ମୋ ଗାଁ ନଈ
ମୋ ଗାଁ ନଈ

ମୋ ଗାଁ ନଈ

ମୋ ଗାଁ ନଈକୁ କରି ଦୃଶ୍ୟମାନ
ହଜିଯାଏ ମୁଁ ବାଲ୍ୟ କାଳେ,
କେତେ ସନ୍ତରଣ କେତେ ସ୍ନାହାନ
କରିଥିଲି ଦିନେ ତାରି କୋଳେ ।

ସୁନ୍ଦର ଦିଶଇ ମୋ ଗାଁ ନଈ
ସତେକି ଜାହ୍ନବୀ ଧାରା,
ରୂପସି ପ୍ରିୟା ମୋ ସେଇ ନଈ ଧାରେ
ରଙ୍ଗେ ହଳଦି ପସରା ।

ମୋ ଗାଁ ନଈ ଧାରେ
ଅଛି ମୋ ପ୍ରଥମ ବିଦ୍ୟାମନ୍ଦିର,
ପାଠ ପଢ଼ିଥିଲି ଶିଖିଥିଲି ଭାଷା
ସେଇଠି ଅଛି ମୋ ସଠୀଘର ।

ମୋ ଗାଁ ନଈରେ ଜୁଆର ଆସିଲେ
ହୀରାର ରୋଷଣୀ ସାଜେ,
କେତେ ମାଛରଙ୍କା କେତେ ପାଣିକୁଆ
ରାବିଲେ ମହୁରୀ ବାଜେ ।

ମୋ ଗାଁ ନଈର ଅଳସୀ ଢେଉରେ
ଯେବେ ସୁରୁଜ କିରଣ ପଡ଼େ,
ମୋତେ ଲାଗେ ଅବା ରୂପସୀ ପରୀର
ସୁନେଲି ପଣତ ଉଡ଼େ ।

ନଈ କୂଳ ଧାର ଆମ୍ବ ତୋଟା ଦେଇ
ଯେବେ ଫଗୁର ମଳୟ ଆସେ,
ସେପାରି ସୁନ୍ଦରୀ କରେ ମନ ଚୋରି
ସତେ କି ମୋ ମନେ ବଉଳ ବାସେ ।

ବୈଶାଖ ମାସରେ ବଢ଼ିଲେ ଖରା
ଛପର ପାଇଁ ଘର ହୁଏ ଓଲରା,
ବଦଳେ ବାଉଁଶ ବଦଳେ ଆଶ୍ରା
କିଆ ନଈ ପାଣିରେ ହୁଏ ବତୁରା ।
ନଈ ସେପରିରେ ମୋ ପ୍ରିୟା ଗାଁ
ଆଉ ଏପାରିରେ ଆମ ଗାଁ,
ଏପାରି ବାଟୋଇ ସେପାରି କରୁଛି
ଆଜି ବି ଘାଟର ପୁରୁଣା ନାଆ ।

ଗାଁ ନଈରେ ବନ୍ୟା ଆସିଲେ
ଜାଗିଉଠେ ଆମ ଗାଁ ଡାହାଣୀ,
ବଦଳିଯାଏ ନଈର ଚାହାଣି
ଆଈମା କହିଥିଲା ସେହି କାହାଣୀ ।

ଗାଁ ନଈରେ ଶୀତଳ ଜହ୍ନର ଜୋଛନା
ଅବା ତାରାଙ୍କ ମେଳର ଝିଲିମିଲି,
ସବୁ ଝଲକେ ନଈର ତରଙ୍ଗ ଧାରେ
ଦେଖେ ମୁଁ ବସି ହୃଦୟ ଦ୍ୱାରକୁ ଖୋଲି ।

ବାର ମାସରେ ତେର ପରବ
କାର୍ତିକ ମାସର ଡଙ୍ଗା ଭଶାଣ,
ମୋ ଗାଁ ନଈ କୂଳେ ହୁଏ ମେଲଣ
ସବୁ କରିଛି ମୋ ଗାଁ ନଈ ସ୍ମରଣ ।

କେତେ ଖରାବେଳ କେତେ ଅପରାହ୍ନ
ଚୋରା ପ୍ରଣୟର ଗାଥା,
ସେଇ ନଈ ଧାର ମୁକ ସାକ୍ଷୀ ତା’ର
ଭାବି ବିଚଳିତ ହୁଏ ମଥା ।

ମୋ ଗାଁ ନଈର ଦୁଇଟି ପାର୍ଶ୍ଵରେ
ବିସ୍ତୀର୍ଣ୍ଣ ସେହି ସବୁଜ ଲତାର ବନ,
କୋଇଲି କଣ୍ଠରେ ମଧୁର ଗାନ
ଶୁଣି ଉଲ୍ଲାସିତ ହୁଏ ମୋର ମନ ।

ନଈ କୂଳେ ସନ୍ଧ୍ୟାରେ ଯେବେ ବସେ
ସୁଲୁ ସୁଲୁ ହୋଇ ମଳୟ ପବନ ଆସେ,
ପକ୍ଷୀ ରାଇଜର ପ୍ରତ୍ୟାବର୍ତ୍ତନ ଦେଖି
ମନର ଭାଷାକୁ କବିତା କରି ଲେଖେ ।

ସୁରୁଜ ଉଇଁଲେ ସୁରୁଜ ବୁଡ଼ିଲେ
ଗାଁ ନଈ ବଦଳାଏ ତା’ର ବେଶ,
ତାରି ତୀରେ ସାଇତା ପିଲାଦିନ
ତାକୁ ଆଉ କିଏ ଭୁଲି ପାରିବ ।

ଗାଁ ନଈ କୂଳେ ଅଛି ମୋ ଜୀବନ ସ୍ମୃତି,
ହୋଇଛି ଆରମ୍ଭ ହେବ ଦିନେ ଏଠି ଇତି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu