You are currently viewing ଜେଜେ ମା’
Odia Poem Jeje Maa (ଜେଜେ ମା’) by Lipsi Jena

ଜେଜେ ମା’

ଚମ ଧୁଡ଼ୁ ଧୁଡ଼ୁ ପାଟିରେ ପାନ
ଆଖିରେ ଐନକ
ହାତରେ ଧରିଛି ବଙ୍କୁଲି ବାଡ଼ି
ମୋ ଜେଜେ ମା’କୁ ଦେଖ ।

ସକାଳେ ପାଣି ଚୋଉଁରା ମୂଳେ
ସଞ୍ଜରେ ଭାଗବତ
କଥାରେ କଥାରେ କହିବୁଲୁ ଥାଏ
ଜୟ ଜୟ ଜଗନ୍ନାଥ ।

ଶାଢ଼ୀ କାନିରେ ବାନ୍ଧି ରଖିଛି
ବିଧି ବିଧାନ ଯେତେ
ଢଗ ଢମାଳି ଶାସ୍ତ୍ର ପୁରାଣ
ଅଣ୍ଟିରେ ଖୋସିଛି କେତେ ।

ଗପ ପସରା ଖୋଲି ବସିଲେ
ପଡ଼େ ନିଅଣ୍ଟ ରାତି
ପିଲା ଛୁଆଙ୍କ ମେଳ ମଝିରେ
କହେ କାହାଣୀ ନିତି ।

କେତେ ପିଠାପଣା ଆମ୍ବୁଲ ଆଚାର
ଗଢ଼େ ସରାଗେ ବସି
ତା’ ହାତେ ପଖଳା ଉସୁନା ପଖାଳ
ଉଠେ ମହମହ ବାସି ।

କେବେ ସେ ସରଳ କେବେ ସେ କଠୋର
ସ୍ନେହ ନିରନ୍ତର ବାଣ୍ଟି
ତା’ ଚାଲିଚଳଣୀ ତା’ ବେଶଭୁଷାରେ
ଲାଗେ ଓଡ଼ିଆଣି ଖାଣ୍ଟି ।

– ବି. ଜେନା (ଲିପ୍ସି)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବି. ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ସେ ସ୍ମୁଲ୍ ଆପ୍‌ରେ ଅନେକ ଓଡ଼ିଆ ଏବଂ ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି ।