You are currently viewing ଚକୁଳି ପିଠା
Odia Story Chkuli Pitha (ଚକୁଳି ପିଠା) by Sasmita Pradhan

ଚକୁଳି ପିଠା

ସକାଳୁ ସକାଳୁ ଘଷର ଘଷର କରି ଶିଳରେ ତିନ୍ତା ହୋଇ ଥିବା ଅରୁଆ ଚାଉଳ, ବିରିକୁ ବାଟି ରୁକୁଣା ବୁଢ଼ୀ ଚକୁଳି ଆଣ ତିଆରି କରିଛି । ଆଜି ପରା ତା’ ଏକୋଇର ବଳା ବିଶିକେଶନ ମନୁଆର ଜନମ ଦିନ । ଗାଁ ଠାକୁରାଣୀଙ୍କୁ ମାର୍ଜନା ଦେଇଛି ଆଣ୍ଠେଇ ଦଣ୍ଡବତ କରି ପୁଅ ପାଇଁ ଶୁଭ ମନାସିଛି, ମାଲୋ… ମୋ ମନୁଆକୁ ତୋ’ ଘଣ୍ଟ ଘୋଡ଼େଇ, ତୋ’ ପଣତ ତଳେ ରଖିଥିବୁ, ବିପଦେ ଆପଦେ ସାହା ହେବୁ । ମୁଁ କିଛି ମାଗୁନି ତୋତେ ମୋ ପୁଅକୁ ଭୋକ ଆୟୁଷ ଦେ ମୋ ପୁଅ ସବୁବେଳେ ହସ ଖୁସିରେ ରହୁ । ଗାଁ’ର ଛୋଟ ଛୋଟ ପିଲାଙ୍କୁ ଚକଲେଟ ବାଣ୍ଟିଛି । ତରତର ହୋଇ ଚୁଲି ଲଗେଇ ପଲମ ବସାଇଲା, ବାଟିକି ରଖିଥିବା ଆଣରେ ତେଲ ମାରି ପତଳା ପତଳା ଚାରି ଖଣ୍ଡ ଚକୁଳି କରି ଥାଳିରେ ରଖିଲା ମେଞ୍ଚାଏ ଗୁଡ଼ ଆଣି ପିଠା ଉପରେ ରଖି ପୁଅ ମନୁଆ ପାଖକୁ ଗଲା ।

ମନୁଆ ଏଯାଏଁ ଉଠିନି, ଶୋଇଛି ବୋଧହୁଏ । ଦୁଆର ବନ୍ଧ ପାଖରେ ଠିଆ ହୋଇ ଡାକିଲା, “ମନୁଆ, ମନୁଆରେ…” ଘର ଭିତରୁ ବୋହୂ ବାହାରି ଆସି କହିଲା, “କାଇଁ ଏଡ଼େ ଜୋରରେ ଚିଲଉଛ ସକାଳୁ ସକାଳୁ? କ’ଣ ପାଇଁ ଡାକୁଛ ଶୁଣେ?” ଥରଥର ହୋଇ ବୁଢ଼ୀ କହିଲା, “ଆଜି ପରା ମନୁଆର ଜନମ ଦିନ ତା’ରି ପାଇଁ ଚକୁଳି ପିଠା କରିଥିଲି, ସେ ପିଠା ଖାଇବାକୁ ବହୁତ ଭଲ ପାଏ ।” ଏତିକି କହି ବୁଢ଼ୀ ପିଠା ଥାଳିକୁ ଆଗକୁ ଦେଖାଇଲା… ମନୁଆର ସ୍ତ୍ରୀ ବୁଢ଼ୀଠାରୁ ପିଠା ଥାଳି ଛଡ଼ାଇ ନେଇ ଦୂରକୁ ଫୋପାଡ଼ି ଦେଇ କହିଲା, “ତମେ ଯେଉଁ ଅସନା, ଅପରିଷ୍କାର ହାତରେ ଚକୁଳି କରିଛ ସେ ଖାଇବେ ନାହିଁ । ତା’ଛଡ଼ା ସେ ଆଉ ଆଜି କାଲି ପିଠା ନ ଖାଇ ପିଜା, ବର୍ଗର ଖାଉଛନ୍ତି । ନେଇ ଯାଅ ଏସବୁ କୁକୁର ଆଗରେ ପକେଇ ଦେବ । ସକାଳୁ ସକାଳୁ କିଛି କାମ ଧନ୍ଦା ପାଇଲେନି ଶିଳଟାକୁ ଘଷର ଘଷର କରୁଛ ଯେ ମୁଁ ଟିକେ ଶାନ୍ତିରେ ଶୋଇ ପାରିଲିନି । ସେ ନାହାଁନ୍ତି ତାଙ୍କ ଜନ୍ମଦିନ ପାର୍ଟି ଆରେଞ୍ଜ କରିବାକୁ ବାହାରକୁ ଯାଇଛନ୍ତି । ତମେ ଏବେ ଯାଇପାର ।” ଘର ଭିତରକୁ ଯାଇ କବାଟଟା ବନ୍ଦ କରି ଦେଲା ।

ବୁଢ଼ୀ ସ୍ଥାଣୁ ପାଲଟି ଯାଇଥିଲା । ତାକୁ ଲାଗୁଥିଲା ତା’ ପାଦ ତଳର ମାଟି ସବୁ ଧସେଇ ଯାଉଛି ତଳକୁ ତଳ । ଲଥକିନି ବସି ପଡ଼ିଲା । ମନୁଆ ପିଲା ବେଳର ସେ ହସ ଖୁସିର ଦିନଗୁଡ଼ାକ ତା’ ଆଖିରେ ନାଚି ଉଠୁଥିଲା । କାହାକୁ ଅବା କହିବ, ତା’ ମନକଥା ଶୁଣିବା ଲୋକ ତା’ ଗେରସ୍ତ ମନୁଆ ବା’ କେବେଠୁ ତାକୁ ଛାଡ଼ି ଆର ପାରିକୁ ଗଲାଣି । କେଡ଼େ ଶରଧାରେ ତେଲ ମାରି ଚକୁଳି ପିଠା କରିଥିଲା, ବୋହୂ ତାକୁ ଫୋପାଡ଼ି ଦେଲା । ଲୋଚା କୋଚା ଚମ ଧୁଡ଼ୁଧୁଡ଼ୁ ହାତକୁ ଚାହିଁଲା, ପଶି ଯାଇଥିବା ଆଖି କୋଣରୁ ତତଲା ଲୁହ ଦି’ ଧାର ହାଡ଼ୁଆ ଗାଲ ଦେଇ ବହି ଆସୁଥିଲା… ଚଟକିନା ହାତ ଉଠେଇ ଲୁହ ପୋଛିନେଲା, କାଳେ ମୋ ପୁଅର ଅମଙ୍ଗଳ ହେବ । ଦୂରକୁ ଦେଖିଲା ବେଳକୁ ବୋହୂ ଫୋପାଡ଼ି ଥିବା ତା’ ହାତ ତିଆରି ତେଲମରା “ଚକୁଳି ପିଠା”କୁ ଧଳି ବିଲେଇ ବସି ଖାଉଛି ।

– ସସ୍ମିତା ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।