You are currently viewing ମକର ସଂକ୍ରାନ୍ତି- ନାନାବିଧ ମାହାତ୍ମ୍ୟ
ମକର ସଂକ୍ରାନ୍ତି- ନାନାବିଧ ମାହାତ୍ମ୍ୟ

ମକର ସଂକ୍ରାନ୍ତି- ନାନାବିଧ ମାହାତ୍ମ୍ୟ

ସକଳ ଶକ୍ତିର ଆଧାର ସୂର୍ଯ୍ୟ । ଭାରତ ବର୍ଷରେ ସୂର୍ଯ୍ୟଙ୍କୁ ଦେବତା ରୂପେ ପୂଜା କରାଯାଏ, ତେଣୁ ଅନେକ କାର୍ଯ୍ୟ ତଥା ପର୍ବ ସେହି ଭାସ୍କରଙ୍କୁ ଆଧାର କରି ଆରମ୍ଭ ତଥା ପାଳନ କରାଯାଏ । ସେହିପରି ଏହି ମକର ପୁଙ୍ଗନ ତଥା ପୌଷ ସଂକ୍ରାନ୍ତିର ଅନେକ ସାମାଜିକ, ସାଂସ୍କୃତିକ ଏବଂ ବୈଜ୍ଞାନିକ ମାହାତ୍ମ୍ୟ ରହିଛି । ମଣିଷର ବିଶ୍ୱାସ ହେଉଛି ଆସ୍ଥା ଏବଂ ଆସ୍ଥା ସଂସ୍କୃତିର ଏକ ମୂଳ ସମ୍ୱଳ । ନାନାବିଧ ମାହାତ୍ମ୍ୟ ତଥା ଅନେକ ରହସ୍ୟର ଗନ୍ତାଘର ଏଇ ସୁବର୍ଣ୍ଣ ମେଖଳା ଭାରତ ଭୂମି, ଯାହାର ପ୍ରତିଟି ବସ୍ତୁ, ପର୍ବରେ ରହସ୍ୟ ନିହୀତ । କେବଳ ଭାରତ କ’ଣ ଆଜିକାଲି ଭାରତର ଏହି ପରମ୍ପରା ବିଶ୍ୱ ବିକ୍ଷାତ ତଥା ବିଶ୍ୱ ଦରବାରରେ ସୁନାମ ଅର୍ଜନ କରି ସାରିଛି ।

ଶୀତର ଜାଡ଼ତ୍ୱ ମଧ୍ୟରେ ଏଇ ପର୍ବ ସତେ ଯେପରି ଉଲ୍ଲାସର ଉଷ୍ମତା ଭରିଦେଇଥାଏ ସମସ୍ତଙ୍କ ମଧ୍ୟରେ । ବୈଜ୍ଞାନିକମାନଙ୍କ ମତରେ ଏହି ଦିନଠାରୁ ଆରମ୍ଭହୁଏ ସୂର୍ଯ୍ୟଙ୍କର ଉତ୍ତରାୟଣ ଅବଧି । ଅର୍ଥାତ, ଆରମ୍ଭ ହୁଏ ଉଷ୍ମତାର ପ୍ରଭାବ । ମାତ୍ର ଏହାପଛରେ ମଧ୍ୟ ରହିଛି ଏକ ପୌରାଣିକ ଗାଥା ଯହିଁରେ କର୍ମଫଳ ଦାତା ଶନିଶ୍ଚର ନିଜ ପିତାଙ୍କ ନିକଟତର ହୋଇଥାନ୍ତି । ଏପରି ଏକ ଅପୁର୍ବ ପୌରାଣିକ କିମ୍ୱଦନ୍ତି, ଯେତେବେଳେ ଭଗବାନ କପିଳଙ୍କ ଦ୍ୱାରା ଅଭିଶାପ ପାଇ ଶ୍ରୀରାମଚନ୍ଦ୍ରଙ୍କ ପୁର୍ବପୁରୁଷ ଅମୋକ୍ଷ ଅବସ୍ଥାରେ ଥିଲେ, ସେତେବେଳେ ତାଙ୍କ କୁଳରେ ଆଶାର କିରଣ ରୂପେ ଆସିଥିଲେ ରାଜା ଭାଗୀରଥ ।

ସେ ହଜାର ବର୍ଷ ତପସ୍ୟା କରି ମାତା ମନ୍ଦାକିନୀଙ୍କୁ ପ୍ରସନ୍ନ କରି ଏହି ଦିନ ପୃଥିବୀକୁ ଆଣିଥିଲେ ଯାହାଫଳରେ ତାଙ୍କ ପୁର୍ବପୁରୁଷ ମୁକ୍ତି ପାଇଥିଲେ । କୁହାଯାଏ ଇଚ୍ଛାମୃତ୍ୟୁ ବରଦାନ ପାଇଥିବା ଶ୍ରେଷ୍ଠ କୁରୁ ପିତାମହ ଭୀଷ୍ମ ଏହିଦିନ ଦେହତ୍ୟାଗ କରିଥିଲେ । ଏହାଛଡ଼ା ସମୁଦ୍ର ମନ୍ଥନରୁ ନିର୍ଗତ ଅମୃତର ଏକ ଟୋପା ପୃଥିବୀର ତ୍ରିବେଣୀ ସଙ୍ଗମରେ ପଡ଼ିଥିଲା ତେଣୁ ଆଜିପରି ଦିନ ପ୍ରତି ବାରବର୍ଷରେ ଥରେ ମହାକୁମ୍ଭ ମେଳାର ଆରମ୍ଭ ଆଜିପରି ଦିନରେ ହୋଇଥାଏ । ମକର ସଂକ୍ରାନ୍ତିରେ ସ୍ନାନକର୍ମ ସାରି ଦେବ ଦର୍ଶନ ତଥା ନବ ଜପ ତପ ଏବଂ ତୀର୍ଥ ଯାତ୍ରା ଶୁଭ ମଙ୍ଗଳ ହୋଇଥାଏ ।

ଏହିପରି ଦିନରେ ମହାପ୍ରଭୁ ଜଗତରନାଥ ମହାବ୍ରହ୍ମ ଶ୍ରୀଜଗନ୍ନିଥଙ୍କର ନବାଙ୍କ ବେଶ କରାଯାଏ । ସୁନ୍ଦର ସୁଲୋଭିତ ସୁବର୍ଣ୍ଣିତ ଗେଣ୍ଡୁ ଫୁଲର ମାଳାରେ ସୁଶୋଭିତ ହୋଇଥାନ୍ତି ଅନନ୍ତନାଥ ଜଗତପାଳକ ଶ୍ରୀଅରବିନ୍ଦ ମହାପ୍ରଭୁ । ମାତା ମହାଲକ୍ଷ୍ମୀ ଫେରିଥାନ୍ତି ନିଜ ବାପଘରୁ । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପୌଷ ମାସରେ ବିବାହ ଆଦି କର୍ମ କରିବାର କୌଣସି ସୁତିଥି, ସୁଲଗ୍ନ ନାହିଁ । ଦିବାକର ଏହିଦିନଠାରୁ ଧନୁ ମାସରୁ ମକର ମାସକୁ ଗତି କରନ୍ତି । ଯାହା ଫଳରେ ସ୍ନିଗ୍ଧତାର ପତନ ଆରମ୍ଭ ହୋଇଯାଏ । ଓଡ଼ିଶାର ସଂସ୍କୃତି ତଥା ପରମ୍ପରାର ଏକ ସୁବର୍ଣ୍ଣ ସ୍ମାରକୀ ହେଉଛି ମକର ସଂକ୍ରାନ୍ତି, ଯାହା ବନ୍ଧୁତ୍ୱର ମିଳନର ଏକ ମାଧୁର୍ଯ୍ୟମୟ ଅବଧି ।

କୁହାଯାଏ;

ମନ ମିଳନର ଅଭୂତ ସ୍ମାରକୀ
ଜାଡ଼ମୟ ପୌଷେ ଆସେ ମନମୁଖୀ
ବନ୍ଧୁତ୍ୱର ଡୋରି ବାନ୍ଧି ମଥାଶିରୀ
ମକର ସାଜନ୍ତି କେତେ ନର ନାରୀ
ଖାଆନ୍ତି ଅପୁର୍ବ ମକର ଚାଉଳ
ପିନ୍ଧିଥାନ୍ତି ନବ ବସ୍ତ୍ର ସ୍ୱର୍ଣ୍ଣଜଳ
କରନ୍ତି ଶପଥ ବନ୍ଧୁତ୍ୱରେ ଜଣେ
କେବେ ନ ସାଜିବେ ଶତ୍ରୁ ସେ ଜୀବନେ ।

ଏହିପରି ଭାବେ ସାମାଜିକ ଦୃଷ୍ଟିକୋଣରୁ ମକର ସଂକ୍ରାନ୍ତିର ସ୍ଥାନ ବହୁତ ଉଚ୍ଚରେ ଯାହାର ବ୍ୟାଖାରେ ସମଗ୍ର ଓଡ଼ିଆ ଭାଷା ସାହିତ୍ୟର ଶବ୍ଦ କମ୍ ପଡ଼ିଯିବ ।

ରକ୍ତରେ ରଙ୍ଗୋଲି କରୁଥିବା ଶତ୍ରୁ ମଧ୍ୟ ନିଜ ଶତ୍ରୁତାକୁ ଭୁଲି ବଢ଼େଇ ଦିଅନ୍ତି ମିତ୍ରତାର ପାପୁଲି । ତେଣୁ କୁହାଯାଏ ମକର ସଂକ୍ରାନ୍ତି – ଉତ୍ତରାୟଣରେ ଏକତା ।

ଏହା ଛଡ଼ା ବିଭିନ୍ନ ଗାଁ ତଥା ବଡ଼ ବଡ଼ ସହରମାନଙ୍କରେ ଆରମ୍ଭ ହୋଇଥାଏ ଏକ ଭିନ୍ନ ସ୍ଵାଦର ପ୍ରତିଯୋଗିତା ଯାହାକୁ କୁହାଯାଏ, ଗୁଡ଼ି ଉଡ଼ାଣ ପ୍ରତିଯୋଗିତା । ଏପରି ପ୍ରତିଯୋଗିତାରେ ଅନେକ ଲୋକ ଅଂଶଗ୍ରହଣ କରି ନିଜ ପିଲାବେଳ ସ୍ମୃତିକୁ ଜୀବନ୍ତ କରିଥାନ୍ତି । ବାସ୍ତବିକ ମକର ସଂକ୍ରାନ୍ତି ହେଉଛି ସ୍ମୃତିର ରୋମନ୍ଥକ । ସେଇ ଦିବ୍ୟ ପବିତ୍ର ପାର୍ବଣର ସମାଗମ ଅନେକ ଶିକ୍ଷା ଦେଇଯାଏ, ବନ୍ଧୁତ୍ୱର ବାର୍ତ୍ତା ନେଇଯାଏ, ମାନବିକତାର ମନ୍ତ୍ର ଶିଖାଇଦିଏ ।

– ଆୟୁଷ୍ମାନ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆୟୁଷ୍ମାନ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।