ଚକ୍ରବ୍ୟୁହରେ ଅଭିମନ୍ୟୁ
ଚକ୍ରବ୍ୟୁହରେ ଅଭିମନ୍ୟୁ

ଚକ୍ରବ୍ୟୁହରେ ଅଭିମନ୍ୟୁ

ସାମାନ୍ୟ କଷ୍ଟରେ କଡ଼ ଲେଉଟାଇଲା ସୁଭଦ୍ରା । ସେଇ ଖଟରୁ ହାତ ବଢ଼ାଇ ଝରକା ପରଦା ଟେକି ଖୋଲିଦେଲା । ସୂର୍ଯ୍ୟକିରଣ ସତେଜ ହୋଇଆସିଲାଣି । କେତେସମୟ ହେବଣି କେଜାଣି? ମୋବାଇଲ ଦେଖିଲା ଆଠଟା ବାଜିଲାଣି । ହଉ ସେମିତିରେ ତ’ ସେ ଛୁଟିରେ ଅଛି, ବ୍ୟସ୍ତହେବାର କିଛି ନାହିଁ । ପେଟ ଉପରେ ଧୀରେ ହାତ ବୁଲାଇ ଆଣିଲା । ଆଜି କାହିଁ ଟିକେ ଅଧିକା କଷ୍ଟ ହେଉଛି । ହେଲେ ଡାକ୍ତର ଦେଇଥିବା ତାରିଖ ତ’ ଆହୁରି ସପ୍ତାହେ ଅଛି । ଗଲାଥର ଏମିତି ଯନ୍ତ୍ରଣାରେ ମେଡିକାଲ ଯିବାରୁ ଡାକ୍ତର କହିଥିଲେ ଏ ସମୟରେ ଏମିତି ମଝିରେ ମଝିରେ ହୁଏ, ଟିକିଏ ସହିବାକୁ ହେବ । ଆଜି ସକାଳୁ ଉର୍ମି ବି ପାଖରେ ନାହିଁ । ଚାହା ଟିକେ ପିଈଦେଲେ ଭଲ ଲାଗନ୍ତା, ଏମିତି ଶୋଇରହିଲେ ହେବନି । ରୋଷେଇ ଘରକୁ ଆସ୍ତେ ଆସ୍ତେ ପାଦ ପକାଇଲା ସୁଭଦ୍ରା ।

ନା, ଆଉ ଯାଇ ହବନି । ଚେୟାର ଉପରେ ଲଥ୍‌କରି ବସି ପଡ଼ିଲା । ଯନ୍ତ୍ରଣା ବଢ଼ିଚାଲିଛି, ଉର୍ମିକୁ ଫୋନ୍ କରି ଡାକିବାକୁ ପଡ଼ିବ । ଫୋନ୍ ରିଙ୍ଗ୍ ହେବା ଆଗରୁ ହଠାତ୍ ନିଜ ଶରୀରରେ କିଛି ଅନୁଭବ କରିପରୁଥିଲା ସେ । ଡାକ୍ତରୀ ଛାତ୍ରୀ ନହେଲେ ମଧ୍ୟ ଜୀବବିଜ୍ଞାନରେ ସ୍ନାତକୋତ୍ତର କରିଥିବା ସୁଭଦ୍ରା ଜାଣିପାରୁଥିଲା ତା’ ସନ୍ତାନ ପ୍ରାପ୍ତିର ସମୟ ଆସିଯାଇଛି । ହେଲେ ଏ ଭାବନା ସହ ଆସିଯାଇଥିଲା ଅନେକ ପ୍ରଶ୍ନ । ତା’ ସନ୍ତାନର ଭବିଷ୍ୟତ କ’ଣ? ସମାଜ ତା’କୁ କି ପରିଚୟରେ ଦେଖିବ? ତା’ ସନ୍ତାନକୁ ବି କ’ଣ ସେ ସବୁ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିବ ଯାହାର ସେ ଦିନେ ସାମ୍ନା କରିଥିଲା । ନା ସେ ଏମିତି ହେବାକୁ ଦେବନି । ତା’ ସନ୍ତାନକୁ କୌଣସି ପ୍ରଶ୍ନର ସମ୍ମୁଖୀନ ହେବାକୁ ସେ କେବେ ବି ଦେବନି ।

ସେଦିନ ସିନା ଅର୍ଜୁନ ଚକ୍ରବ୍ୟୁହର କାହାଣୀ ଅନ୍ତସତ୍ତ୍ଵା ସୁଭଦ୍ରାଙ୍କୁ କହିବାବେଳେ ସୁଭଦ୍ରାଙ୍କ ନିଦ୍ରାର ମୂଲ୍ୟ ଦେବାକୁ ପଡ଼ିଥିଲା ଅଭିମନ୍ୟୁଙ୍କୁ । ଯୁଦ୍ଧଭୂମିରେ ଚକ୍ରବ୍ୟୁହ ଭେଦ କରିନପାରି କର୍ଣ୍ଣ, ଦୁର୍ଯ୍ୟୋଧନ, ଦ୍ରୋଣ, ଦୁଃଶାସନ, ଅଶ୍ୱତ୍ଥାମା, ଶକୁନି, ଜୟଦ୍ରଥ ଏ ସପ୍ତରଥୀଙ୍କ ନିକଟରେ ପରାସ୍ତ ହୋଇ ବୀରଗତି ପ୍ରାପ୍ତ ହୋଇଥିଲେ ଅଭିମନ୍ୟୁ । କିନ୍ତୁ ତା’ ଅଭିମନ୍ୟୁକୁ ସେ ହାରିବାକୁ ଦେବନି । ଜାଣେନି ସେ ତା’ ଗର୍ଭରେ ସେ କାହାକୁ ଧାରଣ କରିଛି । ହୋଇପାରେ ସେ ପାଣ୍ଡବ କୁଳକୁ ଅର୍ଜୁନଙ୍କ ଅନୁପସ୍ଥିତିରେ ଚକ୍ରବ୍ୟୁହରୁ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ନଥାଇ ମଧ୍ୟ ବ୍ୟୁହ ପ୍ରବେଶ କରିଥିବ ବୀର ଅଭିମନ୍ୟୁ । ପୁଣି ହୋଇପାରେ ଅଶ୍ୱତ୍ଥାମାର ନାରାୟଣାସ୍ତ୍ରକୁ ନିଜ ଗର୍ଭ ଉପରେ ସହି ନେଇଥିବା ଉତ୍ତରା, ଅବା ହୋଇପାରେ କୁରୁକ୍ଷତ୍ରରେ ପୀତାମହ ଭୀଷ୍ମଙ୍କୁ ନୀରସ୍ତ୍ର କରିଦେଇଥିବା ଶ୍ରୀଖଣ୍ଡୀ । ସେ ଯିଏ ବି ହେଉ ସୁଭଦ୍ରା ପାଇଁ ସେ ତା’ର ଅଭି, ଅଭିମନ୍ୟୁ । ସେ ତା’ ଅଭିକୁ ଭଲଭାବରେ ଚିହ୍ନାଇଦେବ ଏ ସମାଜକୁ । ଲେଟର ପ୍ୟାଡ୍ ଆଉ କଲମ ଉଠାଇଲା ସୁଭଦ୍ରା, ନିଜ ଜୀବନର ଚିତ୍ରାଙ୍କନ କରିବା ପାଇଁ ।

“ଅଭି, ଏ ମା’ର କାହାଣୀ । ଏ କାହାଣୀ କହିବା ପାଇଁ କୌଣସି ଅର୍ଜୁନ ମୋ’ ପାଖରେ ନାହାନ୍ତି, ତେଣୁ ନିଜ କାହାଣୀ ନିଜେ ଲେଖୁଛି । ଏ ସଂସାର ଚକ୍ରବ୍ୟୁହ ଠାରୁ ଅହୁରି ଅସାଧ୍ୟ, ଅଭେଦ୍ୟ । ଠିକ୍ ଯେମିତି ମୁଁ କିଛି ବୁଝିବା ଆଗରୁ ସବୁକିଛି ଶେଷ ହୋଇ ଯାଇଥିଲା ମୋ’ପାଇଁ । ମୋ’ କାହାଣୀର ଆରମ୍ଭ ହୁଏ ମୋ ଗ୍ରାଜୁଏସନ୍ ସମୟରୁ, ପିଲାଦିନୁ ବାପାଙ୍କୁ ହରାଇଥିବା ବେଳେ କେବଳ ମା’ ଓ ଭାଇ ମୋ’ପାଇଁ ମୋର ଦୁନିଆ ଥିଲେ । ନିଜେ ନିଜର ସୌନ୍ଦର୍ଯ୍ୟ କହିବାକୁ ଅଡ଼ୁଆ ଲାଗିଲେ ବି ମା’ ଯାହା କହେ ମୋର ଉଚ୍ଚ, ଗୋରା, ପତଳା ଦେହକୁ ଧୂସର ଆଖିଡୋଳା ତାକୁ ପରୀଟିଏ ପରି ଦିଶେ । ସାଙ୍ଗମାନେ ଚିଡ଼ାଇବାକୁ କହନ୍ତି ଚାହାଣୀ ଏମିତି କୋଉ ବି ରାଜକୁମାର ଫସିଯିବ । ବୋଧହୁଏ ସେ ରାଜକୁମାରଟି ଥିଲା ପାର୍ଥ ।”

ପାର୍ଥ, ଏ ନାଁ’ଟା ଲେଖିଦେଇ ନିମିଷେ ଅଟକିଗଲା ସୁଭଦ୍ରା । ନିଶ୍ୱାସ ତୀବ୍ରତର ହୋଇଯାଇଥିଲା, ଆଉ ଯନ୍ତ୍ରଣା ବି । ଟେବୁଲରେ ମୁଣ୍ଡ ମାଡ଼ି କିଛି ସମୟ ବସିଗଲା । ବୁଝିପାରୁନଥିଲା ସେ ଆଗତପ୍ରାୟ ଶିଶୁର ଚପଳତା ବଢ଼ିଯାଇଥିଲା ନା ପାର୍ଥ ଶବ୍ଦ ଏ ଶିହରଣ ଖେଳାଇଦେଇଥିଲା । ଯେତେହେଲେ ବି ଏକ ନାରୀ ଜୀବନର ପ୍ରଥମ ପୁରୁଷ, ଦେହରେ ଉନ୍ମାଦନା ସୃଷ୍ଟି କରିବା ସ୍ୱଭାବିକ । ସବୁ କଷ୍ଟ ଯନ୍ତ୍ରଣାକୁ ସହି ଯିବାର ଶକ୍ତି ମାଗୁଥିଲା ସୁଭଦ୍ରା । କାହାଣୀ ତ’ ଏଇ ଆରମ୍ଭ ହୋଇଛି । ଅନେକ କିଛି ଲେଖିବାର ଅଛି । ପୁଣି କଲମ ଉଠାଇଲା ସୁଭଦ୍ରା । ହାତର ବେଗ ବି ପ୍ରତିଯୋଗିତା କରୁଥିଲା ଶରୀରର ଯନ୍ତ୍ରଣା ସହ ।

“ଧନ, ମହଭାରତର ପାର୍ଥ ପରି ମୋ’ ପାର୍ଥ ବି ଥିଲେ ସୁନ୍ଦର, ପ୍ରଖର କିନ୍ତୁ ସ୍ଥିତପ୍ରଜ୍ଞ । ଦେଖିବାକୁ ଠିକ ରାଜକୁମାରଟିଏ ପରି । ଗ୍ରାଜୁଏସନ ସମୟରେ ହିଁ ଆମର ଦେଖା । କଲେଜରେ ସମସ୍ତଙ୍କର ଆପଣାର, ଭିନ୍ନ ଏକ ମଣିଷ ସତେ । କେଉଁଠି ଗରିବ ପିଲାଙ୍କୁ ରାତିରେ ପାଠ ପଢ଼ାଇବା ତ’ ପୁଣି ଘର ଘର ବୁଲି ଡାଲି, ଚାଉଳ, ପୋଷକପତ୍ର ସଂଗ୍ରହ କରି ବସ୍ତିରେ ବାଣ୍ଟିବା ଏ ସବୁ ତାଙ୍କ ନିତିଦିନିଆ କାମ । ସାଙ୍ଗମାନେ କହନ୍ତି ତୁଛା ପାଗଳଟାଏ । ହେଲେ ପାର୍ଥ କିପରି ସୁଭଦ୍ରାକୁ ଭଲପାଇବସିଥିଲା ତା’ର କୌଣସି ଯଥାର୍ଥ ଉତ୍ତର ନାହିଁ ମୋ ପାଖରେ । ଗ୍ରାଜୁଏସନ୍ ସରିଯିବା ପରେ ମୁଁ ସେଇ କଲେଜରେ ହିଁ ପିଜିରେ ନାମ ଲେଖାଇଥିଲି ଆଉ ପାର୍ଥ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଦିଲ୍ଲୀ ଚାଲିଯାଇଥିଲେ ।”

“ମାତ୍ର ଗୋଟିଏ ବର୍ଷ ଲାଗିଥିଲା ପାର୍ଥଙ୍କୁ ନିଜ ଲକ୍ଷ୍ୟସ୍ଥଳକୁ ପହଞ୍ଚିବାକୁ । ହଁ, ଲକ୍ଷ୍ୟଭେଦର କଳା ପାର୍ଥଙ୍କ ଠାରୁ ଆଉ କାହାକୁ ଭଲଭାବରେ ଜଣା ! ସେ ମସ୍ୟର ଚକ୍ଷୁ ଭେଦିବା ହେଉ କି ଆଇ.ଏ.ଏସ୍. ପରୀକ୍ଷା, ପାର୍ଥ କ’ଣ ଲକ୍ଷ୍ୟଚ୍ୟୁତ ହୋଇପାରେ । ଆଇ.ଏ.ଏସ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ନିଜେ ଆସିଥିଲେ ଆମ ଘରକୁ ମୋ ହାତ ମାଗିନେବା ପାଇଁ । ଭାଇଙ୍କର ପ୍ରଥମ ପ୍ରଶ୍ନ ଥିଲା ଆପଣଙ୍କ ଜାତି କ’ଣ? ବାସ୍, ଯୋଗ୍ୟତା ପ୍ରଦର୍ଶନର ଆଉ କୌଣସି ସୁଯୋଗ ଦିଆଯାଇନଥିଲା ପାର୍ଥଙ୍କୁ । ପାର୍ଥଙ୍କର ସମସ୍ତ ପ୍ରୟାସ ଓ ଯୁକ୍ତି ହାର ମାନିଥିଲା ଏ ପ୍ରଶ୍ନ ନିକଟରେ । ମୁଁ ବି କେମିତି ବୁଝାଇଥାନ୍ତି ଭାଇଙ୍କୁ? କେମିତି ପଚାରିଥାନ୍ତି ରାଜା ଶାନ୍ତନୁଙ୍କର ମସ୍ୟକନ୍ୟା ସତ୍ୟବତୀଙ୍କୁ ବିବାହ ପ୍ରସଙ୍ଗ, କିପରି ବୁଝାଇଥାନ୍ତି ପାଣ୍ଡବ ବୀର ଭୀମ ଓ ରାକ୍ଷସୀ ହିଡିମ୍ବାଙ୍କ ମହା ମିଳନ । ସେଦିନ ଜିଦ୍ କରିପାରିନଥିଲି ପାର୍ଥଙ୍କୁ ପାଇବା ପାଇଁ ।”

କଲମ ପୁଣିଥରେ ଅଟକିଗଲା । ମୁହଁରେ ଯନ୍ତ୍ରଣା ଓ ଆଖିରେ ଅସ୍ପଷ୍ଟ ଲୁହର ଆଭାସ । ଏ ଯନ୍ତ୍ରଣା ସେ ବୋଧହୁଏ ଆଉ ସହିପାରିବନି । ଉର୍ମିକୁ ଫୋନ୍ କରି ଡାକିବ ନହେଲେ ଏକୁଟିଆ ଡାକ୍ତରଖାନା ଚାଲିଯିବ । ତେବେ ଆଜିବି କ’ଣ ଅଭିମନ୍ୟୁ ପାଇଁ କାହାଣୀ ଅଧାହୋଇ ରହିଯିବ । ସେ ବାରମ୍ବାର ସଂସାର ଯୁଦ୍ଧରେ ପରାସ୍ତ ହେବ । ଜୋରରେ ନା, ନା ଚିତ୍କାର କରିଉଠିଲା ସୁଭଦ୍ରା । ହେଲେ ଚେୟାରରେ ବସିବା ଆଉ ତା’ ପାଇଁ ସମ୍ଭବପର ନଥିଲା । ବଡ କଷ୍ଟରେ ପେଟକୁ ଚାପିଧରି ଧୀରେ ଧୀରେ ଉଠିଲା । ଚେୟାରରୁ ଖଟ ଛଅ ଫୁଟ ଦୂରତା ଅତିକ୍ରମ କରିବାକୁ ବେଶ୍ କିଛି ସମୟ ଲାଗିଯାଇଥିଲା ତାକୁ । ତଥାପି ହାତରେ ଲେଟର ପ୍ୟାଡ୍ ଓ କଲମ ଧରି ଖଟ ଉପରେ ଲମ୍ବହୋଇ ଶୋଇଗଲା । ତା’ ଅଭିକୁ ସେ ହିଁ ଦୁନିଆକୁ ଆଣିବ । ଲେଟର୍ ପ୍ୟାଡ୍‌କୁ ଛାତିରେ ଧରି ଆଗକୁ ନେଲା ତା ଅଧୁରା କାହାଣୀକୁ ।

“ଭାଇଙ୍କର ଅନେକ ପ୍ରତିବନ୍ଧ ବି ଅଟକାଇ ପାରିନଥିଲା ମୋତେ । ଏକୁଟିଆ ଚାଲିଯାଇଥିଲି ପାର୍ଥଙ୍କ ନିକଟକୁ । ମହାଭାରତରେ ସେଦିନ ସିନା ଭାଇ ବଳରାମଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଶ୍ରୀକୃଷ୍ଣ ଯୋଜନାବଦ୍ଧ ଭାବେ ଅର୍ଜୁନଙ୍କ ଦ୍ୱାରା ସୁଭଦ୍ରା ହରଣ କରିଥିଲେ । କିନ୍ତୁ ମୋ ଜୀବନରେ ନ ଥିଲେ କୃଷ୍ଣ ସମ ଭାଇ ନା ମୋ ପାର୍ଥଙ୍କ ପାଖରେ ଥିଲା ସୁଭଦ୍ରା ହରଣର ସାହସ । ହେଲେ ପାର୍ଥଙ୍କ ପାଖରେ ପହଞ୍ଚିବା ପରେ ସବୁ ସ୍ୱପ୍ନ ମୋର ଗୋଟିଏ ଝଟ୍‌କାରେ ଚୁରମାର୍ ହୋଇଯାଇଥିଲା । ପାର୍ଥ ଗୋଟିଏ ଦାର୍ଶନିକ ପରି ମୋତେ ବୁଝାଇ ଚାଲିଥିଲେ ପରିବାର ସମ୍ମତି ବିନା ବିବାହର କୁପରିଣାମ । ସମାଜର ତାଛଲ୍ୟ, ନିଃସଙ୍ଗ ଜୀବନ ଜୀଇଁବାର ବ୍ୟଥା । ସେଦିନ ସ୍ୱୟମ୍ବର ଜିତି ମଧ୍ୟ ଅର୍ଜୁନ ଭାଇମାନଙ୍କ ପାଖରେ ଦ୍ରୌପଦୀଙ୍କୁ ଭାଗ କଲାବେଳେ ସେ ଯେମିତି ନାଚାର ଥିଲେ ମୁଁ ମଧ୍ୟ ଠିକ୍ ସେମିତି ନାଚାର୍ ଥିଲି । ଜାଣିପାରୁନଥିଲି ମୋ ପାର୍ଥ ସମାଜକୁ ଭୟ କରୁଥିବା ଜଣେ ଭୀରୁ, କାପୁରୁଷ ନା ଗୋଟିଏ ପରିବାରକୁ ଯୋଡ଼ିରଖିବା ପାଇଁ ନିଜ ପ୍ରେମକୁ ଜଳାଞ୍ଜଳି ଦେଉଥିବା ଜଣେ ମହାପୁରୁଷ । ତଥାପି ତାଙ୍କ ଦର୍ଶନ ଆଗରେ ମୁଁ ହାର ମାନିଥିଲି । ମହାଭାରତରେ ଭାଇ ବଳରାମ ସୁଭଦ୍ରାଙ୍କ ପାଇଁ ନିଜ ପ୍ରିୟ ଶିଷ୍ୟ ଦୁର୍ଯ୍ୟୋଧନଙ୍କୁ ମନୋନୀତ କରିବାପରି ମୋ ଭାଗ୍ୟରେ ବି ଲେଖାଥିଲା ସେମିତି ଜଣେ ଦୂର୍ଯ୍ୟୋଧନ ।”

ଅତିରିକ୍ତ ଯନ୍ତ୍ରଣାରେ ପୁନଶ୍ଚ ଚିତ୍କାର୍ କରିଉଠିଲା ସୁଭଦ୍ରା । ଅଭିମନ୍ୟୁ ଜନ୍ମହେବା ସମୟ ପାଖେଇ ଆସିଲାଣି ହେଲେ ସେ ବି ଦୃଢ଼ସଂକଳ୍ପ, କାହାଣୀ ତା’ର ଅଧା ରହିବନି । ଏଥିପାଇଁ ନିୟତି ସହ ଲଢ଼ିବା ପାଇଁ ବି ସେ ପ୍ରସ୍ତୁତ । ଦରକାର ହେଲେ ଜୀବନ ବି ବାଜି ଲଗାଇବା ପାଇଁ । ନିଜ ଦୁଇଗୋଡ଼କୁ ଶୁନ୍ୟରେ ଉଠାଇରଖିଲା ସେ ।ତା କାହାଣୀ ସରିବା ଆଗରୁ ସେ ହାର ମାନିବନି । ସବୁ ଯନ୍ତ୍ରଣାକୁ ଆଖିବୁଜି ପୁଣି କଲମ ଧରିଲା, ଆହୁରି ଶକ୍ତ ଭାବରେ ।

“ମୋ ଜୀବନର ଦୁର୍ୟ୍ୟୋଧନ, ଭାଇଙ୍କ ପସନ୍ଦର, ଆମ ଜାତିର । ସମାଜ ପାଖରେ ସ୍ୱାମୀର ମୋହର ପାଇବା ଭଳି ଶିକ୍ଷାଗତ ତଥା ବୃତ୍ତିଗତ ଯୋଗ୍ୟତା ତା’ ପାଖରେ ଥିଲା । ହେଲେ ତାକୁ ଦୁର୍ଯ୍ୟୋଧନ କହିବା ମହାଭାରତର ଅପମାନ ହେବ । ଦୁର୍ୟ୍ୟୋଧନ ତ’ ଥିଲେ ଯୋଦ୍ଧା, ବୀର, ଧନୁ ଓ ଗଦା ଚାଳନାରେ ପ୍ରବୀଣ, କୌରବ ସେନାର ଦକ୍ଷ ସେନାପତି କିନ୍ତୁ ମୋର ସ୍ୱାମୀ ମାନେ ତୋ’ର ରକ୍ତପିତା ପାଖରେ ସେପରି କୌଣସି ଗୁଣ ନଥିଲା ଯାହା ମୁଁ ବଖାଣି ପାରିବି । ସେ ଘୃଣ୍ୟ ଚେହେରା ଦେଖେଇବାକୁ ମୋତେ ସେ କଥା କହିବାକୁ ହେବ ଯାହା ଦୁନିଆର କୌଣସି ମା କେବେ ତା’ ପୁଅକୁ କହିନଥିବ, ତା’ ବାସର ରାତିର କାହାଣୀ । ନାରୀ ଜୀବନର ପୂର୍ଣ୍ଣାଙ୍ଗତାର ରାତି । ଅନେକ କିଛି ଭାବିଥିଲି । ନିଜ ଜୀବନର ସବୁ ସତ କହି ଭୁଲ ମାଗିନେବି ଆଉ ନୂଆ ଜୀବନର ଆରମ୍ଭ କରିବି । ହେଲେ କିଛି ମୁଁ କହିବା ଆଗରୁ ସେ ଭୋକିଲା ରାକ୍ଷସ ମୋ ଉପରକୁ ଡେଇଁ ପଡ଼ିଥିଲା । ନିଜକୁ ପ୍ରକୃତିସ୍ଥ କରିବାକୁ ସମୟ ପାଇନଥିଲି । ଯେତେବେଳେ ନିଜ ଦାନ୍ତ ଓ ନଖରେ ମୋ ଶରୀରକୁ କ୍ଷତିବିକ୍ଷତ କରି ଚାଲିଥିଲା, ମୋର କରୁଣ ଚିତ୍କାର ତା’ ଅଟ୍ଟହାସ୍ୟ ମଧ୍ୟରେ କେଉଁଠି ହଜିଯାଇଥିଲା ।”

“ହେଲେ ବି ମୁଁ ହାର ମାନିନଥିଲି । ସବୁକଥା ଖୋଲି କହିଥିଲି ମୋ ଶାଶୁଙ୍କ ପାଖରେ । ଭାବିନଥିଲି ନାରୀ ହୋଇ ସେ ନାରୀକୁ ବୁଝିବେ । ମା’ ପରି ମୋ କଷ୍ଟର ପ୍ରତିକାର କରିବେ । ଭୁଲିଯାଇଥିଲି କୁନ୍ତୀଙ୍କଠାରୁ ନେଇ ଆଜିପର୍ଯ୍ୟନ୍ତ ମା’ କେବଳ ପୁଅର । କୁନ୍ତୀ ଦ୍ରୌପଦୀଙ୍କୁ ପାଞ୍ଚ ଭାଇଙ୍କ ଶଯ୍ୟାସଙ୍ଗିନୀ କରିବା ହେଉ କି କର୍ଣ୍ଣଙ୍କ ଠାରୁ ପାଣ୍ଡବଙ୍କ ରକ୍ଷାର ବଚନ ହେଉ ମା’ ପୁଅ ପାଇଁ ସବୁ ଆଖି ବୁଜିଦେଇପାରେ । ମୋତେ ବି ସେ ପ୍ରଶ୍ନ କରିଥିଲେ, “ବିବାହ ପରେ ନାରୀର ପୁଣି ଇଛା କ’ଣ?” ମୋ ମନରେ ବି ଆସିଥିଲା ଅନେକ ପ୍ରଶ୍ନ, “ବଳତ୍କାରୀ ଆଉ ସ୍ୱାମୀ ଭିତରେ କ’ଣ ଫରକ ମାତ୍ର ଟୋପାଏ ସୁନ୍ଦର?” “ମ୍ୟାରିଟାଲ୍ ରେପ୍ ପରି ପାଶ୍ଚାତ୍ୟରେ ପ୍ରଚଳିତ ଶବ୍ଦ କ’ଣ ଆମ ସଂସ୍କାରବୋଧରେ ଏକ ମିଥ୍ୟା ମାତ୍ର?” ହେଲେ ପଚାରି ପାରିନଥିଲି । ଦିନକୁ ଦିନ ଏ ପାଶବିକତା ବଢ଼ିଚାଲିଥିଲା । କେବେ ମାତାଲ୍ ହୋଇ ଘରକୁ ଫେରିବା, ଅଫିସ୍, ମିଟିଙ୍ଗ୍, ପାର୍ଟି ବାହାନାରେ ରାତି ରାତି ବାହାରେ କଟାଇବା । ଏପରିକି ଝିଅଙ୍କୁ ନେଇ ଘରକୁ ଆସିବା ଏ ସବୁ ମୋ ଧୈର୍ଯ୍ୟର ସୀମା ଲଙ୍ଗି ସାରିଥିଲା । ଚାଲିଆସିଲି ବହୁଦୂରକୁ, ଏକାକୀ । ସେତେବେଳକୁ ଜୀବନର ସତ୍ତା ମୋ ଶରୀରରେ । ଦୈବଯୋଗକୁ ସହକର୍ମୀ ଭାବରେ ଉର୍ମି ପରି ଏକ ସାଥୀ ଆଉ ମନ ଭିତରେ ତୋତେ କଳ୍ପନା କରି କରି ଆଜି ଯାଏ ବଞ୍ଚିଆସିଛି ।”

ହାତରୁ ଲେଟର ପ୍ୟାଡ୍ ତଳେ ପଡ଼ିଯାଇଥିଲା । ଦେହର ଝାଳ, ରକ୍ତ ସବୁ ଏକାକାର ହୋଇସାରିଥିଲା । ନା ଆଉ ନୁହେଁ, ଉର୍ମିକୁ ଫୋନ୍ କରିବାକୁ ହେବ । ଚିତ୍କାରରେ ଘର ପ୍ରକମ୍ପିତ ହେଉଥିଲା । ଅତି କଷ୍ଟରେ ଉର୍ମିକୁ ଫୋନ୍ କରି କେବଳ ଏତିକି କହିପାରିଲି, “ରୁମକୁ ଜଲଦି ଆସେ ।” ମୁହଁରେ କଷ୍ଟ ମଧ୍ୟରେ ସାମାନ୍ୟ ପ୍ରସନ୍ନତା, ଜୀବନ ଚକ୍ରବ୍ୟୁହ କାହାଣୀର ଆସନ୍ନ ସମାପନାର ପ୍ରସନ୍ନତା । ତଳେ ପଡ଼ିଥିବା ଲେଟର ପ୍ୟାଡ୍‌କୁ ପୁଣି ଉଠାଇଲା ।

“ଅଭି, ଜୀବନରେ କେବେଯାଏ ତୋ’ ସାଥିରେ ଚାଲି ପାରିବି ଜାଣେନା । ଆଉ ମୋ ଶରୀରରେ ଲଢ଼ିବା ପାଇଁ ଶକ୍ତି ନାହିଁ । ଉର୍ମି ମାଉସୀ ହିଁ ତୋ ଜୀବନର ଏକମାତ୍ର ଭରସା । ଏଠି ଜୀବନର ପାଦେ ପାଦେ କର୍ଣ୍ଣ, ଦୁର୍ଯ୍ୟୋଧନ, ଶକୁନି, ଜୟଦ୍ରଥ ପରି ମହାରଥୀ । ଚକ୍ରବ୍ୟୁହ ବିଜେତା ହେବାକୁ ହେଲେ ଏକାକୀ ଚାଲିବାକୁ ହେବ ।”

ଅକ୍ଷର ଅସ୍ପଷ୍ଟ ହୋଇଯାଇଥିଲା । ଆକୁଳ ଚିତ୍କାର କରି ଉଠିଥିଲା ସୁଭଦ୍ରା । ଶରୀରରେ ମୃତ୍ୟୁବତ୍ ଯନ୍ତ୍ରଣା । ହାତକୁ ମୁଠାକରି ଜାବୁଡ଼ି ଧରିଲା । ଅଭିମନ୍ୟୁ ଆଗମନର ସମୟ ନିଶ୍ଚିତ । ନିଜ ପାରୁ ପର୍ଯ୍ୟନ୍ତ ବଳ ଲଗାଇଲା । ତାର କ୍ରନ୍ଦନକୁ ଭେଦ କରି ନବଜାତକର କ୍ରନ୍ଦନ ସ୍ଵର । ଏବେ ପୁଣି ଦୀର୍ଘଶ୍ୱାସ ନେଲା କିନ୍ତୁ ଆଶ୍ୱସ୍ତିର । ଦରଜାରେ ଠକ୍ ଠକ୍ ଶବ୍ଦ । ଉର୍ମି ହୋଇଥିବ ନିଶ୍ଚୟ, ଆଉ ତାକୁ ଅଭି ପାଇଁ ଚିନ୍ତା କରିବା ଦରକାର ନାହିଁ । ଆଖିପତା ଧୀରେ ଧୀରେ ବୁଜି ହୋଇଯାଉଥିଲା, ବୋଧହୁଏ ସବୁଦିନ ପାଇଁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu