ଆଜ୍ଞା କିଛି କରିହେବନି?
ଆଜ୍ଞା କିଛି କରିହେବନି

ଆଜ୍ଞା କିଛି କରିହେବନି?

ହୋ ଭାଇନା, ହୋ ଭାଇନା କୁଆଡ଼େ ଗଲ? ଆମ ଘରେ ଟିକେ ପୂଜା ପାଇଁ ଆସିବନି?

“ଭାଇନା” ମାନେ ବାବୁନା ଭାଇନା । ବୋଉ ଡାକିଲା “ହଇରେ ବାବୁନା, ଯାଉନୁ ଟିକେ, ସେ ପୁଅଟା ଡାକୁଛି ତାଙ୍କ ଘରେ ପୂଜା କରିବା ପାଇଁ ।” ବାବୁନା କହିଲା, “ମୁଁ କୁଆଡ଼େ ଯାଇପାରିବିନି ଯା ।” ବୋଉ କହିଲା, “ଗତ ଗୋଟେ ବର୍ଷ ହେଲାଣି ତୁ ପୂଜାପୁଜି ସବୁ ବନ୍ଦ କରିଦେଇଛୁ । ସେ ବୁଢ଼ା ମରିଗଲା ବୋଲି କ’ଣ ତୁ ନିଜ କାମ ଛାଡ଼ିଦବୁ?” ବୋଉର ଏତିକି କଥା ଶୁଣିକି ବାବୁନାର ମନେ ପଡ଼ିଗଲା ଯେ ଆଜି ପାଖ ଗାଁ ମଉସାଙ୍କର ଶ୍ରାଦ୍ଧ ।।।

ଡ଼ବାବୁନା ଗାଧେଇପାଧେଇ ବାହାରିଲା ମଉସାଙ୍କ ଘର ଆଡ଼େ । ବାଟ ଚାଲୁ ଚାଲୁ କିଛି ପୁରୁଣା କଥା ମନେ ପଡ଼ୁଥିଲା ବାବୁନାର ।

ମଉସା ମାଉସୀଙ୍କର ଗୋଟେ ପୁଅ ଆଉ ଗୋଟେ ଝିଅ । ପୁଅଟି ସାନ । ଝିଅ ବାବୁନାର ସହପାଠୀ । ମଉସାଙ୍କର ଗୋଟେ ସଉଦା ଦୋକାନ ଥିଲା । ଗାଁରେ ଅନ୍ୟ ଦୋକାନ ଥିଲେ ବି ବାବୁନା ସେଇ ମଉସାଙ୍କ ଦୋକାନକୁ ଯାଉଥିଲା କାଳେ ଟିକେ ତାଙ୍କ ଝିଅ ସାଙ୍ଗରେ ଦେଖାଯିବ ବୋଲି । ମଉସା ମାଉସୀ ବି ବାବୁନାକୁ ବହୁତ ସ୍ନେହ କରୁଥିଲେ । ଏମିତି ସମୟ ଗଡ଼ିଚାଲିଲା । ଝିଅ ଓ ବାବୁନା ଗାଁ କଲେଜରେ ପାଠ ପଢ଼ିଲେ । ଥରେ କଥା ଆଳରେ ବାବୁନା ମଉସାଙ୍କ ଝିଅ ସାଙ୍ଗରେ ବାହାଘର କଥା ଉଠେଇଥିଲା । କିନ୍ତୁ ମଉସା ମାଉସୀ କାଇଁ କିଛି ସିଧା ସଳଖ ଉତ୍ତର ଦେଲେନି, ବୋଧହୁଏ ଅଲଗା ଜାତି ପାଇଁ । ବାବୁନା ବି ଆଉ ସେକଥା କେବେ ଉଠେଇନି ।

ମଉସାଙ୍କ ପୁଅ ବଡ଼ ହେଲାପରେ କ’ଣ ଗୋଟେ ଯାନ୍ତ୍ରିକ ଶିକ୍ଷା ନେଇକି ବାହାର ରାଜ୍ୟରେ ଚାକିରୀ କରୁଥିଲା ।

