You are currently viewing ସେଇ ସ୍ୱରକୁ ଅପେକ୍ଷା
ସେଇ ସ୍ୱରକୁ ଅପେକ୍ଷା

ସେଇ ସ୍ୱରକୁ ଅପେକ୍ଷା

ସମୟ ରାତି ଏଗାରଟା ବାଜିବାକୁ ଆଉ କେଇ ମୁହୂର୍ତ୍ତ ବାକି ଅଛି । ପ୍ରବଳ ବର୍ଷା ସାଙ୍ଗକୁ ପବନ ବି ହେଉଛି । ମୋହନ ଘରୁ ବାହାରିଲା । ବର୍ଷାରେ ଓଦା ହୋଇ ସେ ଚାଲିଲା ଗ୍ୟାରେଜ ଆଡ଼େ । ନୂଆ କରି ପିନ୍ଧିଥିବା ଧଳା ପେଣ୍ଟଟି ଓଦା ହେଇ ଯାଉଥିଲା । ସେ ଗ୍ୟାରେଜରୁ ଗାଡ଼ି ଷ୍ଟାର୍ଟ କଲା । ବର୍ଷା ଓ ପବନ ପାଇଁ ସାରା ସହର ବେହାଲ । ରାସ୍ତାରେ ପାଣି, କିଛି ଗଛର ଡାଳ ପତ୍ର ଭାଙ୍ଗିକି ଏଣେତେଣେ ପଡ଼ିଥାଏ । ମୋହନ ଗାଡ଼ିରେ ଥିବା ଘଣ୍ଟାକୁ ଦେଖିଲା ସମୟ ଏଗାରଟା ନଅ । ସେ ଗାଡ଼ିରେ ଥିବା ରେଡ଼ିଓକୁ ଲଗାଇଲା । ବର୍ଷା ଓ ପବନରେ ରେଡ଼ିଓରେ ସଁ ସଁ ଶବ୍ଦ ବେଶି ଶୁଭୁଥିଲା । ମୋହନ କାରର ଝରକା ଖୋଲି ଡାହାଣ ହାତରେ ରେଡିଓ ଆଣ୍ଟିନାକୁ ସଜାଡ଼ିବାରେ ଲାଗିଲା । ଏମିତି କରିବାରେ ତା’ର ଡାହାଣ ହାତ ଓ ମୁହଁର କିଛି ଅଂଶ ବର୍ଷା ପାଣିରେ ଓଦା ହେଇ ଯାଉଥିଲା । କିଛି ସମୟ ଆଣ୍ଟିନା ସଜାଡ଼ିବା ପରେ ରେଡ଼ିଓର ସ୍ୱର ସ୍ପଷ୍ଟ ଭାବେ ଶୁଣାଗଲା । ମୋହନ ଗୋଟେ ହାତରେ ଗାଡ଼ିର ଷ୍ଟିଅରିଂ ଓ ଅନ୍ୟ ହାତରେ ରେଡ଼ିଓର ଚ୍ୟାନେଲ ବଦଳେଇବାରେ ଲାଗିଲା । ବୋଧୁଏ ସେ ଗୋଟେ ନିଦ୍ଧିଷ୍ଟ ଚ୍ୟାନେଲ ଖୋଜୁଥିଲା । ଶେଷରେ ତାକୁ ଖୋଜୁଥିବା ଚ୍ୟାନେଲ ମିଳିଗଲା । ସବୁରାତିରେ ସେ ଏହି ଚ୍ୟାନେଲର ଏହି କାର୍ଯ୍ୟକ୍ରମଟି ଶୁଣେ । ରେଡ଼ିଓରୁ ଶୁଭୁଥିଲା ଏକ ସୁନ୍ଦର ସ୍ୱର ।

“ନମସ୍କାର । ମୁଁ ଆର.ଜେ. ବିଶାଖା ଆପଣଙ୍କୁ ସ୍ଵାଗତ କରୁଛି ରେଡିଓ ସେଭେନ୍ ନାଇନ ସେଭେନ୍ ( 797 କୁ ଆଜି କିଛି ନୂଆ ଶୁଣନ୍ତୁ । ଆଜି ଆମ ସହରରେ ବହୁତ ବର୍ଷା ଓ ପବନ । ଚାରିଆଡ଼େ ଅନ୍ଧାର ଓ ପାଣି । କିଛି କିଛି ଅଞ୍ଚଳରେ ତ’ ବିଦ୍ୟୁତ ନାହିଁ । ସେଥିପାଇଁ ମୁଁ ମଧ୍ୟ ମୋ ଷ୍ଟୁଡିଓକୁ ଅନ୍ଧାର କରିଦେଇଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏ ବର୍ଷା ଆଜି ମଧ୍ୟ ରାତ୍ରି ଯାଏଁ ହେବ । ତେଣୁ ମୁଁ ଆଉ ବର୍ଷା ଆପଣଙ୍କୁ ରାତି ଗୋଟେ ଯାଏଁ ଛାଡ଼ୁନୁ । ଆଉ ଏ ବର୍ଷାକୁ ରଙ୍ଗୀନ କରିବା ପାଇଁ ଏ ଗୀତଟି ଆପଣଙ୍କ ପାଇଁ ।”

ରେଡ଼ିଓରେ ବାଜୁଥିଲା ହିନ୍ଦୀ କଣ୍ଠଶିଳ୍ପୀ ଅଦନନ୍ ସାମୀଙ୍କ ‘ଭିଗି ଭିଗି ରାତୋମେଁ’ ।

ମୋହନ ଏକାଗ୍ରତାର ସହ ଶୁଣୁ ଥିଲା ଆର.ଜେ.ବିଶାଖାଙ୍କ ପ୍ରତିଟି ଶବ୍ଦକୁ । ଗାଡ଼ି ଯାଇ ପହଞ୍ଚି ସାରିଥିଲା ଗୋଟେ ସୁଦୃଢ଼ ଅଟ୍ଟାଳିକା ପାଖରେ । ଗାଡ଼ିରୁ ଓହ୍ଲେଇ ମୋହନ ଚାଲିଲା ଘର ଭିତରକୁ । “ଥ୍ୟାଙ୍କ ଗଡ୍, ଏଠି ଲାଇନ ଅଛି” କହି ହେଡ଼ ଫୋନ ଲଗେଇ ଫୋନରେ ବି ସେଇ ରେଡିଓ ସେଣ୍ଟରକୁ ଶୁଣୁଥିଲା । ହଠାତ ଲାଇନ ପଳେଇଲା । ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ସେ ଗୋଟେ ପରେ ଗୋଟେ ପାହାଚ ଚଢ଼ି ଚାଲିଲା ।

ରେଡ଼ିଓରୁ ଶୁଭୁଥିଲା ଆର.ଜେ. ବିଶାଖାଙ୍କ ସ୍ୱର । “ହେଲ୍ଲୋ, ମୁଁ ଯେମିତି କଥା ଦେଇଥିଲି କି ମୁଁ ଗୋଟେ ଗୀତ ପରେ ଆପଣଙ୍କ ପାଖକୁ ଫେରି ଆସିବି । ଆଉ ମୁଁ ଆସି ଗଲି । ଆପଣ ଏବେ ଶୁଣୁଛନ୍ତି ରେଡିଓ ସେଭେନ୍ ନାଇନ ସେଭେନ୍ (797)କୁ, ଆଜି କିଛି ନୂଆ ଶୁଣନ୍ତୁ । ମୁଁ ଏ ବର୍ଷାରେ ମୋର ଜଣେ ଖାସ୍‌ଲୋକଙ୍କ ପାଇଁ କିଛି ମେସେଜ ପଠେଇଛି । ଆପଣ ଯଦି କାହାକୁ କିଛି କହିବାକୁ ଚାହୁଁଛନ୍ତି ତେବେ ମୋତେ ମୋ ପାଖକୁ ଫୋନ କରନ୍ତୁ । ମୋ ନମ୍ବର ହେଲା ଜିରୋ ସିକସ ସେଭେନ୍ ଫୋର ଟୁ ଫାଇଭ ଡବଲ ଫୋର ଡବଲ ୱାନ (0674-254411) । ମୁଁ ଆଉ ଥରେ କହୁଛି ଜିରୋ ସିକସ ସେଭେନ୍ ଫୋର ଟୁ ଫାଇଭ ଡବଲ ଫୋର ଡବଲ ୱାନ ( 0674 -254411 ) । ବର୍ତ୍ତମାନ ଗୋଟେ କଲ ଆସିଛି ହେଲ୍ଲୋ ! “ମୁଁ ଅଜୟ କହୁଛି ଭୁବନେଶ୍ୱରରୁ । ଆକଚୁଆଲି ମୁଁ ଅଫିସରୁ ଆଜି ଘରକୁ ଯାଇପାରିବି ନାହିଁ । ଆଉ ଘରେ ମୋ ସ୍ତ୍ରୀ ଏକୁଟିଆ ଅଛି । ତାକୁ କହିବେକି ସେ ମୋ ଉପରେ ରାଗିବେନି । ମୁଁ କାଲି ସକାଳେ ଘରେ ପହଞ୍ଚିବି । ମୁଁ ତାଙ୍କ ପାଇଁ ଗୋଟେ ରୋମାଣ୍ଟିକ ସଙ୍ଗ୍ ଡେଡିକେଟ୍ କରିବା ପାଇଁ ଚାହୁଁଚି ।” “ଓକେ ଶୁଣୁଥିଲେ ଆପଣ ମାନେ କିଭଳି ଭୁବନେଶ୍ୱରରୁ ଅଜୟ ଆମ ସହିତ କଥା ହେଉଥିଲେ କି ସେ କୌଣସି କାରଣରୁ ଆଜି ଫୁଲନାଇଟ ଅଫିସରେ ରହିବେ । ଏଥିପାଇଁ ବୋଧୁଏ ତାଙ୍କ ସ୍ତ୍ରୀ ରାଗିପାରନ୍ତି, ହେଲେ ରାଗନ୍ତୁନି ସେ କାଲି ସକାଳେ ଘରେ ପହଞ୍ଚିବେ । ଆଉ ତାଙ୍କ କହିବା ଅନୁଯାୟୀ ଏ ରୋମାଣ୍ଟିକ ଗୀତଟି ତାଙ୍କ ସ୍ତ୍ରୀଙ୍କ ପାଇଁ ।”

ହିନ୍ଦୀ ଫିଲ୍ମ ‘ସୁରଜ’ର ମହମ୍ମଦ ରଫି ଗାଇଥିବା “ବାହାରେନ ଫୁଲ ବରସାଓ’ ବାଜୁଥିଲା ରେଡିଓରେ ।

ମୋହନ ପହଞ୍ଚି ସାରିଥିଲା ଗୋଟେ ଫ୍ଲୋରରେ । ସେଇଟା ଥିଲା ଗୋଟେ ରେଡିଓ ଷ୍ଟେସନ । କାଠର କବାଟରେ ଗୋଟେ ଛୋଟ କାଚର ଝରକାରେ ଦେଖୁଥିଲା ଆର.ଜେ. ବିଶାଖାଙ୍କୁ । ନିଜ ମୁଣ୍ଡରୁ ହେଡ଼ଫୋନ କାଢ଼ୁଥିଲେ ସେ । ମୋହନକୁ ଦେଖି ବିଶାଖା, “ଆରେ ତମେ ! ଏତେ ରାତିରେ? ଅଫିସରେ?” ମୋହନ କହିଲେ, “ହଁ ସମୀର ମନାକଲା ଆଜି ଆସିବନି । ତେଣୁ ମୁଁ ଚାଲି ଆସିଲି । ମୁଁ ଭାବିଲି କି ତୁମେ ଏକୁଟିଆ ହଇରାଣ ହେବ ତେଣୁ ମୁଁ ତୁମକୁ ଆସିଷ୍ଟ କରିବା ପାଇଁ ଆସିଲି ।” ମୋହନର କଥା ଶୁଣି ବିଶାଖା ହସିଦେଇ କହିଲେ, “ତଃ ମୋ ବସ୍ ମୋତେ ଆସିଷ୍ଟ କରିବା ପାଇଁ ଆସିଛନ୍ତି ।” ମୋହନ ବିଶାଖାଙ୍କୁ ଭଲ ପାଉ ଥିଲା ହେଲେ କହିପାରୁ ନଥିଲା । ବିଶାଖା ମଧ୍ୟ ମୋହନକୁ ଚାହୁଁଥିଲେ ହେଲେ କହିପାରୁ ନ ଥିଲେ । ବସ୍‌କୁ ଏ ସବୁ କହିବାକୁ ସାହସ କରିପାରୁ ନ ଥିଲେ ବିଶାଖା । ମୋହନ ଟିକେ ଦୃଢ଼ ସ୍ୱରରେ କହିଲେ, “ଶୁଣ ସାରା ସହର ଆଉ ଆମ ଅଫିସରେ ବି ଲାଇନ ନାହିଁ ତୁମେ ଗୋଟେ ଭଲ କଣ୍ଟେଣ୍ଟ ନେଇପାର ବର୍ଷାକୁ ନେଇ । ଏ ବର୍ଷା କାହା ପାଇଁ କେମିତି ଏଇଭଳି । ଗୀତ ସରିବାକୁ ଆସୁଛି । ମୁଁ ବାହାରେ ଅଛି । ଦରକାର ହେଲେ ଡାକିବ ।” ମୋହନଙ୍କ ଉପଦେଶ ଭଳି କଥା ଶୁଣି ବିଶାଖା ଆର.ଜେ. ବିଶାଖାରେ ପୁଣି ପରିବର୍ତ୍ତନ ହୋଇଯାଇଥିଲେ । ହେଡ଼ଫୋନକୁ ଲଗାଇ ସେ ରେକର୍ଡ଼ିଂ ଚେୟାରରେ ବସିଗଲା ।

