You are currently viewing ଆରବ୍ୟ ରଜନୀର ରାଇଜ
ଆରବ୍ୟ ରଜନୀର ସହର

ଆରବ୍ୟ ରଜନୀର ରାଇଜ

ପୂର୍ବରୁ ମୋର ସ୍କଟଲାଣ୍ଡ ଅନୁଭୂତିରେ ମୁଁ ଜଣାଇଥିଲି ଯେ ଭାରତରୁ ଏଡ଼ିନବର୍ଗ ଗସ୍ତ ଦୁବାଇ ମାଧ୍ୟମରେ ସ୍ଥିର କରାଯାଇଥିଲା ଏବଂ ପ୍ରତ୍ୟାବର୍ତ୍ତନ ଥିଲା ଆବୁ ଧାବି ମାଧ୍ୟମରେ । ତେଣୁ ଏହି ସଂଖ୍ୟାରେ ମୁଁ ଦୁବାଇ ନଗରୀ ଭ୍ରମଣର ଅନୁଭୂତି ବର୍ଣ୍ଣନା କରୁଛି । ଆବୁ ଧାବି ଅନୁଭୂତି ଜାଣିବାକୁ ହେଲେ ଆଗାମୀ ଅଧ୍ୟାୟକୁ ଅପେକ୍ଷା କରିବାକୁ ହେବ ।

ଯେହେତୁ ଦୁବାଇ ନଗରୀର ଚାକଚକ୍ୟ ବିଷୟରେ ବହୁତ କିଛି ଶୁଣି ଥିଲି, ତେଣୁ ପ୍ରତକ୍ଷ ଅନୁଭୂତି ଲାଗି ଏହାଠାରୁ ବଳି ସୁଯୋଗ କାହୁଁ ମିଳନ୍ତା? ଏମିରେଟର ରାଜଧାନୀ ଦୁବାଇ, କହିବାକୁ ଗଲେ ସେତେ ବିଶାଳ ନହେଲେ ମଧ୍ୟ କିନ୍ତୁ ବିତ୍ତଶାଳି ରାଜ୍ୟ ଭାବେ ବିଶ୍ୱରେ ଗୁରୁତ୍ୱପୂର୍ଣ ସ୍ଥାନ ଗ୍ରହଣ କରିଛି । ଗମନଚୁମ୍ବି ଅଟ୍ଟାଳିକା, ପ୍ରାଚୁର୍ଯ୍ୟ ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ଲାଗି ପ୍ରସିଦ୍ଧ ଦୁବାଇ ସହର ୟୁନାଇଟେଡ଼ ଆରବ ଏମିରେଟସର ପ୍ରଧାନ ଆକର୍ଷଣ । ତୈଳ ସମ୍ପଦ, ପର୍ଯ୍ୟଟନ ଶିଳ୍ପ ଓ ଭୂମି ଭବନ ନିର୍ମାଣ ବ୍ୟବସାୟ ଯୋଗୁଁ ଦୁବାଇ ବିଶ୍ୱ ପ୍ରସିଦ୍ଧ ଅଟେ । ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦୁବାଇର ସୌନ୍ଦର୍ଯ୍ୟ ଉପଭୋଗ କରିବା ଲାଗି ଦେଶ ବିଦେଶରୁ ଛୁଟି ଆସିଥାନ୍ତି । ଦୁବାଇରେ ରହିବା ଲାଗି ମାତ୍ର ଚାରି ଦିନର ଟ୍ରାନଜିଟ୍ ଭିସା ମିଳିଥିଲା । ଦିଲ୍ଲୀରୁ ଏମିରେଟ ବିମାନସେବା ସହାୟତାରେ ତିନି ଘଣ୍ଟାର ଆରାମଦାୟକ ଯାତ୍ରା ଆଉ ପହଞ୍ଚି ଗଲୁ ପ୍ରାଚୁର୍ଯ୍ୟ ନଗରୀ ଦୁବାଇରେ । ଦୁବାଇ ଏୟାରପୋର୍ଟ୍‌ରେ ପହଞ୍ଚିଲାବେଳକୁ ସେଠି ରାତି ୮ଟା ଆମ ଭାରତୀୟ ସମୟ ଅନୁଯାୟୀ । କିନ୍ତୁ ସେଠି ଖରା ଥିଲା । କାରଣ, ଦେଢ଼ ଘଣ୍ଟା ପଛୁଆ ଥିଲା ସମୟ, ମାନେ ସନ୍ଧ୍ୟା ସାଢ଼େ ଛଅଟା ମାତ୍ର ହୋଇ ଥିଲା । ଘଡ଼ିକୁ ସେଠିକା ସମୟ ଅନୁସାରେ ଠିକ୍ କଲି । ପୃଥିବୀ ବିଖ୍ୟାତ ବିମାନବନ୍ଦର ମାନଙ୍କ ମଧ୍ୟରେ ଦୁବାଇ ଏୟାରପୋର୍ଟ ଅନ୍ୟତମ । ଚାକଚକ୍ୟ ଭରା ଏହି ବିଶାଳ ଏୟାରପୋର୍ଟର ନିର୍ମାଣ ଶୈଳୀ ଅତୁଳନୀୟ । ସବୁ କିଛି ସୁନିୟନ୍ତ୍ରିତ, ସୁପରିଚାଳିତ ଏହି ବିମାନ ବନ୍ଦରରେ ଗୋଟିଏ ଟର୍ମିନାଲରୁ ଅନ୍ୟ ଏକ ଟର୍ମିନାଲ ଯିବାକୁ ହେଲେ ମେଟ୍ରୋ ରେଳ ଦ୍ୱାରା ଯିବାକୁ ହୋଇଥାଏ । ସେଠୁ ପୁଣି ଇମିଗ୍ରେସନ ପ୍ରଣାଳୀ ଲାଗି ଲମ୍ବା ଧାଡ଼ି । ଛଅ ଫୁଟରୁ ଉର୍ଦ୍ଧ୍ୱ ଉଚ୍ଚତା ବିଶିଷ୍ଟ, ଧଳା ପାରମ୍ପରିକ ଆରବୀୟ ପୋଷାକ ପରିହିତ ଅଧିକାରୀମାନେ କଡ଼ା ଭାବରେ ତଦାରଖ କରୁଥାନ୍ତି । ଏକ ଟାକ୍ସି ବୁକ୍ କରି ଗଲୁ ହୋଟେଲ୍ ଗେଟ୍‌ୱେ (Gateway) ଅଭିମୁଖେ । ସେଠି ଗାଡ଼ିରେ ବାମ ପଟେ ଡ୍ରାଇଭର ସିଟ ଥିଲା । ହୋଟେଲରେ ପହଞ୍ଚିଲାବେଳକୁ ରାତି ଦଶ । କିନ୍ତୁ ସେଠି ଏହା ସେମିତି କିଛି ଅଧିକା ସମୟ ନୁହେଁ । କାରଣ ଦୁବାଇ ଏମିତିରେ ହିଁ ପ୍ରସିଦ୍ଧ ସେଠିକାର ରାତ୍ରିଜୀବନ ବା night life ପାଇଁ । ଜିନିଷ ପତ୍ର ରଖି ରାତ୍ରି ଭୋଜନ କରିବାକୁ ଗଲୁ । ଯାହା ହେଉ ହୋଟେଲର ମେନୁରେ କିଛି ଭାରତୀୟ ଖାଦ୍ୟର ନାଁ ଥିଲା । ଦୁବାଇରେ ଅଧିକାଂଶ ଭାରତୀୟ ବସବାସ କରନ୍ତି ତେଣୁ ଭାରତୀୟ ଖାଦ୍ୟ ମିଳୁଥିବା ଦେଖି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏହା ବ୍ୟତୀତ ଆରବୀୟ ଖାଦ୍ୟ ପଦାର୍ଥ ଯାହା କି ମୁଖ୍ୟତଃ ତନ୍ଦୁରରେ ପ୍ରସ୍ତୁତ ହୋଇଥାଏ ତା’ର ବି ସ୍ୱାଦ ନେବାର ସୁଯୋଗ ମିଳିଥିଲା । ମତେ ସବୁଠାରୁ ଭଲ ଲାଗିଥିଲା ସେଠି ମିଳୁଥିବା ବକଲାଭା (Baklava) ନାମକ ଏକ ଜାତୀୟ ଖାଦ୍ୟ, ଯାହାର ସ୍ୱାଦ ବିଲ୍‌କୁଲ୍ ଆମର ପୁରୀଠାରେ ମିଳୁଥିବା ଫେଣି ଗଜା ସଦୃଶ ଥିଲା । କହି ରଖୁଛି, ସେଠି ଏଠିକାପରି ଖାଦ୍ୟ ସହ ପାଣି ମାଗଣା ମିଳେନି, କିଣିବାକୁ ହୁଏ ।

ଦ୍ଵିତୀୟ ଦିନ ସକାଳୁ ପ୍ରସିଦ୍ଧ ବ୍ୟବସାୟ ସ୍ଥଳୀ ମୀନା ବଜାର ବୁଲିବାର ଯୋଜନା କରାଯାଇଥିଲା । ପୂର୍ବରୁ କିଣାକିଣି ଲାଗି ଭାରତୀୟ ମୁଦ୍ରାକୁ ବଦଳାଇ ଦୁବାଇ ପ୍ରଚଳିତ ଦୀରହମ୍ ଆଣିଥିଲୁ । ବାହାରେ ପ୍ରବଳ ଖରା, ସତେ ଯେପରି ଦେହରେ କଣ୍ଟା ଫୋଡ଼ି ହୋଇ ଯାଉଥାଏ । ପ୍ରାୟ ଦୋକାନୀ ଭାରତୀୟ । ଆଖି ଝଲସି ଗଲା ଗୋଲଡ଼ ସଉକ (Gold Sauk) ସ୍ଥିତ ସୁନା ଦୋକାନ ଆଉ ଶୁଖିଲା ଫଳର ଦୋକାନ ଦେଖି । ବଜାର ସାରା ବିଭିନ୍ନ ପ୍ରକାରର ଉତ୍କୃଷ୍ଟମାନର ଶୁଖିଲା ଫଳ ଭର୍‌ପୁର୍ । ମୁଁ ଜାଣି ଆଶ୍ଚର୍ଯ୍ୟ ହେଲି ଯେ ଦୁନିଆର ଅନ୍ୟତମ ମହଙ୍ଗା ସହର ଭାବେ ଖ୍ୟାତ ଦୁବାଇର ଏଟିଏମରୁ କୁଆଡ଼େ ସୁନା ବି ବାହାରି ଥାଏ । ତେଣୁ ଦୁବାଇକୁ ସୁନାର ସହର (City of Gold) ବି କୁହାଯାଏ । ଆଇନ୍ କାନୁନ୍ ବ୍ୟବସ୍ଥା ଖୁବ୍ କଡ଼ାକଡ଼ି, ଟିକିଏ ଓଲମ ବିଲମ ହେଲେ କଥା ସରିଲା । ଖିଆପିଆ ସାରି କିଛି ସମୟ ବିଶ୍ରାମ, ଏବଂ ସନ୍ଧ୍ୟାରେ ଗଲୁ ୧୨୦୦ରୁ ଅଧିକ ଦୋକାନ ଥିବା ଦୁନିଆର ସବୁଠାରୁ ବଡ଼ ସପିଙ୍ଗ ସେଣ୍ଟର ଦୁବାଇ ମଲ । ସେଠି ବିଭିନ୍ନ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର ଦୋକାନ ଓ କିସମ କିସମର ବିପ୍ପଣୀ ଦେଖି ମୋ ମୁଣ୍ଡ ଚକ୍କର ଖାଇ ଯାଉଥିଲା । ପ୍ରାୟତଃ ଦେୟ ମୁକ୍ତ ବା Duty Free ସାମାନ୍ ବିକ୍ରୟ ଲାଗି ଦୁବାଇ ପ୍ରସିଦ୍ଧ ଅଟେ । ଦେଶ ବିଦେଶରୁ ବହୁ ପର୍ଯ୍ୟଟକ କେବଳ ବଜାର କରିବା ଲାଗି ଦୁବାଇକୁ ଆସିଥାନ୍ତି । ସେଥିଲାଗି ଦୁବାଇକୁ Shopping Capital of Middle East ବୋଲି କୁହାଯାଏ । ମଲ୍‌ରେ ଥିବା ଏକ ବିରାଟ ଆକ୍ୱରିଅମରେ ଥିବା ଭିନ୍ନ ଭିନ୍ନ ପ୍ରକାରର ମାଛ ଓ ଜଳଚର ପ୍ରାଣୀ ଦେଖି ଆଶ୍ଚର୍ଯ୍ୟ ଲାଗିଲା । ଦୁବାଇ ମଲ୍‌ର ଛାତ ଉପରୁ ଦେଖା ଯାଉଥିଲା ବିଶ୍ୱର ସବୁଠାରୁ ଦୀର୍ଘତମ ଅଟ୍ଟାଳିକା ବୁର୍ଜ୍ ଖଲିଫା (Burj Khalifah) । ୧୬୪ ମହଲା ବିଶିଷ୍ଟ ଏହି ନଭଶ୍ଚୁମ୍ବି ଅଟ୍ଟାଳିକା ପ୍ରାୟ ୯୦ କିଲୋମିଟର ଦୂରରୁ ବି ଦେଖାଯାଏ । ରାତିରେ ଅଟ୍ଟାଳିକାର ରଙ୍ଗ ମିନିଟ୍‌କୁ ମିନିଟ୍ ବଦଳୁ ଥାଏ । କିଛି ସମୟ ପରେ ଆରମ୍ଭ ହେଲା ଫାଉଣ୍ଟେନ୍ ଶୋ । ସଙ୍ଗୀତର ତାଳେ ତାଳେ ଜଳ ତରଙ୍ଗର ନୃତ୍ୟ ଅତ୍ୟନ୍ତ ମନୋରଞ୍ଜକ ଥିଲା । ୧୦୫୩ ଫୁଟ ଉଚ୍ଚତା ବିଶିଷ୍ଟ ବିଶ୍ୱ ପ୍ରସିଦ୍ଧ ସପ୍ତମ ତାରକା ହୋଟେଲ ବୁର୍ଜ୍ ଅଲ୍ ଆରବ ଯୁମୈରାଃ (Burj Al Arab Jumeirah) ବି ଦୁବାଇରେ ଅବସ୍ଥିତ । ଆରବ ସାଗରର ମଧ୍ୟ ଭାଗରେ ଅବସ୍ଥିତ ଏହି ହୋଟେଲର ଗୋଟିଏ ରାତି ରହଣିର ଖର୍ଚ୍ଚ ପାଖାପାଖି ୧୩ ଲକ୍ଷ ଟଙ୍କା । ତେଣୁ ଦୂରରୁ ହିଁ ଦେଖିକି ଖୁସି ହେଇଯିବା କଥା ।

ଦୁବାଇ ଯାଇ ମରୁଭୂମି ନଗଲେ କି ଲାଭ? ତେଣୁ ସେଦିନର ଯୋଜନା ଥିଲା ଡେଜର୍ଟ୍ ସଫାରୀ ବା ମରୁଭୂମି ଯାତ୍ରା । ଏକ ଲାଣ୍ଡ୍ କୄଜର ଗାଡ଼ି ବୁକ୍ କରି ଗଲୁ ଆରବୀୟ ମରୁଭୂମି ଦେଖିବା ଲାଗି । ବିସ୍ତୀର୍ଣ୍ଣ ମରୁପ୍ରାନ୍ତର ମଧ୍ୟରେ ପ୍ରାୟ ଶହେ କିଲୋମିଟରରୁ ଅଧିକ ବେଗରେ ଗାଡ଼ିଟି ଚାଲିଥାଏ । ମରୁଭୂମି ଭିତରେ ଗାଡ଼ି ଟିକୁ ବୁଲେଇ ବଙ୍କେଇ ତାହା ପୁଣି କେତେ ବେଳେ ଗୋଲ୍ ଗୋଲ୍ ଘୁରେଇ ବାଲି କୁଦ ଉପରେ କ୍ଷୀପ୍ର ଗତିରେ କିନ୍ତୁ ଖୁବ ସହଜରେ ଗାଡ଼ିଟିକୁ ଚଳାଉ ଥାଏ ଅଭ୍ୟସ୍ତ ଡ୍ରାଇଭର୍ ଋଆଜ୍ (Riaz) । ମୁଁ, ଭୟରେ ଆଖି ବନ୍ଦ କରି ବସିଥାଏ । ଯୁଆଡ଼େ ଦେଖିବ ଖାଲି ବାଲି ଆଉ ବାଲି । ଗାଡ଼ି ରଖି ମରୁଭୂମିରେ କିଛି ଫୋଟୋ ଉଠାଇଲି । ଖୁବ ଗରମ ପବନ ବହୁଥିବା ସହ ବାଲି ଉଡ଼ୁଥାଏ । ତତଲା ବାଲି ଉପରେ ଚାଲିବା ଅଦ୍ଭୁତ ଅନୁଭବ ଥିଲା । ଲାଗୁଥିଲା ଗୋଡ଼ ଯେପରି ସେହି ସୁକ୍ଷ୍ମ ବାଲିକୁଦ ଭିତରେ ଦବି ଦବି ଯାଉଛି । ସନ୍ଧ୍ୟାରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ଲାଗି ଖାଦ୍ୟ ପେୟ ବ୍ୟବସ୍ଥା ସହ ଆରବୀୟ ଲଳନାମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ବେଲି ଡ୍ୟାନ୍ସର ଆୟୋଜନ ବି ସେଠାରେ ହୋଇଥାଏ । ଯଦି କେହି ଚାହିଁବେ ତେବେ ଓଟ ପିଠିରେ ବସି ମରୁ ଯାତ୍ରାର ଆନନ୍ଦ ନେବା ସହ ରାଷ୍ଟ୍ରୀୟ ବାଜପକ୍ଷୀ ସହ ବି ଫୋଟୋ ଉଠାଇ ପାରନ୍ତି । ଏହା ବ୍ୟତୀତ, ଅନେକ ଦର୍ଶନୀୟ ସ୍ଥାନ ଯେପରିକି ଜୁମୈରାଃ ବେଳାଭୂମି (Jumeirah Beach), ଡଲଫିନ୍ ଶୋ, ମିରକ୍ଲ ଗାର୍ଡେନ, ଜୁମୈରାଃ ମସଜିଦ୍ ଆଦି ବି ଅନେକ ମାତ୍ରାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

ମୁଁ ଭାବୁଥିଲି, ଏ ବିସ୍ତୀର୍ଣ୍ଣ ମରୁରାଜ୍ୟରେ ପ୍ରାଚୁର୍ଯ୍ୟ ଓ ବିଭବଭରା ସହରଟିକୁ କେମିତି ଅବା ଗଢ଼ା ଯାଇଛି? ସେଥିପାଇଁ ବୋଧହୁଏ କୁହାଯାଏ ଯଦି ସ୍ୱର୍ଗ ଦେଖିବାର ଇଚ୍ଛା ଅଛି ତେବେ ଦୁବାଇ ଚାଲିଯାଆନ୍ତୁ । ପ୍ରାଚୁର୍ଯ୍ୟର ସମ୍ଭାର ଦୁବାଇ ନଗରୀର ସୌନ୍ଦର୍ଯ୍ୟ ଏକ ପରୀ ରାଇଜର ଭ୍ରମ ସୃଷ୍ଟି କରିବା ସହ ମତେ ମନେ ପକାଇ ଦେଉଥିଲା ପିଲାଦିନେ ପଢ଼ିଥିବା ଆରବ୍ୟ ରଜନୀ କାହାଣୀର କାଳ୍ପନିକ ଦୃଶ୍ୟ ।

ଡ. ଅମ୍ରିତା ପାଣି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଅମ୍ରିତା ପାଣି ଓଡ଼ିଆ ଭାଷାରେ କିଷମ କିଷମର ଗପ ଓ ଭ୍ରମଣ କାହାଣୀ ଆଦି ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ବିଦେଶ ଯାତ୍ରାର କିଛି ଅନୁଭୂତିକୁ ସେ ଶବ୍ଦରେ ସଜେଇ ସୁନ୍ଦର ଭାବରେ ବଖାଣନ୍ତି ସେ ଦେଶକୁ, ରାଜ୍ୟକୁ, ସହର ଅବା ସ୍ଥାନକୁ । ସେମିତି କିଛି ଭ୍ରମଣକାହାଣୀ ମଧ୍ୟ ପ୍ରକାଶ ପାଇଛି ଶୁଭପଲ୍ଲବରେ ।