You are currently viewing ରଜ ପୋଡ଼ ପିଠା
ରଜ ପୋଡ଼ ପିଠା

ରଜ ପୋଡ଼ ପିଠା

ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀର ନାରୀତ୍ୱକୁ ସମ୍ମାନ ଦେବା ଏକ ସଂସ୍କୃତିର ମହାନତାର ମ।ପଦଣ୍ଡ । ଓଡ଼ିଶାର ଗଣପର୍ବ ରଜ ନାରୀତ୍ୱର ଏକ ଅବର୍ଣ୍ଣନୀୟ ଉତ୍ସବ । ଏହି ପର୍ବରେ ଖୁବ ସଜସଜ୍ଜାରେ ନାରୀ ତା’ର ନାରୀତ୍ୱକୁ ଉପଭୋଗ କରିବାର ସୌଭାଗ୍ୟ ପାଇଥାଏ ।

ଆମ ସଂସ୍କୃତିରେ ପର୍ବ ସଙ୍ଗେ ତା’ର ପିଠାପଣାର ସମ୍ପର୍କ ନିଆରା । ରଜ ପର୍ବ ପାଳନରେ ପୋଡ଼ ପିଠାର ମଜା ଆଉ କଉ ମିଠାରେ ନାହିଁ । କଥାନୁସାରେ ରଜ ତିନିଦିନ ନାରୀମାନେ କାମ କରନ୍ତି ନାହିଁ, ତେଣୁ ପହିଲି ରଜର ପୂର୍ବଦିନ ଅଥବା ପାଣିଅଣା ଦିନ ହିଁ ନାରୀମାନେ ଆଗାମୀ ତିନିଦିନର କାର୍ଯ୍ୟ ଶେଷ କରିଦେଇଥାନ୍ତି । ତିନିଦିନର ଖାଦ୍ୟ ପାଇଁ ପୋଡ଼ପିଠା ହିଁ ହୁଏତ ସେବେ ସର୍ବୋତ୍ତମ ଥିଲା, କାରଣ ପୋଡ଼ ପିଠା ଅଧିକଦିନ ପର୍ଯ୍ୟନ୍ତ ରହିପାରୁଥିଲା । ଅବଶ୍ୟ ଏବେ ନାରୀମାନଙ୍କ ପାଖରେ ସେତେଟା ସୁଯୋଗ ନାହିଁ ଯେ ତିନିଦିନ ବିଶ୍ରାମ କରିବେ, କିନ୍ତୁ ଏବେ ବି ରଜ ଆସିଲେ ପୋଡ଼ ପିଠା ଘରେ ଘରେ ପ୍ରସ୍ତୁତ ହୋଇଥାଏ ।

ତେଣୁ ଆସନ୍ତୁ ଆମ ସଂସ୍କୃତିର ଏହି ବଡ଼ ପର୍ବର ମୁଖ୍ୟ ଖାଦ୍ୟ ପୋଡ଼ପିଠାକୁ କେମିତି ପାରମ୍ପାରିକ ପଦ୍ଧତିକୁ ଛାଡ଼ି ଆଧୁନିକ ପ୍ରାଣାଳୀରେ ପ୍ରସ୍ତୁତ କରିବା, ସେ ବିଷୟରେ ଜଣିବା ।

ଆବଶ୍ୟକ ଦ୍ରବ୍ୟ:

  • ଅରୁଆ ଚାଉଳ – ୨ କପ୍
  • ବିରି – ୧ କପ
  • ନଡ଼ିଆ (ଅଧା ଛୋଟ ଛୋଟ ଖଣ୍ଡ/ଅଧା କୋରା)
  • ଗୁଆ ଘିଅ (୪ରୁ ୫ ଚାମଚ୍)
  • ଗୁଡ଼ (୧/୪ କପ୍)
  • ଗୁଜରାତି ଗୁଣ୍ଡ – ଅଳ୍ପ କିଛି
  • ଗୋଲ ମରିଚ ଗୁଣ୍ଡ – ଅଳ୍ପ କିଛି
  • ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