ଏସବୁ ଭାବୁ ଭାବୁ ମଉସାଙ୍କ ଘର ହେଇଗଲା ।

ମାଉସୀ ବାବୁନାକୁ ଦେଖିକି ଆଉ କୋହ ସମ୍ଭାଳି ପାରିଲେନି । ଭୋ ଭୋ ହେଇ କାନ୍ଦିଲେ । ସବୁ ପୁରୁଣା କଥା ଗପିଚାଲିଲେ ।

ପୁରୁଣା କଥା — “ତାଙ୍କ ପୁଅ ବାହାର ରାଜ୍ୟରେ ଚାକିରୀ କରୁଥିଲା । ବର୍ଷେ ଦେଢ଼ ବର୍ଷ ହେବ ସବୁ ଠିକ ଠାକ୍ ଥିଲା । ହଠାତ ଦିନେ ସେ ଜାଗାର କୁରଖିଆ ବିଭାଗ ଫୋନ କଲେ ଯେ ତାଙ୍କ ପୁଅ ଆତ୍ମହତ୍ୟା କରିଦେଇଛି । ବୁଢ଼ା ବୁଢ଼ୀ ପାଗଳଙ୍କ ଭଳିଆ ଦୌଡ଼ିଗଲେ ସେ ସହରକୁ । ପରେ ତଦନ୍ତରୁ ଜଣା ପଡ଼ିଲା ଯେ ତାକୁ କିଏ ମାରିଦେଇଥିଲା । କୁରଖିଆ ବି ହଠାତ ସେ କେସକୁ ବନ୍ଦ କରିବାକୁ ଚେଷ୍ଟା କଲା । ବୁଢ଼ା ବୁଢ଼ୀ ବହୁତ କୁରକ୍ଷା ବିଭାଗକୁ ଦୌଡ଼ିଲେ ଟିକେ ନ୍ୟାୟ ପାଇବା ପାଇଁ କିନ୍ତୁ କିଛି ଲାଭ ହେଲାନି । କେତେ ଦିନ ଆଉ ବାହାର ରାଜ୍ୟରେ ରହିକି କେସ ଲଢ଼ିଥାନ୍ତେ? ଚୁପଚାପ ଘରକୁ ଫେରିଆସିଲେ । ଘରକୁ ଆସିଲା ପରେ ଝିଅ ସେମାନଙ୍କୁ ଦେଖିକି ବହୁତ କାନ୍ଦିଲା । ଘରେ ପୂରା ଶୋକାକୁଳ ପରିସ୍ଥିତି ।

ଏମିତି ଦୁଇ ବର୍ଷ ଗଡ଼ିଗଲା…

ହଠାତ ଦିନେ… ଝିଅ କୁଆଡ଼େ ବାହାରକୁ ଯାଇଥିଲା ଯେ କାଇଁ ଫେରିଲାନି । ମଉସା ମାଉସୀଙ୍କ ମୁଣ୍ଡ ଆଉ କାମ କରୁନଥିଲା କାରଣ ପୁଅ ସାଙ୍ଗରେ ଯୋଉ ଘଟଣା ହେଇଥିଲା ସେଇଟା ମୁଣ୍ଡରୁ ଯାଉନଥିଲା । ବାବୁନାକୁ ଡାକିଲେ ଓ ଗଲେ କୁରଖିଆ ବିଭାଗକୁ । କୁରଖିଆସବୁ ଆଡ଼ୁସାଡ଼ୁ କଥା କହିଲେ ‘ଝିଅ ଘରକୁ ଫେରିନଥିଲା ବୋଲି’ । ଶେଷରେ ମଉସା ଗୋଟେ କୁରଖିଆର ଗୋଡ଼ତଳେ ପଡ଼ିକି କାକୁତିମିନତି ହେଇକି କହିଲା, “ଆଜ୍ଞା କିଛି କରିହେବନି?” ବହୁତ ଅନୁରୋଧ କଲାପରେ କିଛି କୁରଖିଆ ବାହାରିଲେ ସନ୍ଧାନରେ । ପୂରା ରାତି ବାବୁନା, ମଉସା, ମାଉସୀ କୁରଖିଆ ବିଭାଗରେ ବସିଥିଲେ । ସକାଳ ବେଳକୁ ଖବର ଆସିଲା ଯେ ଗୋଟେ ଝିଅର ଶବ ମିଳିଛି । ତାକୁ ଦେଖିକି ମଉସା ମାଉସୀ ପାଗଳ ଭଳି ହେଇଯାଇଥିଲେ । ଶବ ବ୍ୟବଛେଦ ପରେ ଜଣାପଡ଼ିଲା ଯେ ବଳାତ୍କାର ପରେ ମାରିଦେଇଛନ୍ତି କିଛି ଗୁଣ୍ଡା…

ତା’ପରେ ଆରମ୍ଭ ହେଲା ମଉସାଙ୍କର ସବୁଦିନିଆ କୁରଖିଆ ବିଭାଗ ଓ ନାନାଖିଆ ବିଭାଗକୁ । ମଉସା ସବୁବେଳେ ଯାଇକି ନେହୁରା ହୁଅନ୍ତି ଝିଅକୁ ଟିକେ ନ୍ୟାୟ ମିଳୁ ବୋଲି କିନ୍ତୁ କିଛି ହେଲାନି । ଏମିତି କେତେମାସ ଗଡ଼ିଗଲା । ଅପରାଧୀ କିଏ ଧରା ପଡ଼ିଲେନି । ଦିନେ କୁରଖିଆ ବିଭାଗର ଜଣେ ବଡ଼ଆବୁ ଭାରି ବ୍ୟସ୍ତ ଥିଲେ । ସେତେବେଳେ ମଉସା ଯାଇ ପଚାରିଦେଲେ । ବଡ଼ଆବୁ ଉତ୍ତର ଦେଲେ, “ଏଇନେ ନିର୍ବାଚନ କାମ ଅଛି । ତମେ ପରେ ଆସ ।” ମଉସା କିନ୍ତୁ ସେଠୁ ନ ଆସି ପୁଣିଥରେ ବଡ଼ଆବୁକୁ କହିଲେ, “ଆଜ୍ଞା, ଛ’ମାସ ହେଇଗଲାଣି । କିଛି କରିହେବନି? ଅପରାଧୀକୁ ଧରିହେବନି? ମୋ ଝିଅକୁ ନ୍ୟାୟ ମିଳିବନି?” ଏତିକି ଶୁଣିକି ବଡ଼ଆବୁ ରାଗିକି ଗୋଟେ ଚାପୁଡ଼ା ପକେଇଲେ ମଉସାକୁ । ତା’ପରେ ମଉସା କେବେ ଆଉ କୁରଖିଆ ବିଭାଗକୁ ଯାଇନାହାନ୍ତି ।” ମାଉସୀଙ୍କ କଥା ଏଇଠି ରହିଲା ।

କିଛି ସମୟ ପରେ ମାଉସୀ ପଚାରିଲେ “ଆରେ ବାବୁନା, ତୋ’ର ଆଉ ମଉସାଙ୍କର ତ’ ବହୁତ କଥା ହେଉଥିଲ । ମୋତେ ଟିକେ କହିବୁ ସେଦିନ କ’ଣ ହେଇଥିଲା? ସେ ବୁଢ଼ାଟା ତ’ କିଛି କହିଲାନି ।”

