You are currently viewing ବୈଶାଖୀ
ବୈଶାଖୀ

ବୈଶାଖୀ

ଉଦୁଉଦିଆ ଖରାବେଳ ! ସମୟ ପ୍ରାୟ ଦେଢ଼ଟା ହେବ । ଭଙ୍ଗା ସାଇକେଲ ଖଣ୍ଡେ ଧରି କଲେଜରୁ ଫେରୁଥାଏ ବୈଶାଖୀ । ରାସ୍ତାରେ ମନେ ମେନେ ଭାବୁଛି ଏ ଜୀବନଟା ଯେତିକି ସହଜ ସେତିକି ଜଟିଳ । ତା’ର ଏଇ ଭାବନା ଭିତରେ ସେ ରାସ୍ତାରେ ଭେଟିଛି ଜଣେ ବୁଢ଼ି ମାଉସିକୁ । ବୁଢ଼ି ମାଉସିଟି ଝୁଲା ମୁଣିଟିଏ ଧରିଛି ଓ ବାଙ୍କୁଲି ବାଡ଼ି ଖଣ୍ଡେ ଧରି ଧୀରେ ଧୀରେ ଚାଲି ଚାଲି ଯାଉଛି । ବୈଶାଖୀ ସାଇକେଲରୁ ଓଲ୍ଲାଇ କହିଲା- ମାଉସି ତୁ କୁଆଡ଼େ ଯିବୁକି? “ଆଲୋ ଝିଅ, ମୁଁ ମୋ ଝିଅ ଘରକୁ ଯାଇଥିଲି ଯେ ଆଜି ଫେରୁଛି ।”

ବୁଢ଼ି ମାଉସି ପାଟିରୁ କଥା ସରିନି ବୈଶାଖି ପୁଣି ପଚାରିଲା ମାଉସି ତୋ ଘର ଏଇଠୁ କେତେ ଦୂର କି? ବୁଢ଼ି ମାଉସି ଜଣକ କହିଲେ- ଝିଅଲୋ ତିନି କୋସ ଚାଲି ଚାଲି ଆସିଲିଣି ଆଉ ଦି’କୋସ ବାଟ ମୋ ଘର, ଧୀରେ ଧୀରେ ଚାଲିକି ଯିବି । “ମାଉସି ତୁ ମୋ ସାଇକେଲରେ ବସେ, ମୁଁ ଏଇ ବାଟ ଦେଇ ଯିବି, ତତେ ତୋ’ ଘରେ ଛାଡ଼ିଦେବି ।” ବୁଢ଼ି ମାଉସିକୁ ସାଇକେଲରେ ବସେଇ ତା’ ଗାଁରେ ଛାଡ଼ିଦେଇ ଘରକୁ ଫେରିଲା ବୈଶାଖି । ଭୋକରେ ପେଟ ଜଳୁଛି ତା’ର, ହାତ ଗୋଡ଼ ଧୋଇ ମାଇଁଙ୍କୁ ଖାଇବାକୁ ମାଗିବାରୁ ଭାତ ବଦଳରେ ମିଳିଲା ମାଡ଼ ଆଉ ଗାଳି ।” କୋଉଠି ମରୁଥିଲୁ, କୋଉ ଗୋଟେ କଲେଜ ପାଠ ପଢ଼ୁଛି ଯେ ପାଦ ତଳେ ଲାଗୁନି । ମୋ ମାନ ସମ୍ମାନ ତଳେ ପକୋଉଛୁ ବୋଲି ଗାଁ ଲୋକମାନେ ମୋତେ ଅଭଯୋଗ କଲେଣି । ଆଜି ତୋ’ର ଖାଇବା ପିଇବା ସବୁ ବନ୍ଦ ।” ଏମିତି ଗାଳି କରି ତା’ର ମାଇଁ ରୋଷେଇ ଘର ଭିତରକୁ ଚାଲିଗଲେ । ବିଚାରି ବୈଶାଖୀ ବିନା ଦୋଷରେ ମାଡ଼ ଖାଏ, ଦିନେ ଖାଇଲେ ଚାରିଦିନ ଉପାସ ରହେ । କ’ଣ କରିବ ବୈଶାଖୀ କାହା ଆଗରେ କହିବ ତା ଦୁଃଖ କଥା । ମାମୁଁ ତା’ର ମାଇପ ବୋଲିଆ, ସ୍ତ୍ରୀ କଥାରେ ଉଠ୍‌ବସ ହୁଏ ।

ପିଲାଟି ବେଳୁ ବୈଶାଖୀ ଅଜାଆଈଙ୍କ କୋଳରେ ବଡ଼ ହୋଇଛି । ଗତ ବର୍ଷ ଅଜା ଆଈ ଦୁଇ ଜଣ ଯାକ ଆର ପାରିକୁ ଚାଲିଗଲେ । କେମିତି ସହିବ ଏ ଦୁଃଖ କଷଣ ବାପା ମାଆ ଛେଉଣ୍ଡ ପିଲାଟି । ନିଜ କର୍ମକୁ ଆଦରି ସମୟ ସ୍ରୋତରେ ଜୀବନ ଅତିବାହିତ କରୁଥାଏ ବୈଶାଖୀ । ଭଲ ପାଠ ପଢ଼େ ବୋଲି କଲେଜରେ ଅଧ୍ୟାପକ ମାନେ ତାକୁ ବହୁତ ଭଲ ପାଆନ୍ତି । ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଢ଼େ ସେ । ବୈଶାଖୀ ଦେଖିବାକୁ ବହୁତ ସୁନ୍ଦର, ଯେମିତି ଆକାଶର ପରି ପୃଥିବୀକୁ ଚାଲି ଆସିଛି । କିଏ ବା ଜାଣିଥିଲା ବୈଶାଖୀ ଜୀବନରେ କାଳ ବୈଶାଖୀ ମାଡ଼ି ଆସିବ !

ଥରେ କଲେଜରୁ ଫେରୁଥାଏ ବୈଶାଖୀ ଘରେ ଆସି ଦେଖେ ତ, କେତେ ଜଣ ଅଚିହ୍ନା ଗୁରୁଜନ ମାମୁଁ ମାଇଁଙ୍କ ସହ କ’ଣ କଥାବାର୍ତ୍ତା ହେଉଛନ୍ତି । ବୈଶାଖୀ ଯାଇ ପ୍ରଣାମ କଲା ଓ ଘର ଭିତରକୁ ଚାଲିଗଲା । ସେହିଦିନ ରାତି ପାହି ସକାଳ ହେଲା । ବୈଶାଖି ସକାଳୁ କଲେଜ ଯିବା ପାଇଁ ସାଇକେଲ ଧରିଛି, ମାଇଁ ଆସି କହିଲେ- ଆମେ ତତେ ଆଉ ପଢ଼େଇ ପାରିବୁନି । ଆଜିଠାରୁ ତୋ’ ପାଠ ପଢ଼ା ବନ୍ଦ କରି ରୋଷେଇ କାମ ଶିଖେ । ତୋ ମାମୁଁ ତୋ’ର ବାହାଘର ଠିକ୍ କରିଛନ୍ତି ।

ଖୁସିରେ ଖୁସିରେ ବାହା ହବା ପାଇଁ ରାଜି ହୋଇଯା, ନହେଲେ ତତେ ମୁଁ ଏ ଘରୁ ବାହାର କରି ଦେବି । ଅସହାୟ ବୈଶାଖୀ କାହାକୁ ଗୁହାରି କରିବ? ମାମୁଁଙ୍କୁ ଯାଇ କହିବାରୁ ମାମୁଁ ହାତ ଉଠେଇ ମାଡ଼ ମାରିଲେ ଆଉ କହିଲେ- ଦେଖ ବୈଶାଖୀ ତୋ’ ଭଲ ପାଇଁ ଆମେ ତୋ’ ବାହାଘର କରୁଛୁ । ତୁ ରାଜି ହୋଇଯା । ସେତେବେଳେ ବୈଶାଖୀ ପାଖରେ ବାହା ହବା ଛଡ଼ା କିଛି ଉପାୟ ନଥିଲା । ଯଦିଓ ତା’ର ବିବାହରେ ଇଛା ନଥିଲା, ନିଜ ଭବିଷ୍ୟତକୁ ଜଳାଞ୍ଜଳୀ ଦେଇ ଶେଷରେ ବିବାହ ପାଇଁ ରାଜି ହେଲା । ଇଚ୍ଛା ବିରୁଦ୍ଧ ହେଲେ ମଧ୍ୟ ବୈଶାଖୀର ବାହାଘର ହେଲା ।

ଆଜିକାଲି ପିଲାମାନେ ନିଜ ଜୀବନ ସାଥୀ ନିଜେ ବାଛୁଛନ୍ତି । ହେଲେ ସେତେବେଳେ ବର କନ୍ୟା ଦେଖା ଦେଖି ପରମ୍ପରା ବିରୁଦ୍ଧ ଥିଲା । ସାରା ଜୀବନ ଜଣେ ଅଚିହ୍ନା ମଣିଷ ସହ କେମିତି କାଟିବ ଭାବି ସେ ବହୁତ ଡରୁଥାଏ । ବୈଶାଖିର ଯାହା ସହ ବିବାହ ହେଲା ସେ ଜଣେ ସାଧାରଣ ମଣିଷଟିଏ । ବିଲ ବାଡ଼ି ଚାଷ କରି ପେଟ ପୋଷେ । ସେ ଗରିବ ହେଲେ ହେଁ ବୈଶାଖୀକୁ ତା’ ଜୀବନଠାରୁ ବେଶି ଭଲ ପାଉଥିଲା । ବୈଶାଖୀର ଟିକେ ଦୁଃଖ ସହି ପାରୁ ନଥିଲା ତା’ ସ୍ୱାମୀ ଅନୁରାଗ । ଅନୁରାଗର ବାପା ମାଆ ବୈଶାଖୀକୁ ନିଜ ଝିଅଠାରୁ ବେଶି ସ୍ନେହ କରୁଥିଲେ । ଅଚାନକ ବୈଶାଖୀ ଜାଣିବାକୁ ପାଇଲା ଯେ ସେ ପ୍ରଥମ ଥର ପାଇଁ ମାଆ ହବାକୁ ଯାଉଛି । ଶାଶୁଘର ଲୋକ ସମସ୍ତେ ବହୁତ ଖୁସି । ବୈଶାଖୀ ଆଉ ଅନୁରାଗ ଦୁଇ ଜଣଙ୍କ ଆନନ୍ଦ କହିଲେ ନସରେ ପ୍ରଥମଥର ବାପା ମାଆ ଡାକ ଶୁଣିବେ ।

ସମସ୍ତେ ଖୁସିରେ ଜୀବନ ଯାପନ କରୁଥାନ୍ତି । ହଠାତ ଅନୁରାଗର ଦେହ ଅତ୍ୟନ୍ତ ଖରାପ ହୋଇଗଲା । ଡାକ୍ତରୀ ଚିକିତ୍ସା ପରେ ଜଣା ପଡ଼ିଲା ଯେ ଅନୁରାଗ ବହୁଦିନ ଧରି କ୍ୟାନସରରେ ପିଡ଼ୀତ ଥିଲା । ବର୍ତ୍ତମାନ ଅନୁରାଗର ଶେଷ ସମୟ । ଏକଥା ଜାଣିବା ପରେ ବୈଶାଖୀର ପାଦତଳୁ ଯେମିତି ମାଟି ଖସିଗଲା । କହିଲା, ନିଜ ଲୋକ ପର କରିଦେଲେ ଆଉ ଯିଏ ମତେ ନିଜର କରିଥିଲା ସେ ଏ ଦୁନିଆରେ ଅଳ୍ପ ସମୟର ଅତିଥି । ଏହି କଥା ଭାବି ବହୁତ କାନ୍ଦିଲା ସେ । ତା’ ନିଜ କଥା ଭାବି ସେ ଯେତିକି କାନ୍ଦୁଥିଲା । ଗର୍ଭରେ ବଢ଼ୁଥିବା ସନ୍ତାନ କଥା ଭାବି ସେ ଭାଙ୍ଗି ପଡ଼ୁଥିଲା । ଶେଷରେ ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦେଲା । ଏହିପରି ଦିନେ ସେ ଅଳ୍ପ ଦିନର ଅତିଥି ବୈଶାଖୀକୁ ଏକାକରି ଆର ପାରିକୁ ଚାଲିଗଲା ।

ଯେଉଁ ଶାଶୁଘର ଲୋକମାନେ ଦିନେ ବୈଶାଖୀକୁ ନିଜ ଝିଅ ପରି ଭଲ ପାଉଥିଲେ । ଅନୁରାଗର ମୃତ୍ୟୁ ପରେ ବୈଶାଖୀକୁ ଘରୁ ବାହାର କରିଦେଲେ । ନିରିହ ନିରୁପାୟ ବୈଶାଖୀ ଗର୍ଭରେ ଛଅ ମାସର ଶିଶୁକୁ ଧରି କୁଆଡ଼େ ଯିବ? କୋଉଠି ରହିବ? କ’ଣ କରିବ? କିଛି ଯାଣିନି କିନ୍ତୁ ଘରୁ ବାହାରି ଆସିଛି । ଦୁଃଖମୟ ଜୀବନକୁ ଆଦରି ପୁଣି ଫେରିଛି ମାମୁଁ ଘରକୁ । ମାମୁଁ ମାଇଁଙ୍କୁ ଶୁଣେଇଛି ତା’ ଦୁଃଖ କାହାଣି । ସବୁ କଥା ଶୁଣିବା ପରେ ମାମୁଁ ମାଇଁ ବୈଶାଖୀକୁ କ୍ଷମା ମାଗିଲେ ଏବଂ ତାକୁ ରହିବାକୁ ଘରେ ସ୍ଥାନ ଦେଲେ ।