୧. ବିରି ଆଉ ଚାଉଳକୁ ରାତିସାରା ପାଣିରେ ଭିଜେଇ ରଖନ୍ତୁ ।
୨. ବିରିକୁ ଅଲଗା ଆଉ ଚାଉଳକୁ ଅଲଗା ବାଟି ଦିଅନ୍ତୁ ।
୩. ବିରିକୁ ଟିକେ ଫେଣ୍ଟନ୍ତୁ ହାଲକା ହେବାଯାଏଁ ଆଉ ସେଥିରେ ଚାଉଳ ପିଠଉକୁ ମିଶାନ୍ତୁ ।
୪. ଅଳ୍ପ ଲୁଣ ପକାନ୍ତୁ । ଗୁଜରାତି ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ ମିଶାନ୍ତୁ ।
୫. ଗୋଟେ କଢ଼େଇରେ ଗୁଡ଼ ଗରମ କରି, ନଡ଼ିଆ କୋରାକୁ ମିଶାନ୍ତୁ ।
୬. ଘିଅରେ ନଡ଼ିଆ ଖଣ୍ଡକୁ ଭାଜି ରଖନ୍ତୁ ।
୭. ଓଭାନ୍ ଟ୍ରେ (oven tray) ବା କଢ଼େଇରେ ଘିଅ ଲଗାନ୍ତୁ ।
୮. ଚାଉଳ ବିରି ମିଶା ପିଠଉ ଅଳ୍ପ ଦିଅନ୍ତୁ । ତା’ ଉପରେ ନଡ଼ିଆ ଗୁଡ଼ ମିଶାକୁ ଦିଅନ୍ତୁ । ଉପରେ ପୁଣି ପିଠଉ ଦିଅନ୍ତୁ । ଉପରେ ଘିଅ ଭଜା ନଡ଼ିଆ ଖଣ୍ଡ ଦିଅନ୍ତୁ । ଏଥିସହିତ ଆପଣ ବାଦାମ ମଞ୍ଜି, କାଜୁ, କିସ୍‌ମିସ୍ ମଧ୍ୟ ପକାଇପାରିବେ ।
୯. ଧୀମା ଆଞ୍ଚରେ ଅଧାଘଣ୍ଟା ଯାଏଁ oven ଅବା କଢ଼ିଇରେ ବସାନ୍ତୁ ।
୧୦. ଏହାପରେ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଏବେ ଆପଣଙ୍କର ପୋଡ଼ପିଠା ପ୍ରସ୍ତୁତ ।

ପୂର୍ବରୁ ଆମର ମାଆ/ଜେଜେମାଆମାନେ ପୋଡ଼ପିଠା ମାଟି ପଲମରେ କରୁଥିଲେ । କିନ୍ତୁ ଏବେ ସହର ବଜାରରେ ମାଟି ପଲମରେ କରିବା କଷ୍ଟକର ହୋଇପଡ଼ିଲାଣି, ଆଉ ମାଟି ପଲମର ସ୍ଥାନ ଏବେ ଏ ଓଭାନ୍ ନେଇସାରିଛି ।

ଆପଣଙ୍କ ପାଖରେ ଯଦି ମାଟି ପଲମର ସୁବିଧା ଅଛି ତେବେ ସମାନ ପ୍ରଣାଳୀ ଆପଣମାନେ ମଧ୍ୟ ବ୍ୟବହାର କରିପାରିବେ । କଢ଼େଇ ବଦଳେରେ ପିଠଉକୁ ମାଟି ପଲମରେ ପ୍ରଥମେ ଶୁଖିଲା ଗୁଣ୍ଡା କିମ୍ବା ଘଷି ପାଉଁଶ ଦେଇ କଦଳୀପତ୍ର ବିଛେଇ ଢାଳିବେ ଏବଂ ପିଠଉ ଦେଇସାରିବା ପରେ ଉପରେ କଦଳୀପତ୍ରରେ ଘୋଡ଼େଇଦେଇ ତାକୁ ଚୁଲି ଉପରେ ବସେଇଦେବେ ।

ମାଟି ପଲମରେ ପ୍ରସ୍ତୁତ କରିବାକୁ ହେଲେ, ଉଭୟ ତଳପଟୁ ଓ ଉପରପଟୁ ଉତ୍ତାପ ଦେବାକୁ ହେବ, ତେଣୁ ଢାଙ୍କିଥିବା କଦଳୀପତ୍ର ଉପରେ କିଛି ଗୁଣ୍ଡା କିମ୍ବା ଘଷି ନିଆଁର ଆଞ୍ଚ ଦେବେ । ଏମିତି ପାଖାପାଖି ୧ ଘଣ୍ଟାରେ ପୋଡ଼ପିଠା ପ୍ରସୁତ ହୋଇଯିବ ଏବଂ ଥଣ୍ଡା ହେଲାପରେ ଏହା ଖାଇବା ପାଇଁ ପରସିହେବ ।

ଏ ବର୍ଷ ରଜରେ ଏହି ପିଠା ପ୍ରସ୍ତୁତ କରି ଦେଖନ୍ତୁ ଆଉ କେମିତି ଲାଗିଲା ନିଶ୍ଚୟ ଜଣେଇବେ, ମୋର ଇନ୍‌ଷ୍ଟାଗ୍ରାମ୍ ହେଣ୍ଡେଲ୍ @seetayabhoi1ରେ । ଏମିତି ଆହୁରି ଆମର ପାରମ୍ପରିକ ଖାଦ୍ୟ ପ୍ରଣାଳୀ ଜାଣିବା ପାଇଁ ମୋତେ ଫଲୋ କରନ୍ତୁ ।

ଧନ୍ୟବାଦ
ସୀତୟା ଭୋଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୀତୟା ଭୋଇ ଜଣେ ଓଡ଼ିଆ ଏବଂ ସମ୍ବଲପୁରୀ ଖାଦ୍ୟ ପ୍ରିୟା ବ୍ଲଗର୍, ଯିଏକି ଘରୋଇ ରୋଷେଇ ଏବଂ ଫଟୋଗ୍ରାଫିରେ ଅଧିକ ରୁଚି ରଖନ୍ତି ।