You are currently viewing ଦାନବ
ଦାନବ

ଦାନବ

ଝିପିଝିପି ବର୍ଷାରାତି । ଜହ୍ନ ଓ ମେଘର ଲୁଚକାଳିରେ ପୃଥିବୀର ଛାତିରେ କେବେ ଆଲୁଅ କେବେ ଛାଇର ପଟ୍ଟାପଟ୍ଟା ଚିହ୍ନ । ପୁରା, ଫିଲ୍ମହଲ୍‌ର ସ୍କ୍ରିନ୍ ଉପରେ ଯେମିତି କଳା-ଧଳା ଚଳଚ୍ଚିତ୍ର ।

ମନସ୍ଵିନୀ ଚାହିଁଛି ଝରକା ସେପାଖର ପୃଥିବୀକୁ । ଏକଦମ ଏକୁଟିଆ ସେ କୋଠରୀ ଭିତରେ । ଗଛମାନେ ଛିଡ଼ା ହୋଇଛନ୍ତି ଅନ୍ଧାରରେ ଦାନବ ପରି । କେବେକେବେ ସନ୍‌ସନ୍ ପବନରେ ଝରକାର ଧଳାପରଦା ଚିରି ଭାସିଆସୁଛି ଗହଳ ପତ୍ରମାନଙ୍କର ଖିସିମିସି ଶବ୍ଦ । ଯେମିତି ଦାନବଗୁଡ଼ିକ ଖିଖି ହୋଇ ହସୁଛନ୍ତି । କହୁଛନ୍ତି, “ଥରେ ଘରୁ ବାହାରି ଆ’, ତତେ ବିଦାରି ଦେବୁ” । ମନସ୍ଵିନୀର ମନରେ ଅଜଣା ଭୟ । ତା’ ଲୋମକୋପ ଟାଙ୍କୁରି ଉଠୁଛି । ହଠାତ୍ ଲାଇନ୍ ଚାଲିଗଲା । ତା ରୁମ୍‌ରେ ବହଳ-ବହଳ ଅନ୍ଧାର । ମାନସ୍ଵିନୀ ଆହୁରି ଡରିଗଲା । ଦି’ପାଦ ପଛକୁ ଯାଇ ଲଣ୍ଠନଟା ଚେଇଁଦେବାକୁ ତା’ର ଆଦୌ ସାହସ ନାହିଁ । ତାକୁ ଯେମିତି ଘରକୋଣ ଅନ୍ଧାରରେ କେହିଜଣେ ଲୁଚିଦେଖୁଛି । ସେ ଲଣ୍ଠନଟା ଚେଇଁଦେବାକୁ ଗଲେ, ଯେମିତି କେହିଜଣେ ତା’ ସାମ୍ନାରେ ଆସି ଛିଡ଼ା ହୋଇଯିବ । ଯେମିତି କାହାର ଗୋଟେ ଲୋମଶ ହାତ ତା’ ହାତକୁ ଜାବୁଡ଼ି ଧରିବ ଅନ୍ଧାରରେ । ସେ ଆଦୌ ଗଲାନି ଲଣ୍ଠନ ପାଖକୁ । ସେ ସେଇଠି ସେମିତି ସ୍ଥାଣୁହୋଇ ଛିଡ଼ାହୋଇ ରହିଲା । ମନରେ ଭୟ ଜମାଟ ବାନ୍ଧିବା ସତ୍ତ୍ଵେ ବି ସେ ଅନେଇରହିଲା ସେ ଦାନବମୟ ପୃଥିବୀକୁ ।

ଆଜି ଅମୂଲ୍ୟ ଆସିବେନି ବୋଲି କହିଥିଲେ । ପାର୍ଟି ସାରି ତାଙ୍କ ସାଙ୍ଗଘରେ ରହିଯିବେ । ତାଙ୍କ ସାଙ୍ଗ ଅଙ୍କିତ୍, ଅଫିସ୍ ଷ୍ଟାଫ୍ । ହେଲେ, ମନସ୍ଵିନୀ କେବେ ଅମୂଲ୍ୟଙ୍କୁ କହିନି ଯେ ଅଙ୍କିତ୍ ତା’ କଲେଜ ବେଳର ପ୍ରେମିକ ବୋଲି । ସବୁବେଳେ ଡରିଛି କହିବାକୁ । କାଳେ କିଛି ହୋଇଯିବ, କିଏ ଜାଣେ । ଯଦି କିଛି ଝଡ଼ ଉଡେଇନେବ ସମସ୍ତ ଦାମ୍ପତ୍ୟର ସୁଖ ଶରତକୁ । ଅଙ୍କିତ୍ ଆସେ ମଝିରେ ମଝିରେ ଅମୂଲ୍ୟ ସହିତ ଘରକୁ । କେବେ ଜଳଖିଆ ତ’ କେବେ ରାତ୍ରିଭୋଜନ କରି ଯାଏ । ଅମୂଲ୍ୟ ଆଗରେ ସେ ମନସ୍ଵିନୀକୁ ଭାଉଜ ବୋଲି ଡାକେ । ହେଲେ, ଅମୂଲ୍ୟ ଆଡ଼ ହେଲେ ସେ ମାନସ୍ଵିନୀକୁ କଣେଇ କଣେଇ ଚାହେଁ । ସୁଯୋଗ ପାଇଲେ ‘ତମେ’ ବୋଲି ମଧ୍ୟ ଡାକେ ।

ପ୍ରଥମେ ପ୍ରଥମେ ମନସ୍ଵିନୀ ହଜମ କରିପାରୁନଥିଲା ଅଙ୍କିତ୍‌ର ଏଭଳି ବ୍ୟବହାରକୁ । ହେଲେ ଯେବେ ମନେପକାଇଲା କଲେଜ ବେଳର ପ୍ରେମିଳ ଅତୀତର କଥା, ତା’ ମନ ଦୋହଲିଗଲା । ସେ ରହୁଥିଲା ଅନ୍ୟମନଷ୍କ । ତାକୁ ଲାଗୁଥିଲା କ’ଣ ସେଇ ଦିନସବୁ ଫେରିଆସନ୍ତାନି । ଏ ଦାମ୍ପତ୍ୟ ଜୀବନଠାରୁ ଅଙ୍କିତ୍ ସହ ବିତିଥିବା ଅତୀତର ମିଠାମିଠା ଦିନଗୁଡିକ ଢେର୍ ସୁନ୍ଦର ।

ଏଥର ଅଙ୍କିତ୍ ଯେବେ ଘରକୁ ଆସୁଥିଲା ମନସ୍ଵିନୀ ତାକୁ ଦେଖି ମୁରୁକି ମୁରୁକି ହସୁଥିଲା । ଚାହା ଦେଉଦେଉ ତା’ ହାତକୁ ଅଙ୍କିତ ଛୁଇଁଦେଲେ ସେ ଶିହରି ଯାଉଥିଲା । ଏକ ନିଷିଦ୍ଧ ରାସ୍ତାରେ ପାଦ ଦେଇ ସେ ଭୁଲିଯାଉଥିଲା ଅମୂଲ୍ୟଙ୍କୁ । ଅମୂଲ୍ୟଙ୍କୁ ସନ୍ଦେହର ଅବସର ବି ମିଳୁନଥିଲା । ତେଣୁ ଏପରି ନିଷିଦ୍ଧତାରେ ଭାସିଯିବା ତା’ ପାଇଁ ଥିଲା ସହଜ ।

ଶୀତୁଆ ପବନ ଦଲକାଏ ପଶି ଆସିଲା ଝରକା ଦେଇ । ମନସ୍ଵିନୀ ଦେହର ଯେତେ ମୁକୁଳା ଅଂଶ, ତନୁ ନାଭି ବକ୍ଷରେ ବାଜି ତା’କୁ ଚେତେଇଦେଲା । ପବନର ପ୍ରେମରେ ହଜିଯାଇ ତା’ ଦେହକୁ ଭୁଲିଯାଇଥିବା ଶାଢ଼ୀକାନିକୁ ସଜାଡ଼ି ସେ ପୁଣି ଚାହିଁଲା ଝରକା ବାହାରର ପୃଥିବୀକୁ । ସେଇ ଆଲୁଅ ଅନ୍ଧାରର ଛକାପଞ୍ଝା ଖେଳ । ସେଇ ତୁହାତୁହା ପବନ । ହେଲେ ତାକୁ କେମିତି ଲାଗୁଥିଲା ଗଛମାନେ ସବୁ ନୀରବ ହୋଇ ଛିଡ଼ା ହୋଇଛନ୍ତି । ଯେମିତି ସୈନ୍ୟମାନେ ନୀରବ ହୋଇଯାନ୍ତି ସମ୍ରାଟ ଆସିଲେ । ତାହେଲେ କିଏ ସେ ସମ୍ରାଟ । କିଏ ସେ । ଯିଏ ବି ହୋଇଥିବ ଭାରି ଭୟଙ୍କର ହୋଇଥିବ । ଶିହରିଗଲା ମନସ୍ଵିନୀ । ଧୀରେ ଧୀରେ ତା’ ହୃତ୍‌ସ୍ପନ୍ଦନ ବଢ଼ୁଥିଲା । ପାଦର ରକ୍ତ ଧୀରେଧୀରେ ଶୀତଳ ହୋଇଯାଉଥିଲା । ରକ୍ତର ବେଗ ବଢ଼ୁଥିଲା । ନିଶ୍ଵାସ ଜମାଟ ବାନ୍ଧୁଥିଲା ଛାତିରେ ।

ଆଉ ଦଲକାଏ ପବନ ବହିଗଲା । ଝରକାର ଧଳାପରଦା ଉଡ଼ୁଥାଏ । ଜହ୍ନ ଆଲୁଅରେ ବେଶ୍ ଧଳା ଦିଶୁଥାଏ ସେ ପରଦା । ତାକୁ ଲାଗିଲା ଧଳା ପରଦାରେ କାହା ମୁହଁ ଯେମିତି ଗୁଡ଼େଇ ଯାଉଛି । ସେ ଡରିଗଲା । ଧଳାପରଦାରେ ତିଆରି ହୋଇଥିବା ମୁହଁର ଆକୃତି ଉଡ଼ୁଥିଲା । ଫର୍ ଫର୍ ଫର୍ । ଟିକେ ଜୋର୍ ପବନ ହେଲେ, ଧଳା ପରଦା ମନସ୍ଵିନୀର ମୁହଁ ପାଖକୁ ଉଡ଼ିଆସୁଛି । ଲାଗୁଛି ଯେମିତି ସେ ପରଦାରୁ ଲୋକଟା ଛିଡ଼ାହୋଇଯିବ ଠିକ୍ ତାଙ୍କ ମୁହଁ ସାମ୍ନାରେ । ପୁଣି କଳାମେଘର ଛାଇ । ପୃଥିବୀଟା ଅନ୍ଧାର । କିଛି ସମୟ ପରେ ଉଭେଇଗଲା ଅନ୍ଧାର । ଜହ୍ନ ଆଲୁଅ ଧସେଇ ପଶିଲା ଝରକାଦେଇ ପରଦାକୁ ଚିରି ।

ଚମକି ପଡ଼ିଲା ମନସ୍ଵିନୀ । ତା’ ଆଗରେ ଛିଡ଼ା ହୋଇଥିଲେ ଅମୂଲ୍ୟ । ଶାନ୍ତ କାନ୍ତ ଅମୂଲ୍ୟ । ମନସ୍ଵିନୀ ଛାତିରେ ଛେପ ପକେଇ ଦେଲା ।

“ତମେ ମୋତେ ଡରେଇ ଦେଲ । ତମେ ପା ଆଜି କହିଥିଲ ଆସିବନି ବୋଲି । ଯଦି ବି ଆସିଲ, ମୋତେ ଫୋନ୍ କରିଦେଇଥିଲେ ମୁଁ ଗେଟ୍ ଖୋଲିଦେଇନଥାନ୍ତି । ଏମିତି ଝରକା ଡେଇଁ ପଶୁଛ କାହିଁକି । ମୁଁ ଡରିଗଲି ତୁମ ପାଇଁ । ଆଚ୍ଛା ଏମିତି ପାଇପ୍ ଦେଇ ଉପରକୁ ଚଢ଼ିବା କେବେଠାରୁ ଶିଖିଲ ।”

ଅମୂଲ୍ୟ ଠୋ ଠୋ ହସିଲେ । ତାଙ୍କ ସହ ଗଛମାନେ ବି ହସିଲେ ପବନରେ ପତ୍ର ଦୋହଲେଇ ।

“ଆଜି ଆସିବିନି ବୋଲି ସିନା କହିଥିଲି । ହେଲେ କେବେବି ନଆସିବା ପୂର୍ବରୁ, ଥରେ କ’ଣ ତୁମକୁ ଦେଖିପାରିବିନି !”
“କ’ଣ ଏମିତି ଫାଲ୍‌ତୁ କଥା କହୁଛ । ତମେ କୁଆଡ଼େ ଯିବ ଯେ । ଆଉ କିଏ ମିଳିଗଲାଣି ନା କ’ଣ ।”
“ମୋତେ ଯଦି କିଏ ମିଳିଯାଇଥାଏ, ତା’ହେଲେ ତମେ କ’ଣ ମୋତେ ଯିବାକୁ ଦେବ?”

ସତରେ ଯଦି ଅଙ୍କିତ୍‌ ମିଳିଯାଏ ତାକୁ ତା’ହେଲେ କାହିଁକି ସେ ଯିବାକୁ ଦେବନି । ହେଲେ, ଅଭାବ କ’ଣ ଅଛି ତା’ର । ଅଭାବ କ’ଣ ଜାଣିବା ପୂର୍ବରୁ, ତାହା ପୂରଣ କରିଛନ୍ତି ଅମୂଲ୍ୟ । ଧନ ସମ୍ମାନ ସବୁକିଛି ପାଇଛି ସେ । ପ୍ରେମ, ସବୁଠାରୁ ଯାହା ଅଧିକ ଆବଶ୍ୟକ, ତାହା ବି ପାଇଛି ସେ । ତାହେଲେ କାହିଁକି ସେ ଯିବାକୁ ଦେବ । ମନସ୍ଵିନୀର ମନରେ ଭାବନାର ଅଡ଼ୁଆ ସୂତା । ସେ ଏକଦମ୍ ନୀରବ । ନୀରବତାର ଚକ୍ରବ୍ୟୁହ ଭେଦ କରି ଅମୂଲ୍ୟ ପୁଣି କହିଚାଲିଲେ ।

“ଭାବିଛ କି ମୁଁ କିଛି ଜାଣିନି । ତମ ମନତଳର ଅବ୍ୟକ୍ତ ଆଶା, ତମେ ବ୍ୟକ୍ତ ନକଲେ ବି ମୁଁ ଜାଣିଛି । ଅଙ୍କିତ୍ ଯଦି ତମପାଇଁ ଯୋଗ୍ୟ, ତାହେଲେ ମୁଁ ଆଦୌ କଣ୍ଟା ହେବିନି ।”
ଚମକି ପଡ଼ିଲା ମନସ୍ଵିନୀ ଅଙ୍କିତର ନାଁ ଶୁଣି । କେମିତି ଜାଣିଲେ ଅମୂଲ୍ୟ ।

“ଭାବୁଛ କେମିତି ଜାଣିଲି । ମୋ ମନଟା ଯେ ତୁମ ପାଖରେ । ତୁମ ଖବର ସବୁ ମୋ ପାଖରେ । ତମେ ସିନା ଦେଇପାରିଲନି ମନ । ହେଲେ ମୁଁ ତ’ ମୋ ମନ ତୁମ ନାଁରେ କରିଦେଇଛି ବହୁତ ଆଗରୁ ।”

କିଛି ସମୟ ଚୁପ୍ ରହିଲେ ଅମୂଲ୍ୟ । ତାଙ୍କ ମନରେ ଉଦାସର ଛାୟା । ଦାନବ ଭଳି ଦିଶୁଥିବା ଗଛମାନେ ଏଥର ଚୁପ୍‌ଚାପ୍ । ମନସ୍ଵିନୀ ଜାଣି ପାରୁନଥାଏ କ’ଣ କହିବ । ଅମୂଲ୍ୟ ଜାଣିପାରୁନଥାନ୍ତି କ’ଣ କହି ବିଦାୟ ମାଗିବେ । ନିଜ ନୀରବତା ଭାଙ୍ଗିଲେ ଅମୂଲ୍ୟ ।

“ଆଉ ଆସିବିନି ଏମିତି ଝରକା ଡେଇଁ । ଆଉ କେବେବି ଡରେଇବିନି ତୁମକୁ । ଯାଉଛି ମାନୁ ।”

ମନସ୍ଵିନୀ କ’ଣ କହିବ କିପରି ରୋକିବ ଜାଣିପାରୁନଥାଏ । ତା’ ପାଟିରୁ କଥା ବାହାରୁନଥାଏ । ସେ ନିସ୍ତେଜ ହୋଇଯାଉଥାଏ । ଅମୂଲ୍ୟ ପଛକୁ ପଛକୁ ଘୁଞ୍ଚିଘୁଞ୍ଚି ଯାଉଥାନ୍ତି । ଝରକା ନିକଟକୁ । ଆହୁରି ନିକଟକୁ । ଝରକାର ବନ୍ଧ ଉପରକୁ ଚଢ଼ିଲେ ଅମୂଲ୍ୟ । ମନସ୍ଵିନୀ ସେମିତି ସେଇଠି ଶକ୍ତିହୀନା ପରି ଛିଡ଼ା ହୋଇଥାଏ । ଯେମିତି ବି ହେଉ ଶକ୍ତି ସଞ୍ଚୟ କଲା ମନସ୍ଵିନୀ । ଭାବିଲା ରୋକିବ ଅମୂଲ୍ୟଙ୍କୁ । ତାଙ୍କ ଗୋଡ଼ତଳେ ପଡ଼ି କ୍ଷମା ମାଗିବ । ସେ କ୍ଷଣିକ ପାଇଁ ଭୁଲିଯାଇଥିଲା ତାଙ୍କୁ । ସେ ବୁଝିପାରିନଥିଲା ତାଙ୍କ ପ୍ରେମକୁ । ସେ ନିଶ୍ଚୟ କ୍ଷମା ଦେବେ । କ୍ଷମାର ଆଶା ରଖି କିଛି କହିବାବେଳକୁ ଧଡ୍ କିନା ଶବ୍ଦହେଲା ଝରକା ସେପଟୁ । ସେ ଦଉଡ଼ିଗଲା ଝରକାପାଖକୁ । ଝରକା ସେପାଖ ତଳକୁ ଚାହିଁଲା । ଅମୂଲ୍ୟ ଆତ୍ମହତ୍ୟା କରିସାରିଥିଲେ । ତାଙ୍କ ମୁଣ୍ଡପାଟିରୁ ରକ୍ତ ବାହାରୁଥିଲା । ବାମ ଗୋଡ଼ ଆର ପାଖକୁ ଭାଙ୍ଗିଯାଇଥିଲା । ଆଖିଡୋଳା ବାହାରି ପଡ଼ିଥିଲା । ତାଙ୍କ ମୁଁହ ବିଦୀର୍ଣ୍ଣ ଦିଶୁଥିଲା । ପାରିପାର୍ଶ୍ଵିକ ଅବସ୍ଥା ଥିଲା ୟା’ଠାରୁ ଅଧିକ ଭୟାବହ । ଦାନବ ପରି ଗଛମାନେ ଯେମିତି ସମ୍ରାଟକୁ ହରେଇବା କ୍ଷୋଭରେ ମନସ୍ଵିନୀକୁ ବିଦାରିଦେବାକୁ ଦୌଡ଼ିଆସୁଥିଲେ ।

ଧଡ୍ କିନା ନିଦ ଭାଙ୍ଗିଗଲା ମନସ୍ଵିନୀର । ସେ ବିଛଣା ଉପରେ ଉଠିବସିଲା । ତା’ ଦେହ ଗୋଟାପଣେ ଝାଳ ସଡ଼ସଡ଼ । ଆଖିରେ ଆଖିଏ ଭୟର ସୁନାମୀ । କ’ଣ ହେଲା, କ’ଣ ହେଲା କହି ଉଠିବସିଲେ ଅମୂଲ୍ୟ । କ’ଣ କିଛି ଖରାପ ସ୍ଵପ୍ନ ଦେଖିଲ କି? ତାକୁ ଛାତିରେ ଜାବୁଡ଼ି ଧରିଲେ ସେ । “ତମେ ବି ମାନୁ ଛୋଟ ପିଲାଙ୍କ ପରି ଦୁଃସ୍ଵପ୍ନ ଦେଖୁଛ । ତୁମ ପାଖରେ ପରା ମୁଁ ଅଛି । ଡରୁଛ କ’ଣ ।”

ଏତିକି କହି ମନସ୍ଵିନୀର ମୁଁହକୁ ତୋଳିଧରିଲେ ଅମୂଲ୍ୟ । ଛୋଟଛୁଆଙ୍କ ପରି ନିରୀହ ଭୟମିଶା ଚାହାଣୀରେ ଚାହିଁଥିଲା ସେ ତାଙ୍କୁ । ତା ଓଠରେ ଚୁମାଟିଏ ଆଙ୍କିଦେଇ ନିଜ ଛାତିରେ ମଥା ଥୋଇ ଶୁଆଇ ଦେଲେ ସେ, ଏକ ଦେବତୁଲ୍ୟ ପ୍ରେମିକଟିଏ ପରି ।

ତା’ ପରଦିନ ଡେରିରେ ନିଦ ଭାଙ୍ଗିଲା ମନସ୍ଵିନୀର । ଘଡ଼ିରେ ନଅଟା ବାଜିବାକୁ କିଛି ସମୟ ବାକି ଥିଲା । ଅମୂଲ୍ୟ ରୋଷେଇ ଘରେ ଚାହା କରୁଥିଲେ । ଚାହାର ବାଷ୍ପ ପରି ମିଳେଇଯାଉଥିଲା ଗତରାତିର ଦୁଃସ୍ଵପ୍ନ । ସେ ଅଙ୍କିତ୍‌ର ନମ୍ବର ଡିଲିଟ୍ କଲା ମୋବାଇଲ୍‌ରୁ । ତାକୁ ଲାଗୁଥିଲା ଅଙ୍କିତ୍ ହିଁ ଥିଲା ଗଲାରାତିର ଦାନବ । ତା’ ଦାମ୍ପତ୍ୟ ଜୀବନକୁ ବିଦାରି ଦେବାକୁ ଆସିଥିଲା । ମନସ୍ଵିନୀ ମୁରୁକି ହସିଲା । ଯେମିତି କାକରକୁ ଫୁଙ୍କି ସୂର୍ଯ୍ୟ ଉଭାହୁଏ ପୂରବୀରେ, ସେମିତି ଅଙ୍କିତ୍ ଭଳି ଏକ ଦୁଃସ୍ଵପ୍ନକୁ ଫୁଙ୍କି ଏଇ ଦିନଟି ଖାସ ତା ପାଇଁ ଆସିଛି ।

“କ’ଣ ଗାଁ ପାଖକୁ ବଦଳି କରେଇପାରିବନି??” ମନସ୍ଵିନୀ ପଚାରିଲା ।
“ଦେଖିବା, ମୁଁ ବି ସେଇଆ ଭାବୁଥିଲି । ମାସେ ଦି’ମାସ ସମୟ ଲାଗିବ ।”

ମନସ୍ଵିନୀ ହାତରେ ଚା କପେ ଧରି ହସିଦେଇ ଚାଲିଗଲା । ତା’ ହସରେ ଥିଲା ପୁନଃଗଠିତ ବିଶ୍ଵାସ, ପ୍ରେମ, ଯାହା ସେ ସମସ୍ତଙ୍କ ଅଜାଣତରେ ନିଜ ଭିତରେ ରୋପଣ କରିସାରିଥିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଜୟ ଅନ୍ଦାଜ୍ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ସେ ମୁଖ୍ୟତଃ ପ୍ରେମ ଭିତ୍ତିକ କବିତା ରଚନା କରିଥାନ୍ତି ।