You are currently viewing ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର
Biography of Rajat Kumar Kar (ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର)

ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର

ପଦ୍ମଶ୍ରୀ ରଜତ କୁମାର କର (Rajat Kumar Kar) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ଜଣାଶୁଣା ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ।

ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ବେଶ୍ ଖ୍ୟାତି ରହିଥିଲା । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୧ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

Padmashree Rajat Kumar Kar
Padmashree Rajat Kumar Kar

୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାର ମାହାଙ୍ଗା ଠାରେ ପିତା କୁଳମଣି କର ଓ ମାତା ଇନ୍ଦୁମତୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ସ୍ୱର୍ଗତ ରଜତ କର । ସେ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ ଏବଂ ପରବର୍ତ୍ତୀ ସମୟରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଜଣେ ଶିକ୍ଷାବିତ୍ ଭାବରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିବା ପରେ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

ଭଞ୍ଜ ସାହିତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ସେ ନିରନ୍ତର ଭାବେ କାର୍ଯ୍ୟ କରିଥିଲେ। ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ନାଟକ, କବିତା ଓ ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଥିଲେ ।

ତାଙ୍କ ରଚନାବଳୀ ମଧ୍ୟ ଜନ ଜୀବନରେ ଜଗନ୍ନାଥ, ଅନନ୍ୟ ଜଗନ୍ନାଥ ଅନୁଭୁତିରେ, ଅନ୍ଧପୁଟୁଳି, ଚନ୍ଦନ ହଜୁର, ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ବାଇଶି ପାବଚ୍ଛ, ବୀର ଚାଖି ଖୁଣ୍ଟିଆ, ଜନମାନସରେ ଭଞ୍ଜ ଆଦି ଅନ୍ୟତମ ।

ଟିଭି ଓ ରେଡ଼ିଓରେ ରଥଯାତ୍ରାର ଉଦ୍‌ଘୋଷକ ଭାବରେ କାର୍ଯ୍ୟ କରିବ ସହିତ ପ୍ରାର୍ଥନା ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ବାଦୀପାଲାରେ ସେ ବିଚାରକ ଭାବରେ କାର୍ଯ୍ୟ କରିବା ସହିତ ଏବଂ ଅନ୍ୟ ଏକ କାର୍ଯ୍ୟକ୍ରମ ବୈଦେହୀଶ ବିଳାସରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବୈଦେହୀଶ ବିଳାସର ଉପସ୍ଥାପନା କରୁଥିଲେ ।

Rajat Kar with his brother Sarat Kumar Kar
Rajat Kar with his brother Sarat Kumar Kar

ସ୍ୱର୍ଗତ କର ହୃଦ୍‌ଘାତରେ ପୀଡ଼ିତ ହୋଇ ୮୭ ବର୍ଷ ବୟସରେ ୨୦୨୨ ମସିହାର ମଇ ୮ ତାରିଖରେ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିଲେ ।

– ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।