ସଙ୍କୁଚିତ
ସଙ୍କୁଚିତ

ସଙ୍କୁଚିତ

ଫୋନରେ ବୋଉ କହୁଥିଲା,”ମୁଁ ଭୁବନେଶ୍ୱର ଆସିବା ବର୍ଷେ ପାଖାପାଖି ହେଲାଣି । ତତେ ବେଳ ମିଳୁନି ମତେ ଥରେ ଆସି ଦେଖା କରିବା ପାଇଁ?” ସୁଧୀରକୁ ଟିକିଏ ଅଧୈର୍ଯ୍ୟ ଲାଗିଲା । କହିଲା, “ବୋଉ ତୁ ଜାଣିଛୁ କଳିଙ୍ଗ ବିହାରରୁ ଲିଙ୍ଗିପୁର କେତେ ବାଟ? ମୋ ସାଙ୍ଗରେ ତ ପ୍ରତି ଦଶ ପନ୍ଦର ଦିନରେ କଥା ହେଉଛୁ । ଭିଡିଓ କଲରେ ତ ତୁ ମତେ ଦେଖୁଛୁ, ମୁଁ ତତେ ଦେଖୁଛି ।” ତା’ କଥା ନ ଶୁଣିଲା ଭଳି ବୋଉ କହିଲା, “ତୁ ଆମେରିକା କି ବମ୍ବେରେ ଥିଲେ କ’ଣ ତତେ କହନ୍ତି ଆସିବା ପାଇଁ । ସାମ୍ନାରେ ଦେଖିବା ଆଉ ସେ ପାଞ୍ଚ ଇଞ୍ଚିଆ ଫୋନରେ ଦେଖିବା କ’ଣ ଏକା କଥା?” ସୁଧୀର କହିଲା, “ହଉ, ହଉ, ମନ ଦୁଃଖ କରନା । ମୁଁ ସମୟ ବାହାର କରି ନିଶ୍ଚୟ ଆସିବି ।” ଫୋନ ରଖିଲା ବେଳକୁ ସୁଧୀର ମୁହଁରେ ସାମାନ୍ୟ ବିରକ୍ତି ଦେଖାଯାଉଥିଲା । ବିରକ୍ତି ବୋଉ ଉପରେ ନୁହେଁ, ଅନିୟନ୍ତ୍ରିତ ପାରିପାର୍ଶ୍ବିକ ଅବସ୍ଥା ଉପରେ ।

ବୁଲି ପଡ଼ିଲା ବେଳକୁ ସାମ୍ନାରେ ଠିଆ ହୋଇଥିଲା ସ୍ତ୍ରୀ ସରିତା । କହିଲା, “ସେ ବୁଢ଼ୀଲୋକଙ୍କୁ ମିଛ କାହିଁକି କହିଲ? ତମେ ତ ଏତେ ବାଟ କେବେ ବି ଯିବନି । ତମକୁ ତ ବଜ଼ାର ଯିବା କଷ୍ଟ ।” ସୁଧୀରର ବିରକ୍ତି ଏଥର କ୍ରୋଧରେ ପରିଣତ ହୋଇଗଲା, କାରଣ ତା ସ୍ତ୍ରୀ ବି ତା’ର ଅସାମର୍ଥ୍ୟତା କଥା ବୁଝି ପାରୁ ନଥିଲା । ଚିତ୍କାର କରି କହିଲା, “ସକାଳୁ ଉଠି କ୍ଷୀର ପରିବା ପାଇଁ ବଜ଼ାର ଯିବି । ସକାଳୁ ଟିକିଏ ଖବରକାଗଜ ପଢ଼ିବାକୁ ସମୟ ନାହିଁ କି ଟି.ଭି. ଦେଖିବାକୁ ବେଳ ନାହିଁ । ତା’ପରେ ପନ୍ଦର କିଲୋମିଟର ସ୍କୁଟର ଚଲେଇ କଳ୍ପନାଛକ ଯିବି ଅଫିସ ।” ସରିତା ଏ କଥାସବୁ ଏତେଥର ଶୁଣି ଥିଲା ଯେ ପୁଣି ଥରେ ଶୁଣିବାକୁ ତା’ର ଆଗ୍ରହ ନ ଥିଲା । “ବୋଉଙ୍କୁ, ଭାଇ, ଭାଉଜଙ୍କୁ ଦେଖିବାକୁ ତମର ଟିକିଏ ବି ଇଛା ହେଉନି? ସ୍ନେହ, ଶ୍ରଦ୍ଧା, ମାୟା, ମମତା ତ ତମେ କେବେ ବୁଝି ପାରନା । ଅନ୍ତତଃ କର୍ତ୍ତବ୍ୟ ଦୃଷ୍ଟିରୁ ଥରେ ଯାଇ ବୁଲି ଆସ ।” ଅସହାୟ ଲାଗୁଥିଲା ତାକୁ ।

ସେମାନେ ଦୁଇ ଭାଇ ଓ ଦୁଇ ଭଉଣୀ । ଭଉଣୀ, ଭାଇ, ଭଉଣୀ, ଭାଇ । ବଡ଼ ଭିଣୋଇ ରିଟାୟାର କଲାବେଳକୁ ଭଉଣୀକୁ ହେଇଥିଲା ବାଉନ । ଭିଣୋଇ, ଭଉଣୀ ଓ ଆଉ କେତେଜଣ ସେତିକି ବେଳେ ତୀର୍ଥ କରିବାକୁ ଗଲେ । ଗୁଜରାଟରେ କେଉଁଠି ଗୋଟେ ଜାଗାରେ ଟ୍ରେନରେ ଭଉଣୀକୁ ଜ୍ୱର ହେଲା । ପରବର୍ତ୍ତୀ ଷ୍ଟେସନ ପର୍ଯ୍ୟନ୍ତ ସେ ରହିପାରିଲା ନାହିଁ । ଚାଲିଗଲା । ଭିଣୋଇ ତୀର୍ଥ ସ୍ଥାନରେ ସତ୍କାର କରି, ଅସ୍ଥି ନେଇ ଫେରିଲେ । ଭିଣୋଇ ଦୁଇବର୍ଷ ଭିତରେ ଝିଅ ଦୁଇଜଣଙ୍କର ବାହାଘର କରିଦେଲେ । ପୁଅମାନେ ଚାକିରୀ ବି କରିଗଲେ । ଭିଣୋଇ ଏଥର ପୁଣି ତୀର୍ଥରେ ଗଲେ ଯେ ଦି ଚାରି ମାସରେ ଦି ଚାରି ଦିନ ପାଇଁ ପୋଖରୀପୁଟରେ ଥିବା ତାଙ୍କ ଘରକୁ ଆସନ୍ତି । ସେଠି ତାଙ୍କ ବଡ଼ ପୁଅ ଓ ବୋହୂ ରହନ୍ତି, ତାଙ୍କର ପୁଅ ଝିଅଙ୍କ ସାଙ୍ଗରେ । ସେ ଭଉଣୀ ବଞ୍ଚିଥିଲେ ତାକୁ ଏବେ ବାଷଠି ହୁଅନ୍ତାଣି । ସୁଧୀର ସେ ଭିଣୋଇ କିମ୍ବା ତାଙ୍କ ପିଲାମାନଙ୍କୁ ତିନି ବର୍ଷ ଭିତରେ ଦେଖାକରି ନାହିଁ । କାହିଁକି ଦେଖା କରିନାହିଁ କେହି ପଚାରିଲେ ନିର୍ବୋଧ ଭଳି ନିରୁତ୍ତର ରହିବା ଛଡ଼ା ଆଉ କିଛି ଚାରା ନାହିଁ ତା’ର । ବର୍ଷେ ହେବ ଫୋନ ବି କରିନି, ଯଦିଓ ବଡ଼ ଭଣଜା ରଞ୍ଜନ ତା’ ପୁଅର ଷୋଳପାଲା ବେଳକୁ ଫୋନ କରି ଯିବା ପାଇଁ ଅନୁରୋଧ କରିଥିଲା । ସୁଧୀର ଯାଇ ପାରିନଥିଲା ।

ସୁଧୀରର ଭାଇ କେଶବ ସୁଧୀରଠାରୁ ଦଶ ବର୍ଷ ବଡ଼ ଓ ତାଙ୍କ ଉପର ଭଉଣୀଠାରୁ ଦୁଇ ବର୍ଷ ସାନ ଓ ସାନଭଉଣୀ ସୁଧାଠାରୁ ପାଞ୍ଚ ବର୍ଷ ବଡ଼ । କେଶବ ଗତ ବର୍ଷ ରିଟାୟାର କଲେ । ରୋଗ ସବୁ ଯେମିତି ତାଙ୍କ ରିଟାୟାରମେଣ୍ଟକୁ ଅପେକ୍ଷା କରିଥିଲେ । ଏକା ସାଙ୍ଗରେ ମାଡ଼ି ବସିଲେ । ଘରେ ସାତଦିନ ବି ରହି ନାହାନ୍ତି, ଡାକ୍ତରଖାନା ଗଲେ । ସିଧା ଆଇ.ସି.ଇଉ. । ସେଠି ରହିଲେ ଦଶ ଦିନ । ସେତିକି ବେଳେ ସୁଧୀର ଓ ସରିତା ତାଙ୍କୁ ଦେଖା କରିଥିଲେ । ତାପରେ ଲିଙ୍ଗିପୁର ଘରକୁ ବି ଯାଇଥିଲେ ଦଶ ପନ୍ଦର ଦିନ ପରେ । ବୋଉ ସେତେବେଳକୁ ଆସି ନଥିଲା । ବୋଉକୁ କେହି ପୁରା ଖବର ଦେଇ ନଥିଲେ । ଦିଅନ୍ତେ ବି କେମିତି? କେହି କାହା ଖବର ଠିକ୍ କରି ରଖିନଥିଲେ, ଯଦିଓ ସମସ୍ତେ ସେଇ ଭୁବନେଶ୍ୱରରେ ରହୁଥିଲେ । ବୋଉ ରହୁଥିଲା ଗାଆଁରେ । ବୋଉ ଖବର ପାଇଲା ଝିଅ ସୁଧା ଠାରୁ । ଚାଲି ଆସିଲା ଗାଁରୁ ଜଣକୁ ସାଙ୍ଗରେ ଧରି । ମାସେ ରହିଲା ପରେ ଦ୍ଵନ୍ଦରେ ପଡ଼ିଯାଇଥିଲା ବୋଉ ଯେ ଗାଁକୁ ଫେରି ଯିବ ନା ଏଠି ରହିବ । ସେଆଡ଼େ ଗାଆଁ ଭାଟପୁରରେ ଘରବାଡ଼ି ଦେଖିବାକୁ କେହି ନାହାନ୍ତି । ଆଉ ଏଠାରେ କେଶବଙ୍କ ଦେହ ଭଲ ରହୁ ନଥିଲା । କିଡନି ଦିନକୁ ଦିନ ଖରାପ ହେଉଥିଲା । ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବି ଭାଙ୍ଗି ଭାଙ୍ଗି ଯାଉଥିଲା । ବୋଉକୁ ବୟସ ପାଖାପାଖି ଅଶୀ, ତଥାପି ନିଜ କାମ ନିଜେ କରି ପାରୁଥିଲା । ବୋହୂକୁ ରୋଷେଇବାସରେ ଟିକିଏ ଟିକିଏ ସାହାଯ୍ୟ ବି କରୁଥିଲା । ଦିନେ ବୋହୂକୁ କହିଲା, “ମାଆ, ମୁଁ ଏଠିତ କିଛି କାମ କରି ପାରୁନି । ଖାଲିଟାରେ ତମ ଉପରେ ବୋଝ ହୋଇ ପଡ଼ୁଛି ।” ବୋହୂ କାନ୍ଦିଲା, “ତମ ପୁଅଙ୍କୁ ତ ଦେଖୁଚ । ମତେ ଦେଖୁଚ । ତମ ମନ ଯଦି କହୁଚି ଆମକୁ ଏମିତି ଛାଡ଼ି ଚାଲି ଯିବା ପାଇଁ, ତମେ ଯା ।” ଶାଶୂ ବୋହୁ କୁଣ୍ଢାକୁଣ୍ଢି ହୋଇ କାନ୍ଦିଲେ । ବୋଉ ରହିଗଲା । କେଶବ ଯାହାହେଉ ରିଟାୟାରମେଣ୍ଟ ପୂର୍ବରୁ ଝିଅ ଦୁଇଜଣଙ୍କର ବାହାଘର କରିଦେଇଥିଲେ । ପୁଅଟି ବାଙ୍ଗାଲୋରରେ ଚାକିରୀ କରିଥିଲା ।

ସରିତା ପଚାରିଲା, “କ’ଣ ଏତେ ଭାବୁଛ?” ସୁଧୀର କହିଲା, “ମୋତେ ସବୁଠାରୁ ଦୁଃଖ ଲାଗୁଛି ଯେ ତମେ ବି ମୋତେ ବୁଝୁନ ।” ସରିତା କିଛି କହିଲା ନାହିଁ । ସୁଧୀର ବୁଝେଇଲା ଭଳି କହିଲା, “ଭୁବନେଶ୍ୱରରେ କାର୍ ଚଲେଇବା ଯେତିକି ବିପଦ, ସ୍କୁଟର ଚଲେଇବା ତା’ଠୁ କିଛି କମ୍ ନୁହେଁ । ଭୁବନେଶ୍ୱରରେ ଦିନକୁ ଦଶଟା ବଡ଼ ବଡ଼ ଆକ୍ସିଡେଣ୍ଟ ହେଉନି, ଏଇଟା ମୋ ପାଇଁ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ । ଖଣ୍ଡଗିରି ଛକ ଯଦି କିଏ ଦଶ ମିନିଟରୁ କମରେ ପାରି ହୋଇଯାଏ, ତେବେ ସେଇଟା ହେବ ନବମ ଆଶ୍ଚର୍ଯ୍ୟ ।” ସୁଧୀର ଭାବୁଥିଲା ସେ ବହୁତ ମଜାଳିଆ କଥା କହୁଛି ବୋଲି । ସୁନିତା କିନ୍ତୁ ହସୁ ନଥିଲା । କହିଲା, “ତମେ ଯିବାକୁ ଚାହୁଁନ, ସେ ଅଲଗା କଥା । ଭୁବନେଶ୍ୱର, ଟ୍ରାଫିକ, ରାସ୍ତା ଏ ଗୁଡ଼ାକୁ ଦୋଷ ଦିଅନି ।” ସୁଧୀର ଫୋପାଡ଼ିବା ଭଳି କହିଲା, “ତମେ କାର୍ କି ସ୍କୁଟର ଚଲେଇ ଜାଣିଥିଲେ, ଜାଣନ୍ତ କେତେ କଷ୍ଟ କଳିଙ୍ଗ ବିହାରରୁ ଲିଙ୍ଗିପୁର ଯିବା ।” ସୁନିତା ଉତ୍ୟକ୍ତ ହୋଇ ଆସୁଥିଲା । “ମୁଁ ସିନା କାର୍ କି ସ୍କୁଟର ଚଲେଇ ଜାଣିନି, ସୁଧା ଦେଇ ବର ନିତ୍ୟାନନ୍ଦ ଭାଇ ଷାଠିଏ ବର୍ଷ ବୟସରେ ସୁଧା ଦେଇକୁ ବୁଲେଟରେ ବସେଇ ପଟିଆରୁ ଏଠିକି ତ ପୁଣି ଆସୁଛନ୍ତି । ସେ ତ ତମଠୁ ଦଶ ବର୍ଷ ବଡ଼ । ତାଙ୍କୁ ଷାଠିଏ । ତମକୁ ତ ପଚାଶ । ତମକୁ ସବୁ ରକମ ଡର ।” ସୁଧୀରର ପୌରୁଷକୁ ବାଧିଲା ଭଳି କଥାଟିଏ କହିଦେଲା ତା ସ୍ତ୍ରୀ । “କ’ଣ କହୁଚ ତା’ ମାନେ? ମୁଁ ସବୁ ମନ ଗଢ଼ା କଥା କହୁଛି?”

ତାଙ୍କ ଝିଅ ଶାନ୍ତା ସେଇଠି ଠିଆ ହୋଇ ବାପା ବୋଉଙ୍କ କଥାବାର୍ତ୍ତା ଶୁଣୁଥିଲା । ଶାନ୍ତାକୁ ବାଇସି ବର୍ଷ । ଏମ.ବି.ଏ. ସାରିଛି । ଗୋଟେ ଦୁଇଟା ଚାକିରିର ଅଫର ବି ଆସିଛି । ଶାନ୍ତା କଳିହୁଡ଼ି ନୁହେଁ, ସ୍ପଷ୍ଟବାଦୀ । ସମ୍ମାନ ଦିଏ, ଭୟ କରେନା । “ତମେ ଦି ଜଣ ଏଇମିତି ଝଗଡ଼ା ଲାଗ । ଆଉ ତ କିଛି କରିପାରିବନି । ତମେ ଥାଅ । ମୁଁ କାଲି ଓଲା କି ଉବେର କରି ଯାଇ ବୁଲି ଆସିବି । ପରେ ମତେ ଆଉ ଛୁଟି ମିଳିବ ନାହିଁ କି ସୁବିଧା ମିଳିବନି ।” ସୁଧୀର ହଁ କହି ପାରୁନଥାନ୍ତି କି ନାଁ କହି ପାରୁ ନଥାନ୍ତି । ହଠାତ୍ ଶାନ୍ତା ଦୃଢ ଓ ସାମାନ୍ୟ ଉତ୍ତେଜିତ ଭାବେ କହିଲା, “ବାପା, ଭୁବନେଶ୍ୱରକୁ ଦୋଷ ଦେବା ଗୋଟେ ବାହାନାବାଜି । ଭୁବନେଶ୍ୱରକୁ ହୃଦୟହୀନ, ଚାରିତ୍ରହୀନ କହୁଥିବା ଲୋକମାନେ ନିଜେ ହିଁ ହୃଦୟହୀନ, କାପୁରୁଷ, ନିଜର ଆତ୍ମରକ୍ଷାରେ ବ୍ୟସ୍ତ । ଏଇ ଭୁବନେଶ୍ୱରରେ ଯାହାର ରହିବାକୁ ଜାଗା ନାହିଁ, ଦି ଓଳି ଖାଇବାର ଗ୍ୟାରେଣ୍ଟି ନାହିଁ, ତା’ପାଇଁ ଭୁବନେଶ୍ୱର ଯାହା, କଳାହାଣ୍ଡି ସେୟା, ଭାଟପୁର ସେଇୟା ।” ଶାନ୍ତାର ବକ୍ତବ୍ୟ ସୁଧୀରକୁ ରାଜନୈତିକ ବକ୍ତୃତା ଭଳି ଶୁଭୁଥିଲା । ଶାନ୍ତା କହି ଚାଲିଥିଲା, “ତୁମ ହୃଦୟରେ ତୁମ ମାଆପାଇଁ କେତେ ମମତା, ଭାଇପାଇଁ କେତେ ଦରଦ, ସେମାନଙ୍କୁ ଦେଖିବାକୁ ତମେ କେତେ ବିକଳ ନିଜକୁ ପଚାରି ଦେଖ ।” ଶାନ୍ତା ବୁଲିପଡ଼ି ଘରଭିତକୁ ଚାଲିଗଲା । ସୁଧୀର ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ସୁନିତାକୁ କହିଲା, “ମୁଁ ତ ସବୁବେଳେ ବୋଉକୁ ଦେଖିବାକୁ ଚାହୁଁଚି, ତେଣୁ ଭିଡ଼ିଓ କଲ କରୁଛି । କଥା ହେଉଛି ।” ସୁଧୀର ଭାବିଥିଲା, ତା ସ୍ତ୍ରୀ ତାକୁ ସହାନୁଭୂତି ଜଣାଇବ । କିନ୍ତୁ ସୁନିତା ଓଲଟେଇକି କହିଲା, “ତା’ହାଲେ ଆଜି ରାତିରେ ତମେ ତମ ଫୋନରେ ଭିଡ଼ିଓ ଅନ୍ କରିଦିଅ । ମୁଁ ମୋ ଫୋନରେ ଭିଡ଼ିଓ ଅନ୍ କରି ଶୋଇବି ।” ସୁଧୀର ବିରକ୍ତ ହୋଇଗଲା । “ବୋଉ ଆଉ ଭାଇଙ୍କୁ ଦେଖା କରିବା ଆଉ ତମ ସହ ସମ୍ପର୍କ କ’ଣ ଏକା କଥା ।” ସୁନିତା କହିଲା, “ମୁଁ ବି ସେଇଆ କହୁଚି । ମାଆ-ପୁଅର ସମ୍ପର୍କରେ, ଭାଇ-ଭାଇର ସମ୍ପର୍କରେ ବି ମମତା ଥାଏ । ସ୍ପର୍ଶରେ ଏକ ଶକ୍ତି ଥାଏ, ଏକ ଆନ୍ତରିକତା ଥାଏ ।” ସୁଧୀର ନିରବ ରହିଲା । ସୁନିତା ଠିକ୍ କଥା କହୁଥିଲା ।

ସୁଧୀର ଭାବୁଥିଲା, “ସେ କ’ଣ ଏକା ଯିଏ ବାହାରକୁ ବାହାରିବା ପାଇଁ ପଛୋଉଛି? ଗୋଟିଏ ନିର୍ଦ୍ଦିଷ୍ଟ, ସଂକୀର୍ଣ୍ଣ, ଧରାବନ୍ଧା, ଯାନ୍ତ୍ରିକ ଜୀବନଯାପନ କରିବାକୁ ଚାହୁଁଛି? ଯେଉଁଥିରେ ସାମାନ୍ୟତମ ବ୍ୟତିକ୍ରମ ସେ ସହ୍ୟ କରି ପାରୁ ନାହିଁ?” ନା, ସେ ଏକା ନୁହେଁ, ତା’ ଅଫିସରେ ଅନେକ ବନ୍ଧୁ ସେହିପରି ମନୋଭାବ ଦେଖାଇଥାନ୍ତି । ଭୁବନେଶ୍ୱରରେ ଏତେ ବର୍ଷ ରହିବା ଭିତରେ ସେ କେତେ ଜଣଙ୍କ ଘରକୁ ଯାଇଛି ବା କେତେ ଜଣ ତା’ ଘରକୁ ଆସିଛନ୍ତି? ବହୁତ କମ୍ । ମାଡ଼ି ମାଡ଼ି ଚାରି ପାଞ୍ଚ ଜଣ । ଏଇଟା ହୁଏତ ଭୁବନେଶ୍ୱରର ସଂସ୍କୃତି, ଚରିତ୍ର ବା ଚରିତ୍ରର ଅଭାବ । ପରସ୍ପରର ନିକଟବର୍ତ୍ତୀ ନ ହେବା । ଶାନ୍ତା କିନ୍ତୁ ମାନୁନଥିଲ । କହିଥିଲା, “ତୁମ ବ୍ୟକ୍ତିଗତ ଚରିତ୍ର ଓ ସଂସ୍କୃତି ସହ ଏ ସହରର ଚରିତ୍ରକୁ ଗୋଳେଇ ମିଶେଇ ପକାନି । ଭୁବନେଶ୍ୱର ଅତି ବେଶୀରେ ଗୋଟେ ଅପରିଚିତ ପରିବର୍ତ୍ତନ । ଟାଣୁଆ ମଣିଷ ତା’ର ବିବେକ, ଦାୟିତ୍ୱ ଓ କର୍ତ୍ତବ୍ୟକୁ ଠିକ୍ ବୁଝେ ଓ ସମ୍ପାଦନ କରେ । ପାରିପାର୍ଶ୍ବିକ ଅବସ୍ଥା କିଛିଟା ପ୍ରଭାବ ପକାଇ ପାରେ, କିନ୍ତୁ ବ୍ୟକ୍ତିର କାର୍ଯ୍ୟକଳାପକୁ ଡିକଟେଟ କରେନି । ତୁମେ ହୁଏତ ଭୁବନେଶ୍ୱର ବେଶୀ ଅଧିକାର, ବେଶୀ ସମ୍ମାନ ଦେଇ ଦେଉଛ । ଭୁବନେଶ୍ୱର ତା’ ବାଟରେ ସଂସପ୍ରସାରିତ ହେଉଛି, ଆଉ ତମେ ତମ ଅଜାଣତରେ ସଙ୍କୁଚିତ ହୋଇ ଯାଉଛ ।” ସୁଧୀର ମାନିବାକୁ ବାଧ୍ୟ ହେଉଥିଲା ଯେ ସେ ଟିକିଏ ଅଳସୁଆ ହୋଇ ଯାଉଛି । ଅମୂଲ୍ୟ ଆନ୍ତରିକତାର ସେ ଗାଣିତିକ ମୂଲ୍ୟାଙ୍କନ କରିବାକୁ ଚେଷ୍ଟା କରୁଛି । ସେ ଆଉ ଭାବି ପାରିଲା ନାହିଁ । ସୁନିତା ଓ ଶାନ୍ତାଙ୍କୁ କହିଲା, “ଠିକ୍ ଅଛି । ରବିବାର ଦିନ ଯିବା ।” ସେ ଦୁଇ ଜଣଙ୍କ ମୁହଁରେ ଅବର୍ଣ୍ଣନୀୟ ହସର ଫୁଲ ଫୁଟି ଉଠୁଥିଲା ।

ରବିବାର ସକାଳୁ ଘରୁ ବାହାରିଲା ବେଳୁ ସୁନିତା ଓ ଶାନ୍ତା ଆନନ୍ଦ ଓ ଉଲ୍ଲାସରେ ଏକ ରକମ ଡେଉଁ ଥାଆନ୍ତି । କିନ୍ତୁ ସୁଧୀର ମୁଣ୍ଡରେ ସେଇ ଗୋଟିଏ ଚିନ୍ତା । କେତେ ଶୀଘ୍ର ସେ ଘରକୁ ଫେରି ଆସି ପାରିବ । କିନ୍ତୁ ତା’ ବିରକ୍ତି ବା ଅଧୈର୍ଯ୍ୟଭାବ ତାରି ଭିତରେ ଚାପିଚୁପି ରଖୁଥାଏ ସେ । ରବିବାର ହେଲେ ବି ରାସ୍ତାରେ ଭିଡ଼ କିଛି କମ୍ ଲାଗୁ ନଥାଏ । ଭାଇଙ୍କ ଘର ପାଖରେ ପହଞ୍ଚିବାକୁ ପ୍ରାୟ ଘଣ୍ଟେ ଲାଗିଗଲା । ଦେଢ଼ ଗୁଣ୍ଠ ଜାଗା ଉପରେ ହଜାରେ ବର୍ଗଫୁଟର ଏକମହଲା ଘରଟିଏ । ସୁନ୍ଦର ଦେଖା ହେଉଥିଲା । ଘର ଓ ପାଚେରୀ ଭିତରେ ଯେତିକି ଜାଗା ସେଥିରେ କେତେ ରକମ ଫୁଲ ହସୁଛନ୍ତି । କିଏ କରୁଛି? ଭାଇ, ଭାଉଜଙ୍କର ତ ଦେହ ଖରାପ । ବୋଉ ତ ସିଧା ଠିଆ ହୋଇ ପାରୁନି । ବୋଧେ ମୂଲିଆ ଲାଗେଇଛନ୍ତି । ସମସ୍ତେ ବୋଉକୁ ଜୁହାର ହେଲେ । ଶାନ୍ତା ଆଉ ସରିତାଙ୍କ ମୁହଁକୁ ଧରି ବୋଉ ଗେଲ କଲା । ସୁଧୀରର ଦୁଇ ବାହା ଧରି ତା ମୁହଁକୁ ଅନେଇଲା । ଫଟ୍ କରି କୁଣ୍ଢେଇ ପକେଇଲା । ଝର ଝର ଲୁହ ବୋହିଗଲା ତା’ ଆଖିରୁ । ଭାଇଙ୍କ ପାଖକୁ ଯିବା ଆଗରୁ ଭାଉଜ ଦେଖା ହେଲେ । ଭାଉଜ ତାଠୁ ପାଞ୍ଚ ବର୍ଷ ବଡ଼ ହେଲେ ବି, ସବୁ ବେଳେ ତା’ଠୁ କମ୍ ବୟସର ଲାଗନ୍ତି ସୁଧୀରକୁ । ବହୁତ ସୁନ୍ଦର ସେ ଦେଖିବାକୁ । କିନ୍ତୁ ଏଇ ବର୍ଷେ ଭିତରେ ତାଙ୍କ ବୟସ ଦଶ ବର୍ଷ ବଢ଼ିଗଲା ଭଳି ଲାଗୁଥିଲା । ମଳିନ ହସଟିଏ ହସି ସୁଧୀର ମୁଁହରେ ହାତ ବୁଲେଇ ନେଇ ଓଠରେ ମାରିଦେଲେ । ଆଖି ତାଙ୍କର ଛଳ ଛଳ ହୋଇ ଆସୁଥିଲା । ବହୁତ କିଛି କହିବାକୁ ଚାହିଁ, ଯେମିତି କିଛି କହି ପାରୁ ନଥିଲେ । ଭାଇଙ୍କୁ ଚିହ୍ନି ହେଉ ନଥିଲା । ସବୁ ବେଳେ ମୋଟା ଓ ପେଟୁଆ ଦେଖା ଯାଉଥିବା ଭାଇ ଶୁଖିକି କଣ୍ଟା ଦେଖା ଯାଉଥିଲେ । ବିକଳ ମୁହଁରେ ଅସହାୟତା ଓ ଅହେତୁକ ଭୟର ଛାପ । ଶୋଇ ଥାଆନ୍ତି ସେଇମିତି ଖଟ ଉପରେ । ସୁଧୀରର ହାତକୁ ଦୁଇହାତରେ ଜାବୁଡ଼ି ଧରିଲେ । ତାଙ୍କ ଆଖିରୁ ଲୁହ ଦୁଇ ଟୋପା ଗଡ଼ି ଆସିଲା । ସୁଧୀର ଆଖିରୁ ବି ଲୁହ ଗଡ଼ିପଡିଲା । ଚେଆରଟେ ଆଣି ଭାଇଙ୍କ ପାଖରେ ବସିଲା । ପଛରେ ବୋଉ ଓ ଭାଉଜ ଠିଆ ହୋଇଥାନ୍ତି । ଗୋଟେ ପାଖକୁ ସରିତା ଠିଆ ହୋଇଥାଏ । ସମସ୍ତେ ନିରବ ଓ ଗମ୍ଭୀର । ଆର ପାଖରେ ଶାନ୍ତା ଠିଆ ହୋଇଥିଲା । ହଠାତ୍ ସେ ନଇଁ ପଡ଼ି, କେହି ନ ଶୁଣିଲା ପରି ସୁଧୀର କାନରେ କହିଲା, “ଏ ସବୁ କ’ଣ ଭିଡିଓରେ ଦେଖି ନ ଥିଲ?” ଶାନ୍ତା ତା’ ମୋବାଇଲରେ ବହୁତ ଫଟୋ ଉଠେଇଲା ।

କିଛି ସମୟ ପରେ ସୁଧୀର ଆସି ବସିଲା ବୋଉ ଓ ଭାଉଜ ପାଖରେ । ଗମ୍ଭୀର ପରିସ୍ଥିତିକୁ ହାଲୁକା କରିବା ପାଇଁ ପଚାରିଲା, “ଏ ଫୁଲଗଛ ସବୁ କିଏ ଲଗେଇଛି? ମୂଲିଆ ନା ମାଳି?” ଭାଉଜ ପ୍ରଥମଥର ପାଇଁ ହସିଲେ । କହିଲେ, “ଏଠି ମୂଲିଆ ମାଳି ମିଳନ୍ତିନି । ଇଏ କଣ କଳିଙ୍ଗ ବିହାର ହୋଇଛି? ଏ ସବୁ ବୋଉଙ୍କ କାମ । ଖୁଟୁରୁ ଖୁଟୁରୁ କି ମାଟି ଖୁସେଇ କି, ଗଉଡ଼କୁ କହି ଖତ ଆଣି ଗଛ ଆଉ ଚାରା ସବୁ ଲଗେଇଛନ୍ତି । ତାଙ୍କ ହାତରେ ଗଛ ସବୁ ଭଲ ହୁଏ ।” ଅଶୀ ବର୍ଷ ବୟସରେ ବି ବୋଉ ଲାଜେଇଗଲା । କହିଲା, “ସେଇ ବଗିଚା ଖଣ୍ଡକ କେଶବର ଜୀବନ । ଦେହ ଖରାପ ହେବା ଦିନଠୁ, ବିଛଣାରେ ନ ହେଲେ ସେ ବଗିଚାରେ । ପାଣି ଦେଉଥିବ ନ ହେଲେ ଘାସ ବାଛୁଥିବ ।” ସମସ୍ତେ ଅନବରତ କଥାବାର୍ତ୍ତା ହୋଇ ଚାଲିଥାଆନ୍ତି । ସତେ ଯେମିତି ବର୍ଷ ବର୍ଷ ଧରି ଦେଖା ହୋଇନି । ବୋଉ କହୁଥାଏ, “ଖାଲି ଆମ ଘର ନୁହେଁ । ଭାଟପୁରରେ ଅଧା ତିନିପା’ ଲୋକଙ୍କ ଡିହ ଖାଲି ପଡ଼ିଛି । କିଏ କୁଆଡ଼େ ହିସାବ ନାହିଁ ।” ସୁଧୀର ମଝିରେ ମଝିରେ ଉଠି ଯାଇ ଭାଇଙ୍କ ପାଖରେ ବସୁଥାଏ । ଶାନ୍ତାକୁ ଡାକିକି କହୁଥାଏ, “ମୋର ଆଉ ଭାଇଙ୍କର ଫଟୋ ଉଠା ।” ତା’ମନରେ କ’ଣ ହେଉଥାଏ ସେ ନିଜେ ବି ବୁଝି ପାରୁ ନଥାଏ ।

ଖାଇବାବେଳେ ସୁଧୀର ଦେଖୁଥାଏ ଦି ଘଣ୍ଟା ଭିତରେ ଭାଉଜ ଓ ବୋଉ କେତେ କଣ ରାନ୍ଧି ଥାଆନ୍ତି । ଖାଇବା ସାରିଲା ପରେ, ସୁନିତା ଯାଇ ସାମ୍ନା ବଗିଚାରେ ବୁଲି ବୁଲି ଫୁଲଗଛ ସବୁ ଦେଖୁଥାଏ । ସୁଧୀର ଆସି ପାଖରେ ଠିଆ ହେଲା । ସୁନିତା ଜାଣିଗଲା ଯେ ସୁଧୀର ବାହାରିବାକୁ କହିବ । ତେଣୁ ସୁଧୀର କହିବା ଆଗରୁ ସୁନିତା ଥଟ୍ଟା କଲା ଭଳି କହିଲା, “କ’ଣ, ବାହାରିବା ବେଳ ହୋଇଗଲା?” ସୁଧୀର ଅପମାନିତ ବୋଧ ନ କରି କହିଲା, “ମୁଁ ଗୋଟେ କଥା ଭାବୁଛି ।” ବିସ୍ମୟ ଓ ପ୍ରଶ୍ନୀଳ ଭାବେ ସୁନିତା ଅନେଇ ରହିଲା । ସୁଧୀର କହିଲା, “ମୁଁ କ’ଣ ଭାବୁଥିଲି କି, ଲିଙ୍ଗିପୁରରୁ କଳ୍ପନା ଛକ ବେଶୀ ବାଟ ନୁହେଁ । ଏ ସପ୍ତାହଟା ଆମେ ଏଇଠି ରହି ଯାଆନ୍ତେ । ମୁଁ ଏଇଠୁ ଅଫିସ ଯିବାଆସିବା କରନ୍ତି । ଆର ରବିବାର ଦିନ ସକାଳୁ ବାହାରିଯାଆନ୍ତେ । ସୁଧା ଦେଇ ଘରେ ମୁହଁ ମାରି ଦେଇ ଘରକୁ ଯାଆନ୍ତେ ।” ସୁନିତା ପ୍ରଥମେ ବୁଝି ପାରିଲା ନାହିଁ । ବୁଝିଲା ପରେ ବିଶ୍ୱାସ କରିପାରିଲାନି । ବିଶ୍ୱାସ କଲା ପରେ ନିଜକୁ ସମ୍ଭାଳି ପାରିଲାନି । ସୁଧୀର ଗାଲରେ ଗେଲଟେ ଦେଇ ଦେଲା । ପଛରୁ ଶାନ୍ତାର ସ୍ୱର ଶୁଭିଲା, “ଭିଡ଼ିଓ ରେକଡିଂ ହୋଇ ଯାଇଛି ।”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିରଜା ପ୍ରସାଦ ମହାନ୍ତି

ବିରଜା ପ୍ରସାଦ ମହାନ୍ତି (ଜନ୍ମ: ୧୮ ସେପ୍ଟେମ୍ବର ୧୯୫୦) ୨୦୧୦ ମସିହାରେ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ଲେଖାଲେଖି ଆରମ୍ଭ କରିଥିଲେ । ଲେଖାଲେଖି ଆରମ୍ଭ କରିବାର ଅଳ୍ପ ଦିନ ମଧ୍ୟରେ ତାଙ୍କ ରଚିତ ବିଭିନ୍ନ ରଚନା ସମ୍ବାଦ, ଗଳ୍ପଭୂମି, ପକ୍ଷୀଘର, ସମ୍ବାଦ କଳିକା, କଥା, ନବଲିପି, କଥା କଳିକା ଆଦି ବିଭିନ୍ନ ଖବର କାଗଜ ଓ ପତ୍ରପତ୍ରିକାଆଦିରେ ପ୍ରକାଶ ପାଇଛି । ଶୁଭପଲ୍ଲବରେ ତାଙ୍କର ବିଭିନ୍ନ ରଚନାମାନ ପ୍ରକାଶ ପାଉଛି ।

Leave a Reply

Close Menu