ବାବୁନା କିଛି ସମୟ ଚୁପ ରହିଲା…

ମାଉସୀ ବାଧ୍ୟ କରିବାରୁ କହିଲା…

“କୁରଖିଆ ଓ ନାନାଖିଆ ବିଭାଗ ଉପରେ ମଉସାଙ୍କର ବିଶ୍ୱାସ ଉଠିଯାଇଥିଲା । ତା’ପରେ ସେ ବାର୍‌ରେ ଯାଇ ମଦ ପିଇବା ଆରମ୍ଭ କରିଥିଲେ । ମୁଁ ବହୁତ ଥର ମନା କରିଛି । କିନ୍ତୁ ପରେ ଜାଣିଲି କଥା କ’ଣ । ସେ ବାର୍‌ରେ ଦୁଇ ଜଣ ଲୋକଙ୍କ ସହ ମଉସାଙ୍କ ଦେଖା ହେଇଥିଲା । ମଉସା ଜାଣିଲେ ଯେ ସେମାନେ ବଡ଼ ଗୁଣ୍ଡା । ସେମାନେ ବଟି ଆଦାୟ କରନ୍ତି ଆଉ ଯିଏ ନଦେଲା ତା’କୁ ମାରିଦିଅନ୍ତି । ମଉସା ସବୁ ବେଳେ ବାର୍‌କୁ ଯାଇ ଯାଇ ସେମାନଙ୍କ ସହ ପରିଚିତ ହେଇଯାଇଥିଲେ ଓ ସେମାନଙ୍କ ସହ ମଦ ପିଉଥିଲେ । ଏମିତି ଗୋଟେ ମାସ ଚାଲିଗଲା । ଦିନେ ସେ ଦୁଇଟା ଲୋକ ବହୁତ ମଦ ପିଇଦେଇଥିଲେ । ମଉସା ସେମାନଙ୍କୁ କହିଲେ ଯେ ତାଙ୍କୁ ଘରେ ଛାଡ଼ିଦେବେ । ସେଦିନ ସେମାନଙ୍କ କାର ମଉସା ଚଳେଇଲେ । ଏମିତି କଥାବାର୍ତ୍ତା ଚାଲିଥାଏ ଗୁଣ୍ଡାଙ୍କ ସହିତ । ଗୁଣ୍ଡାମାନେ ନିଶାରେ କେତେ କ’ଣ କହିଯାଉଥାନ୍ତି, କେତେ ବଟି ଆଦାୟ କରିଛନ୍ତି, କେତେ ଲୋକଙ୍କୁ ଅପହରଣ କରିଛନ୍ତି ଓ କେତେ ମାରିଛନ୍ତି । ମଉସା ସବୁ ଶୁଣୁଥିଲେ । ହଠାତ ଗୋଟେ ପୋଲ ଉପରେ ଗାଡ଼ିର କବାଟ ଖୋଲିକି ଡେଇଁପଡ଼ିଲେ ଓ ଗାଡ଼ି ସେ ଦୁଇଟା ଗୁଣ୍ଡାଙ୍କ ସହ ପୋଲରୁ ତଳକୁ ଖସିଗଲା ଓ ସମ୍ପୂର୍ଣ୍ଣ ଦହନ ।।।

ଏକଥା ମୁଁ ଜାଣିପାରିନଥାନ୍ତି ଯଦି ମଉସା ଦିନେ ମୋ ପାଖକୁ ଆସି ମୋ ସାହାଯ୍ୟ ଲୋଡ଼ିନଥାନ୍ତେ । ସିଏ ମଝିରେ କିଛି ମାସ ପାଇଁ କୁଆଡ଼େ ପଳେଇଥିଲେ ମନେଥିବ । ସିଏ ଆମ ପାଖ ଜିଲ୍ଲାର ଗୋଟେ ମନ୍ଦିର ଆଗରେ ଭିକ ମାଗୁଥିଲେ ଗୋଟେ ଭିକାରୀ ସଂସ୍ଥା ମାଧ୍ୟମରେ । ତାଙ୍କୁ କୋଉଠୁ ଖବର ମିଳିଥିଲା ଯେ ସେଠିକି କିଛି ଡ୍ରଗ୍ସ/ବ୍ରାଉନସୁଗାର ବେପାରୀ ଆସନ୍ତି । ଧୀରେ ଧୀରେ ମଉସା କିଛି ବ୍ରାଉନସୁଗାର ବେପାରୀଙ୍କ ପାଇଁ କାମ କଲେ । ସକାଳେ ବାଇକ୍‌ରେ ଆସିବେ ଓ ଗୋଟେ ଜାଗାରେ ବେଶ ହେଇକି ମନ୍ଦିର ପାଖକୁ ଆସିବେ । ତାଙ୍କ ପାଖରୁ ଲୋକ ବ୍ରାଉନସୁଗାର କିଣନ୍ତି । ପୁଣି ରାତିରେ ସେ ବାଇକ୍ ରଖିବା ଜାଗାକୁ ଯାଇକି କପଡ଼ା ବଦଳିକି ବାଇକ୍‌ରେ ଘରକୁ ଯିବେ । ବେଳେବେଳେ ରାତିରେ ବ୍ରାଉନସୁଗାର ବେପାରୀ ମଉସାଙ୍କୁ କହୁଥିଲେ ସେମାନଙ୍କୁ ଘରେ ଛାଡ଼ିଦେବାକୁ ।

