You are currently viewing ପୁରୁଷ ସିଂହ: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ପୁରୁଷ ସିଂହ: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ସେଦିନ ଜମିଦାରୀର ଅନ୍ୟ ଏକ ଭାଗ ପୁରୀ ଜିଲ୍ଲା ଡେଲାଙ୍ଗରେ ଦିବଙ୍ଗତ ମହାନାୟକ ବିଜୁ ବାବୁଙ୍କ ପିତା ଦିୱାନ ଲକ୍ଷ୍ମୀନରାୟଣ ପଟ୍ଟନାୟକ ସହ ଉପସ୍ଥିତ ହୋଇଗଲେ ମହାରାଜ । କାରଣ, ଜାତିର ପିତାଙ୍କ ଆଗମନ ହୋଇଥାଏ, ଗାନ୍ଧିଜୀ ଉକ୍ତ ଦିନ ଦିନିକିଆ ମୌନ ବ୍ରତରେ ଥାଆନ୍ତି । କିଛି ଉପହାର ସହ ଭେଟିବାକୁ ଯାଇ, ମହାରାଜ ଗୋଟିଏ ପ୍ରଶ୍ନ କରିଲେ, “ଆପଣ ମୋ ରାଜ୍ୟକୁ ବୁଲିଆସିଥିଲେ ଏହା କିପରି ଲାଗିଲା?” ଏକ ଛୋଟିଆ କାଗଜରେ ପେନ ସିଲରେ ଉତ୍ତରରେ ଲେଖିଗଲେ ତୁମ ରାଜ୍ୟ “ରାମ ରାଜ୍ୟ” ।

କହିବାକୁ ଗଲେ ଠିକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଙ୍କ ଭଳି ବ୍ୟକ୍ତିଗତ ଜୀବନର ପ୍ରତି ମୁହୂର୍ତ୍ତରେ ଦୁଃଖ ସହି ପ୍ରଜା ପାଳନରେ କ୍ଷଣେ ମାତ୍ର ଅବହେଳା ନକରିଥିବା ରାଜା ଥିଲେ ମହାରାଜା କୃଷ୍ଣଚନ୍ଦ୍ର । ଜୀବନର ପ୍ରାରମ୍ଭରେ ପିତୃବ୍ୟ, ପରେ ପିତା, ଯୌବନରେ ସ୍ତ୍ରୀ ଓ ମାତା ପରେ ଜୀବନର ସାୟାହ୍ନରେ ପୁତ୍ର ଓ ଶେଷ ଅବସ୍ଥାରେ ପୁତ୍ରୀର ବିୟୋଗ ଯେ ଏତେ ଦାରୁଣ ଦୁଃଖ ଦେଇଥିଲା ହୁଏତ ଏହା ବହୁତ କମ ଲୋକଙ୍କୁ ଗୋଚର । ତଥାପି ସେ ଥିଲେ ଶତ ସିଂହ ସମ ପରାକ୍ରମୀ, ଧୌର୍ଯ୍ୟବାନ ଓ ବିଜ୍ଞ । ଜୀବନର ଝଡ଼ ଝଞ୍ଜା ଭିତରେ ସେ ସୁଖକୁ ଖୋଜିପାଇଥିଲେ ମାଟି ମା’ର ସେବା କରିବାରେରେ, ପ୍ରଜା ମୁହଁରେ ହସ ଫୁଟାଇବାରେ । ଆଉ ତାଙ୍କରି ଏହି ଅନନ୍ୟ ପ୍ରଚେଷ୍ଟା ହିଁ ହସ ଫୁଟାଇ ପାରିଥିଲା କୋଟି ଓଡ଼ିଆଙ୍କ ମୁହଁରେ ଏପ୍ରିଲ ପହିଲା ୧୯୩୬ ମସିହାରେ ।

ଆଜି ମହାରାଜାଙ୍କ ଜନ୍ମ ଜୟନ୍ତୀ । ଆଜକୁ ଠିକ୍ ୧୨୮ ବର୍ଷ ତଳେ ଗଙ୍ଗବଂଶୀ ନରେଶ ରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ଓ ମାତା ରାଧାମଣିଙ୍କ ଔରସରୁ ୨୬ ଅପ୍ରେଲ ୧୮୯୨ ମସିହାରେ ଜନ୍ମଗ୍ରହଣ କରିଥିଲେ ପୁଣ୍ୟତୋୟା ମହେନ୍ଦ୍ର ତନୟା ତଟସ୍ଥ ବାଣୀକ୍ଷେତ୍ର ପାରଳାଖେମୁଣ୍ଡି ରାଜ ନହରରେ । ପିଲାଟି ଦିନରୁ ଶିକ୍ଷା ଦୀକ୍ଷା ପାଇଥିଲେ ପଣ୍ଡିତ ଶ୍ୟାମସୁନ୍ଦର ରାଜଗୁରୁ, ଆପନ୍ନା ପଣ୍ଡା ଓ ଟେଲର ସାହେବଙ୍କ ଭଳି ଜ୍ଞାନୀ ଗୁଣୀଙ୍କ ଠାରୁ । ଆଉ ହଁ ଗଛ ଉର୍ବର ସାର ପାଇଲେ ଭଲ ଫଳିବା ତ ସୁନିଶ୍ଚିତ । ଠିକ ସେହି ଭଳି କୃଷ୍ଣଚନ୍ଦ୍ର ହୋଇଥିଲେ ବହୁପ୍ରତିଭାର ଅଧିକାରୀ ଆଉ ଦୂରଦର୍ଶୀ ।

ତେବେ, ଓଡ଼ିଆଙ୍କ ଦୁର୍ଦ୍ଦିନର ଅନ୍ଧକାରରେ କୃଷ୍ଣଚନ୍ଦ୍ର ସାଜିଥିଲେ ପୂର୍ଣ୍ଣିମାର ଚନ୍ଦ୍ର । ସେ ବାଲ୍ୟକାଳରୁ ହିଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ୱପ୍ନ ଦେଖିଥିଲେ । ନିଜ ଗୁରୁଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ହିତୈଷିଣୀ ହେଉ କି ଗଞ୍ଜାମ ଜାତୀୟ ସମିତି । ଖଣ୍ଡ ବିଖଣ୍ଡିତ ଓଡ଼ିଶା ପ୍ରଦେଶକୁ ଏକତ୍ରିକରଣ ପାଇଁ ସେ ମନସ୍ଥ ଛୋଟବେଳୁ ହିଁ କରିଥିଲେ । ଇତି ମଧ୍ୟରେ ୯ଟି ଉତ୍କଳ ସମ୍ମିଳନୀ ହୋଇ ସାରିଥାଏ । ଉତ୍କଳ ସମ୍ମିଳନୀର ୧୦ମ ଅଧିବେଶନ ପାରଳାଖେମୁଣ୍ଡିରେ ହେଲା । ମାମୁଁ ରାଜର୍ଷି ବିକ୍ରମଦେବ ବର୍ମା ଏହାର ସଭାପତିତ୍ୱ କରିଥାନ୍ତି । “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ” ଗଠନ କରିବା ଆବଶ୍ୟକ ବୋଲି ଗଜପତି ପ୍ରସ୍ତାବ ଦେଲେ । ମଧୁବାବୁ ଏଥିରେ ସହମତି ଦେଲେ । କିନ୍ତୁ ଏ ସମୟରେ ନୀଳକଣ୍ଠ ଦାସ କହିଥିଲେ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ପାଇଁ ପ୍ରଥମେ ଶିକ୍ଷାର ଆବଶ୍ୟକତା ରହିଛି । କିନ୍ତୁ ଏତେ ବଡ଼ ଭୂଖଣ୍ଡରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପଢ଼ିବା ଓ ପଢ଼ାଇବାର ଖର୍ଚ୍ଚ ବହନ କରିବା ସମ୍ବଳ ଉତ୍କଳ ସମ୍ମିଳନୀ ପାଖରେ ନାହିଁ । ଏହା ଶୁଣି ମହାରାଜା ଦଶହଜାର ଟଙ୍କା ତତ୍‌କ୍ଷଣାତ ବ୍ୟୟ କରିଥିଲେ । ଆଉ ଏହିଠାରୁ ସେ ନିଜ ରାଜକୋଷର କବାଟ ଖୋଲି ଦେଇଥିଲେ ସମଗ୍ର ଓଡ଼ିଶାର ହିତ ପାଇଁ । ଯାହା କେବେ ତାଙ୍କ ଶେଷ ନିଦ୍ରା ଯାଏଁ ବନ୍ଦ ହୋଇ ନଥିଲା ।

ଉତ୍କଳ ସମ୍ମିଳନୀ ପ୍ରଥମେ ଚାହୁଁଥିଲା କେବଳ ଓଡ଼ିଆ ଭାଷାଭାଷୀର ଏକତ୍ରୀ କରଣ ଓ ଏକଶାସନ ଅଧୀନ । କିନ୍ତୁ ଏଥିରେ ମତଦ୍ୱେଧ ଥିଲା । କେତେକ ବଙ୍ଗରେ ତ ଆଉ କେତେକ ମଧ୍ୟପ୍ରଦେଶରେ ରହିବାକୁ ଚାହୁଁଥିଲେ । ମଣ୍ଟେଗୁ ଚେମ୍ସ୍ ଫୋର୍ଡ୍ ଶାସନ ସଂସ୍କାର ବେଳେ ଓଡ଼ିଶାକୁ ବିହାରର ଏକ ଉପପ୍ରଦେଶ ଗଠନ କରିବା ଲାଗି ମସୁଧା ହୋଇ ନଥିଲେ ଏହି ସ୍ୱତନ୍ତ୍ର ପ୍ରଦେଶ ଦାବି ଆରମ୍ଭ ହୋଇ ନଥାନ୍ତା । ଆଉ ଏହା ସଫଳ ହୋଇଥିଲା ମହାରାଜାଙ୍କ ଦୃଢ଼ ମନୋବଳ ଲାଗି । ଡଫ୍‌ଙ୍କ ଉପରେ କୃଷ୍ଣଚନ୍ଦ୍ରଙ୍କ ବ୍ୟକ୍ତିଗତ ପ୍ରଭାବ ଯୋଗୁଁ ସେମାନେ ମାଡ୍ରାସ ଭାଗରେ ଥିବା ଓଡ଼ିଶାର ଦକ୍ଷିଣ ଅଞ୍ଚଳକୁ ମିଶିବା ଲାଗି ସୁପାରିସ୍ ଦେଲେ । ଏହାପରେ ୧୯୨୮ ମସିହାରେ ସାଇମନ କମିଶନ ଭାରତକୁ ଶାସନ ସଂସ୍କାର ନିମିତ୍ତ ଆସିଲେ । ଏଥିରେ ସମସ୍ତ ଇଂରେଜ ସଭ୍ୟ ଥିବାରୁ ସାରା ଦେଶ ଓ ଜାତୀୟ କଂଗ୍ରେସ ଏହାର ବର୍ଜନ କଲେ । କିନ୍ତୁ ଓଡ଼ିଶା ନିହିତ ସ୍ୱାର୍ଥ ପାଇଁ କେବଳ ଏକମାତ୍ର କୃଷ୍ଣଚନ୍ଦ୍ର Welcome Simon କହିଥିଲେ ପାଟନାର ବିହାର ଓଡ଼ିଶା ସଭାରେ । ଯାହାକି ପରବର୍ତ୍ତୀ ସମୟରେ ସି. ଆର. ଅଟଲିଙ୍କ ଓଡ଼ିଶା ଉପସମିତି ଗଠନ କରିବାରେ ସହାୟକ ହୋଇଥିଲା ।

ଖାଲି ଏତିକି ନୁହେଁ ୧୯୩୦, ୧୯୩୨ରେ ଲଣ୍ଡନରେ ଅନୁଷ୍ଠିତ ପ୍ରଥମ ଓ ତୃତୀୟ ଗୋଲଟେବୁଲ ବୈଠକରେ କେବଳ ଯେ ଓଡ଼ିଶାର ଦାବୀ ବଳିଷ୍ଠ ଭାବେ ଉପସ୍ଥାପିତ କରିନଥିଲେ । ବରଂ ବ୍ୟକ୍ତିଗତ ଭାବେ ସଭ୍ୟମାନଙ୍କୁ ଭୋଜି ଭାତ ଦେଇ ଆପ୍ୟାୟିତ କରି ସବ୍‌କମିଟିର ମତ ସେଥିରେ ଓଡ଼ିଶାର ହିତ ହେବାରେ ସାହାଯ୍ୟ କରିଥିଲେ । ଏତେ ଉଦ୍ୟମ ସତ୍ତ୍ୱେ ୧୯୩୧ ମସିହା ଓଡ଼ିଶା ସୀମା ନିର୍ଦ୍ଧାରଣ ଲାଗି ଭାରତ ସରକାର ସାର୍ ସମୁଏଲ୍ ଓଡନେଲ୍‌ଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରିଥିଲେ, ସେମାନେ ଦୁଇଜଣ ଭାରତୀୟ ସଭ୍ୟଙ୍କ ମତ ବିରୁଦ୍ଧରେ ଯାଇ ମାନ୍ଦ୍ରାଜର କେତେକ ଗୋରା କର୍ମଚାରୀଙ୍କ କୁପରାମର୍ଶରେ ମହାରାଜାଙ୍କ ମତକୁ ପ୍ରତ୍ୟାଖ୍ୟାନ କଲେ । ପାରଳା ଓ ଜୟପୁର ଆଦି ଓଡ଼ିଶାରେ ମିଶିବାକୁ ଚାହାନ୍ତି ନାହିଁ ବୋଲି ଲେଖିଦେଲେ । ଯେ ସମଗ୍ର ଦେଶରେ ଛିନ୍ନ ବିଛିନ୍ନ ହୋଇପଡ଼ିଥିବା ରାଜ୍ୟବାସୀଙ୍କୁ ଏକତ୍ର କରିବାର ପଣ ନେଇଥିଲେ ସେ ନିଜ ଜନ୍ମମାଟି ପ୍ରତି ଅନ୍ୟାୟକୁ ସହନ୍ତେ ବା କିପରି? ସେ ପୁନର୍ବାର ୩ୟ ଥର ପାଇଁ ଲଣ୍ଡନ ଯାଇ ପ୍ରତିବାଦର ସ୍ୱର ଲର୍ଡ୍ ଲିନଲିଥଗୋଙ୍କ ଠାରେ ପହଞ୍ଚାଇଲେ । ପ୍ରକାଶ ଥାଉ କି ଏ ସମସ୍ତ ଗସ୍ତ ଖର୍ଚ୍ଚ ସେ ନିଜ ମୁଣାରୁ ଖର୍ଚ୍ଚ କରୁଥିଲେ । ସର୍ବଶେଷରେ ମହାରଜାଙ୍କ ପରିଶ୍ରମ ଫଳପ୍ରଦ ହେଲା । କିଛି ମନ୍ଦ ବୁଦ୍ଧିଙ୍କ କୁଟିଳ ଚକ୍ରାନ୍ତ ଯୋଗୁଁ ପାରଳାର ଏକ ତୃତୀୟଂଶ ହିଁ ମିଶି ପାରିଲା ଓ ଜୟପୁରର ମଧ୍ୟ ଓଡ଼ିଶାରେ ମିଶ୍ରଣ ହେଲା ୧୯୩୬ ମସିହାରେ ।

ଇଂରେଜମାନେ ଓଡ଼ିଶା ଅଧିକାର କଲା ପରେ ରାଜାମାନଙ୍କୁ ଜମିଦାର ଭାବରେ ବ୍ୟବହାର କରୁଥିଲେ । କିନ୍ତୁ ପାରଳାଖେମୁଣ୍ଡି ରାଜବଂଶର ମହାନତାକୁ ଦେଖି କୃଷ୍ଣଚନ୍ଦ୍ରଙ୍କୁ ୧୯୧୮ରେ ବ୍ରିଟିଶ ସରକାର ରାଜା ସାହେବ ଉପାଧି ପ୍ରଦାନ କଲେ । ପରବର୍ତ୍ତୀ କାଳରେ ଗଜପତିଙ୍କ ସାହାସିକତା ଓ କାର୍ଯ୍ୟଦକ୍ଷତାକୁ ଦେଖି ୧୯୩୭ରେ ତାଙ୍କୁ “ମହାରାଜା” ଉପାଧି ଦେଲେ । ପୁଣି ସେ ପ୍ରଥମ ବିଶ୍ଵଯୁଦ୍ଧରେ କ୍ୟାପଟେନ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିବାରୁ ବ୍ରିଟିଶ ସରକାର ତାଙ୍କୁ ଦେଇଥିଲେ KCIE ଉପାଧି ।

