You are currently viewing ଡିହିରାକୁଳ- ଦୁଇଟି ତାଳଗଛର ଗାଁ
ଡିହିରାକୁଳ- ଦୁଇଟି ତାଳଗଛର ଗାଁ

ଡିହିରାକୁଳ- ଦୁଇଟି ତାଳଗଛର ଗାଁ

“ଗାଁ” ଶବ୍ଦର ଏକ ଅଲଗା ଆକର୍ଷଣ । ମନ ଭିତରେ ଏକ ଅଲଗା ଛବି ଆଙ୍କିହୋଇଯାଏ ନାଁ ଶୁଣିଲେ । ପ୍ରାୟତଃ ନଦୀ, ପୋଖରୀ, ଚାଷଜମି, ଗୋରୁଗାଈ, ଭାଗବତ ଟୁଙ୍ଗୀ… ଏମିତି ଅନେକ କିଛିର ଦୃଶ୍ୟ ଆଖି ଆଗରେ ନାଚିଯାଏ ।

ଶନିବାର ସ୍କୁଲ ଛୁଟି ପରେ ପ୍ରାୟତଃ ସହର ଉପକଣ୍ଠରେ ବୋହିଯାଉଥିବା ସ୍ୱର୍ଣ୍ଣ ନଦୀରେ (ଅପଭ୍ରଂସ ହୋଇ ସୋନ/ସୁନ ହୋଇଛି ଏବେ) ବୁଡ଼ ପକାଇବା ଏକ ଅଭ୍ୟାସରେ ପରିଣତ ହୋଇଥିଲା । ଯଦିଓ ପହଁରା ଶିଖିନଥିବାର ଭୟ ଥିଲା, କିନ୍ତୁ ଅଳ୍ପ ପାଣି ଥିବାରୁ ସେଥିରେ ଖେଳିବାର ମଜା ନିଆରା ଥିଲା । ଏମିତି ଦିନେ ନଦୀ ଗାଧୁଆ ସରିବାପରେ ନିକଟସ୍ଥ ପାହାଡ଼ ଚଢି଼ବା ଯୋଜନା ତିଆରି ହୋଇଥିଲା ଅନ୍ୟ ବନ୍ଧୁମାନଙ୍କ ସହ । ବୌଦ୍ଧଧର୍ମର ଆଦ୍ୟ ଗୁରୁମାନଙ୍କ ମଧ୍ୟରୁ ଲୁଇପା ଥିଲେ ଅନ୍ୟତମ । ତାଙ୍କର ସାଧନା ତଥା ସିଦ୍ଧ ପ୍ରାପ୍ତିର ଗୁମ୍ଫା ପରିଦର୍ଶନ କରିବା ଲକ୍ଷ୍ୟରେ ଯେବେ ପାହାଡ଼ ଉପରକୁ ଯାଇଥିଲୁ, ଅନତି ଦୂରରେ ଥିବା ଏକ ଗାଁ ଆଖିରେ ପଡ଼ିଥିଲା । କେଜାଣି କାହିଁକି ସାଇକେଲ ଚଢ଼ି କେବେ ସେଠାକୁ ଯିବାର ଦୂର୍ବାର ଅଭିଲାଷା ମନରେ ଗଢ଼ିଉଠିଥିଲା ଅଜାଣତରେ । ଆଖପାଖର ସାଙ୍ଗସାଥିଙ୍କ ନିକଟରୁ ସେ ଗାଁ ବିଷୟରେ ସାମାନ୍ୟ ସୂଚନା ପାଇଥିଲି । ଭାଗ୍ୟକୁ ଉପର ଶ୍ରେଣୀର ଜଣେ ଭାଇଙ୍କ ଘର ସେଇ ଗାଁରେ ଥିଲା ।

ଖରାଛୁଟିରେ ଦିନେ ସକାଳୁ ସାଇକେଲ ଧରି ଘରୁ ଯାତ୍ରା ଆରମ୍ଭ କରି ଯେବେ ଲୁଇପା ପାହାଡ଼ ଅତିକ୍ରମ କଲି, ସ୍ୱାଗତ ଜଣାଇବାକୁ ସ୍ୱର୍ଣ୍ଣ ନଦୀରୁ ବାହାରିଥିବା କେନାଲରେ ତିଆରି କୃତ୍ରିମ ଝରଣା ନିକଟରେ କିଛି କ୍ଷଣ ଛିଡ଼ା ହେଲି । ଦୂରରେ ଥିବା ନୀଳଗିରିର ନୀଳ ପାହାଡ଼ ସହ ସବୁଜ ଧାନ ଖେତର ଦୃଶ୍ୟ ଏକ ଅଜଣା ସମ୍ମୋହନରେ ଭରିଦେଇଥିଲା ମନକୁ । ବଡ଼ଭାଇଙ୍କ ଡାକରେ ଯେବେ ପ୍ରକୃତିସ୍ଥ ହେଲି ସେତେବେଳକୁ ଗ୍ରାମ ସୀମାରେ ଉପନୀତ ହୋଇ ସାରିଥିଲୁ ।

ଗାଁ ଭିତରକୁ ରାସ୍ତା ଆରମ୍ଭରେ ହିଁ ଥିଲା ଦୁଇ ପାର୍ଶ୍ଵରେ ଦୁଇ ବିଶାଳ ତାଳଗଛ । “ଡିହିରାକୁଳ” ବୋଲି ନାମ କିଏ କାହିଁକି ଦେଇଥିଲେ ବା ତା’ ପଛର କାହାଣୀ କ’ଣ ଜାଣିବାର ଇଚ୍ଛା ନଥିଲା, ତେଣୁ ମୋ ପାଇଁ ସେଇଦିନରୁ ଗାଁର ନାମ ହୋଇଥିଲା “ଦୁଇଟି ତାଳଗଛର ଗାଁ” ।

ରେଭେନ୍ସାରେ ପଢ଼ୁଥିବା ସେଇ ଗାଁର ଜଣେ ବଡ଼ଭାଇଙ୍କ ପାଖରୁ ବିଭିନ୍ନ ସମୟରେ ଗାଁର କଳା ଓ ସଂସ୍କୃତି ତଥା ତନ୍ତ ବୁଣାକାରଙ୍କ ବିଷୟରେ ଶୁଣି କେବେ ପୁଣିଥରେ ଯିବି ଭାବି ଅନେକ ବର୍ଷ ବିତିଯାଇଥିଲା । ଜୀବନ ଜୀବିକା ସନ୍ଧାନରେ ଅନେକ ଦୂରରେ ରହିବା ପରେ ଖୁବ୍ କମ୍ ସମୟ ପାଇଁ ଗାଁକୁ ଗଲେ ସମ୍ଭବ ହେଉ ନଥିଲା ଯୋଜନା କରି ସେଇ ଗାଁ ବୁଲିବାପାଇଁ । ଅନେକ ବର୍ଷ ପରେ ଦିନେ ହଠାତ କୌଣସି ଏକ କାମରେ ସେଇ ପାଖ ଗାଁକୁ ଯାଇଥିବା ସମୟରେ କିଛି ସମୟ ସେଇଠି ବିତାଇବାର ଅନୁଭୂତି ଏବେବି ମାନସପଟ୍ଟରୁ ଲିଭିନାହିଁ ।

ଭିତରକୁ ଥିବା ମୋରମ୍ ରାସ୍ତା ଏବେ ଅବଶ୍ୟ କଂକ୍ରିଟର ଆବରଣ ପାଇଛି ଆଉ ଜଳ ନିଷ୍କାସନ ପାଇଁ ତିଆରି ହୋଇଥିବା ଡ୍ରେନ୍ ଏବେ ମଶାଙ୍କ ଗନ୍ତାଘର ପାଲଟିଛି, କିନ୍ତୁ ରାସ୍ତା କଡ଼ରେ ଥିବା ଧାଡ଼ି ଧାଡ଼ି ଘର ଓ ଗଛ ସବୁ ସେମିତି ହିଁ ପୁରୁଣା ଅଛନ୍ତି । ବାମପଟେ ନୂଆ ତିଆରି ହୋଇଥିବା ସୁନ୍ଦର ଜଗନ୍ନାଥ ମନ୍ଦିରରେ ମୁଣ୍ଡିଆ ମାରି ଉଠିଲା ବେଳକୁ ବନ୍ଧୁଜଣେ ଆସି ପହଞ୍ଚି ଯାଇଥିଲେ । ତାଙ୍କ ସହ ଚାଲିଲୁ ବହୁ ବର୍ଷ ପରେ ପୁଣିଥରେ ନୂଆ ଜୀବନର ସଞ୍ଚାର ପାଇଥିବା ତନ୍ତ ସମବାୟ ସମିତିର କାର୍ଯ୍ୟାଳୟକୁ । ୧୯୫୫ ମସିହାରେ ଗାଁର କିଛି ଯୁବକଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଏ ଅନୁଷ୍ଠାନ ଆଜି ଅନେକ ଝଡ଼ଝଞ୍ଜା ସହି ୬୫ ବର୍ଷ ଅତିକ୍ରମ କରି ସାରିଲିଣି । ମଝିରେ କିଛି ବର୍ଷ ଅର୍ଥାଭାବରୁ ବନ୍ଦ ହୋଇ ପୁଣିଥରେ ଏଇ କିଛିବର୍ଷ ହେବ ୫୦୦ ଟଙ୍କା ମାସିକ ସରକାରୀ ଭତ୍ତା ପାଇ ୭୦/୭୫ ପୁରଷ ଓ ମହିଳା ମିଶି ସକାଳୁ ସଞ୍ଜ ପର୍ଯ୍ୟନ୍ତ ପାରମ୍ପାରିକ କଳାକୁ ବଞ୍ଚାଇବାର ଉଦ୍ୟମ ଜାରି ରଖିଛନ୍ତି ।

Dihirikula

ଆଜି ବି ସେଇ ଫୁଡା଼କୁମ୍ଭ ଟସର ଶାଢ଼ୀର ବୁଣିବା ଶୈଳୀ ଅପରିବର୍ତ୍ତିତ ରହିଛି । ପାଟ ଶାଢ଼ୀ ଏବଂ ଆଦିବାସୀ ପ୍ରିଣ୍ଟ ଥିବା ଶାଢ଼ୀରେ ଅବଶ୍ୟ ଆଧୁନିକତା ଆଣିବାର ଚେଷ୍ଟା ଚାଲିଛି କିନ୍ତୁ ବୁଣିବା ଶୈଳୀ ସେଇ ପୁରୁଣା । ଟସର ଚାଦର, ଗାମୁଛା ବୁଣା ଶୈଳୀ ବି ସେଇ ପୁରୁଣା ଆଉ ମଣ୍ଡ ଦେବା ପରର ସେ ବାସ୍ନା ସେମିତି ହିଁ ଅଛି (ଅନେକ ବର୍ଷ ତଳେ ପ୍ରଥମ ଚାକିରି ସମୟରେ ସେଇ ଚାଦରରୁ ଖଣ୍ଡେ ଉପହାରରେ ପାଇଥିଲି ମାଆଙ୍କ ପାଖରୁ ଯେଉଁଟା ଏପର୍ଯ୍ୟନ୍ତ ବି ସାଇତି ରଖିଛି ଆଉ ରଖିବି) । ପାଟ ଉପରେ ରାମାୟଣ/ମହାଭାରତର କାହାଣୀର ସୁକ୍ଷ୍ମ କାରୁକାର୍ଯ୍ୟ ହେଉ କିମ୍ବା ବାଲିଚୋରୀ ଶାଢ଼ୀରେ ଟସର ଉପରେ ଗୋପଲୀଳାର ଅପୂର୍ବ ଦୃଶ୍ୟ ଏବେବି ସେମିତି ହିଁ ତିଆରି ଚାଲିଛି । ସମିତିର ମୁଖ୍ୟ ପରିଚାଳକଙ୍କ ସହ ସଂସ୍ଥାର ସୁବିଧା ଅସୁବିଧା ବିଷୟରେ ବୁଝି କିପରି ଆମାଜନ୍ ଭଳି ବଡ଼ ଇ-ବାଣିଜ୍ୟ ସଂସ୍ଥା ସହଯୋଗରେ ତନ୍ତଲୁଗାର ବଡ଼ ବଜାର ସୃଷ୍ଟି କରାଯାଇପାରେ ସେକଥା ଆଲୋଚନା କରି ସାହୁ ସାହି ଆଡ଼କୁ ପହଞ୍ଚି ଯାଇଥିଲି ।

୧୯୯୫ ମସିହାରେ ତାଳପତ୍ରରେ ଉଷା ବିଳାସ କାବ୍ୟ ଖୋଦେଇ କରି ରାଷ୍ଟ୍ରପତିଙ୍କଦ୍ୱାରା ପୁରଷ୍କୃତ ଶ୍ରୀଯୁକ୍ତ କରୁଣାକର ସାହୁ ଓ ତାଙ୍କ ପରିବାରର ଗାଁରେ ଥିଲା ଅନେକ ଲୋକପ୍ରିୟତା । ବିଭିନ୍ନ ପଥର ମୂର୍ତ୍ତି, ତାଳପତ୍ର ଚିତ୍ର ଏବଂ ପଟ୍ଟଚିତ୍ର ତିଆରିରେ ସିଦ୍ଧହସ୍ତ ଶ୍ରୀଯୁକ୍ତ ସାହୁ ଅବଶ୍ୟ ଏବେ ଭୁବନେଶ୍ୱରର ବାସିନ୍ଦା । ଗ୍ରାମାବସ୍ଥାନ ସମୟରେ ଅନେକ ଯୁବକଙ୍କୁ ତାଲିମ ଦେଇ ସ୍ୱଛଳ କରିବାର ଚେଷ୍ଟା କରିଥିଲେ ମଧ୍ୟ ସେ ଭିତରୁ କିଛି ଏବେ ରୋଜଗାର ଆଶାରେ ବଡ଼ ସହରକୁ ସ୍ଥାନାନ୍ତରିତ ଏବଂ ପ୍ରାୟତଃ ନଗଣ୍ୟ ଏବେ ସେ କାରୁକାର୍ଯ୍ୟରୁ ଜୀବିକା ଆଶା ରଖିଛନ୍ତି । କିନ୍ତୁ ଜଣେ ବି ଏବେ ଗାଁରେ ନଥିବା କଥା ମନରେ ଅନୁଶୋଚନା ଆଣିଥିଲା ।

usha-bilasha

କାଳକ୍ରମେ ଗାଁ’ର କଳା ପରମ୍ପରା କ’ଣ ଲୋପ ପାଇଯିବ? ଯଦି ତନ୍ତ ବୁଣା ପୁଣିଥରେ ଆରମ୍ଭ ହୋଇ ପାରିଲା ତେବେ ଚିତ୍ର କଳାର ପୁନରୁଦ୍ଧାର ହୋଇ ପାରିବନି କାହିଁକି ଭାବୁଭାବୁ ସମୟ ହୋଇଯାଇଥିଲା ଫେରିବାର ।

sadhi-tanta

ବହୁ ଚେଷ୍ଟା ସତ୍ତ୍ୱେ ଶ୍ରୀଯୁକ୍ତ ସାହୁଙ୍କ ସହ ସମ୍ପର୍କ କରି ପାରିଲି ନାହିଁ ବୋଲି ଅନୁତାପ ରହିବ କିନ୍ତୁ ଆଶା କେବେ ନା କେବେ ସେ ଫେରିବେ ପୁଣିଥରେ ସେଇ ପୁରୁଣା କଳାକୁ ନୂଆ ଶୈଳୀରେ ନୂଆ ଜୀବନ ଦେବାପାଇଁ ।

Sadhi made in Dihirakula
ଡିହିରାକୁଳରେ ପ୍ରସ୍ତୁତ ଶାଢ଼ୀ

– 0 –

ଡିହିରାକୁଳ ଗାଁ ମୟୁରଭଞ୍ଜ ଜିଲ୍ଲାର ଉଦଳା ସହରରୁ ଅନତିଦୂରରେ ଅବସ୍ଥିତ ଏକ ଶିଳ୍ପଗ୍ରାମ (ଅବଶ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି କି ନାହିଁ କହି ପାରିବି ନାହିଁ) । ଲେଖାଟି ଦୁଇ ବର୍ଷ ତଳେ ଜାତୀୟ ହସ୍ତତନ୍ତ ଦିବସ ସମୟରେ ସାମାଜିକ ଗଣମାଧ୍ୟମରେ ଚିତ୍ର ସମ୍ବଳିତ ପ୍ରକାଶ କରିଥିଲି ବୁଣାକାରମାନଙ୍କ ଦୁରବସ୍ଥା ବିଷୟରେ ସରକାରଙ୍କୁ ଅବଗତ କରାଇବା ପାଇଁ ।

ସାଇ ପ୍ରକାଶ ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାଇ ପ୍ରକାଶ ପେଶାରେ ଜଣେ ଇଞ୍ଜିନିୟର ଏବଂ ନିଶା ତାଙ୍କର ଫଟୋଗ୍ରାଫି ଓ ଟ୍ରାଭେଲ୍ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିବା ସହ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।