You are currently viewing ବର୍ଷା ଆଉ ତୁ
Odia Poem Barsa Au Tu (ବର୍ଷା ଆଉ ତୁ) by Itishree Nayak

ବର୍ଷା ଆଉ ତୁ

ବର୍ଷା ଆଉ ତୋ’ ଭିତରେ
ଏ କେମିତିଆ ସମ୍ପର୍କ?
ତୁ ଆସିଲେ ବର୍ଷା ଆସିଯାଏ
ଆଉ ବର୍ଷା ଆସିଲେ
କୋଉଠୁ କେଜାଣି
ତୁ ଉଭା ହେଇଯାଉ ।

ତୋ’ ସହ ଅଗଣିତ
ବର୍ଷାଜଡ଼ିତ ସ୍ମୃତି,
କିଛି ସତ
ଅନେକ କିଛି ସତ ଆଶାୟୀ !
ଏବେ କିନ୍ତୁ ସେମାନେ ଏକାକାର,
ବର୍ଷାରେ ଭିଜୁଥିବା ଆଖି ଓ
ତୋ’ ସ୍ମୃତିରେ ବର୍ଷୁଥିବା ଆଖିରେ
କ’ଣ ବା ଫରକ୍ !?

ତୋ’ ସହରରେ ଏବେ ବି
କ’ଣ ସେମିତି ବର୍ଷା ହୁଏ?
ବର୍ଷାରେ ଭିଜୁ ଭିଜୁ
ନିଜ ଓଦା ଓଢ଼ଣୀରେ
ଅବାଧ୍ୟ ମନଟାକୁ ଚୁପ୍ କିନା
ଶକ୍ତ ଗଣ୍ଠିଟେ ପକେଇ ଦେଉଥିବା
ତୁ, ଆଜି କ’ଣ କରୁଥିବୁ?

ଆଜି ବି ବର୍ଷା ଆସିଛି
ଆଉ ତା’ ସହିତ କିଛି ଅତୀତ ।
ଚିକିଣିଆ ରାସ୍ତା ଉପରେ
ହଠାତ୍ ବର୍ଷାର ଦୌରାତ୍ମ୍ୟ,
ଦେହ ଓଦା, ଆଖି ଶୁଖିଲା
ଅନ୍ତର ଭିତରେ କିନ୍ତୁ
ଶ୍ରାବଣର ଅବିରତ ରାଜୁତି ।

– ଇତିଶ୍ରୀ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଇତିଶ୍ରୀ ନାୟକ ପେଶାରେ ଜଣେ ଦୂରଦର୍ଶନ ସମ୍ୱାଦ ଉପସ୍ଥାପିକା, ଯିଏକି ଏବେ ନ୍ୟୁଜ୍ 7ରେ କାର୍ଯ୍ୟରତ । ପୂର୍ବରୁ ସେ ଇ-ଟିଭି ଓଡ଼ିଆ ଓ MBC TV ଭଳି ଚେନାଲ୍‌ରେ କାର୍ଯ୍ୟ କରୁଥିଲେ । ସେ ତାଙ୍କର ଫାଙ୍କା ସମୟରେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।