You are currently viewing ବାଇଗଣ ବେସର
ବାଇଗଣ ବେସର

ବାଇଗଣ ବେସର

ବେସର ହେଉଛି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ମୁଖ୍ୟତଃ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଏ । ଆଉ କେବେକେବେ ଖାଲି ସୋରିଷ, ରସୁଣ, ଜିରାକୁ ମିଶାଇ ମଧ୍ୟ ପ୍ରସ୍ତୁତ କରାଯାଏ । ବେସର ବଟାରେ ପରିବା କିମ୍ବା ମାଛ ଆଦି ମିଶାଇ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ କରାଯାଏ । ପୂର୍ବରୁ ଥରେ ଇତିଶ୍ରୀୟା ସାହୁଙ୍କ ଦ୍ୱାରା କଦଳୀ ମଞ୍ଜା ବେସର ତରକାରୀ ବିଷୟରେ ପ୍ରକାଶ କରାଯାଇଥିଲା ।

କିନ୍ତୁ ଆଜି ଏକ ସହଜ ଏବଂ ସୁଆଦିଆ ବେସରଦିଆ ତରକାରୀ ବିଷୟରେ ଜାଣିବା; ତାହା ହେଉଛି ବାଇଗଣ ବେସର । ଏହି ତରକାରୀ ପ୍ରସ୍ତୁତି ପ୍ରଣାଳୀରେ ସେତେ କିଛି ଅଧିକ ପରିଶ୍ରମ ନାହିଁ, କେବଳ ରୋଷେଇ ପାଇଁ ଆବଶ୍ୟକ କରୁଥିବା ଉପଦାନର ସଠିକ୍ ମାତ୍ରା ଆବଶ୍ୟକ, ନଚେତ ସ୍ୱାଦରେ ଫରକ ଆସିପାରେ ।

ଆବଶ୍ୟକୀୟ ସାମଗ୍ରୀ:

୧. ଛୋଟ ବା ମଧ୍ୟମ ଧରଣର ଗୋଟା ବାଇଗଣ – ୮/୧୦ଟି
୨. ସୋରିଷ – ୩ ଚାମଚ
୩. ଜିରା – ୧ ଚାମଚ
୪. ଅଦା – ୧/୨ ଇଞ୍ଚ
୫. ରସୁଣ – ୬/୭ ପାଖୁଡ଼ା
୬.ହଳଦୀ ଗୁଣ୍ଡ – ଅଧ ଚାମଚ
୭. ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁସାରେ
୮. ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ବେସର ପ୍ରସ୍ତୁତ କରିନେବେ, ଧ୍ୟାନ ରଖିବେ ବେସର ଯେମିତି ଅଧିକ ପାଣିଆ ନହୁଏ ।
– ଏହାପରେ ଗୋଟା ବାଇଗଣକୁ ମଝିରେ ବାଟଣ ଦେବାପାଇଁ ଟିକେ ଟିକେ କାଟିଦେବା ।
– ବାଇଗଣକୁ କାଟିଲାବେଳେ ସାମାନ୍ୟ ଲୁଣ ପକା ପାଣିରେ ବୁଡ଼େଇକି ରଖିବା ଓ ଭଲ ଭାବରେ ଧୋଇଦେବା ।
– ଭଲ ଭାବରେ ଧୋଇ ସାରିବାପରେ ବାଇଗଣ ଭିତରେ ବେସର ବଟାକୁ ଲୁଣ ଓ ହଳଦୀ ସହ ଗୋଳାଇ ମଣ୍ଡାପିଠାରେ ପୁର ଦେଲା ଭଳିଆ ଦେଇଦେବେ ।
– ବଳକା ଥିବା ବେସରକୁ ସାମାନ୍ୟ ପାଣି ଦେଇ ଅଲଗା ରଖିଦିଅନ୍ତୁ, ପରେ କାମରେ ଲାଗିବ ।
– ଏହାପରେ କଢ଼େଇରେ ତେଲ ପକେଇ ଧିମା ଆଞ୍ଚରେ ବସାଇଦେବା ।
– ତେଲ ଗରମ ହେଲାପରେ ସେଥିରେ ବେସରଦିଆ ବାଇଗଣକୁ ପକେଇକି ଗୋଟା ଭାଜିଦେବା ।
– ବାଇଗଣ ଭାଜିଲାବେଳେ ଧ୍ୟାନ ରଖିବେ, ଯେପରି ବାଇଗଣ ପୋଡ଼ିନଯାଏ ଏବଂ ବେସର ବାହାରକୁ ଆସି ଖରାପ ହୋଇନଯାଏ ।
– ବାଇଗଣ ଭଲ ଭାବରେ ଭଜା ହୋଇକି ସିଝିଗଲା ପରେ ସେଥିରେ ବଳକା ବେସରବଟାକୁ ମିଶାନ୍ତୁ ।
– ଏହି ମିଶ୍ରକୁ ଅଳ୍ପ କିଛି ପାଣି ଦେଇ ଭଲ ଭାବରେ ଗୋଳେଇ ଦିଅନ୍ତୁ ।
– ଆବଶ୍ୟକ ପରିମାଣରେ ଲୁଣ, ହଳଦୀ ଓ ଲଙ୍କାଗୁଣ୍ଡ ମିଶାନ୍ତୁ ।
– ଏହାକୁ ଏକ ଥାଳିଦ୍ୱାରା ଢଙ୍କେଇଦିଅନ୍ତୁ ଏବଂ ଧିମା ଆଞ୍ଚରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ ।

ଏବେ ଆପଣଙ୍କର ବାଇଗଣ ବେସର ପ୍ରସ୍ତୁତ । ଏହା ଏକ ସାଇଡ୍ ଆଇଟମ୍ ଭାବରେ ଗରମ ଓ ପଖାଳ ଭାତ ସହ ଖାଇପାରିବେ । ଆଶା କରୁଛି ଏହି ରୋଷେଇ ପ୍ରାଣଳୀଟି ଆପଣଙ୍କୁ ସହଜ ଲାଗିଥିବ । କେବେ ଯଦି ଏହାକୁ ପ୍ରସ୍ତୁତ କରିବେ, ମୋତେ ମୋର ଇନ୍‌ଷ୍ଟାଗ୍ରାମ୍ @foodieodiaରେ ଟ୍ୟାଗ୍ କରିବାକୁ ଭୁଲିବେନାହିଁ ।

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।