You are currently viewing ଗପରୁ ଗପଟିଏ
Gaparu Gapatie (ଗପରୁ ଗପଟିଏ) by Dr. Viyatprajna Acharya

ଗପରୁ ଗପଟିଏ

ଏମିତି ବି କେବେ କେବେ ହୁଏ । ଏକ ଗପ ଆଉ କିଛି ଯୋଗାଧୀନ ଘଟଣା, ଗୋଟିଏ ଝିଅର ମାନ ସମ୍ମାନ, ଜୀବନ ବଞ୍ଚାଏ ।

ମୋର ହାଉସମ୍ୟାନସିପ ବର୍ଷର କଥା । ମେଡ଼ିସିନ ବିଭାଗରେ ଡିଉଟି ପଡ଼ିଥାଏ । ସରକାରୀ ମେଡିକାଲ କଲେଜ, ସୋମବାର ଆଉ ବିଭାଗୀୟ ମୁଖ୍ୟଙ୍କ ୟୁନିଟ; ଏ ସମସ୍ତ ମିଳିତ କାରଣ ଯୋଗୁଁ ଆଉଟ୍‌ଡୋର୍‌ରେ ପ୍ରବଳ ଭିଡ଼ । କୌଣସି କାରଣବଶତଃ ମୋ ସାଙ୍ଗରେ ଥିବା ଅନ୍ୟ ଝିଅ ସାଙ୍ଗମାନେ ସେଦିନ ଛୁଟିରେ ଥାଆନ୍ତି । ପ୍ରାୟ ୧୨ଟା ୩୦ ବେଳେ ଭିଡ଼ ଟିକିଏ ଥମିଲା । ଶାନ୍ତିରେ ନିଃଶ୍ୱାସ ମାରି ଟେବୁଲ ଚାରିପଟେ ଟିକିଏ ବସିଯାଇଥାଉ । ଏତିକିବେଳେ ପ୍ରାୟ ୧୭-୧୮ ବର୍ଷର ଝିଅଟିଏ, ଗୋରା ତକତକ ଦେହ, ସୁନ୍ଦର ଚେହେରା ଅଥଚ ମଉଳା ଫୁଲପରି ମୁହଁଟିଏ ନେଇ ଆମ ଟେବୁଲ ଆଡ଼କୁ ଆଗେଇ ଆସୁଥାଏ । ସାଙ୍ଗରେ ବୋଧେହୁଏ ବଡ଼ ଭଉଣୀ ହୋଇଥିବେ । ସେ ବି ଚିନ୍ତିତ ଦିଶୁଥାନ୍ତି । ଡାକ୍ତରଙ୍କ ବ୍ୟତୀତ ଆଉ କିଏ ନିଶ୍ଚିନ୍ତ ହୋଇ ଡାକ୍ତରଖାନା ଆସନ୍ତି ଯେ? ଆମେ ସବୁବେଳେ ଦୁଃଖୀମାନଙ୍କ ଭିତରେ ଘେରା; ରୋଗ ସାଙ୍ଗରେ ଅର୍ଥାଭାବ, ଯତ୍ନର ଅଭାବ, ଜ୍ଞାନାଭାବ ଯୋଗୁଁ ହଇରାଣ । ଏ ସମସ୍ତ ସମସ୍ୟା ଆମ ଚାରିପାଖେ ଘେରି ରହିଥାନ୍ତି । ସୁନ୍ଦର ମୁଁହରୁ ଆଖି ଓହ୍ଲେଇଲା ଟିକିଏ ତଳକୁ । ଆମକୁ ଡାକ୍ତରୀ ପାଠରେ ଶିଖାଯାଏ ରୋଗୀ ରୁମ ଭିତରକୁ ଚାଲି ଆସିବାମାତ୍ରେ ତୁମେ ଦାୟିତ୍ତ୍ଵରେ ଓ ଗୋଡ଼ଠୁ ମୁଣ୍ଡ ଯାଏ ତୁମର ଦୃଷ୍ଟି ରହିବା ଦରକାର । ଚେନ ସ୍ମୋକର୍ ତୁମକୁ ଭୁଆଁ ବୁଲେଇ ଦେବେ ଯେ ସେମାନେ ଜୀବନରେ କେବେ ସିଗାରେଟ ଛୁଇଁ ନାହାନ୍ତି ବୋଲି; ମଦୁଆ କହିବେ ମଦ ଦେଖି ନାହାନ୍ତି । ରୋଗୀର ସଂକ୍ଷିପ୍ତ ଇତିହାସ ତ ନେବ, ତେବେ ଚଉଆଖିଆ ହୋଇ ସର୍ବତ୍ର ନିଘା ବି ରଖିଥିବ ! ସେଇ ନୀତିରେ ମୁଁ ଓ ଅନ୍ୟମାନେ ଦେଖି ପାରିଲୁ, ଝିଅଟିର ପେଟଟି ୬-୭ ମାସର ଗର୍ଭ ପରି ଲାଗୁଛି । ସାଙ୍ଗେ ସାଙ୍ଗେ ଅନ୍ୟ ଡାକ୍ତର ଭାଇମାନଙ୍କ ଭିତରେ ତିର୍ଯ୍ୟକ କମେଣ୍ଟ ମାରିବା ଆରମ୍ଭ ହୋଇଯାଇଥିଲା ।