ବହୁତ ଦୁଃଖ ଯନ୍ତ୍ରଣା ସହି ବୈଶାଖୀ ଜନ୍ମ ଦେଇଛି ଗୋଟିଏ ନୂଆ ଜୀବନ । ମାମୁଁ ଶିଶୁଟିକୁ ପ୍ରଥମ ଥର କୋଳକୁ ନେଇ ତାର ନାଁ ଅଙ୍କିତା ଦେଲେ । ଝିଅଟିଏ ଜନ୍ମ ହୋଇଛି ବୋଲି ମାଇଁଙ୍କର ମନ ଟିକେ ଦୁଃଖ ହେଲା । କିନ୍ତୁ ବୈଶାଖୀ ତା’ ମାମୁଁଙ୍କୁ କହିଲା- ମାମୁଁ ମୋ ପାଇଁ କୋଉଠି କାମ ଖୋଜିଦିଅ ମୁଁ ମୋ ଝିଅ ଅଙ୍କିତାକୁ ବଡ଼ ମଣିଷ କରବାକୁ ଚାହୁଁଛି । ମାମୁଁ ଗୋଟିଏ ବେସରକାରୀ ସଂସ୍ଥାରେ ବୈଶାଖି ପାଇଁ କାମଟିଏ ଖୋଜିଦେଲେ । ସେହିଦିନଠାରୁ ବୈଶାଖୀ ପଛକୁ ଫେରି ଚାହିଁନି । ଅଙ୍କିତାକୁ ବଡ଼ ମଣିଷ କରିବା ପାଇଁ ବୈଶାଖୀ ତା’ ଜୀବନ ସାରା ବହୁତ ପରିଶ୍ରମ କରିଛି । ପରିଶେଷରେ ଅଙ୍କିତା ମଧ୍ୟ ଏ ସମାଜକୁ ଦେଖାଇ ଦେଇଛି ଯେ ବାପା ନଥାଇ ବି ତାର ମାଆ ତାକୁ ଭଲ ମଣିଷଟିଏ କରିଛନ୍ତି । କାରଣ ଅଙ୍କିତାର କମ୍ପିଟେଟିଭ୍ ପରୀକ୍ଷାର ଫଳ ଘୋଷଣା ହେବା ପରେ, ସାରା ରାଜ୍ୟରେ ଅଙ୍କିତା ଉଦାହରଣ ସୃଷ୍ଟି କରିଛି । ସେ ଆଇ.ଏ.ଏସ୍ ଟପ୍ପର ହୋଇଛି । ଏକଥା ବୈଶାଖୀ ଶୁଣିଲା ପରେ ଅଙ୍କିତାକୁ କୋଳକୁ ନେଇ କହିଛନ୍ତି- ମୁଁ ଆଜି ଜିତିଗଲି । ମୋର ସ୍ୱପ୍ନ ସବୁ ସାକର ହେଲା । ଭାଙ୍ଗିଯାଇଥିବା ଉଚ୍ଚ ଆଶାକୁ ମୋ ଝିଅ ଆଜି ସାକାର କଲା ।

ଏମିତି ବହୁତ ବୈଶାଖୀଙ୍କ ଜୀବନର ସଂଘର୍ଷ ଆମ ସମାଜରେ ବହୁତ ଉଦାହରଣ ସୃଷ୍ଟି କରିଛି । କିନ୍ତୁ ଏ ସମାଜ ନାରୀମାନଙ୍କଠାରୁ ତାଙ୍କର ସମ୍ମାନ ଲୁଟିବାରେ ପଛଉନି । ଯଦି କୁହାଯାଉଛି ନାରୀ ବିନା ଏ ସଂସାର ଅଧୁରା ତା’ହେଲେ, କାହିଁକି ନାରୀର ଅଧିକାର ଛଡ଼ାଇ ନିଆଯାଉଛି? ଯଦି ଏ ସମାଜ ନାରୀମାନଙ୍କର ବିକାଶ ଦିଗରେ ଧ୍ୟାନ ଦେବ, ତା’ହେଲେ ହୁଏତ କେତେଜଣ ବୈଶାଖୀ ତାଙ୍କ ଉଚ୍ଚ ଆଶା ସଫଳ କରିପାରିବେ ।

ଚନ୍ଦ୍ରକାନ୍ତି ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।