ନବ ଉତ୍କଳର ବିନ୍ଧାଣିମାନଙ୍କର ଥିଲେ ସେ ଶ୍ରୀକରଣି । ମଧୁବାବୁଙ୍କ ଠାରୁ ଗୋଦାବରୀଶ, ସମସ୍ତଙ୍କ ପ୍ରିୟ ଥିଲେ ମହାରଜା । ଏଭଳି ମହାନ ବ୍ୟକ୍ତିତ୍ୱ ଓ ବହୁମୁଖୀ ପ୍ରତିଭାର ଅଧିକାରୀ ଆମ ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ହେବା କିଛି ଆଶୀର୍ବାଦରୁ କମ ନଥିଲା । ୧୯୪୩ ମସିହାରେ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପ୍ରସଙ୍ଗ ଉଠିବାରୁ ଶିକ୍ଷା ବିଭାଗର କିଛି କର୍ମଚାରୀ ଗୋଦାବରୀଶ ମିଶ୍ରଙ୍କୁ ସହଯୋଗ କରିବା ପରିବର୍ତ୍ତେ ହସରେ ଉଡ଼ାଇ ଦେଲେ । ତତ୍କାଳୀନ ସଚିବ ସାମୁଏଲ୍ ଦାସ କହିଲେ, ଏଣେ ବଙ୍ଗାଳୀ ତେଣେ ତେଲେଙ୍ଗା । ବିଶ୍ୱବିଦ୍ୟାଳୟ ସ୍ଥାପନ କ’ଣ ହେବ?? ଏକଥା ଶୁଣି ମହାରାଜ କୃଷ୍ଣଚନ୍ଦ୍ର ବଡ଼ଲାଟ୍ ହାଥର୍ଣ୍ଣ ଲୁଇସ୍‌ଙ୍କୁ ଅଡ଼ି ବସିଲେ, କହିଲେ ବିଶ୍ୱବିଦ୍ୟାଳୟ ହେବ, ନଚେତ ମୁଁ ଇସ୍ତଫା ଦେବି । ଏହା ଶୁଣି ଭିଭି ଜନ୍ ୨ ଦିନରେ କଟକ ପହଞ୍ଚିଲେ । ପ୍ରାଣକୃଷ୍ଣ ପରିଜା, ବିପିନ ବିହାରୀ ରାୟ ପ୍ରଭୃତିଙ୍କ ସଙ୍ଗେ ପରାମର୍ଶ କ୍ରମେ ଶେଷରେ ବିଲ୍ ପ୍ରସ୍ତୁତ କରାଇଲେ । କେବଳ ସେତିକି ନୁହେଁ, ଜିଲ୍ଲା ସଦର ମହାକୁମାଗୁଡ଼ିକର ସ୍କୁଲକୁ କଲେଜରେ ପରିଣତ କରାଇଥିଲେ । ଏହାପରେ କଟକ ମେଡ଼ିକାଲ କଲେଜ ପ୍ରତିଷ୍ଠା, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଓ ବିଭିନ୍ନ କଲେଜରେ ସ୍ନାତକୋତ୍ତର ବିଭାଗ ଉଚ୍ଚ ଶିକ୍ଷା ନିମିତ୍ତ ବ୍ୟବସ୍ଥା କରାଇଥିଲେ । ଏତିକିବେଳେ ବ୍ରହ୍ମପୁର ସୀମା କମିଟିର ସଭାପତି ସବ୍‌ଜଜ୍ ଗଣେଶ ମହାପାତ୍ରଙ୍କ ଲେଖା ମନେ ପଡ଼ିଯାଏ ।

“କୃଷ୍ଣଚନ୍ଦ୍ର ଗଜପତି କୀରତି ଅମର
ଅଟନ୍ତି କେବଳ ନିଜେ ନିଜ ପଟାନ୍ତର
ତାଙ୍କ କାର୍ଯ୍ୟ ବର୍ଣ୍ଣନା କରେଣ ଭାଷା ନାହିଁ
ଶେଷ, ସରସ୍ୱତୀ କ୍ଷମତା ବର୍ଣନା ପାଇଁ
ଶ୍ଵେତଦଦ୍ୱୀପେ ଜନନୀର ଦେଇ ପରିଚୟ
ହେ ବିଜୟୀ ବୀର, ଅର୍ଜି ଆଣିଲ ବିଜୟ ॥”

କେବଳ ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଏହାର ପରିଚାଳନାରେ ଧୁରୀଣ ନଥିଲେ । ସେ ଥିଲେ ଓଡ଼ିଆ ସାହିତ୍ୟର ପୃଷ୍ଠପୋଷକ । ପୂର୍ବଜ ମହାରଜା ଜଗନ୍ନାଥ ନାରାୟଣ ଦେବ ୨ୟ, ଜଗନ୍ନାଥ ଗଜପତି ଦେବ ୨ୟ, ପ୍ରତାପ ରୁଦ୍ର ଦେବ ୨ୟ ଭଳି ନରପତିମାନେ କାଳ କାଳ ଧରି ଉକ୍ତ ରାଜବଂଶରେ ଓଡ଼ିଆ ସାହିତ୍ୟର ଶ୍ରୀ ବୃଦ୍ଧି କରିଆସିଥିଲେ, ତାହାର ପଟାନ୍ତର ନାହିଁ । ଆଉ ତାଙ୍କରି ସୁଯୋଗ୍ୟ ସନ୍ତାନ ଏହି ଧାରାକୁ ବନ୍ଦ ବା କିପରି କରିଥାନ୍ତେ । ସେ ଗୁରୁଜନମାନଙ୍କ ସମସ୍ତ କାବ୍ୟ ସମ୍ଭାର ଓ ରଚନାକୁ ନିଜ ପ୍ରେସରେ ପ୍ରକାଶନ କରିଥିଲେ । ୧୭୬୭ର ଶ୍ରୀ ବୃନ୍ଦାବନ ଚନ୍ଦ୍ର ବିହାର ହେଉ କି କବିକଳହଂସ ଗୋପାଳକୃଷ୍ଣଙ୍କ ପଦ୍ୟାବଳୀ ସବୁ ଅମୂଲ୍ୟ ରତ୍ନର ପୁନଃ ଜୀବନ୍ୟାସ ଦେଇଥିଲେ ମହାରଜା । ତାଙ୍କରି ସମୟରେ ଗୌରହରି ପଦ୍ୟାବଳୀ, ହରିବନ୍ଧୁ ପଦ୍ୟାବଳୀ, ପଦ୍ମନାଭ ଦେବ ରଚିତ ଭାବବତୀ, ଗୌରଚନ୍ଦ୍ର ଲିଖିତ ଉଷା ପରିଣୟ, ଧ୍ରୁବ ନାଟକର ନବ ଜୀବନ ଦେଇଥିଲେ । ସେ ଏକାଧାରରେ ସୁ-ଲେଖକ ମଧ୍ୟ ଥିଲେ । ରାଜ୍ୟ ଓ ରାଜକାର୍ଯ୍ୟର ବିବରଣୀ ଓ ଗଜପତି ଇତିହାସକୁ ନେଇ ଏକ ବହି My Samasthanam ବୋଲି ଏକ ପୁସ୍ତକ ରଚନା କରିଥିଲେ ।

ଏହା ଛଡ଼ା ସ୍ୱ-ଇଚ୍ଛା କ୍ରମେ ଗୁରୁ ଶ୍ୟାମସୁନ୍ଦର ବିରଚିତ ପ୍ରବନ୍ଧାବଳୀ, ଦଶମାଳିକା ତତ୍ତ୍ୱବୋଧନୀ ଆଦି ଗ୍ରନ୍ଥର ମୁଦ୍ରଣ କରିଥିଲେ । “ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ”ର ୫ମ ଖଣ୍ଡ, ଶବ୍ଦତତ୍ତ୍ୱବୋଧ ଅଭିଧାନ, ଓଡ଼ିଆ ଭାଷା ତତ୍ତ୍ୱ, ଚିନ୍ତାମଣି ଗ୍ରନ୍ଥାବଳୀ, ମହେନ୍ଦ୍ର ଓ ନୃତ୍ୟ ରାମାୟଣ ଭଳି ବିଖ୍ୟାତ ଗ୍ରନ୍ଥକୁ ଆଲୋକକୁ ଆଣିବା ପାଇଁ ଆର୍ଥିକ ସାହାଯ୍ୟ କରିଥିଲେ । ଓଡ଼ିଆ ଭାଷାର ପ୍ରଥମ ଅଭିଧାନ ରଚନା ପାଇଁ ଅର୍ଥ ସାହାଯ୍ୟ କରିବା ସହ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କୁ ସ୍ଵବୈତନିକ ଅଧ୍ୟାପନା କାର୍ଯ୍ୟରୁ ଛୁଟି ଦେଉଥିଲେ । ଏଥିସହିତ କୃଷି ଓ ଜଳସେଚନରେ ଉନ୍ନତି ସାଧନ ନିମିତ୍ତ କୃଷ୍ଣଚନ୍ଦ୍ର ସାଗର, ନଳିନୀ କୃଷ୍ଣ ସାଗର ଭଳି ବିରାଟ ସାଗର ଖନନ କରାଇଥିଲେ । ରୟାଲ ଏଗ୍ରିକଲ୍‌ଚର୍ ସଭ୍ୟ ଭାବେ ବାର୍ଷିକ ଆର୍ଥିକ ସହାୟତା, କୋୟମ୍ବତୁର୍ କୃଷି ମହାବିଦ୍ୟାଳୟର ଉପଦେଷ୍ଟା ରୂପେ ଦକ୍ଷିଣ ଭାରତରେ ଉନ୍ନତ କୃଷି ନିମିତ୍ତ ଅର୍ଥ ଦାନ କରୁଥିଲେ । ମହାରଜା ବାଳକ, ବାଳିକା ବିଦ୍ୟାଳୟ ଭଳି ଅନେକ ଶିକ୍ଷାନୁଷ୍ଠାନର ନିର୍ମାଣ ଓ ବାର୍ଷିକ ଖର୍ଚ୍ଚ ତୁଲାଉ ଥିଲେ । ନାରୀ ଶିକ୍ଷା ପାଇଁ ଏକ ଭବ୍ୟ ଉଚ୍ଚବିଦ୍ୟାଳୟ ନିର୍ମାଣ କରାଇ ସେ ସମୟରେ ଓଡ଼ିଆ ବାଳିକାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାରେ ଚେଷ୍ଟା କରିଥିଲେ । ଏଥି ସହ ସଂସ୍କୃତ ମହାବିଦ୍ୟାଳୟର ଉନ୍ନତି ପାଇଁ ଅନେକ ଅର୍ଥ ଦାନ କରିଥିଲେ । ତା’ଛଡ଼ା ୯୬୬୪ ଏକର ଜମି ମଠ ଓ ମନ୍ଦିର ଚାଳନା ପାଇଁ ଦାନ କରିଥିଲେ ।

ବାସ୍ତବରେ ଉତ୍କଳର ଗୌରବ ଯଦି ମଧୁସୁଦାନ ଦାସ ହୁଅନ୍ତି, ସେହି ଗୌରବର ଉତ୍ତରାଧିକାରୀ ହେବେ ଉତ୍କଳର ବରପୁତ୍ର କୃଷ୍ଣଚନ୍ଦ୍ର ଗଜପତି । ଯେତେବେଳେ ସ୍ୱାଧୀନ ଚିନ୍ତା ଓ ମତ ନିର୍ଭୀକ ଭାବରେ ବ୍ୟକ୍ତ କରିବାରେ ଉତ୍କଳ ଗୌରବଙ୍କ ଭଳି ବ୍ୟକ୍ତିତ୍ୱ ପୂର୍ବ ଭାରତରେ ବିରଳ । ଅପର ପକ୍ଷରେ ଉଦାରତା, ଉତ୍ସର୍ଗୀକୃତ କର୍ମତତ୍ପରତା, ଆହେତୁକ ନିଷ୍ଠା ଓ ସର୍ବୋପରି ଉତ୍କଳର ଗୌରବ ବୃଦ୍ଧି ନିମିତ୍ତ ସାଙ୍ଗଠନିକ ଦକ୍ଷତାକୁ କୃଷ୍ଣଚନ୍ଦ୍ରଙ୍କ ସହ କେହି ସରି ହେବ ନାହିଁ, ଏହା ନିଃସନ୍ଦେହ । ବିପୁଳ ସମ୍ପତ୍ତିର ଅଧିକାରୀ ହୋଇ ମଧ୍ୟ ସେ ନିଜର ଭୋଗ ବିଳାସରେ ତାକୁ ବ୍ୟୟ ନକରି ଜୀବନକୁ ନିରାଡ଼ମ୍ବର ଓ ସୁସଂଯତ ଭାବରେ ଗଢ଼ି ତୋଳି ଥିଲେ, କେବଳ ଏ ଜାତି ଓ ତା’ର ସ୍ୱତନ୍ତ୍ରତା ନିମିତ୍ତ ।

ବିଷ୍ଣୁ ମୋହନ ଅଧିକାରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଷ୍ଣୁ ମୋହନ ଅଧିକାରୀ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ବିଭିନ୍ନ କଥା ସୋସିଆଲ ମିଡ଼ିଆ ଏବଂ ବ୍ଲଗ୍ ଜରିଆରେ ଲୋକଲୋଚନକୁ ଆଣିଥାନ୍ତି ।