You are currently viewing ପୋତା ଧନ
ପୋତା ଧନ

ପୋତା ଧନ

ଭୟ ସମସ୍ତଙ୍କୁ ଲାଗେ, ଅନ୍ଧାରରେ ନିଜ ଛାଇ ନିଜକୁ ଡରେଇ ଦିଏ । କିଏ କୁହେ ଏସବୁ ଅନ୍ଧ ବିଶ୍ୱାସ ଆଉ କିଏ କୁହେ ଯେ ଅଙ୍ଗେ ନିଭେଇଛି ସେ ଜାଣେ । ଡର କାହାକୁ କୁହାଯାଏ?

ରାଜା ରାଜୁଡ଼ା କାହାଣୀ ଆସିଲେ ଆଖିକୁ ଆଗେ ଦେଖାଯାଏ । ପୁରୁଣା ରାଜ ବାଟି, ଭଙ୍ଗା ପଥରରେ ତିଆରି ପ୍ରସାଦ । କେତେ କାହାଣୀ ଆଉ କେତେ ଅଜଣା କଥା । କେତେ ସମୟ ସହ ଲୁଚି ଯାଇଚି ଆଉ କିଛି ଏବେ ବି ରହିଛି ସେମିତି ।

ଭାନ୍‌ଗଡ଼, ଶୁଣିଥିବା ନାଁ’ଟେ । ଏବେ ଖାଲି ରହିଛି ପଥରର ସେ ଉଚ୍ଚ ଉଚ୍ଚ କାନ୍ଥ ସବୁ । କିଏ ଜାଣେ କେତେ ଲୁହ ଆଉ ଲହୁ ମିଶିଛି ଏ ମାଟିରେ । ଅନେକ ସମ୍ପତ୍ତି ଏଇଠି ମାଟିରେ ମିଶିଯାଇଛି । କୁହନ୍ତି ସେ ସବୁ କୁଆଡ଼େ ଜୀବନ ପାଇଯାଇ ଏବେ ଏଇ ରାଜବାଟି ଚାରି ଆଡ଼େ ବୁଲେ । ଅନ୍ଧାର ରାତିରେ ଡାକେ । ତା’ ଡାକକୁ ଯେ ଶୁଣେ ସେ ଆଉ କେବେ ଫେରେ ନାହିଁ ।

ସମସ୍ତେ କାହାଣୀଟେ ଶୁଣିଥିଲେ କି ଭାନଗଡ଼ରେ କୁଆଡ଼େ ବହୁତ ଭୂତ ଅଛନ୍ତି । ସେଠିକି ଯାଇ କେହି ଫେରିନି । ରାଜ୍ ମନରେ କିନ୍ତୁ ଅନେକ ପ୍ରଶ୍ନ ଥିଲା । ସେ ଜାଣିବାକୁ ଚାହିଁ ଥିଲା ଅନେକ କିଛି ।

ବହୁତ ଦିନ ଦେଖା ହୋଇଥିଲେ ସାଙ୍ଗମାନେ । ରାଜ୍, ମନୋଜ, ବିକ୍ରମ; ପିଲା ଦିନର ସାଙ୍ଗ ସେମାନେ । ପାଠ ପଢ଼ା ପରେ ଏବେ ନିଜ ନିଜ କାମରେ ବ୍ୟସ୍ତ । ଏଇ ରଜ ଆସିଲେ ସମସ୍ତେ ଏକାଠି ହୁଅନ୍ତି । ମନେ ପକାନ୍ତି ପିଲା ଦିନ କଥା ।

ରାଜ୍ କହିଲା, “ବହୁତ ଦିନରୁ କୁଆଡ଼େ ସାଙ୍ଗ ହୋଇ ଯାଇ ପାରିନେ । ଏ ବର୍ଷ କୁଆଡ଼େ ବୁଲିବାକୁ ଯିବା?

ବିକ୍ରମ କହିଲା, “କାଇଁ କୁଆଡ଼େ ଯିବା ଭାବୁଛୁ କି ।”

– ହଁ ! ମୁଁ ଭାବୁଛି ଭନ୍‌ଗଡ଼ ଯିବା ।
– “ସେଇଟା କୋଉଠି?” ପଚାରିଲା ମନୋଜ ।
– “ରାଜସ୍ଥାନରେ, ଆଉ କୋଉଠି ।” ଉତ୍ତର ଥିଲା ରାଜ୍‌ର ।

ତିନିଜଣ ସାଙ୍ଗ ବାହାରି ପଡ଼ିଥିଲେ ଯିବାକୁ । ଆଗରେ ଅଜଣା ଜାଗା ଆଉ ଶୁଣି ନ ଥିବା କାହାଣୀ । ସମସ୍ତେ ଟ୍ରେନରୁ ଓହ୍ଲେଇସାରୀ ଭାନଗଡ଼ ଯିବାକୁ ଗାଡ଼ିର ଅପେକ୍ଷାରେ ଥିଲେ ।

ସାମ୍ନାରେ କେହି ଜଣେ ଥିଲା ଗାଡ଼ି ଧରି । “କ’ଣ ବାବୁ ରାଜବାଟୀ ଯିବେ?” ସମସ୍ତେ ହଁ କହି ଗାଡ଼ିରେ ବସିଲେ । ଆଗରେ ଯେତେ ଦୂର ଆଖି ପାଉଥିଲା ଖାଲି ବାଲି । ଯେମିତି ଆଉ କିଛି ନାହିଁ ।

– ଆପଣମାନେ କାହିଁକି ସେଠିକୁ ଯିବେ ବାବୁ? କ’ଣ ଜାଣି ନାହାନ୍ତି ସେଠିକି ଗଲେ ଆଉ କେହି ଫେରେନି ।
– ଏସବୁ ବେକାର କଥା । ତମ କାମ ଗାଡ଼ି ଚଳାଇବା । ଏତେ କଥା କାହିଁ କହୁଚ? (ରାଜ୍ ରାଗିକି କହିଲା)

ସାମ୍ନାରେ ପାହାଡ଼ ଦେଖା ଯାଉଥିଲା, ଚାରି ପଟେ ଜଙ୍ଗଲ । ଯେମିତି ସବୁଠାରୁ ଦୂରରେ କେହି ନିଜକୁ ଦୂରେଇ ରଖିଥିଲା । ସେ ରାଜବାଟି ଓ ତା’ର କାହାଣୀ । ସମସ୍ତେ ଓହ୍ଲେଇ ଗଲେ ଗାଡ଼ିରୁ । ଆଉ ଥରେ ଗାଡ଼ିବାଲା କହିଲା, “ବାବୁ ରାତିଯାଏଁ ରହିବ ନି । ଏ ଜାଗା ଭଲ ନୁହେଁ ।”

କେହି ନ ଶୁଣିବା ପରି ଆଗକୁ ଚାଲିଲେ । ଜଙ୍ଗଲ ଓ ପାହାଡ଼ କେହି ନାହିଁ ଦେଖିବାକୁ କି ଶୁଣିବାକୁ ।

ରାଜ୍ ନିଜ ବ୍ୟାଗ୍‌ରୁ ବାହାର କଲା କାଗଜ ଖଣ୍ଡେ । ଚାରି ଆଡ଼େ ଆଉଥରେ ଆଖି ବୁଲେଇ ନେଲା । କେହି ନାହିଁ ଖାଲି ସେମାନେ ତିନି ଜଣ । ଏ ହେଉଚି ଗୋଟେ ନକ୍ସା, ଯୋଉଟା ସେ ତା’ ବାପାଙ୍କ ପୁରୁଣା ବ୍ୟାଗ୍‌ରୁ ପାଇଥିଲା । ସେ ଥିଲେ ପ୍ରତ୍ନତାତ୍ତ୍ୱିକ ବିଭାଗର ମୁଖ୍ୟ । ଆଉ ସେ ଶୁଣିଥିଲା ଏ କିଲ୍ଲା ପାଖରେ ପୋତା ଧନ ଅଛି ।

ପୋତା ଧନ କଥା ଶୁଣି ସମସ୍ତେ ଆଉ ଥରେ ପରସ୍ପରକୁ ଦେଖିଲେ । ଅସୁମାରୀ ସମ୍ପତ୍ତି ! କିଏ ଜାଣେ ତାଙ୍କୁ ମିଳିଗଲେ ଭାଗ୍ୟ ବଦଳି ଯିବ ।

ନିଜ ସାଙ୍ଗରେ ଆଣିଥିବା ଖାଦ୍ୟ ଓ ପାଣି ପିଇ ସମସ୍ତେ ବିଶ୍ରାମ ନେଲେ ସେଇଠି । ପୁରୁଣା ରାଜମହଲ କେତେ ବର୍ଷର ହିସାବ ନାହିଁ । ଖାଲି କାହାଣୀ ଅଛି ରାଜକୁମାର ବହୁତ ସୁନ୍ଦର୍ ଥିଲେ କୁଆଡ଼େ । ତାଙ୍କୁ ପାଇବାକୁ ତାନ୍ତ୍ରିକ ଚେଷ୍ଟା କରି ବିଫଳ ହେଲା । ଆଉ ତା’ ଅଭିଶାପରେ ଏ ରାଜବାଟି ଆଜି ଜନଶୂନ୍ୟ ।

ସନ୍ଧ୍ୟା ଯାଇ ରାତି ହେଲା । ନିଜ ନିଜ ପାଖରେ ଥିବା ଟର୍ଚ୍ଚର ଆଲୋକ କେବଳ ଥିଲା ସାହାରା । ସେଦିନ ଅମାବାସ୍ୟାର ରାତି ଆଉ ନିସ୍ତବ୍ଧ ଏ ଅଭିଶପ୍ତ ଇଲାକା । ରାତି ଅଧା ହେବ, ଆଲୋକରେ ସବୁଆଡ଼ ଝଲସି ଉଠିଲା । ପାଉଁଜି ଶବ୍ଦରେ ସମସ୍ତେ ଚମକି ଉଠିଲେ ।

କାହାର ଡାକ ଶୁଭିଲା, “କିଏ ଅଛି ଏଠୁ ନେଇଯାଅ ମତେ ।”

ସେ ଡାକରେ ଥିଲା ସମ୍ମୋହନ । ସମସ୍ତେ ଟାଣି ହୋଇ ଯାଉଥିଲେ । ଆଗକୁ ଆଗକୁ । ଜଙ୍ଗଲ ପାହାଡ଼ ସବୁ କିଛି ସମାନ ଦେଖା ଯାଉଥିଲା ।

ଅଜଣା ରାସ୍ତାରେ ତିନି ବନ୍ଧୁ ଆଗେଇ ଚାଲିଥିଲେ । ହାତରେ ଥିଲା ସେ ନକ୍ସା ଯୋଉଥିରେ ଥିଲା ଅସୁମାରୀ ସମ୍ପତି ପାଇବାର ବାଟ । ହଠାତ ସେ ଆଲୋକ ଅଟକି ଯାଇଥିଲା; ରାଜ୍ କହିଲା, “ଦେଖ ନକ୍ସାରେ ଦେଖେଇଥିବା ଜାଗାଟି ସେଇଟା । ଖୁସିରେ ସମସ୍ତେ ସେଇଠି ମାଟି ଖୋଳିବାକୁ ଲାଗିଲେ ।”

ଅନେକ ଖୋଳିବା ପରେ ମିଳିଲା ସୁନା ଭର୍ତ୍ତି କଳସ । କାହିଁ କେବେଠାରୁ ସେ ଏମିତି ରହିଛି । ଖୁସି ହୋଇ ଯାଇଥିଲେ ରାଜ୍, ବିକ୍ରମ ଓ ମନୋଜ ।

ଆଉ କିଛି ନ ଭାବି ସେମାନେ ପୁଣି ଥରେ ଫେରି ଆସିଲେ ସେ ରାଜବାଟିକୁ । ନା ଅନ୍ଧାରର ଡର ଥିଲା ନା ଭୟ । ସେମାନେ ଖାଲି ସୁନେଲି ଭବିଷ୍ୟତର ଭାବନାରେ ବୁଡ଼ି ଯାଇଥିଲେ । ସେ କଳସୀ ଖୋଲା ଗଲା । ସେଥିରେ ନା ଥିଲା ସୁନା ନା କୌଣସି ମୂଲ୍ୟବାନ ବସ୍ତୁ । ଖାଲି ଥିଲା ରକ୍ତ ।

ସେମାନେ ଡରିଗଲେ । ଏ କ’ଣ ସବୁ କିଛି ବଦଳି ଯାଇଥିଲା । ରାତି ଆହୁରି ଅନ୍ଧାର ହୋଇ ଯାଇଥିଲା ।

– o –

ସକାଳର ପ୍ରଥମ କିରଣ ମାଟିକୁ ଛୁଇଁ ସାରିଥିଲା । ଭାନଗଡ଼ କାଲି ଯେମିତି ଥିଲା ସେମିତି ରହିଥିଲା । ନିଖୋଜ ଥିଲେ ତିନି ବନ୍ଧୁ । ଅନେକ ଖୋଜିବା ପରେ ମଧ୍ୟ ସେମାନେ ମିଳି ନ ଥିଲେ । ପୋଲିସ କହିଲା, “କୌଣସି ଜଙ୍ଗଲର ପଶୁ ହୁଏତ ମାରିଦେଇଥିବ । ଯେମିତି ଦିନେ ଏମିତି ହଜି ଯାଇଥିଲେ ରାଜ୍‌ର ବାପା ।

ସତ ସମସ୍ତଙ୍କୁ ଅଜଣା ଥିଲା, ସେଇ ଗାଡ଼ିବାଲା ବସିଥିଲା ସବୁଦିନ ପରୀ ସେଇଠି । କହୁଥିଲା, “କହିଥିଲି ନା ବାବୁ ଏଠୁ କେହି କେବେ ଫେରେନି ।”

“ସେ ସମସ୍ତଙ୍କୁ ଡାକେ ଆସ ମତେ ଏଠୁ ନେଇ ଯାଆ । ଯେ ଶୁଣେ ସେ ଆଉ କେବେ ଫେରେ ନାହିଁ…”

ସ୍ନିଗ୍ଧା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ନିଗ୍ଧା ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।