ଦିନେ ମଉସା ମତେ ଫୋନ କରିକି ଡାକିଲେ ଓ କିଛି କହିଲେ । ମୁଁ ମୋଟେ ମଙ୍ଗିଲିନି । କିନ୍ତୁ ମଉସା ମତେ ବାଧ୍ୟ କଲେ । କିଛି ଦିନ ମୁଁ ସେ ଜାଗାରେ ଗୋଟେ ହୋଟେଲରେ ରହିଲି ।

ଦିନେ ରାତିରେ ମଉସା ଫୋନ କଲେ । ମୁଁ ବାଇକ୍ ଧରି ବାହାରିଲି । ମଉସା ଗାଡ଼ିଚଲଉଥାଆନ୍ତି ଓ ତାଙ୍କ ପଛରେ ଜଣେ ବ୍ରାଉନସୁଗାର ବେପାରୀ । ମୁଁ ଗାଡ଼ି ନେଇକି ଯୋରର ମାଡ଼ କଲି ମଉସାଙ୍କ ଗାଡ଼ିରେ । ଦୁଇଜଣ ପଡ଼ିଗଲେ ଗାଡ଼ିରୁ ଓ ପୂରା ଦରମରା ଅବସ୍ଥା । ମଉସା ହଠାତକିନା ଗୋଟେ ପଥରରେ ଛେଚିଦେଲେ ସେ ଲୋକର ମୁଣ୍ଡକୁ ।

ତୃତୀୟ ଓ ଶେଷ ଘଟଣା ।।। ଦିନେ ଖବର ଆସିଥିଲା ଯେ ଗୋଟେ କୋଉ ଗୋଟେ ନାମୀ ଲୋକ ଗାଁ ଝିଅର ବଳାତ୍କାର କରିଛି କିନ୍ତୁ କୁରଖିଆ ବିଭାଗ କିଛି ପଦକ୍ଷେପ ନେଉନାହାନ୍ତି । ମତେ ଖାଲି କହିଥିଲେ ଯେ ସେ ନାମୀ ଲୋକ ଘରେ କିଛି କାମ ପାଇବାକୁ ଯାଉଛନ୍ତି ।

ପରେ ଶୁଣିବାକୁ ପାଇଲି ଯେ ମଉସା ସେ ବଡ଼ ଲୋକ ଘରେ ରୋଷେଇ କାମ କରୁଥିଲେ । ଦିନେ ସୁଯୋଗ ପାଇକି ଖାଇବାରେ ବିଷ ମିଶେଇଦେଲେ । ଏ ସମୟରେ ମଉସା ସେଠୁ ଖସିବାକୁ ଚେଷ୍ଟା କରୁଥିଲେ । ନାମୀ ଲୋକଟା ରକ୍ତବାନ୍ତି କରିକି ଉପରୁ ଚିଲେଇଲା “ଆବେ ଧର ବେ ସେ ।।।” ନାମୀ ଲୋକର ଜଗୁଆଳି ମଉସା ପଛରେ ଗୋଡ଼େଇଲା ଓ ଗୋଟେ ଗୁଳି ମାରିଲା !

ଏସବୁ କଥା ଶୁଣିଲା ପରେ ମାଉସୀ ଯେମିତି ଟିକେ ଖୁସି ଲାଗୁଥିଲେ, ବହୁତ ଦିନର ମନକଷ୍ଟ ଯେମିତି ଟିକେ କମ ହେଇଯାଇଥିଲା ।

ବାବୁନା ମାଉସୀଙ୍କୁ ପଚାଲିଲା, “ମାଉସୀ କହିଲୁ, ଯଦି ମୋ ପରିବାର ସହ କିଛି ଅସୁବିଧା ହେଲା ତା’ହେଲେ ମୁଁ କ’ଣ କରିବି?”

ମାଉସୀ କହିଲେ, “ଦେଖ ବାବୁ, ମଉସା ଯାହା କଲେ ସେଇଟା ମଉସା ଆଉ ମୋର ପ୍ରତିଶୋଧ ଥିଲା । କିନ୍ତୁ ତୁ କ’ଣ କରିବୁ ସେଇଟା ତୁ ଭାବିବୁ । ମୁଁ କିଛି କହିପାରିବିନି ସେ ବିଷୟରେ ।”

***କାଳ୍ପନିକ କଥାବସ୍ତୁ***

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu