You are currently viewing ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା
Odia Poem Guru Bandana (ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା) by Mamata Sahu

ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା

ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ଵର
ଗୁରୁ ଜ୍ଞାନର ଭଣ୍ଡାର
ଗୁରୁ ପିତା ମାତା ଗୁରୁ ଯେ ଦେବତା
ଗୁରୁ ସତ୍ୟ ଶିବ ସୁନ୍ଦର ॥

ଗୁରୁ ଯେ ସଂସ୍କାର ବିଶ୍ଵାସର ଧାର
ଗୁରୁ ଆଲୋକ ପ୍ରଦୀପ
ଅଜ୍ଞାନ ଅନ୍ଧାର କରି ଦ୍ୟନ୍ତି ଦୂର
ଜାଳନ୍ତି ଉଜ୍ୱଳ ଦୀପ ॥

ଗୁରୁ ସମସ୍ୟାର ସମାଧାନ ସୂତ୍ର
ଗୁରୁ ହିଁ ଆଶା ଭରସା
ଗୁରୁଙ୍କ ଶ୍ରେଣୀରେ ସମସ୍ତେ ସମାନ
କରନ୍ତିନି କେବେ ନିରାଶା ॥

ଶିକ୍ଷାର୍ଥୀଙ୍କ ପାଇଁ ଶୁଭ ଚିନ୍ତକଟି
କରନ୍ତି ଚରିତ୍ର ଗଠନ
ନାହିଁ ଭେଦଭାବ ନାହିଁ ଅନାଦର
ନାହିଁ ପକ୍ଷପାତ ଚିହ୍ନ ॥

ଗୁରୁ ହିଁ ଶକତି ଗୁରୁ ହିଁ ସାହସ
ଗୁରୁ ହିଁ ମୁକତି ପଥ
ଜ୍ଞାନ ପ୍ରାପ୍ତ କରି ଅଜ୍ଞାନ ଦୂରେଇ
ଦିଅନ୍ତି ନରଖି କିଞ୍ଚିତ ॥

ଧନ୍ୟ ହୁଏ ପ୍ରାଣ ଆନନ୍ଦିତ ମନ
ପାଇ ଗୁରୁ ଦିବ୍ୟ ଦର୍ଶନ
ଗୁରୁ ଆଶୀର୍ବାଦ ରହିଲେ ଜୀବନେ
ନଥାଏ ଯେ ବାଧା ବିଘ୍ନ ॥

ଗୁରୁ ଜୀବନର ମୂଳ ଦୂଆ ଜାଣ
ତାଙ୍କ ପାଦେ କୋଟି ପ୍ରଣାମ
ଗୁରୁ ବିନା ସ୍ଥିତି ନାହିଁ କାହା ପ୍ରାଣେ
ଗୁରୁ ଯେ ସର୍ବ ପ୍ରଥମ ॥

ଗୁରୁ ହିଁ ଧରମ ଗୁରୁ ହିଁ କରମ
ନର ରୂପେ ନାରାୟଣ
ଗୁରୁଙ୍କର ସେବା ଆନନ୍ଦେ କରିବା
ଦେଇ ତାଙ୍କ ପାଦେ ମନ ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।