ଏପଟେ ମୋହନ ବାହାରେ ସୋଫାରେ ବସି ରେଡିଓ ଅନ କରି ଶୁଣୁଥିଲା ଆର.ଜେ.ବିଶାଖାଙ୍କ ସ୍ଵରକୁ ।

“ମୁଁ ଆର.ଜେ. ବିଶାଖା ଆପଣଙ୍କୁ ପୁଣି ଥରେ ସ୍ଵାଗତ କରୁଛି ରେଡିଓ ସେଭେନ୍ ନାଇନ ସେଭେନ୍ (797)କୁ, ଆଜି କିଛି ନୂଆ ଶୁଣନ୍ତୁ । ଆଜି ଆପଣ ଓ ମୋ ଛଡ଼ା ଆମ ସାଥିରେ ଆଉ ଜଣେ ଅଛନ୍ତି । ବର୍ଷା ! ଆଜ୍ଞା ହଁ ବର୍ଷାକୁ ନେଇ ଆପଣଙ୍କ ପାଖେ ଥିବା କିଛି ଅନୁଭୂତିକୁ ଆପଣ ମୋ ସହ ସେୟାର କରିପାରନ୍ତି । ମୋତେ ଫୋନ କରିବାକୁ ନମ୍ବର ହେଲା ଜିରୋ ସିକସ ସେଭେନ୍ ଫୋର ଟୁ ଫାଇଭ ଡବଲ ଫୋର ଡବଲ ୱାନ (0674-254411) । ଜଣେ ବନ୍ଧୁ ବୋଧେ ଆମ ସହ ଯୋଡ଼ି ହୋଇଛନ୍ତି । ହ୍ୟାଲୋ କିଏ କହୁଛନ୍ତି, କେଉଁଠୁ କହୁଛନ୍ତି ।” “ହ୍ୟାଲୋ ମୁଁ ସୁଜାତା ଭୁବନେଶ୍ୱରରୁ କହୁଛି । ମୁଁ ଆର୍ଟ କଲେଜରେ ପଢ଼େ । ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ସ୍କେଚ୍ ସାରି ଫେରିବା ବେଳେ ବର୍ଷାରେ ମୋ ସ୍କେଚ୍ ଖାତା ଓ ସାଙ୍ଗରେ ଥିବା କିଛି ବହି ସବୁ ଭିଜି ଯାଇଛି । ହଁ ମୋତେ ପ୍ରଥମେ ବର୍ଷା ଉପରେ ବହୁତ ରାଗ ଲାଗୁଥିଲା କିନ୍ତୁ ବର୍ଷାରେ ଓଦା ହେବାର ମଜା ଖୁବ୍ ନିଆରା । ଆପଣ ଯଦି ବର୍ଷାକୁ ନେଇ ଗୋଟେ ଗୀତ ମୋ ପାଇଁ ଶୁଣାନ୍ତେ । ତେବେ ମୋତେ ଆଉ ଟିକେ ଖୁସି ଲାଗନ୍ତା ।” “ଆପଣ ମାନେ ଶୁଣୁଥିଲେ ସୁଜାତାଙ୍କ ଅନୁଭୂତି ବର୍ଷାକୁ ନେଇ । ସେ ବରମୁଣ୍ଡାରୁ ସ୍କେଚ୍ ସାରି ଫେରିଲା ବେଳେ ବର୍ଷାରେ ଭିଜିଛନ୍ତି । ବର୍ଷା ଉପରେ ରାଗୁଥିଲେ, ହେଲେ ବର୍ଷାରେ ସମ୍ପୂର୍ଣ୍ଣ ଭିଜିସାରିବା ପରେ ରାଗିନଥିଲେ ବରଂ ଖୁସି ହୋଇଥିଲେ । ହଁ ତାଙ୍କ ଭଳି ମୁଁ ମଧ୍ୟ ବର୍ଷାରେ ଭିଜିବାକୁ ଭଲ ପାଏ । ସେ ଶୁଣିବାକୁ ଚାହୁଁଛନ୍ତି ବର୍ଷାକୁ ନେଇ ଗୋଟେ ଗୀତ । ଆପଣ ଏବେ ଶୁଣୁଛନ୍ତି ରେଡିଓ ସେଭେନ୍ ନାଇନ ସେଭେନ୍ (797)କୁ, ଆଜି କିଛି ନୂଆ ଶୁଣନ୍ତୁ ।”

