାଳସାର ଛୋଟିଆ ପାତିମାଙ୍କଡ଼ ଛୁଆ ପରି ଟିକି ଛୁଆଟାକୁ କାନ୍ଧରେ ପକାଇ ତା’ଉପରେ ଚାଦର ପୁଣି ଘୋଡ଼େଇ ଶିଶୁଭବନ ଆଡ଼େ ଚାଲି ଚାଲି ପଳଉଥିଲା । ତନ୍ମୟ କିଛି ସମୟପାଇଁ ଭାବିଲା ସେ ବୋଧେ ବିକଳାଙ୍ଗ ହେଇଯାଇଛି ।

ସେମାନଙ୍କ ଆଖି ମିଶିଥିଲା ଗୋଟେ ନୂଆ ଖୋଲିଥିବା ଆଣ୍ଟିକ୍ ଗିଫ୍ଟ୍ ଦୋକାନରେ । ଯଦିଓ ପୁଅଟି ଜାଣିପାରିନଥିଲା ପୁରା ବ୍ରହ୍ମାଣ୍ଡର ଚକ୍ରାନ୍ତ ବିଷୟରେ । ରେଡ଼ିଓରେ ବାଜୁଥିବା ଗୀତଟି କିନ୍ତୁ ଝିଅଟିକୁ ପୂର୍ବାଭାଷ ଦେଇସାରିଥିଲା ଆଗକୁ ଆସୁଥିବା ପୂର୍ବାଫାଲ୍ଗୁନି ୠତୁ ବିଷୟରେ । ସେବେଠୁ ୧୪ ବର୍ଷ ହେଇଗଲାଣି… ସେମାନେ ଏବେ ଛୋଟ ଛୋଟ ଦୁଇଟି ଝିଅଙ୍କ ବାପାମାଆ ।

ଟ୍ରେନ ଛାଡ଼ିବାକୁ ଆଉ ୨୬ ମିନିଟ ଅଛି । କେମିତି ଶୀଘ୍ର ପହଞ୍ଚିବ ବୋଲି ଅଭିପ୍ସା ବ୍ୟସ୍ତ ହେଇ ଉଠିଲା । ଘରଠୁ ପାଖାପାଖି ଅଧଘଣ୍ଟାର ବାଟ ଅଟୋରେ ଗଲେ । ଚାକିରୀର ଶେଷ ଦିନରେ ସମସ୍ତଙ୍କଠାରୁ ବିଦାୟ ନେଇ ଆସିଲା ବେଳକୁ ଏତେ ଡେରି କେତେବେଳେ ହେଇଗଲା ଜଣା ପଡ଼ିଲାନି । ଅରୁ କହିଲା, “ବ୍ୟସ୍ତ ହୁଅନି, ମୁଁ ବାଇକରେ ଛାଡ଼ିଦେବି।” ପ୍ରଥମେ ମନା କରୁଥିଲେ ବି ଅଭିପ୍ସା ପରେ ରାଜି ହେଇଯାଇଥିଲା ଅରୁ ସହ ବାଇକରେ ଷ୍ଟଟେସନଯାଏଁ ଯିବା ପାଇଁ । ଅରୁ ତା’ଠାରୁ ୨ ବର୍ଷ ସିନିୟର ଆଉ ସେ ତାକୁ ଅରୁଣାଭ ସାର୍ ବୋଲି ଡାକୁଥିଲା । ଅରୁଣାଭ ହିଁ ଏଇ ଚାକିରିଟି ବୁଝିଦେଇଥିଲା ଅଭିପ୍ସା ପାଇଁ ବିଶ୍ୱବିଦ୍ୟାଳୟ ଡିଗ୍ରୀ ପରେ ପରେ । ଅରୁଣାଭ ବାଇକ୍ ଷ୍ଟାର୍ଟ କଲା ଓ ଖୁବ କ୍ଷୀପ୍ର ଗତିରେ ତା’ର ୟାମାହା ଫେଜରଟି ରାସ୍ତା ଉପରୁ କିଛି ଧୂଳିର ପରସ୍ତ ଉଡ଼େଇ ଦୌଡ଼ିବାକୁ ଲାଗିଲା । ଅଭିପ୍ସା ପ୍ରଥମେ ଟିକେ ଅପ୍ରସ୍ତୁତ ହେଇପଡ଼ିଲା । ପୋନି ଟେଲ ହେଇଥିବା କେଶଗୁଚ୍ଛରୁ କିଛି ଯାଇ ସିଧା ଅରୁଣାଭର ହେଲମେଟ୍ ଉପରେ ଦୋଳି ଖେଳୁଥିଲେ। ଅଭିପ୍ସା ସେ ସବୁକୁ ସଜାଡ଼ିନେଲା । ଅରୁଣାଭର ଗାଡ଼ି ଷ୍ଟେସନକୁ ଯାଉଥିବା ଛୋଟ ରାସ୍ତାଆଡ଼େ ମୁହାଁଇଲା । ହସପିଟାଲ ପଛପଟ ଲାସ୍ ଖାନା ଦେଇ ଯାଇଥିବା ସରୁ ରାସ୍ତାଟି ଦିନବେଳେ ବି ଟିକେ ନିଛାଟିଆ ନିଛାଟିଆ ଲାଗୁଥିଲା । ଅରୁ ବାଇକର ଗତିକୁ ଆହୁରି କ୍ଷୀପ୍ର କଲା । ଅଭିପ୍ସା ଭୟ ଓ ସଙ୍କୋଚ ମିଶା ଥର ଥର ହାତଟି ରଖିଦେଲା ଅରୁର କାନ୍ଧ ଉପରେ । ଅଭିପ୍ସାର ହାତର କମ୍ପନରୁ ସଙ୍କୋଚର ଭାଷା ପଢ଼ିପାରୁଥିଲା ଅରୁଣାଭ । ହେଲେ ବି ସେ ଚୁପ ଥିଲା । ପଛକୁ ଦୌଡ଼ୁଥିବା ଦୃଶ୍ଯମାନଙ୍କ ପରି ଅତିତଟା ବି ଦୌଡ଼ୁଥିଲା ଅଭିପ୍ସା ପଛରେ । ସତେ ଯେମିତି ନିଜର ଅତୀତ କବଳରୁ ଦୌଡ଼ି ଲୁଚିଯିବାକୁ ଚାହୁଁଥିଲା ସେ ! ହଠାତ୍ ସବୁକିଛି କୋଳାହଳ ଶୂନ୍ୟ ହେଇଗଲା । ଲାଗିଲା ଖାଲି ଅରୁ ଆଉ ଅଭିପ୍ସାର ସମୟ ସ୍ଥିର ହୋଇଯାଇଚି କିଛି ସମୟ ପାଇଁ । ଅଭିପ୍ସା ନିଜର ସବୁ ଶକ୍ତି ଖଟାଇ ନିଜକୁ ସହଜ ଦେଖାଇବା ପାଇଁ ଚେଷ୍ଟା କରିଚାଲିଥିଲା । ଅରୁଣାଭ ହଠାତ ବାଇକରେ ବ୍ରେକ ଦେଇ ଗାଡ଼ି ରଖିଲା । ଅଭିପ୍ସା ମଧ୍ୟ ଆଶ୍ଚର୍ଯ୍ୟ ହେଇ ଓହ୍ଲେଇ ପଡ଼ିଲା ସାଙ୍ଗେ ସାଙ୍ଗେ । ଅରୁ ବାଇକର ଷ୍ଟାଣ୍ଡ ଦେଇ ନିଜ ହାତ ଘଣ୍ଟା ଆଡ଼େ ଦେଖିଲା, ଗାଡି ଛାଡ଼ିବାକୁ ଆଉ ୧୧ମିନିଟ୍ ବାକି । ଅଭିପ୍ସା ଆଡ଼କୁ ଅରୁଣାଭ ଆଗେଇ ଆସିଲା । ଅଭିପ୍ସା ନିଜକୁ କିଞ୍ଚିତ ପଛକୁ ଘୁଞ୍ଚାଇ ଆଣିଲା । ଅରୁଣାଭ ଅଭିପ୍ସାର ଆଖିରେ ଆଖି ମିଶାଇ ପଚାରିଲା, “ଅଭିପ୍ସା ତମେ କ’ଣ ମୋତେ କିଛି କହିବାକୁ ଚାହଁ?”

ଅଭିପ୍ସା ତଳକୁ ମୁହଁ ପୋତିଲା କିଛି ସମୟ ପାଇଁ, ତା’ପରେ କହିଲା ମାତ୍ର ୧୧ ମିନିଟ ନୁହଁ ସବୁତକ ନିଶ୍ୱାସ ସରିଗଲା ପର୍ଯ୍ୟନ୍ତ ମୁଁ ବହୁତ କିଛି କହିବାକୁ ଚାହିଁଥିଲି । ହୁଏତ ଆପଣ ଶୁଣିବାକୁ ପ୍ରସ୍ତୁତ ହେଇ ନପାରନ୍ତି ତେଣୁ ଏବେ କିଛି କହିବିନି । ମୋର ସବୁ ନୀରବତା ଆପଣଙ୍କ ପାଇଁ ରିଜର୍ଭ କଲି ଆଜିଠୁ । ଅରୁଣାଭ କହିଲା, “ମୁଁ ଓ ଶୁଭଶ୍ରୀ ପରସ୍ପରକୁ ବହୁତ ଭଲ ପାଉଥିଲୁ । କିନ୍ତୁ ସେ ଚାଲିଯିବା ପରେ ମୁଁ ତା’ ସ୍ମୃତିରେ ନିଜକୁ ଏତେ ମାତ୍ରା ବୁଡ଼େଇ ରଖିଥିଲି ଯେ ତୁମର ନିରୀହ ଭଲପାଇବାକୁ ଅନୁଭବ ନକରିବାର ବିଫଳ ଅଭିନୟ କରିଚାଲିଥିଲି କେବଳ ।” ଅଭିପ୍ସା କହିଲା, “ଷ୍ଟେସନରେ ଶୀଘ୍ର ପହଞ୍ଚିବାକୁ ହେବ ନହେଲେ ଗାଡ଼ି ଛାଡ଼ିଦେବ । ଅରୁଣାଭ କିଛି ନକହି ପୁଣି ବାଇକ୍ ଷ୍ଟାର୍ଟ କଲା । ଅଭିପ୍ସା ଓ ଅରୁଣାଭ ବାକି ସମୟତକ ଚୁପ ଥିଲେ । ଷ୍ଟେସନରେ ପହଞ୍ଚିବା ବେଳକୁ ଗାଡ଼ି ଛାଡିବାକୁ ଆହୁରି ୩ମିନିଟ ବାକି ଥିଲା । ଅରୁଣାଭ ହତପ୍ରଭ ଲାଗୁଥିଲା । ଅଭିପ୍ସା ନିଜ ଫୋନରୁ ସିମକାର୍ଡ କାଢ଼ି ଫିଙ୍ଗି ଦେଲା ଆଉ କହିଲା, “ଏବେ ଆପଣଙ୍କ ପାଖରେ ୩ ମିନିଟ୍‌ର ସମୟ ଅଛି । ଆପଣ ମୋତେ କିଛି କହିବାକୁ ଚାହାନ୍ତି କି????”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu