You are currently viewing କଳଙ୍କିତ ରାତି
କଳଙ୍କିତ ରାତି

କଳଙ୍କିତ ରାତି

ମୌସୁମୀ ଆସିଲା ସିନା
ହେଲେ ମନ ଏବେ ବି ଶୁଖା
ଭିଜା ଭିଜା ସ୍ୱପ୍ନ ଆଖିରେ ଅସୁମାରୀ
ପିନ୍ଧି ବୁଲୁଛି ଭାବନାର ମୁଖା ।

ଆକାଶେ ବାଦଲ ଯେମିତି ମନ ଆକାଶେ ପ୍ରେମ
ଦୁହେଁ ଆସନ୍ତି କ୍ଷଣିକ ପାଇଁ
ମନରେ ଜଗେଇ ଆଶା ଅସୁମାରୀ
ଯାଆନ୍ତି ଚାଲି ବୁକୁ ଫଟେଇ

ତୃଷାକ୍ତ ଆଖି ରହିଛି ଚାହିଁ
କେବେ ଆସିବ କଳା ବାଦଲ
ବରଷି ଯିବ ମୋ ଉପରେ
ଦେବ ଏ ମନର ଶୋଷ ମେଣ୍ଟାଇ

ପ୍ରେମଭରା ଆଖି ରହିଛି ଚାହିଁ
କେବେ ଆସିବ ମୋ ଅମାନୀ ପ୍ରିୟା
ଆବଦ୍ଧ କରିବା ମତେ ଆଲିଙ୍ଗନେ
ଭରିଦେବ ଭିଜା ଭିଜା ରାତି ମୋ ଜୀବନେ

ଉତ୍ପୀଡ଼ିତ ମନ ଖୋଜି ବୁଲୁଛି
ପାଇବାକୁ ଟିକେ ତାରି ସ୍ପର୍ଶ
କଳା ବାଦଲ ଆସିଲାଣି ଠାଙ୍କି
ପବନରେ ଭାସି ଆସୁଛି ମୋ ପ୍ରିୟାର ବାସ ।

ସେହି ଭିଜା ଭିଜା ଅନ୍ଧାର ରାତି
ବାହାରେ ବରଷାର ଗୁଣୁ ଗୁଣୁ ଗୀତ
ଭିତରେ ପାଉଁଜିର ରୁଣୁ ଝୁଣୁ ସଂଗୀତ
ଏ ଛାତି ତଳ ମନଟା ହେଉଛି କଳଙ୍କିତ

ଗୋଲାପର ଶେଜ ବିଛାଇ
ଚାହିଁ ରହିଛି ମୁଁ ମୋ ସାଥିର ରାସ୍ତା
ସ୍ୱପ୍ନରୁ ବାହାରି କାଳେ ଆସିଯିବ ସେ
ଏ ଅଭୁଲା ରାତି ଗାଇବ ଆମ ମିଳନ କବିତା ।

ବରଷା ପବନ ସହ ବିଜୁଳି ଚମକ
ଡରରେ ହେଉଥିବ ଛାତି ଧକ ଧକ
ଧୀରେ ଧୀରେ ନିଶ୍ୱାସର ମିଳନ ତାତି
ଅଜଣା ଡରରେ ପାହିଯିବ ସେ ରାତି

ଏ ମନ ତୁମକୁ ଛୁଇଁଲା ପରେ
ଏ ଆଖି ତମକୁ ହିଁ ଖୋଜେ
ଅଜଣା ଅଶୁଣା ମଣିଷଟିକୁ
ଦେଖି ଦେଖି ସ୍ୱପ୍ନ ରାଇଜରେ ହଜେ

ରାତିର ଫିକା ଫିକା ଆଲୁଅରେ
ଯେବେ ଆଖି ତମ ସହ ମିଶେ
ସପନ ରାଇଜେ ଘରଟିଏ ତୋଳେ
ତୁମ ଓଢ଼ଣୀ ପକା ମୁଁହ ମତେ ଦିଶେ

ଅକୁହା କଥା ତୁମେ
ନା ପାରେ ମୁଁ କାହାକୁ କହି
ଚାଲିଗଲା ବେଳେ କଣେଇ ଚାହଁ
ଚାଲିଯାଅ ଏ ଛାତିର ଲହୁ ଫଟେଇ ।

ଭିଜା ଭିଜା ରାତି ଯାଉଛି ପାହି
ତମ ବାସର ଚିହ୍ନ ଟିକେ ବି ନାହିଁ
ବାସି ଶେଜର କୁହୁକ ପାଗଳ କରେ ନିତି
କେବେ ସଜିବ ମୋର ଏ କଳଙ୍କିତ ରାତି ।

– ରଶ୍ମୀ ରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ରଶ୍ମିରଞ୍ଜନ ସାହୁ ଜଣେ ରସାୟନ ବିଜ୍ଞାନର ଗବେଷକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।