“ବିହା ନାଇ ହୋଇକରି ବି ପେଟ ଆର ଛାତି ଫୁଲେଇ ଟୁକେଲମାନେ ଚାଲ୍ ଲେନ ।” ଆଉ କିଛି ଟାହି ଟାପରା ବି କାନରେ ବାଜୁଥାଏ । କେହି ଜଣେ ନିଷ୍ପତି ବି ଦେଇଦେଲେ, “this is pregnancy out-of-wedlock.” କେହି କେହି ମୁଚୁକି ହସିଲେଣି ମଧ୍ୟ ।

ଝିଅଟି ସମସ୍ତ ସାହସ ଜୁଟାଇ ଯାହା ସଂକ୍ଷିପ୍ତ ଇତିହାସ (case history) ଦେଉଥାଏ, ତାହା ସାଧାରଣ ଗର୍ଭଧାରଣ ସହ ହିଁ ମେଳ ଖାଉଥାଏ । ବଡ଼ ଭଉଣୀଙ୍କର ଚେହେରା ମଧ୍ୟ ସେତେବେଳେକୁ ଗଳଦ୍-ଘର୍ମ । ଭାବୁଥିବେ, କି ଯେ ଅପକର୍ମ କରିକି ଆସିଛି କେଉଁଠି !

ସେ ଝିଅଟିକୁ ଦେଖିଲାବେଳକୁ ମୋର ମନେ ପଡ଼ିଯାଉଥାଏ ଆମ ରାଜ୍ୟରେ ସେତେବେଳେ ପ୍ରକାଶ ପାଉଥିବା ‘ସୁଚରିତା ‘ ପତ୍ରିକାରେ ପଢ଼ିଥିବା ଏମିତି ଗପଟିଏ । ସେଥିରେ ମଧ୍ୟ ଏକ ଝିଅ ନିର୍ଯାତିତା ହୁଏ । ଗର୍ଭବତୀ ହୋଇଥିବା ଆଶଙ୍କାରେ ନିଜ ପରିବାରବର୍ଗଙ୍କ ଦ୍ୱାରା ସମସ୍ତେ ତାକୁ ଏକ କୁଆଁରୀ ମା’ ବୋଲି ଭାବିନେଇ ଘରେ ଲୁଚାଇ ରଖନ୍ତି । ଖାଦ୍ୟାଭାବ ଓ ମାଡ଼ଗାଳିରେ ପଚିସଢ଼ି ଯେତେବେଳେ ଶୁଖି ଶୁଖି ଯାଉଥାଏ, ଦୈବାତ କୌଣସି ସ୍ତ୍ରୀ-ପ୍ରସୂତି ରୋଗ ବିଶେଷଜ୍ଞ ତାକୁ ଦେଖିଲେ ଏବଂ ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ଓଭାରିଆନ କ୍ୟାନ୍ସର ବୋଲି ଡାଇଗ୍ନୋସିସ୍ ଦେଇଥିଲେ । ହେଲେ ଝିଅଟିର ମୃତ୍ୟୁ ହୋଇଥିଲା – ଅବଶ୍ୟ ଖୁବ ଶାନ୍ତିରେ ନିଶ୍ୱାସ ମାରିଥିଲା, କୁଆଁରୀ ମା’ର ଲେବଲ ହଟିଯାଇଥିବାରୁ ଓ ନିଜର ସତୀତ୍ଵର ସାର୍ଟିଫିକେଟ ପାଇ ଆରପାରିକୁ ଯାଉଥିବାରୁ ।

ଏତେ ସବୁ ଚିନ୍ତା ଭିତରେ ବୁଡ଼ିଥିଲାବେଳେ ସିନିୟର ଭାଇ ଜଣେ କହିଲେ, “ବିୟତପ୍ରଜ୍ଞା ! ୟାଙ୍କୁ ନେଇ ଚେକ୍ କର । ପ୍ରେଗନେନ୍ସି ଟେଷ୍ଟ ଗୋଟେ ଲେଖିଦେବ ।”

ପରଦା ପଛକୁ ନେଇ କାଉଚ୍‌ରେ ଶୁଆଇ ଆଉଥରେ ସେଇ ସବୁ ପ୍ରଶ୍ନ ପଚାରିଲି ଅନିଚ୍ଛାସତ୍ତ୍ୱେ । ତା’ ଭୟାତୁର ଛଳ ଛଳ ଆଖି ଦେଖି କ’ଣ ମନକୁ ଆସିଲା କେଜାଣି ତା’ ଆତ୍ମପ୍ରତ୍ୟୟ ବଢ଼େଇବା ପାଇଁ କହି ପକେଇଲି, “ବ୍ୟସ୍ତ ହୁଅନି ! କୌଣସି ଟ୍ୟୁମର ବି ହୋଇପାରେ ।” ମୁଁ ସନ୍ଦିହାନ ଥିଲି କି ବୋଧେହୁଏ ହଁ । ତେବେ ପେଟଟିରେ ବର୍ତ୍ତୁଳତା ଟିକିଏ ଅଲଗା ପ୍ରକାର ଥିବାରୁ ଭାବିଲି ଭଲରୂପେ ଚେକ୍ କରିବା ଦରକାର ।

ଷ୍ଟେଥୋ ବୁଲେଇ ବୁଲେଇ ଦେଖିଲି; ନାହିଁ, ଶିଶୁର ହୃତ୍‌କ୍ରିୟା ନାହିଁ । ଟ୍ୟୁମର ପରି ହିଁ ଲାଗୁଛି । ଟ୍ୟୁମରପରି ଅଲଗା ପ୍ରକାର ଟାଣ ଓ ଗୋଟିଏ ଜାଗାରେ ଲାଗିରହି ଅନ୍ୟଜାଗା ମୁକ୍ତ ଭାବେ ବୁଲୁଛି । କ୍ୱେରି ଓଭାରିଆନ ଟ୍ୟୁମର (Ovarian tumour)… ପ୍ରେଗନାନସି ଟେଷ୍ଟ ଲେଖିଲିନି । ମନ ବିଦ୍ରୋହ କଲା । ମୋ ଡାଇଗନୋସିସ ଉପରେ ଭରସା ରଖିବାକୁ ପଡ଼ିବ ନ ହେଲେ ଗାଇନୀକ ଡିପାର୍ଟମେଣ୍ଟରେ ଦେଖିଲେ ସେମାନେ ଲେଖନ୍ତୁ । ଏଥର ଗାଇନୀକ ଟ୍ରିଟମେଣ୍ଟକୁ ରେଫର୍ କରି ଦେଲି ।

ତା’ ମୁହଁର ଉଜ୍ଜଳତ ଅନେକଟା ଫେରି ଆସିଥିଲା । ଭାବୁଥିବ ଯାଃ… ହେଉଥାଉ ଗୋଟେ ପ୍ରାଣଘାତୀ ଟ୍ୟୁମର, ଏଥର ଚିନ୍ତା ନାହିଁ । ବଡ଼ ନାନୀଙ୍କ କପାଳର ଭ୍ରୁକୁଞ୍ଚନ ମଧ୍ୟ ଅନେକଟା ଲାଘବ ହେଲାପରି ଲାଗିଲା ।

ଏଥର କେସ୍‌ରେ ମୋର ବି ଆଗ୍ରହ ବଢ଼ି ଯାଇଥାଏ କିଛି କାରଣ ଯୋଗୁଁ । ମୋ ଡାଇଗ୍ନୋସିସ୍ ଠିକ ହେଲା କି ନାହିଁ ଜାଣିବା ପାଇଁ ଓ ଫେରି ଆସି ଆମ ଡାକ୍ତର ଭାଇମାନଙ୍କୁ ସେତକ ଜଣେଇବା ପାଇଁ ।

ପରେ ଖବର ନେଇ ଜାଣିଲି ଯେ ନିଜେ ବିଭାଗୀୟ ମୁଖ୍ୟ ତାକୁ ଦେଖିଛନ୍ତି ଓ ମୋର ଡାଇଗ୍ନୋସିସ ସମ୍ପୂର୍ଣ୍ଣ ଠିକ୍; ଓଭାରିଆନ ଟ୍ୟୁମର । ପରେ କରିଡର୍‌ରେ ତରବରିଆ ଭାବେ ଏମର୍ଜେନ୍ସି ଡ୍ୟୁଟି କରିବାକୁ ୱାର୍ଡ ଯାଉଥିବାବେଳେ ଦୁଇ ଭଉଣୀଙ୍କ ସହ ଭେଟ ହୋଇଗଲା । ଆଃ ! ସତେ ଯେମିତି ସୂର୍ଯ୍ୟ, ଘନ କଳା ବାଦଲ ଉହାଡ଼ରୁ ବାହାରି ଆସିଛନ୍ତି । ଝିଅଟିକୁ ତା’ ସତୀତ୍ତ୍ୱର ପ୍ରମାଣପତ୍ର ମିଳିଯାଇଛି !! ଟ୍ୟୁମର୍‌ଟା କ୍ୟାନ୍ସର ବି ହୋଇପାରେ, ହେଲେ ଆଉ ପରବାୟ ନାହିଁ । ଜୀବନଠୁ ବଳି ସମାଜରେ ଆମ ସମ୍ମାନ ନା !! ଭାବୁଥିଲି ସେ ପରିବାରର ସଦସ୍ୟମାନେ ଖୁସିରେ କିଛି ଗୋଟେ ଭୋଜିଭାତ କରି ପକେଇଥିବେ ।

ଆଃ ! ଏ ମାତୃତ୍ୱ ! ଯାହାକୁ ଦୁନିଆରେ ସର୍ବଶ୍ରେଷ୍ଠ ସ୍ଥାନ ଦିଆଯାଏ । ତା’ ପାଇଁ ନାରୀଟିଏ କେତେ ଲାଞ୍ଛନା ନ ସହେ ସତେ ! ଅବୈଧ ସମ୍ପର୍କରୁ ଗର୍ଭବତୀ ହେଲେ ନାରୀଟି ଲାଞ୍ଛିତ ହୁଏ ସିନା ତା’ ଦେହରେ ଦାଗ ରହେ ବୋଲି; ପୁରୁଷ କିନ୍ତୁ ଝାଡ଼ିଝୁଡ଼ି ହୋଇ ପୁଣି ପବିତ୍ର ।

ଯଦି ଏଭଳି ସମ୍ଭାବନା ରହନ୍ତା ଯେ ୫୦% ପୁରୁଷ ଗର୍ଭବନ୍ତ ବା ୫୦% ନାରୀ ଗର୍ଭବତୀ ହେବେ, ସମାଜରୁ ଅବୈଧ, ଧର୍ଷଣ ଆଦି ଶବ୍ଦ ଲୋପ ପାଇଯା’ନ୍ତା । ତେବେ ଏପରି କଳ୍ପନା ଜଳ୍ପନା କରି ମନକୁ ଖୁସି କରାଯାଇ ପରେ ସିନା, ସମାଜର ଚିନ୍ତାଧାରାକୁ ବଦଳାଇ ଯାଇପାରେନାହିଁ । କେଜାଣି ଭଗବାନଙ୍କ ସହ ମିଟିଙ୍ଗ୍‌ଟେ ବସାଇଲେ ଏ ପ୍ରସ୍ତାବ ପାରିତ ହେବ ପରା !!

ତେବେ ଏ ସବୁ କଳ୍ପନା ଜଳ୍ପନାକୁ ଛାଡ଼ି କହି ରଖିବାକୁ ଚାହିଁବି ଯେ ନିଜର ଆଶଙ୍କା ଓ ଆତଙ୍କିତ ମନର ଉଭଟ କଳ୍ପନା ଅଲଗା ରଖି ଏଭଳି ରୋଗ ସବୁର ଠିକ ସମୟରେ ନିଦାନ ଓ ନିରାକରଣ କରିବା ଠିକ । କେବଳ ଶାରୀରିକ ନୁହେଁ, ମାନସିକ ରୋଗୀ ମଧ୍ୟ ଏହିଭଳି ସମସ୍ୟାକୁ ସଙ୍କୋଚ ଯୋଗୁଁ ଲୁଚାଇ ରଖନ୍ତି ଓ ପରେ ଖୁବ ଡେରି ହୋଇଯାଇଥାଏ ।

– ଡ. ବିୟତ୍‌ପ୍ରଜ୍ଞା ଆଚାର୍ଯ୍ୟ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ବିୟତ୍‌ପ୍ରଜ୍ଞା ଆଚାର୍ଯ୍ୟ ପେଶାରେ ଜଣେ ଡାକ୍ତର, କିନ୍ତୁ ନିଶା ତାଙ୍କର ସାହିତ୍ୟ ଚର୍ଚ୍ଚା ଏବଂ ଆଧାତ୍ମିକ ସେବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ନିକଟ ଅତୀତର ତାଙ୍କର ପୁସ୍ତକ ମଧ୍ୟ ପ୍ରକାଶ ପାଇଛି ।