You are currently viewing ସ୍ମୃତି କେଉଁ ଏକ ଅକୁହା ମନର
ସ୍ମୃତି କେଉଁ ଏକ ଅକୁହା ମନର

ସ୍ମୃତି କେଉଁ ଏକ ଅକୁହା ମନର

ଦିନ ସରିଯାଇଥିଲା, ସକାଳର ଖରା ବି ଚାଲି ଯାଇଥିଲା, ତମେ ବସିଥିଲ ଶିମିଳି ଗଛର ତଳେ । ଜାଣେନା କ’ଣ ଗୋଟେ ଚିନ୍ତା ଆଉ ଭାବନାରେ ତମେ ହଜି ଯାଇଥିଲ । ପଛରୁ ବହୁତ ଡାକୁଥାଏ ମାନସୀ.. ମାନସୀ.. ହେଲେ ତମେ ଶୁଣୁ ନଥାଅ। ଭାବିଲି ପାଖକୁ ଯିବି, ଗଲି, ତମକୁ ହଲାଇ ଦେଲାରୁ ତମେ ହଠାତ୍ ଚମକି ପଡ଼ିଲ। ପଚାରିଲି କ’ଣ ହେଲା ମାନସୀ ? ଆଜି ଏତେ ଲେଟ୍ ହେଲାଣି,ତମେ ହଷ୍ଟେଲ ଫେରିନାହଁ ? କିଛି ଅସୁବିଧା ହେଇଛି କି ? ହେଲେ ତମେ ଥିଲ ନିରୁତ୍ତର। ପାଟିରୁ ପଦଟିଏ ହେଲେ ଶବ୍ଦ ବାହାର କରିନଥିଲ। ବହୁତ ସମୟ ତମକୁ ବୁଝେଇବାକୁ ଚେଷ୍ଟା କରିଥିଲି, ହେଲେ ବୁଝେଇପାରି ନଥିଲି । ସଞ୍ଜ ହେଇସାରିଥିଲା ସେତେବେଳକୁ, ସେଇଠି ତମ ସାଙ୍ଗସାଥି କେହି ବି ନଥିଲେ, କେମିତି ଏକା ଛାଡ଼ି ଆସିବି ଭାବି ବି ପାରୁ ନଥାଏ.. ଶେଷରେ ତମକୁ ବାଧ୍ୟ କଲି ହଷ୍ଟେଲ ଫେରିଯିବାକୁ। ବହୁତ ସମୟ ହେଇସାରିଥିଲା, ତମେ ରାଗିଯାଇ ସେଠୁ ଉଠି ଚାଲି ଆସିଲ ଆଉ ବହୁତ ଜୋର୍‌ରେ ଚାଲିବାକୁ ଲାଗିଲ। ତମକୁ ପଛ କଲି ହେଲେ କିଛି ବାଟ ପରେ ତମକୁ ପାଇନଥିଲି। ଭାବିଲି ତମେ ହଷ୍ଟେଲ ପଳେଇଲ । ଯାହା ହଉ ଚିନ୍ତା ଗଲା, ଝିଅଟା କେତେ ଏବେ ହଇରାଣ ହେଇଥାନ୍ତା !

ଚିନ୍ତାମୁକ୍ତ ହେଇ ରୁମ୍‌କୁ ଆସିଲି । ମାନସୀ ତମ ଫୋନ୍‌କୁ ୩୦ଥର ପାଖାପାଖି ଫୋନ୍ ଲଗେଇଛି ହେଲେ ଜାଣିନି କାହିଁକି ତମ ନମ୍ବର ଲାଗୁ ନଥାଏ । ଥରେ କଥା ହେବି କ’ଣ ହେଇଚି, ତମେ ମନ ଓଳେଇ କ’ଣ ପାଇଁ ବସିଛ, ତମ ସହ ଯୋଗାଯୋଗ ବି ହୋଇପାରିଲାନି । ଭାବି ପାରି ନାହିଁ ମାନସୀ ତମକୁ ମୁଁ କେତେ ଭଲ ପାଉଥିଲି, ଲୁଚି ଲୁଚି ତମ ସାଙ୍ଗମାନଙ୍କ ହାତରେ କେତେ ଚିଠି ବି ଦେଇଚି । IT କ୍ଲାସ ଛାଡ଼ି Zoology କ୍ଲାସ କରୁଥିଲି ତମକୁ ଟିକିଏ ଦେଖିବା ପାଇଁ । ତମେ ସିନା ପିଲା ଦିନର ବହୂଚୋରି ଖେଳ ମିଛିମିଛିକା ଭାବୁଥିଲ, ହେଲେ ତମକୁ ମୁଁ ମୋ ମନର ମାନସୀ କରିଦେଇଥିଲି। ତମକୁ ମୋ ବାଳିକା ବଧୂ ଭାବି ନେଇଥିଲି ।

ସେଦିନ ରାତିରେ କାହିଁକି କେଜାଣି ପିଲାଦିନରୁ କଟିଥିବା ସ୍ମୃତି ସବୁ ମନରେ ଭାସି ଆସୁଥିଲା। ମନେ ମନେ ଭାବି ଖୁସି ହଉଥିଲି । ମନେ ଅଛି ମାନସୀ! ନଈ କୂଳରେ ଯେବେ ତମେ ସାଙ୍ଗମାନଙ୍କ ସହ ବୁଲିବାକୁ ସନ୍ଧ୍ୟାରେ ଯାଅ, ଟିକେ ରାତି ହେଇଗଲେ ନଈରେ ବହୁତ ଟେକା ପଡ଼େ ଆଉ ତମେ ସବୁ ଡରିଯାଇ ଦୌଡ଼ି ଦୌଡ଼ି ଘରକୁ ପଳେଇ ଆସ ! ହୁଏତ ତମେ ଜାଣିଛ କି ନାହିଁ, ସେ ଟେକା ମୁଁ ପକାଉଥିଲି । କାହିଁକିନା ମୁଁ ଚାହୁଁନଥିଲି ତମେ ରାତି ଯାଏ ଘର ଛାଡ଼ି ବାହରେ ବୁଲ । ଏପଟେ ବି ଟିକେ ଫେରିବା ବିଳମ୍ବ ହେଲେ ତମ ସାବତ ମା’ ତମକୁ ବ‌ହୁତ ବଢ଼ାଉଥିଲେ…. ସତ କହିବି ମାନସୀ ମୁଁ ଏସବୁ ଆଦୌ ସହିପାରେନି !

ଭାବି ଭାବି ବହୁତ ହସୁଥିଲି, ସେଦିନ ପଢ଼ିବାକୁ ଜମା ଇଚ୍ଛା ହଉନଥିଲା, ଶେଷରେ ଦଶମ ଶ୍ରେଣୀର ଫର୍ମ ପୂରଣ ବେଳେ ଚୋରି କରି ଆଣିଥିବା ତମ ପାସପୋର୍ଟ ଫଟୋଟିକୁ କାଢ଼ି ଦେଖିଲି, ଆହୁରି ଜୋର୍‌ରେ ହସିଲି । ସେତେବେଳେ ତମେ କେତେ ଛୋଟ ଲାଗୁଥିଲ, କାନ୍ଧ ଯାଏ ଚୁଟି କାଟୁଥିଲ, ପୂରା ଅବୋଧ ଆଉ ସରଳ ଲାଗୁଥିଲ । କେତେଥର ସେଇ ଫଟୋଟିକୁ ଚୁମା ଦେଇଛି ତା’ର ହିସାବ ରଖିନି । ସ୍କୁଲରେ ସାଙ୍ଗମାନେ ତମ ନାଁରେ ମୋ ନାଁ ଯୋଡ଼ି କେତେ ଚିଡ଼େଇଛନ୍ତି । ତମେ ମୋତେ ଡାକି ଦିନେ କହିଲ, “ଆଶୁ ତମକୁ କ’ଣ ଭଲ ଲାଗୁଚି ଏମିତି ସବୁ ଚିଡ଼େଇବା, ଏବେ ଠୁ ତମେ ମୋ ସହ କେବେ କଥା ହେବାକୁ ଚେଷ୍ଟା କରିବନି । ମୋତେ ଏସବୁ ଭଲ ଲାଗେନି ।” ତମେ ସିନା ଗାଳି ଦଉଥିଲ, ହେଲେ ମୁଁ ବି ଖାଲି ତମ ମୁହଁକୁ ଚାହିଁ ରହିଥିଲି । ବିଶ୍ଵାସ କରିବନି ମାନସୀ ସେଦିନ ମୁଁ ତମକୁ ‘I Love You’ କହିବାକୁ ସାହାସ ନେଇଥିଲି ସାଙ୍ଗଙ୍କ ପାଖରୁ । ମୋତେ ବହୁତ ଖୁସି ଲାଗୁଥିଲା କି ତମକୁ ମୁଁ ମୋ ମନ କଥା କହିପାରିବି, ହେ ହେ…. ଶେଷକୁ I Love You କହି ଦୌଡ଼ି ପଳେଇ ଆସିଲି। ସେଦିନ ତମ ପ୍ରତିକ୍ରିୟା ମୁଁ ଦେଖି ନଥିଲି ହେଲେ ବାପ୍‌ରେ… ତା’ ପରଦିନ ସ୍କୁଲ ଗଲା ବେଳକୁ ତମ ମୁହଁ ହାଣ୍ଡି ! ମୁଁ ଯାଇ କ୍ଷମା ମାଗିଲି ହେଲେ ତମେ କିଛି ଶୁଣିଲନି କି ମୋ ଆଡ଼କୁ ଅନେଇ ବି ନଥିଲ । ବୁଝିଯାଇଥିଲି ତମେ ମୋତେ ଟିକେ ବି ପସନ୍ଦ କରନି ବୋଲି। ଯେତେ ବୁଝିଲେ କ’ଣ ହେବ, ଅବୁଝା ମନ କ’ଣ ବୁଝୁଥିଲା !

ଦେଖୁ ଦେଖୁ ପରୀକ୍ଷା ବି ପାଖେଇ ଆସିଲା, ଆଉ ତମ ସହ ଦେଖା ହେବା ବହୁତ ମୁସ୍କିଲ୍ ହେଇଗଲା । ତମେ ହୁଏତ ମୋତେ କଉଠି ଫୋପାଡ଼ି ଦେଇଥିବ, ହେଲେ ତମେ ଲୁଚି ରହିଥିଲ ମୋ ମନ ଇଲାକାରେ…. ପରୀକ୍ଷା ସରିଗଲା । ତମେ କୁଆଡ଼େ ହଜିଗଲ, ବହୁତ ଖୋଜିଛି । ତମ ଗାଁ’ଆଡ଼େ ବହୁତଥର ସାଇକେଲ ଧରି ଯାଇଛି, ତମ ସାନଭାଇକୁ ବହୁତ ଚକଲେଟ୍ ଦେଇଚି, ହେଲେ ତମ ବିଷୟରେ କିଛି ବି ଜାଣିପାରୁନଥିଲି ।

ଏମିତି କିଛି ଦିନ ବିତି ଗଲା । ହଠାତ୍ ସାଙ୍ଗ ଗୋଟେ ଆସି କହିଲା, “ଆଶୁ ମାନସୀ ଘରେ ଅଛି, ମୁଁ ତାକୁ ଏବେ ଦେଖିକି ଆସିଲି ତୁ ଜଲଦି ଆସେ ।” ତା’ ପାଟିରୁ ସବୁ କଥା ନ ସରିବା ଆଗରୁ ମୁଁ ବାହାରିଥିଲି ତମ ଘର ଆଡ଼େ । ଆଉ ଯାଇ ପହଞ୍ଚିଥିଲି ତମ ଘରର ଆମ୍ବ ଗଛମୂଳେ । ସେତେବେଳେ ତମେ ଘରୁ ବାହାରକୁ ବାହାରୁଥିଲ । ଜାଣିନି ତମେ ମୋତେ ଦେଖିଚ କି ନାହିଁ କିନ୍ତୁ ମୁଁ ତମକୁ ଚାତକ ପରି ଚାହିଁ ରହିଥିଲି । ତମେ ଆସି ଦୁଆର ମୁହଁରେ ବସିଲ । ହଠାତ୍ ତମ ସାବତ ମାଆ ଆଖି ମୋ ଉପରେ ପଡ଼ିଗଲା ଆଉ ସେ ଚଳେଇଲେ ତମ ଉପରେ । ବହୁତ ଖରାପ କଥା କହି ଗାଳି ମଧ୍ୟ କରୁଥିଲେ, ସେତେବଳେ ଇଚ୍ଛା ହେଉଥିଲା ମୁଁ ତାଙ୍କୁ ବି ଶୁଣେଇଦେବି, ଆରେ କହିବାରେ ବି ସୀମା ଥାଏ । ସେ କ’ଣ ଭାବୁଛନ୍ତି କି ନିଜକୁ । ହେଲେ ତମ ଉପରେ ମାଡ଼ ବସିବା ଦେଖି ପଳେଇ ଆସିଲି, ତା’ ପରଠୁ ତମକୁ ଦେଖା କରିବାକୁ କେବେ ତମ ଘରଆଡ଼େ ଯାଇନଥିଲି ।

ତା’ପରେ ଦିନେ ଶୁଣିଲା ବେଳକୁ ତମର ନିର୍ବନ୍ଧ ହୋଇସାରିଥିଲା । ସାହି ପଡ଼ିଶାରେ କଥା ହଉଥିଲେ, “ସାବତ ମାଆ ଝିଅର ଖୁସି ଦେଖି ପରୁନି, କେମିତି କେଜାଣି ୩୦ ବର୍ଷୀୟ ଲୋକ ହାତରେ ଟେକି ଦଉଚି ଝିଅଟିକୁ ।” ଏମିତି ବହୁତ କିଛି… ମୁଁ ଜମା ସହି ପାରୁ ନଥାଏ, ବହୁତ କଷ୍ଟ ହେଉଥାଏ, ତଥାପି ଚୁପ୍ ରହିଥାଏ । ଭାବିଲି ହୁଏତ ତମ ସ୍ୱୀକୃତିରେ ତମ ବାହାଘର ହଉଚି । ୩ କି ୪ ଦିନ ପରେ ଲୀନା ଦେଖା ହେଲା । ତାକୁ ପଚାରିଲି ତମ ବିଷୟରେ ଆଉ ସେ ଯାହା କହିଲା, ହୁଏତ ମୁଁ ବିଶ୍ୱାସ କରିପାରିଲିନି । ତମେ ଘର ଲୋକଙ୍କ ବାଧ୍ୟରେ ହଁ ମାରିଥିଲ ସତ ହେଲେ ବାହାଘର ୨ବର୍ଷ ପରେ ହେବ ବୋଲି ସର୍ତ୍ତ ବି ରଖିଥିଲ । ଶୁଣି ବହୁତ ଖୁସି ଲଗିଲା, ଯାହା ହଉ ଭାଙ୍ଗି ଯାଇଥିବା ମନ ତଳେ ନୂତନ ଆଶାରର ସୁନେଲି କିରଣ ପଡ଼ିଲା । ଖୁସି ହେଲି, ହୁଏତ ୨ବର୍ଷ ଭିତରେ ତମ ମନ କିଣି ପାରିବି ।

ଏହା ଭିତରେ ଦୁଇବର୍ଷ ବିତି ଗଲାଣି ହେଲେ ତମ ମନ ଭିତରେ ମୋ ପାଇଁ କ’ଣ ଅଛି ଜାଣିପାରିଲିନି କି ତମ ମନ କିଣିପାରିଲିନି । ହଁ ହୁଏତ ତମେ ମୋତେ ପସନ୍ଦ କରୁନ । ଏତିକି କଥା ଭାବି ବହି ଆଡ଼େଇଲି । ଅମିତ ଆସି ପଚାରିଲା, “ଆରେ ଆଜି ତୋର କ’ଣ ହେଇଛି, ମୁଁ କେତେବେଳୁ ତୋତେ ମାର୍କ କରୁଛି ତୁ ମନେ ମନେ ହସୁଚୁ ପୁଣି କାନ୍ଦୁଚୁ, କଉଠି ପ୍ରେମରେ ପଡ଼ିଯାଇନୁ ତ….???”

ହସି ଦେଇ କହିଲି, “ଆରେ ନାହିଁ ନାହିଁ । ପ୍ରେମ ଫ୍ରେମ କିଛି ନାହିଁ, ମୋତେ ପୁଣି ପ୍ରେମ ! ନାଇଁ ଭାଇ ମୁଁ ତ’ ବାବା ଲୋକ । ଏମିତି ଘର କଥା ମନେ ପଡୁଥିଲା ।” “ହଉ ଭାଇ ମୁଁ ମାର୍କେଟ୍ ଆଡ଼େ ଚାଲିଲି ତୁ ପଢ଼ାପଢ଼ି କରେ” କ‌ହି ଅମିତ ବି ଚାଲିଗଲା । ସେ ଚାଲିଗଲା, ହେଲେ ତମ ସ୍ମୃତି ମାନସୀ କାହିଁକି ସେଦିନ ଜମା ଛାଡ଼ୁନଥାଏ ଆହୁରି ମନେ ପଡୁଥାଏ । କଲେଜରେ ନାଁ ଲେଖେଇବା ଦିନ କଥା ମନେ ପଡ଼ିଲା । ମୁଁ ତମକୁ ମୋ କଲେଜରେ ଦେଖି ଖୁସିରେ ପାଗଳ ହେଇଗଲି, ଏକା ଷ୍ଟ୍ରିମ୍, ଏକା ଗ୍ରୁପ୍, ବହୁତ ଖୁସି ଲାଗୁଥିଲା । ପ୍ରଥମେ ପ୍ରଥମେ ତମେ କଥା ହେବାକୁ ଡରୁଥିଲ କାଳେ କିଏ କ’ଣ ଭାବିବ । ତା’ପରେ କିନ୍ତୁ ତମେ ଆଉ ଡରି ନଥିଲା । ଧୀରେ ଧୀରେ ଟିକେ ଟିକେ କଥା ହେଲ । ବହୁତଥର ଭାବିଛି ଆଜି ତମକୁ ମୋର ପ୍ରେମ ନିବେଦନ କରିବି, ହେଲେ ଡର ଲାଗେ, କାଳେ ତମେ ମୋତେ ମନା କରି ଦେବ କି । ସେହି ଡରରେ ଆଜି ପର୍ଯ୍ୟନ୍ତ ବି ସାହସ କରି ମନ କଥା କହିପାରିଲିନି । ଏମିତି ଭାବୁ ଭାବୁ ରାତି ୯ଟା ହେଇଗଲା, ଭାବିଲି ଆଜି ଯାହା ବି ହେଇଯାଉ ମୁଁ ତମକୁ ଚିଠିଟିଏ ଲେଖିବି । ଆରମ୍ଭ କଲି ଚିଠି ଲେଖା..

ପ୍ରାଣର ପ୍ରେୟସୀ ମାନସୀ,
ଆଜି ତମକୁ ମୋ ମନର କଥା କହିବାକୁ ଯାଉଚି, ଜାଣିନି ତମ ଉତ୍ତର ‘ହଁ’ ଆସିବ କି ‘ନାହିଁ’ । ହେଲେ ମାନସୀ, ମୁଁ ତମକୁ ବହୁତ ଭଲ ପାଏ । ଆଜି ନୁହଁ ଦୀର୍ଘ ୪ବର୍ଷ ହେଇଗଲା ତମକୁ ଭଲ ପାଉଛି, କଥା ଦଉଛି ମାନସୀ ଜୀବନସାରା ତମ ଆଖିରେ ଲୁହ ଆଣିବାକୁ ଦେବିନି । ସବୁବେଳେ ଚେଷ୍ଟା କରିବି ହସଟିଏ ଫୁଟେଇବାକୁ । ହୁଏତ ତମେ ମୋ ପ୍ରସ୍ତାବକୁ ଗ୍ରହଣ କରି ନ ପାର, ସେଥିରେ ଦୁଃଖ ନାହିଁ । ଭାବିବନି ମୁଁ ତମକୁ ଏଥିଲାଗି ହଇରାଣ କରିବି । କିଛି କହିବିନି, “ତମେ ଯେଉଁଠି ବି ରୁହ ଖାଲି ଖୁସିରେ ରୁହ” ଏତିକି ହିଁ ଚାହିଁବି । ଦୁଃଖ ତ’ ହେବ, ହେଲେ କିଛି ଦିନ ପରେ ଆପେ ଆପେ ଦେହସୁହା ହେଇଯିବ ।
ତମ ଉତ୍ତର ଅପେକ୍ଷାରେ ରହିଲି ମାନସୀ, ମନର ତିବ୍ରତାକୁ ଯଥାଶୀଘ୍ର କମେଇବ ବୋଲି ମୋର ଆଶା ।

ଇତି
ଆଶୁତୋଷ…

ଚିଠିଟି ଲେଖି ସାରିଥିଲି । ହୃଦୟର ସ୍ପନ୍ଦନ ବହୁତ ତୀବ୍ର ହେବାରେ ଲାଗିଥାଏ, ତଥାପି ମନର ଆଶା ବ୍ୟଗ୍ର ହେଉଥାଏ, କେତେବେଳ ଚିଠିଟିକୁ ଯାଇ ଦେବି । ସାର୍ଟଟିକୁ ଖୋଲି ପିନ୍ଧିଲି, ଆଉ ମାନସୀ ହଷ୍ଟେଲ ଆଡ଼େ ପାଦ ଥାପିଲି, ମୋ ହଷ୍ଟେଲରୁ ପ୍ରାୟ ୩୦୦ ମିଟର ଦୂର ହେବ । ରାତି ୯.୩୦, ସେଠି ତାଙ୍କ ହଷ୍ଟେଲ ଗେଟ ବନ୍ଦ ହୋଇସାରିଲାଣି । ସିକୁରିଟି ହାତରେ ଚିଠିଟିକୁ ଦେଇ କହିଲି, “ଅଙ୍କଲ୍, ମାନସୀ ମହାପାତ୍ର, +୨ ସେକଣ୍ଡ ଇୟର ସାଇନ୍ସରେ ଯେଉଁ ଝିଅ ଅଛି, ତାକୁ ଦେଇଦେବେ କହିବେ ଆଶୁ ଦେଇଚି । ମୋ ନାଁ ଆଶୁତୋଷ ମହାନ୍ତି ।” ସେ ହଁ ମାରିଲେ ଆଉ ମୁଁ ସେଠୁ ପଳେଇ ଆସିଲି । ଫେରିଲାବେଳେ ବହୁତଥର ପଛକୁ ଚାହିଁଛି, କାଳେ ମାନସୀ ଆସି ଚିଠିକୁ ନେଲା କି? ସେ ଆସିଲେ, ତାକୁ ଟିକେ ଦେଖିପାରିବି ।

ଯାଉ ଯାଉ ଆମ ହଷ୍ଟେଲ ପାଖେ ପହଞ୍ଚିଗଲି, ତା’ ହଷ୍ଟେଲ ବି ଆଉ ଦେଖା ଯାଉ ନଥିଲା । ରୁମ୍‌କୁ ଗଲି ଆଉ ଶୋଇଲି । ଅମିତ ବହୁତଥର ଡାକିଛି ଖାଇବାକୁ, ହେଲେ ଇଚ୍ଛା ନାହିଁ ବୋଲି ମନା କରି, ରୁମ୍ ଲାଇଟ୍ ବନ୍ଦ କରି ଶୋଇଲି । ସେଦିନ ରାତି ସାରା ମୋତେ ନିଦ ନାହିଁ । କ’ଣ ପ୍ରତିଉତ୍ତର ପାଇବି ଏହି କଥା ଭାବି ଭାବି ମୋ ଆଖିରୁ ନିଦ ହଜିଯାଉଥିଲା । ସକାଳର ନୂତନ ସୂର୍ଯ୍ୟ ଉଦୟ ମୋ ପାଇଁ କ’ଣ ହେବ, ରାତିଯାକ ଶୋଇ ଭାବୁଥିଲି ।

ସେଦିନ ରାତି ପ୍ରାୟ ୨.୩୦ ହେବ, ହଠାତ ଗୋଟେ ଶବ୍ଦରେ ମୁଁ ଚମକି ପଡ଼ିଲି । ଝରକା ଖୋଲି ତଳକୁ ଦେଖିଲି, ମାନସୀ ଏତେ ରାତିରେ ! ଉପରୁ ଥାଇ କହିଲି, “ମାନସୀ ଟିକେ ଅପେକ୍ଷା କର ମୁଁ ଆସୁଚି ।” ମାନସୀ ହସି ଦେଲା । ହୁଏତ ସେ କିଛି କହିବାକୁ ଚାହୁଁଥିଲା । ଦୌଡ଼ି ଦୌଡ଼ି ତଳକୁ ଗଲି । ସିକୁରିଟିକୁ କହିଲି, “ଅଙ୍କଲ୍ ଟିକେ ଗେଟ୍ ଖୋଲନ୍ତୁ, ମାନସୀ ଅଛି ମୋ ସାଙ୍ଗ । ତା’ର କିଛି ଅସୁବିଧା ହେଇଚି ବୋଧେ, ଜଲଦି ଖୋଲନ୍ତୁ ମୁଁ ଯିବି ।” ଅଙ୍କଲ ଗେଟ୍ ଖୋଲିଲେ ଆଉ ମୋ ସହ ଆସିଲେ ବାହାରେ ଦେଖିଲୁ କେହି ନାହାନ୍ତି । ମୁଁ କହିଲି, “ଅଙ୍କଲ୍ ସତରେ ସେ ଏଇଠି ହିଁ ଥିଲା ଆଉ ମୋତେ ଦେଖି ହସିଲା । ମୋତେ ବିଶ୍ୱାସ କରନ୍ତୁ ଅଙ୍କଲ୍ ।” “ବାବୁ ତମକୁ ପ୍ରେମ ହେଇଚି କି ସେ ଝିଅ ପ୍ରତି?” ମୁଁ ନୀରବ ରହିଲି । “ଓଃ ! ସେଇଥିପାଇଁ ତମକୁ ସେ ଚାରି ଆଡ଼େ ଦେଖା ହଉଚି । ଯାଅ ଏବେ ଶୋଇବ ରାତି ବହୁତ ହେଲାଣି, କାଲି ସକାଳେ ତମେ ଯାଇ ଦେଖା କରିଦେବ । ଏବେ ଯାଅ ।”

ମୋର ତ’ ଅଙ୍କଲଙ୍କ ଉପରେ ବହୁତ ଜୋର୍‌ରେ ରାଗ ହଉଥିଲା । କେମିତିକା ଲୋକ ସେ, ଝିଅ ଯଦି ତାଙ୍କ ଝିଅ ହେଇଥାନ୍ତା ! ହୁଏତ ସେ ମୋ ସଙ୍ଗେ ଲୁଚକାଳି ଖେଳୁଛି, ନହେଲେ ଅଙ୍କଲଙ୍କୁ ଦେଖି ସେ ଲୁଚି ଯାଇଥିବ । କେମିତିକା ଲୋକ କେଜାଣେ, ନା ନିଜେ ଯାଉଛନ୍ତି ନା ମୋତେ ଯିବାକୁ ଦେଉଛନ୍ତି । ସେଠୁ ଚୁପ୍‌ଚାପ୍ ରୁମ୍‌କୁ ଆସିଲି, ପୁଣି ଶୋଇବାକୁ ଚେଷ୍ଟା କଲି । ଝରକା ଖୋଲି ଦେଖିଲି, କେହି ନଥାନ୍ତି, ମନେ ମନେ ଭାବିଲି ହୁଏତ ମୋ ମନର ଭ୍ରମ । ତା’ କଥା ଭାବୁଚି ତ’ ମୋତେ ଏମିତି ଲାଗୁଚି । ଟିକେ ଆଖି ଲାଗିଯାଇଛି କି ନାହିଁ, ମୋ କାନ ପାଖେ କିଏ ଜଣେ କହୁଚି, “ଆଶୁ, ଆଶୁ ।” ପୁଣି ମୁଁ ନିଦରୁ ଉଠିଲି, ଆଉ ସେଦିନ ରାତିସାରା ଶୋଇନାହିଁ ।

ସକାଳ ହେଲା ଉଠିଲି, ଗାଧୋଇଲି ଆଉ ଲେଡିଜ୍ ହଷ୍ଟେଲଆଡ଼େ ବାହାରିବାକୁ ରେଡି ହଉଚି, ପ୍ରତ୍ୟୁଷ ଆସି କହିଲା, “ଆଶୁ ମାନସୀ ମହାପାତ୍ର, ଆମ ସଙ୍ଗେ ଯିଏ ପଢୁଥିଲା ମନେ ଅଛି?” ମୁଁ କହିଲି, “ହଁ କ’ଣ ହେଲା?” “ସେ ଆଉ ନାହିଁ !” “ତୁ ପାଗଳ ନା କ’ଣ? କାଲି ସେ ରାତିରେ ମୋ ପାଖକୁ ଆସିଥିଲା । ଏମିତି କାଲି ସନ୍ଧ୍ୟାରେ ମୁଁ ତା’ ହଷ୍ଟେଲରେ ଯାଇ ଛାଡ଼ିକି ଆସିଲି । ସକାଳୁ ଭାଙ୍ଗ ଖାଇଚୁ କି? ବେକାର କଥା କେବେ କହିବୁନି, ହେଲା ।”

“ଆରେ ସାଙ୍ଗ ମୁଁ ସତ କହୁଛି ବିଶ୍ୱାସ କର ।” ତା’ କଥାକୁ ଖାତିର୍ ନକରି ଲେଡିଜ୍ ହଷ୍ଟେଲ ଆଡ଼କୁ ବାହାରିଲି । ସେଦିନ ବହୁତ ପିଲା ସେପଟେ ହିଁ ଯାଉଥାନ୍ତି । ଲେଡିଜ୍ ହଷ୍ଟେଲ ଗେଟ ଆଗରେ ବହୁତ ଭିଡ଼ । ମୁଁ ବି ସେ ଭିଡ଼ ଭିତରେ ପଶିବାକୁ ଚେଷ୍ଟା କଲି ସମସ୍ତଙ୍କୁ ଠେଲି । ପାଗଳ ହେଇଗଲି, ଗୋଡ଼ ତଳୁ ଯେମିତି ମାଟି ଖସିଗଲା, ସ୍ତମ୍ବୀଭୂତ ହୋଇଗଲି ! କାହାକୁ କ’ଣ ପଚାରିବି ଭାବି ପାରିଲିନି, ବସିପଡ଼ିଲି ମାନସୀର ଶବ ପାଖେ, ହୃଦୟ ଚିରିଗଲା ପରି ଯନ୍ତ୍ରଣା ହଉଥାଏ । ଲାଗୁଥାଏ ଜୀବନ ପରିଧିରୁ ଆଜି ସବୁ ଆଶାର ଆଲୋକ ମରିଗଲା । ଅମିତ ମୋତେ ଧରିଥାଏ । ଇଚ୍ଛା ତ ହେଉଥାଏ ନିଜେ ଆତ୍ମହତ୍ୟା କରିଦେବାକୁ ।

ହୃଦୟର ଯନ୍ତ୍ରଣା କାହାକୁ ଶୁଭିବ । ସେଠାରେ ସବୁ ଲୋକ କଥା ହେଉଥାନ୍ତି ସେ କାଳେ କାଲି ଦିନ ୪ଟାରୁ ଚାଲିଗଲାଣି । ହେଲେ ମୁଁ ବିଶ୍ୱାସ କରିପାରୁ ନଥାଏ କେମିତି? ମୁଁ ପରା ସନ୍ଧ୍ୟାରେ ତା’ ସହ କଥା ହେଇଚି, ଏମିତି କେମିତି ହେବ । ଲିପାକୁ ଯାଇ ପଚାରିଲି, “ଲିପା ପ୍ଲିଜ୍ କହ କ’ଣ ହେଇଚି ।” “ହଁ ଆଶୁ, ମାନସୀ କାଲି ଗୋଟେ ଚିଠି ଲେଖି ମୋତେ ଦେଲା ତମକୁ ଦେବା ପାଇଁ ଆଉ ଗାଡ଼ି ଧରି ବାହାରିଗଲା । କହିଲା ମୁଁ ଟିକେ ବାହାରୁ ଆସେ । ଦିନ ୩ଟାରେ ଗଲା, ରାତି ଯାକ ସେ ରୁମ୍‌କୁ ଫେରିଲାନି । ରାତି ୨ଟାରେ ଖବର ଆଶି ପହଞ୍ଚିଲା କି ଗାଡ଼ି ଧକ୍କାରେରେ ତା’ର ମୃତ୍ୟୁ ହେଇଯାଇଚି….”

ଦିନ, ମାସ, ତାରିଖ କହିଦେଲେ ଯଦି ମୋ ମାନସୀ ଫେରି ଆସିବ ତେବେ କହୁଚି, ୧୨ ଏପ୍ରିଲ ୨୦୧୪ ମସିହା । ସେଦିନ ମୋ ଜୀବନର ସବୁ କିଛି ମୁଁ ହାରାଇ ବସିଥିଲି । ଲିପା ଆଣି ମାନସୀର ଚିଠିକୁ ଦେଲା । ମୁଁ ହାତରେ ଜାବୁଡ଼ି ଧରିଲି । ମାନସୀ ହାତକୁ ଧରି ଜୀବନର ଚରମ ତୃପ୍ତି ମୁଁ ଅନୁଭବ କଲି ପ୍ରଥମ ଥର । ଶବଟିକୁ ଆସି ତା’ ଘର ଲୋକ ଘରକୁ ନେଇଗଲେ । ମୋତେ ଲାଗୁଥିଲା ଯେମିତି ମୋର ବହୁତ୍ ବଡ଼ ଧନ ରତ୍ନ ମୋ ପାଖରୁ ଛାଡ଼ାଇ ନେଉଛନ୍ତି । ମୁଁ ଆଉ ଅମିତ ତାଙ୍କ ଗାଡ଼ି ପଛେ ପଛେ ଗାଁକୁ ଗଲୁ । ଅମିତ ବାଟସାରା ବୁଝଉଥାଏ, ଭାଗବାନଙ୍କ ଉପରେ ଭରସା ରଖ, ସବୁ ଠିକ୍ ହେଇଯିବ । କଉ ଭଗବାନ ଯେ ମୋ ଭଲ ପାଇବାକୁ ମୋ ପାଖରୁ ଛଡ଼ାଇ ନେଇଗଲେ । ମୋତେ କିଛି ଦରକାର ନାହିଁ, ମୋତେ ମୋ ମାନସୀ ଦରକାର ।

ମଶାଣି ଭୂଇଁରେ ମାନସୀ ଜଳି ପାଉଁଶ ହୋଇଗଲା ମୋ ଆଖି ସାମ୍ନାରେ । ହେଲେ ମୁଁ ତା’କୁ ଆୟତ କରିପାରିଲିନି । ପାଉଁଶ ମୁଠାଏ ଧରି ଘରକୁ ନ ଯାଇ ରୁମ୍‌କୁ ଆସିଲି । ସନ୍ଧ୍ୟା ୬ଟା ପାଖାପାଖି ହେବ । ପକେଟରେ ରଖିଥିବା ଚିଠିକୁ ଖୋଲିଲି ।

ଆଶୁ,
ମୁଁ ତମକୁ ମୋ ମନର କଥା କେବେ କହିବାକୁ ଚେଷ୍ଟା କରିନି । ସେଦିନ ତମ ଉତ୍ତର ନାଁ ବୋଲି କ‌ହିସାରିଲା ପରେ ମୁଁ ତମକୁ ବହୁତ୍ ମିସ୍ କଲି । ଘରେ ହଠାତ ମୋ ବାହାଘର ଆଉ ଜଣଙ୍କ ସହ ଠିକ୍ କରିଦେଲେ, ମୁଁ କେବେ ବି ଚାହୁଁନଥିଲି । କେବଳ ବାପାଙ୍କ ମୁହଁକୁ ଅନେଇ ହଁ ମାରିଦେଇଥିଲି ଆଉ ୨ବର୍ଷ ତମ ପାଇଁ ସମୟ ମାଗି ନେଇଥିଲି । ତମକୁ ମୋ ମନ କଥା କହିବି ବୋଲି, ହେଲେ ଆଶୁ ତମେ ଆଉ ତା’ପରେ କେବେ ତମ ମନ କଥା ଖୋଲି କହିଲନି । ଭାବିଲି ତମ ଭଲ ପାଇବା ଥିଲା ପିଲାଳିଆମି । ତମେ ତମ ପିଲାଳିଆମି କରି ମୋ ପାଖରୁ କ୍ଷମା ମାଗିନେଲ । ମୁଁ ମୋ ମନର କଥା ନ କହି ଚୁପ୍ ରହିଲି, ହେଲେ ଆଜି ତମକୁ ସତ କଥା କହି ବିଦାୟ ନଉଚି । ମୋ ବାହାଘର ମଇ ୧୫ରେ । ତମ ସହ ଯେତେ ଦିନ ବି ବିତିଛି ଆଶୁ ବହୁତ ଭଲରେ, ଖୁସିରେ କଟିଛି । ତମେ ଭଲରେ ରୁହ । ଏଇ ଜନ୍ମରେ ନହେଲେ ନାହିଁ, ହୁଏତ ଆର ଜନ୍ମରେ ହେବ ମିଳନ ।

ଚିଠିଟିକୁ ପଢ଼ିସାରିବା ପରେ ମୁଁ କତେ ବଡ଼ ଦୋଷୀ ବୋଲି ନିଜକୁ ଭାବୁଥିଲି । ମାନସୀ ତମ ଚିଠି ପଢ଼ିବା ପାଇଁ ମୁଁ ଅଛି, ତମେ ତମ ମନର କଥା କହିଦେଲ ଆଉ ମୁଁ ଶୁଣିଲି । ହେଲେ ମାନସୀ ମୋ ହାତ ଲେଖା ଚିଠି ପଢ଼ିବାକୁ, ମୋ ମନର କଥା ଶୁଣିବାକୁ ତମେ ଆଉ ଦୁନିଆରେ ନାହଁ । କେମିତି ବଞ୍ଚିବି ମୁଁ, କେମିତି ବଞ୍ଚିବାରେ ଏକୁଟିଆ କରିଦେଇ ଗଲ ମୋତେ???

ସେଦିନର ସେଇ ଆମ୍ବଗଛ ମୂଳେ ଯିଏ ଥିଲା, ସେ ତମ ଆତ୍ମା ମାନସୀ । ମୁଁ ସେଦିନ ଝରକା ତଳୁ ଯାହାକୁ ଦେଖିଥିଲି ସେ ବି ତମେ ଥିଲ, ମୋ ମନ ର ଭ୍ରମ ନଥିଲା । ସେଦିନ ହୁଏତ ତମେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲ ଆଉ ସେଥିଲାଗି ତମେ ମୋ ପାଖକୁ ଧାଇଁ ଆସୁଥିଲ । ମୁଁ କେଡ଼େ ବଡ଼ ମୁର୍ଖଟା, ତମର ଉପସ୍ଥିତି ଅନୁଭବ କରିପାରୁଥିଲି, ହେଲେ ତମେ ଅସୁବିଧାରେ ପଡ଼ିଚ ବୋଲି ଜାଣିପାରିଥିଲି । ମୁଁ ତମକୁ ବଞ୍ଚେଇ ପାରିଲିନି ମାନସୀ…

ସେଦିନଠୁ ମାନସୀ ସବୁବେଳେ ମୋ ପାଖକୁ ଆଶେ, ମୋ ସହ ଗପେ, ମନ ଖୋଲି କଥା ହୁଏ, ଆଉ ସେ ହସେ, ମୁଁ ବି ତା’ ସହ ହସେ । ହେଲେ ଲୋକମାନେ କେହି ଦେଖି ପାରନ୍ତିନି, ଆଉ ମୋ ହସ ଲୁହ ଦେଖି ପାଗଳ ବୋଲି କହନ୍ତି । କିନ୍ତୁ ମୋତେ ବିଶ୍ୱାସ କର, ମୁଁ ପାଗଳ ନୁହଁ, ମୋ ମାନସୀ ସବୁବେଳେ ମୋ ପାଖେ ଅଛି, ମୋ ସହ ସପିଂ କରୁଛି, ରେଷ୍ଟୁରାଣ୍ଟ ଯାଉଚି… ମୁଁ ସତ କହୁଛି… କେହି ବିଶ୍ୱାସ କରୁ ନାହଁ କ’ଣ ପାଇଁ….

ଆଉ କେତେ ସଂଘର୍ଷ କରିବି ଦୁନିଆ ସହ, ତମ ଉପସ୍ଥିତିକୁ ନେଇ । ଶେଷରେ ଦୁନିଆ ମୋତେ ପାଗଳ ସଜେଇ ସାରିଲା ପରେ ମୁଁ କେବେ ମାନସୀକୁ ଛାଡ଼ି ନାହିଁ ନା ମାନସୀ ମୋତେ କେବେ ଛାଡ଼ିଛି । ଆଜି ବି ଆମେ ଦୁହେଁ ମଶାଣିର ନିଆଁକୁ ହୋମ କୁଣ୍ଡ କହି ସାତ ଘେରା ନଉ, ଦର ପୋଡ଼ା କାଠକୁ ଜଳାଇ, ପାଉଁଶ ଶେଜ ସଜେଇ ଆମେ ଚଉଠିରାତି କରୁ…. ପଲ ଦଉଡ଼ିରେ ହାତ ଗଣ୍ଠି ପକେଇ ଥାଉ…..

ଡ. ମୃଣ୍ମୟୀ ଚାନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ମୃଣ୍ମୟୀ ଚାନ୍ଦ ପେଶାରେ ଜଣେ ଡାକ୍ତର, କିନ୍ତୁ ଛୋଟବେଳୁ ନିଶା ତାଙ୍କର କବିତା ଲେଖିବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।