ଓଡ଼ିଆ ଫିଲ୍ମର ଗୀତ “ବର୍ଷା ହେଲାଣି ଆମେ କେମିତି ଯିବା” ବାଜିଉଠିଲା ।

ମୋହନ ଅଫିସରେ ଥିବା କ୍ୟାଣ୍ଟିନକୁ ଯାଇ ଦୁଇ କପ କଫି ନେଇ ଆସିଥିଲା । ବିଶାଖାକୁ କଫି ଦେଉ ଦେଉ କହିଲା, “ତମ ପାଇଁ ତମ ଫେବରାଇଟ ହଟ କଫି ।” ଗୋଟେ ଥର କଫି ପିଇଦେଇ ବିଶାଖା କହିଲେ, “ହୁଁ ବହୁତ ଟେଷ୍ଟି କଫି ପାଇଁ ଥ୍ୟାଙ୍କସ୍ । ବାଇଦୱେ ସୋ ଭିତରେ ଏମିତି କଫି ମିଳିଲେ ତୁମକୁ ସବୁଦିନ ଆସି ମୋତେ ଆସିଷ୍ଟ କରିବାକୁ ପଡ଼ିବ ।” ବିଶାଖା ଭାବୁଥିଲା ମୋହନ ତା’ ମନ କଥା ତା’ ଆଗରେ ତାକୁ କହିଦେବ । ହେଲେ ସେଇଭଲି କିଛି ହେଲାନି । କଫି ସହ କଥାକୁ ମଧ୍ୟ ମୋହନ ଢୋକି ଦେଉଥିଲା । ମୋହନ ବାହାରକୁ ଆସି ସୋ ଶୁଣିବାକୁ ଲାଗିଲା । ସମୟ ଗୋଟେ ବାଜିବାକୁ ଆଉ ଦଶ ମିନିଟ ବାକି ଅଛି । ରେଡ଼ିଓରେ ଶୁଭୁଥିଲା ଆର.ଜେ.ବିଶାଖାଙ୍କ ଉପସ୍ଥାପନା ।

“ଆପଣ ଶୁଣୁଛନ୍ତି ରେଡିଓ ସେଭେନ୍ ନାଇନ ସେଭେନ୍ (797)କୁ, ଆଜି କିଛି ନୂଆ ଶୁଣନ୍ତୁ । ମୁଁ ଆର.ଜେ.ବିଶାଖା । ବର୍ଷା ଛାଡ଼ି ସାରିଲାଣି । ଆଛା ଆପଣଙ୍କୁ ଏତେ ରାତିରେ କଫି ପିଇବାକୁ କେମିତି ଲାଗେ । ମତେ ତ’ ଭଲ ଲାଗେ । ମୋ ଅଫିସକୁ ମୋତେ ସାହାଯ୍ୟ କରିବାକୁ କିଏ ଜଣେ ଆସିଛନ୍ତି । ଆଉ ମୋତେ କଫି କରି ଦେଇଛନ୍ତି । ବହୁତ ଟେଷ୍ଟି ସେ କଫି । ମୋତେ ଲାଗୁଛି କି ସେ ମୋତେ କିଛି କହିବାକୁ ଚାହୁଁଛନ୍ତି ହେଲେ କହିପାରୁନାହାନ୍ତି । ହେଲେ ଆପଣ ମାନେ ଯଦି ମୋ ମାଧ୍ୟମରେ କାହାକୁ କିଛି କହିବାକୁ ଚାହୁଁଛନ୍ତି ତେବେ ମୋତେ ମେସେଜ କରନ୍ତୁ । ମୋ ନମ୍ବର ହେଲା ସେଭେନ୍ ସିକସ ସେଭେନ୍ ଡବଲ ଫାଇଭ (76755) କୁ । ମୁଁ ଆଜି ଆପଣଙ୍କଠୁ ବିଦାୟ ନେଉଛି । ଆମେ ଦେଖା ହେବା ଆଜି ରାତି ଠିକ୍ ଏଗାରଟାରେ, ସେତେବେଳ ଯାଏଁ ବିଦାୟ ଦିଅନ୍ତୁ । ଶେଷରେ ଏ ସୁନ୍ଦର ଗୀତଟି ଆପଣଙ୍କ ପାଇଁ । ଗୁଡ୍ ନାଇଟ୍ ।”

ହିନ୍ଦୀ ଫିଲ୍ମର “କିସିକେ ମୁସକୁରାହଟୋ ପେଁ ହୋ ନିଶାନ୍ ଜିନା ଇସିକା ନାମ୍ ହେ” ଗୀତ ବାଜୁଥିଲା ।

ଆର.ଜେ.ବିଶାଖାଙ୍କ କଥା ଶୁଣି ସାରିବା ପରେ ମୋହନ ଭାବୁଥିଲା କି ସେ ବିଶାଖା ତାକୁ ତା’ ଜୀବନ ସାଥି ଭାବେ ଚାହେଁ । ସେ ମୋହନଠୁ ସେକଥା ଶୁଣିବାକୁ ଚାହେଁ । ହେଲେ ମୋହନ କେମିତି କହିବ । ସୋ ଟାଇମରେ ଫୋନ କରିକି କହିବ । ହେଲେ ସେ ତ’ ଆଜି ବିଶାଖା ସାମ୍ନାରେ ଥାଇ ମଧ୍ୟ କହିପାରିଲା ନାହିଁ । ଠିକ ଏତିକି ବେଳେ ବିଶାଖା ଡାକୁଥିଲା, “ଚାଲ ଯିବା । ନା ଆଜି ରାତି ଏଇଠି ରହିବ । ମୁଁ ସୋ ରି-ପ୍ଲେ କରିଦେଇଛି । ଚାଲ ଯିବା ।” ଦୁହେଁ ବାହାରିଥିଲେ । ବିଶାଖା ମନେ ମନେ ଭାବୁଥିଲା କି ତା’ କଥା ଶୁଣି ମୋହନ ହୁଏତ ତାଙ୍କ ମନର କଥା ତାକୁ କହିବେ । ହେଲେ ସେମିତି କିଛି ହେଲାନି । ଦୁହେଁ ସିଡିର ପାହାଚ ଓହ୍ଲେଇ ଗାଡ଼ିରେ ବସିଥିଲେ । ଗାଡ଼ିରେ ସେଇ ରେଡ଼ିଓ ସେଣ୍ଟରଟି ବାଜୁ ଥିଲା । ମୋହନ ବନ୍ଦ କଲା ବେଳେ ତା’ ହାତକୁ ଧରି ବିଶାଖା ତାକୁ ଅଟକାଇ ଥିଲା । ଦୁହେଁ ଶୁଣୁଥିଲେ ରେଡିଓ । ମୋହନ ଭାବୁଥିଲା ହୃଦୟଠୁ ଆହୁରି କୋମଳ ହାତର ସ୍ପର୍ଶ । ବିଶାଖାର ହାତର ସ୍ପର୍ଶ ସେ ପ୍ରଥମ ଥର ପାଇଁ ଅନୁଭବ କରୁଥିଲା । ଗାଡ଼ି ଆଗେଇ ଯାଉଥିଲା ।

ମୋହନ ବିଶାଖାଙ୍କୁ ପ୍ରଶ୍ନ କଲା, “ଆଛା କିଏ କଫିର ମଗ ଧରି କଫି ପିଉଥିଲା ହେଲେ ମନର କଥା କହି ପାରୁନଥିଲା?” ମୋହନର ପ୍ରଶ୍ନରେ ବିଶାଖା ଚୁପ୍ ରହି ଚାହିଁରହିଥିଲା ମୋହନର ମୁହଁକୁ । କାରରେ ରେଡିଓର ଶବ୍ଦକୁ ବାଦ୍ ଦେଲେ ଦୁହିଁଙ୍କର କଥାବାର୍ତ୍ତା ଓ ହସ ଶୁଭୁଥିଲା ବାହାରକୁ ।

ରାଧାକାନ୍ତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଧାକାନ୍ତ ଦାଶ ଜଣେ ଚିତ୍ରକର ଏବଂ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗଳ୍ପ ସତ୍ୟବାଦୀ ଭଳି ବଡ଼ ବଡ଼ ପତ୍ରିକାରେ ସ୍ଥାନିତ ହୋଇଛି ।