You are currently viewing କରୁଣା
Odia Story Karuna (କରୁଣା) by Dr. Sradhanjali Panda

କରୁଣା

ହଠାତ୍ ଆଲାର୍ମ ଶବ୍ଦରେ ନିଦ ଭାଙ୍ଗିଗଲା ଅବିନାଶଙ୍କର । ଏକ ଉଦାସ ବିରକ୍ତି ଆଚ୍ଛନ୍ନ କରିଦେଲା ସମଗ୍ର ମନ ପ୍ରାଣ । କେତେ ସୁନ୍ଦର ଦୁନିଆରେ ଥିଲେ ସେ । ତନ୍ଦ୍ରାଛନ୍ନ ଅବସ୍ଥାରୁ ବାହାରି ଆସିଲେ ସେ । ବିଛଣାରୁ ଧୀରେ ଉଠି ବସିଲେ ଓ ଆଉଥରେ ମନେ ପକେଇବାକୁ ଚେଷ୍ଟା କଲେ ସ୍ୱପ୍ନଟା । ଧେତ୍ ଏ ଆଲାର୍ମଟା ସବୁ ବିଗାଡ଼ି ଦେଲା । ଖାଲି ମନେ ପଡ଼ୁଛି ବୋଉ ଭାତ, କ୍ଷୀର ଓ ଆଳୁଭର୍ତ୍ତା ଚକଟି ବଡ଼ ବଡ଼ ଗୁଳା କରି ଖୋଇ ଦେଉଥିଲା ଓ ସେ ନିରୂପାୟ ହେଇ ଖାଇ ଚାଲିଥିଲେ । ଯେତେ ମନା କଲେ ବି ବୋଉ ଶୁଣୁ ନଥିଲା, ଶେଷରେ ସେ ଅଣନିଶ୍ୱାସୀ ହୋଇଯିବା ପର୍ଯ୍ୟନ୍ତ । ନିଶ୍ୱାସ ବନ୍ଦ ହେବା ଆଗରୁ ଆଲାର୍ମ ବାଜି ତାଙ୍କୁ ବଞ୍ଚେଇଦେଲା ଓ ରଙ୍ଗୀନ ସ୍ୱପ୍ନର ଦୁନିଆରୁ ବିଷର୍ଣ୍ଣ ବାସ୍ତବତାକୁ ନେଇ ଆସିଲା ।

କାଶଟା ଅହେତୁକ ଭାବରେ ବଢ଼ିଚାଲିଥିଲା । ଟିକେ ପାଣି ପିଇ ନିଜକୁ ସାଷ୍ଟାଙ୍ଗ କରାଇଲେ । ଆଉଥରେ ଚେଷ୍ଟା କଲେ ମନେ ପକେଇବାକୁ ସ୍ୱପ୍ନଟା । କିଛି ଗୋଟେ ପୁଲକପ୍ରଦ ଅନୁଭୂତି ନିଶ୍ଚିତ ଥିଲା । କିନ୍ତୁ ସେଇଟା ଏବେ ମନେ ପଡ଼ୁନି । ଖାଲି ସେ ଭାତ, କ୍ଷୀର, ଆଳୁଭର୍ତ୍ତା ହିଁ ମନେପଡ଼ୁଛି । ଦୀର୍ଘ ଅଠତିରିଶ ବର୍ଷ ପରେ ବି ଭାତ, କ୍ଷୀର, ଆଳୁଭର୍ତ୍ତା ତାଙ୍କ ପିଛା ଛାଡ଼ୁନି । ମନେ ମନେ ହସିଲେ ସେ ।

କଟକ ସହରରେ ଜନ୍ମ ତାଙ୍କର । ଚାରି ଭଉଣୀରେ ଏକମାତ୍ର ଭାଇ ସେ । ବାପା, ବୋଉ, ଜେଜେବାପା, ଜେଜେମା ମିଶାଇ ନ’ ପ୍ରାଣୀ ପରିବାରରେ । ଦିନରାତି ମିଶି ମଧ୍ୟ ବୋଉକୁ ସମୟ ଅଣ୍ଟୁନଥିଲା । ଘରର କାମ ସାରିବାକୁ ଓ ପିଲାମାନଙ୍କ ଯତ୍ନ ନେବାକୁ । ସେସବୁ ମଧ୍ୟରେ ପୁଣି ଦିନ ଦଶଟା ସୁଦ୍ଧା ରୋଷେଇ ସାରିବାକୁ ପଡ଼େ ତାକୁ । ସମୟ ଅଭାବରୁ ଅଧିକାଂଶ ଦିନ ଘରେ ଭାତ, କ୍ଷୀର, ଆଳୁଭର୍ତ୍ତା ହିଁ ହୁଏ । ତାକୁ ହିଁ ଖାଇ ବାପା ଅଫିସ ଓ ପିଲାମାନେ ସ୍କୁଲ ଯାଆନ୍ତି ।

ପିଲାମାନଙ୍କ ଭିତରେ ସବୁଠାରୁ ସାନ ଅବିନାଶ । ତାଙ୍କୁ ରୁଚେନା ଏ ଖାଦ୍ୟ । ଅଧିକାଂଶ ଦିନ ଛୋଟିଆ ମୋଟିଆ ମହାଭାରତ ଯୁଦ୍ଧ ଲଗେଇ ଦିଅନ୍ତି ସେ ଏ ଖାଇବାକୁ ନେଇ । କିନ୍ତୁ ବୋଉର ଦୌରାତ୍ମ୍ୟ ଆଗରେ ଶେଷରେ ହାର ମାନିବାକୁ ପଡ଼େ ତାଙ୍କୁ । ଏତେ କାମ ଭିତରେ ବି ବୋଉ ବଡ଼ ବଡ଼ ଗୁଳା କରି ଖୋଇଦିଏ, ପୁଅ ଦିନସାରା ଉପାସ ରହିବା ଭୟରେ । ଅନେକ ପ୍ରତିରୋଧ ସତ୍ତ୍ୱେ, ଶେଷରେ ସେ ନିଜକୁ ସମର୍ପଣ କରିଦିଅନ୍ତି । କେବେ କେବେ ତ ଆଖି ବୁଜି ନିଶ୍ୱାସ ବନ୍ଦ କରି ତରତରରେ ଗିଳି ପକାନ୍ତି ଅନ୍ୟୋପାୟ ହେଇ । କେତେ ଅସହାୟ ଥିଲେ ସେ ! ହାୟ ।

ଦଶମ ଶ୍ରେଣୀ ପରେ ପାଠ ପଢ଼ା ପାଇଁ ଯେତେବେଳେ ଘର ଛାଡ଼ିଲେ, ସେତେବେଳେ ହିଁ ଏ ଭାତ, କ୍ଷୀର, ଆଳୁଭର୍ତ୍ତା ତାଙ୍କର ପିଛା ଛାଡ଼ିଲା । ଆଶ୍ୱସ୍ତିର ନିଶ୍ୱାସ ମାରନ୍ତି ସେ, ଯେତେବେଳେ ଆଜିବି ସେ ସମୟ ମନେ ପଡ଼େ ତାଙ୍କର ।

ଏ ଅଠତିରିଶ ବର୍ଷରେ ଦୁନିଆ ବଦଳି ଯାଇଛି ତାଙ୍କର । ମେଧାବୀ ଛାତ୍ର ଥିଲେ ସେ । ଧୀରେଧୀରେ ସଫଳତାର ସୋପାନ ଚଢ଼ିଚାଲିଲେ । ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଇଞ୍ଜିନିୟରିଂ ପଢ଼ାପରେ ପ୍ରଥମ ଚାକିରୀରେ ପୋଷ୍ଟିଙ୍ଗ୍ ହେଲା ଦିଲ୍ଲୀରେ ତାଙ୍କର । ସେବେଠାରୁ ଦିଲ୍ଲୀ ତାଙ୍କର କର୍ମଭୂମି । ପନ୍ଦର ବର୍ଷର ଚାକିରୀ ପରେ ନିଜର ଅନୁଭବକୁ ନେଇ, ବେପାରରେ ପଶିଲେ ସେ । ମେଡ଼ିକାଲ୍ ଇକ୍ୟୁପ୍‌ମେଣ୍ଟ୍ ପ୍ରସ୍ତୁତ କରୁଥିବା ନିଜର କମ୍ପାନୀ ଆରମ୍ଭ କଲେ । ସେଥିରେ ମଧ୍ୟ ସଫଳ ହୋଇଚାଲିଲେ ସେ । ଦିନକୁ ଦିନ କାରବାର ବଢ଼ିଚାଲିଛି ତାଙ୍କର ଓ ଜୀବନ ସଙ୍କୁଚିତ ହୋଇଚାଲିଛି ।

ପତ୍ନୀ ସବିତାଙ୍କ ମୃତ୍ୟୁପରେ ଖୁବ୍ ଏକା ହୋଇଯାଇଛନ୍ତି ସେ । କିନ୍ତୁ ନିଜକୁ କାର୍ଯ୍ୟବ୍ୟସ୍ତତା ଭିତରେ ହଜାଇ ଦେଇ ସେ ନିଃସଙ୍ଗତାକୁ ଅନୁଭବ କରେଇବାକୁ ଦେଇନାହାନ୍ତି ନିଜକୁ ସେ ।

“An idle mind is devil’s workshop” ଉକ୍ତିକୁ ନିଜ ଜୀବନରେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଅବିନାଶ, ଯେତେ ସମ୍ଭବ ନିଜକୁ କାର୍ଯ୍ୟବ୍ୟସ୍ତ ରଖି ।

ଏକମାତ୍ର ପୁଅ ରୋହନ ମଧ୍ୟ ତାଙ୍କ ଆଦର୍ଶରେ ଅନୁପ୍ରାଣିତ । ଏବେଠାରୁ ତାକୁ ସେ ନିଜ କାରବାରରେ ସଂଶ୍ଳିଷ୍ଟ କରିସାରିଲେଣି ଏବଂ ସେ ମଧ୍ୟ ନିଜ କାର୍ଯ୍ୟଦକ୍ଷତାର ପ୍ରତିପାଦନ କରି ଖୁବ୍ ସନ୍ତୋଷ ଦେଇଛି ତାଙ୍କୁ । ତାକୁ କିଛି ଶିଖେଇବାକୁ ପଡ଼େନାହିଁ । ନିଜର କାର୍ଯ୍ୟଶୈଳୀରେ ସେ ତାଙ୍କୁ ଖୁବ୍ ବିସ୍ମିତ କରିଛି କେବେ କେବେ ।

ଅବିନାଶ ଭାବନ୍ତି ଯାହାହେଉ ଏବେ ଟିକେ ଶାନ୍ତିରେ ସେ ଅବଶିଷ୍ଟ ଜୀବନ କାଟି ପାରିବେ । ନିଜ ମୁଣ୍ଡରେ ଆଉ ଦାୟିତ୍ୱ ବି ନାହିଁ ତାଙ୍କର । କେବଳ ରୋହନର ବାହାଘର ଛାଡ଼ି । ଆଜିକାଲି ଦୁନିଆରେ ସେସବୁ ବି ଆଉ ବାପା ମା’ଙ୍କର ଦାୟିତ୍ୱ ନୁହେଁ । ଜୀବନର ଏ ମଧ୍ୟାହ୍ନରେ ନିଜକୁ ଖୁବ୍ ଭଲ ଭାବରେ ଅବସ୍ଥାପିତ କରି ସାରିଛନ୍ତି ସେ । ଦିଲ୍ଲୀର କିଛି ବିଶିଷ୍ଟ ଲୋକଙ୍କ ଭିତରୁ ସେ ଆଜି ଜଣେ । ସମ୍ଭ୍ରାନ୍ତ ଗୋଷ୍ଠୀରେ ତାଙ୍କର ଖୁବ୍ ନାଁ ଡାକ ।

କିନ୍ତୁ ସବୁବେଳେ ଜୀବନ କ’ଣ ନିର୍ଦ୍ୱନ୍ଦ୍ୱରେ କଳକଳ ବହିପାରେ? ସବୁ ସ୍ୱାଚ୍ଛନ୍ଦତା ଭିତରେ ଏ ରୋଗଟା ହିଁ ତାଙ୍କର ଏକମାତ୍ର ସମସ୍ୟା । ନିତ୍ୟ ଜୀବନଚର୍ଯ୍ୟା ଭିତରେ କେବେକେବେ ସେ ଖୁବ୍ ଅଣନିଶ୍ୱାସୀ ଅନୁଭବ କରନ୍ତି । ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଏ । ଯେମିତି କିଛି ଗୋଟେ ହାତରୁ ବାହାରି ଯାଉଛି । ନିଜ ଆୟତ୍ତରେ ନାହିଁ କିଛି । ଅନୁଭବ ହୁଏ କିଛି ଯେମିତି ଚାଲିଯାଇଛି ତାଙ୍କ ପାଖରୁ ଓ ସେ ପ୍ରାଣପଣେ ଚେଷ୍ଟା କରି ମଧ୍ୟ ତାକୁ ଅଟକେଇ ପାରୁନାହାନ୍ତି । ଏ ପ୍ରଚେଷ୍ଟାରେ ତାଙ୍କ କଣ୍ଠରୋଧ ହୋଇଯାଏ । ଛାଟିପିଟି ହେଇଯାଆନ୍ତି ସେ । ପ୍ରବଳ ବିଷର୍ଣ୍ଣତାର ଆବେଗରେ ନିସ୍ତେଜ ହୋଇପଡ଼ନ୍ତି ସେ । ଅବିନାଶ ବୁଝିପାରୁନାହାନ୍ତି କାହିଁକି ଏ ଗତ କିଛି ବର୍ଷ ଭିତରେ ଏ ରୋଗଟା ଧୀରେ ଧୀରେ ତାଙ୍କୁ ଗ୍ରାସ କରିବାରେ ଲାଗିଛି । ଏତେ ଅସହାୟତା ସେ କେବେବି ଆଗରୁ ଅନୁଭବ କରିନଥିଲେ । ନିଜର କିଛି ଅନ୍ତରଙ୍ଗ ବନ୍ଧୁମାନଙ୍କୁ ସେ ଏକଥା କହିଛନ୍ତି । ଥରେ ଶର୍ମାବାବୁ ପ୍ରସ୍ତାବ ଦେଲେ ମାନସିକ ରୋଗ ହୋଇଥାଇପାରେ । ଆଜିକାଲି ସାଇକୋଲୋଜିକାଲ୍ ଡିଜ୍ଅର୍ଡ଼ର୍ ଏକ ମୁଖ୍ୟ ସମସ୍ୟା ହୋଇଚାଲିଛି ଲୋକଙ୍କ ଭିତରେ । ଜଣେ ନାମକରା ଡାକ୍ତରଙ୍କ ଠିକଣା ମଧ୍ୟ ଦେଲେ ସେ ଅବିନାଶଙ୍କୁ । କିନ୍ତୁ ଦିଲ୍ଲୀ ଭଳି ଏକ ଜାଗାରେ ଯେଉଁଠି ସ୍ୱାସ୍ଥ୍ୟସେବା ଏତେ ଉନ୍ନତ, ସେଠାରେ ମଧ୍ୟ ଅବିନାଶ ନିରାଶ ହୋଇଛନ୍ତି ।

ଥରେ ମାତ୍ର ଭୁଲ୍ କରିଥିଲେ ସେ ବୋଉକୁ ଏ ରୋଗ ବିଷୟରେ କହି । ବୋଉ ବାଧ୍ୟ କଲା କଟକ ଆସି ବଡ଼ ଡାକ୍ତରଖାନାରେ ଶୀଘ୍ର ଚିକିତ୍ସା କରେଇବାକୁ । ହୁଏତ କିଛି ହୃଦ୍‌ରୋଗ ସମ୍ବନ୍ଧୀୟ ଦୋଷ ହୋଇପାରେ । ବୋଉର ଖୁସି ପାଇଁ ସେତିକି ମଧ୍ୟ ସେ କରେଇଲେ । କିନ୍ତୁ ସୁଫଳ ପାଇନାହାନ୍ତି । ବୋଉକୁ ଆଶ୍ୱାସନା ଦେଉଛନ୍ତି ରୋଗ ଭଲ ହେଇଗଲା ବୋଲି । ବୋଉର ବୟସ ଅଶୀ ଛୁଇଁବ । ଏ ବୟସରେ ତାକୁ ଆଉ ଚିନ୍ତିତ କରେଇବା ତା’ ପାଇଁ ଠିକ୍ ନୁହେଁ ।

ତା’ଛଡ଼ା ବୋଉ ବି ତ ଏବେ ତାଙ୍କ ଭଳି ପୁରା ଏକା । ଏ ବୟସରେ ବି ନିଜ କାମ ସବୁ ନିଜେ କରେ ସେ । କଟକ ଘରର ପୁରା ତଦାରଖ କରେ । ଅବଶ୍ୟ ସେଥିରେ ମଧ୍ୟ ଅବିନାଶ ନିଜ କର୍ତ୍ତବ୍ୟରେ ଅବହେଳା କରିନାହାନ୍ତି । ଦୁଇଜଣ ବିଶ୍ୱସ୍ତ ଲୋକ ରଖେଇଛନ୍ତି ବୋଉ ପାଖରେ । ଜଣେ ଘରେ ରୋଷେଇବାସରେ ସାହାଯ୍ୟ ପାଇଁ ଓ ଅନ୍ୟଜଣେ ବାହାର କାମ, ହାଟ, ସଉଦା ପାଇଁ । ତା’ ଛଡ଼ା ନିଜର ଯେତେ କାମ ଥିଲେ ମଧ୍ୟ ପ୍ରତ୍ୟେକଦିନ ବୋଉ ସହ କଥା ହେବା ତାଙ୍କ ଦୈନନ୍ଦିନ କାର୍ଯ୍ୟସୂଚୀରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହିସାବରେ ସାମିଲ୍ କରିନେଇଛନ୍ତି ସେ ।
ବର୍ଷରେ ଦୁଇତିନିଥର ଯାଇ କଟକରେ ବୁଲି ଆସନ୍ତି ମଧ୍ୟ । ଘରକୁ ଗଲେ ବୋଉର ଆଉ ଗୋଡ଼ ତଳେ ଲାଗେନି । ନ ତିଅଣ ଛ’ ଭଜା କରି ପୁଅକୁ ନ ଖୋଇବା ପର୍ଯ୍ୟନ୍ତ ଶାନ୍ତି ନଥାଏ ତାକୁ ଏ ବୟସରେ ବି । ବୋଉର ଖୁସିରେ ସେ ବି ଖୁସି ହୁଅନ୍ତି ।

ହେଲେ ଆଜି ଏ ସବୁ କାହିଁକି ତୁହାକୁ ତୁହା ମନେ ପଡ଼ୁଛି? ଗତ ଆଠଦିନ ତାଙ୍କ ପାଇଁ ଆଠ ଯୁଗ ହେଇଗଲାଣି । ସେଥିରେ ପୁଣି ସକାଳୁ ସକାଳୁ ଏ ପୁରୁଣା ରୋଗଟା ବାହାରିଲାଣି । ଛାତି ଭିତରଟା ଅହେତୁକ ଭାବରେ ଧମ୍ ଧମ୍ ହେଉଛି ଓ ଅଣନିଶ୍ୱାସୀ ହେଇଯାଉଛନ୍ତି ସେ । ପାରିପାର୍ଶ୍ୱିକ ଅବସ୍ଥାକୁ ସେ ପୂର୍ଣ୍ଣମାତ୍ରାରେ ଦାୟୀ କରୁଛନ୍ତି ତାଙ୍କର ଏ ରୋଗ ପାଇଁ ଆଜି । ଆଠଦିନ ହେଲାଣି ହୋଟେଲ୍‌ର ଏ ଛୋଟ ରୁମ୍‌ରେ ସେ ବନ୍ଦୀ ହୋଇ ରହିଛନ୍ତି ।

କି ଗୋଟିଏ କରୋନା ଭାଇରସ୍ ଆସିଛି ଯେ, ସାରା ବିଶ୍ୱ ସେଥିପାଇଁ ବ୍ୟସ୍ତ, ବିବ୍ରତ । ଏ ପର୍ଯ୍ୟନ୍ତ କାଳେ ତା’ ପାଇଁ ଟୀକା, ଔଷଧ ବାହାରିନି । ଏକମାତ୍ର ଚିକିତ୍ସା ହେଉଛି ସଙ୍ଗରୋଧ । ପୃଥିବୀର ବିକଶିତ ରାଷ୍ଟ୍ରମାନେ ମଧ୍ୟ ଏହି ଭୂତାଣୁ ସାମ୍ନାରେ ହାର୍ ମାନିଲେଣି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବିପଦଜନକ ଭାବରେ ବଢ଼ିଚାଲିଛି ଏଥିରେ । ସେଥିପାଇଁ ପ୍ରତିଷେଧକ ରୂପରେ ସାରା ଭାରତରେ ତାଲା ବନ୍ଦ ଘୋଷଣା କରିଛନ୍ତି ସରକାର ।

ଅବିନାଶ ଆଠଦିନ ତଳେ କଲିକତାରେ ପହଞ୍ଚିଥିଲେ ଏକ ଜରୁରୀ କାମରେ । ତା’ ପରଦିନ ହିଁ ତାଙ୍କର ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ଥିଲା । ହେଲେ ଭାଗ୍ୟ ଖରାପ ହେଲେ, କେହି ସାହା ହେଇପାରିବେ ନାହିଁ । ତାଙ୍କର ଦୁଃର୍ଯୋଗକୁ ସେହିଦିନ ରାତିରେ ହିଁ ସମଗ୍ର ଦେଶରେ ତାଲାବନ୍ଦ ଘୋଷଣା କରାହେଲା । ଘରୁ ବାହାରିବା ପାଇଁ ଶକ୍ତ ନିଷେଧାଜ୍ଞା ଜାରୀ ହୋଇଛି । ଯିଏ ଯୋଉଠି ଅଛନ୍ତି, ସେଇଠି ହିଁ ରହିବା ପାଇଁ କୁହାଯାଇଛି ।

ଏ ଆଠଦିନ ଭିତରେ ବହୁତଥର ସେ ସରକାରଙ୍କ ଉପରେ ରାଗିଛନ୍ତି । ଭାବିଛନ୍ତି ଏ ସରକାରର କ’ଣ କାଣ୍ଡଜ୍ଞାନ ନାହିଁ? ଦୁଇଦିନ ସମୟ ଦେଇଥିଲେ ତ ସମସ୍ତେ ସ୍ୱସ୍ଥାନକୁ ଫେରି ପାରିଥାନ୍ତେ । ଏମିତି କ’ଣ ଯିଏ ଯୋଉଠି ଅଛି, ସେଇଠି ରହିପାରିବ? ପର ମୁହୂର୍ତ୍ତରେ କିନ୍ତୁ ନିଜର ମୂର୍ଖାମୀ ଉପରେ ସେ ନିଜେ ଲଜ୍ଜିତ ହୋଇଛନ୍ତି ।

ଛୋଟ ହେଲେ ମଧ୍ୟ ବେଶ୍ ପୁରୁଣା ଏ ହୋଟେଲ୍ ଓ ହୋଟେଲ୍‌ର ଆତିଥେୟତା ତାଙ୍କର ଖୁବ୍ ପସନ୍ଦ । ଏ ହୋଟେଲରେ ରହିଲେ ହିଁ କଲିକତାର ଆତ୍ମାକୁ ସେ ଅନୁଭବ କରି ପାରନ୍ତି । ନହେଲେ ତ କୋଲକତାରେ ଅନେକ ବଡ଼ ବଡ଼ ହୋଟେଲ ପ୍ରତିଯୋଗିତାମୁଖୀ । କିନ୍ତୁ ଏଇ କିଛିଦିନର ବନ୍ଦୀ ଜୀବନ ଭିତରେ ବିରକ୍ତି ଲାଗିଲାଣି ତାଙ୍କୁ ହୋଟେଲର ଏ ଛୋଟ କୋଠରୀ । ବିତୃଷ୍ଣା ଆସିଗଲାଣି ଏ ହୋଟେଲ ଉପରେ । ସେ ତ ମନେ ମନେ ଭାବି ସାରିଲେଣି ଏଥର କଲିକତା ଆସିଲେ ଆଉ ଏ ହୋଟେଲରେ ରହିବେନି । କିନ୍ତୁ ଏଠୁ ବାହାରିଲେ ତ, ଆଉଥରେ ଆସିବା କଥା ଭାବିବେ…

ଏ ଆଠଦିନ କେମିତି କଟିଛି ସେ ହିଁ ଜାଣିଛନ୍ତି । ଗତ ତିରିଶବର୍ଷର କର୍ମ ଜୀବନରେ କେବେ ଏମିତି ଅକର୍ମା ହେଇ ବସିଥିବାର ତାଙ୍କର ମନେ ନାହିଁ । ରୁମ ବାହାରକୁ ଯିବାରେ ବି କଟକଣା କରାହେଇଛି । ଅଗତ୍ୟା ଏ ଚାରିକାନ୍ଥ ଭିତରେ ହିଁ ସେ ଜୀବନର ଗତ ଶହେ ଷୋହଳ ଘଣ୍ଟା କଟେଇ ସାରିଲେଣି । ଆଗକୁ ଆଉ କେତେ ଯେ ଘଣ୍ଟା କିଏ କହିବ? ଦୀର୍ଘନିଶ୍ୱାସ ମାରିଲେ ସେ ।

ପ୍ରଥମ ଦୁଇତିନି ଦିନ ତ ଟି.ଭି. ଓ ମୋବାଇଲରେ ସମୟ ବିତାଇଦେଲେ । ହେଲେ ସେଥିରେ ବି ଚାରିଆଡ଼େ ଖାଲି କରୋନାର ଚର୍ଚ୍ଚା । କେତେ ଆଉ ଦେଖିବେ… ଶେଷରେ ଟି.ଭି. ବନ୍ଦ କରି ରଖିଛନ୍ତି ସେ ତିନିଦିନ ହେଲାଣି ।

ବହୁତ ଘର କଥା, ଛୋଟବେଳ କଥା ମନେ ପଡ଼ୁଛି ତାଙ୍କର । ଆଜିର ଜୀବନରେ ଯେଉଁସବୁ କଥା ନିରର୍ଥକ, ସେସବୁ ନିରର୍ଥକ ବାଲ୍ୟସ୍ମୃତି ବେଳକୁ ବେଳ ତାଙ୍କୁ ଅଥୟ କରୁଛି । ନିଜକୁ ସମ୍ଭାଳିବା ପାଇଁ ବହୁତଥର ଧ୍ୟାନରେ ବସିଛନ୍ତି ସେ । ତଥାପି ସୁଫଳ ମିଳିନି । ବେଳକୁ ବେଳ ଅସମ୍ଭାଳ ଲାଗୁଛି ।

ରୋହନ ମଧ୍ୟ ବହୁତ ଚିନ୍ତିତ ତାଙ୍କ ପାଇଁ । ଦିନରେ ଚାରି, ପାଞ୍ଚ ଥର ଫୋନ୍ କରି ଅବସ୍ଥା ବୁଝୁଚି । ତାକୁ ବ୍ୟସ୍ତ କରେଇବାକୁ ଚାହିଁନାହାନ୍ତି କେବେ ସେ । ସେଥିପାଇଁ ତା’ ସହ କଥା ହେଲାବେଳେ ଖୁବ୍ ସଂଯତ ହୋଇ କଥା ହେଉଛନ୍ତି ସେ । ହସି ହସି କୁହନ୍ତି ତାକୁ ଯାହା ହେଉ ମତେ ଟିକେ ଆରାମ ମିଳିଲା ଏତେ ଦିନ ପରେ । ନିହାତି ଦରକାର ଥିଲା ମୋ ପାଇଁ ଏ ବ୍ରେକ୍‌ଟା ।

କାଲି ଦିନସାରା କିଛି ଖାଇନାହାନ୍ତି ସେ । ବିଷର୍ଣ୍ଣତା ଯେମିତି ତାଙ୍କର ସମଗ୍ର ସତ୍ତାକୁ ଆଚ୍ଛନ୍ନ କରିଛି । ଭୋକ ଯେମିତି ମରିଯାଇଛି ତାଙ୍କର । ଯେତେ ଚେଷ୍ଟା କଲେ ବି କାଲି ରୋହନ ସହ ହସି କରି କଥା ହେଇପାରିଲେନି ସେ । ରୋହନ ବାରମ୍ବାର ପଚାରିଲା ଦେହ ଭଲ ଅଛି କି ନାହିଁ । ବହୁତ କିଛି କହିବାକୁ ଚାହିଁଥିଲେ ସେ ନିଜର ଅସହାୟତା, ଉଦ୍ଭଟ ଚିନ୍ତା ସବୁକିଛି । କିନ୍ତୁ ଶେଷ ପର୍ଯ୍ୟନ୍ତ କିଛି କହି ପାରିଲେନି । ଦିନସାରା ପୁରା ଗୁମ୍‌ସୁମ୍ ହୋଇ ବସିଛନ୍ତି ସେ ।

କାରାବାସ ଉପରେ ବହୁତ ବହି ପଢ଼ିଛନ୍ତି ସେ । କଳାପାଣିଠାରୁ ଆରମ୍ଭ କରି ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଜୀବନୀ ପର୍ଯ୍ୟନ୍ତ । କିନ୍ତୁ ତାଙ୍କୁ କାହିଁକି ଭଗବାନ ଏ ଦଣ୍ଡ ଦେଲେ? ନା ତାଙ୍କୁ କିଛି ପଶ୍ଚାତାପ କରିବାର ଅଛି ନା ଉପଲବ୍ଧି? ଆଉ ବୋଧେ କିଛିଦିନ ଏ ଅବସ୍ଥା ଲାଗି ରହିଲେ ସେ ପାଗଳ ହୋଇଯିବେ । ଦିନ ଯାଇ କେତେବେଳେ ରାତି ହୋଇ ଯାଇଥିଲା ସେ କଥା ମଧ୍ୟ ତାଙ୍କ ଧ୍ୟାନରେ ନଥିଲା । ସନ୍ଧ୍ୟାରେ ବୋଉ ଫୋନ୍ କରିଥିଲା । ଏତେ ଅନ୍ୟମନସ୍କତା ଭିତରେ ସେ ବୋଉକୁ ଫୋନ୍ କରିବା କଥା ବି ଭୁଲି ଯାଇଛନ୍ତି । ଚଟାପଟ୍ ନିଜକୁ ପ୍ରକୃତିସ୍ଥ କରେଇ ସାଧାରଣ ସ୍ୱରରେ ବୋଉ ସହିତ କଥା ହେଲେ ଅବିନାଶ ବେଶୀ ସମୟ କଥା ହେଲେ । କାଳେ ବୋଉ କିଛି ସନ୍ଦେହ କରିବ, ସେଥିପାଇଁ ତରତରରେ ବୋଉର ହାଲ୍‌ଚାଲ୍ ପଚାରିଦେଲେ ସେ ଏବଂ କାର୍ଯ୍ୟବ୍ୟସ୍ତ ଅଛନ୍ତି ପରେ କଥା ହେବେ କହି ଫୋନ୍ ରଖିଦେଲେ ।

ଏ ଗତ ଆଠଦିନର ଦୁର୍ଦ୍ଧଶା ସେ ବୋଉକୁ କହିନାହାନ୍ତି । ଅଯଥାରେ ବ୍ୟସ୍ତ ହେବ ସେ । କିନ୍ତୁ ଫୋନ୍ ରଖିଲାପରେ ମନ ତାଙ୍କର ଆହୁରି ବିଷର୍ଣ୍ଣ ହୋଇପଡ଼ିଲା । ତୁହାକୁ ତୁହା କଟକର ଘର, ବୋଉ, ମାଟି, ପାଣି, ପବନ ତାଙ୍କର ସମଗ୍ର ସତ୍ତାକୁ ଗ୍ରାସ କରିଚାଲିଲା । ଜୀବନରେ ପ୍ରଥମଥର ନିଃସଙ୍ଗତା ଏତେ ଭୀତିପ୍ରଦ ଥିଲା ତାଙ୍କ ପାଇଁ । ଅସହାୟବୋଧ ଓ ଏକାକୀତ୍ୱ ଧୀରେଧୀରେ ଅବଶ କରିଚାଲିଥିଲା ତାଙ୍କୁ । ୫୫ ବର୍ଷ ବୟସରେ ମଧ୍ୟ ସେ ଲୁହ ଅଟକାଇ ପାରିଲେନାହିଁ । ସେ କାନ୍ଦ ଭିତରେ କେତେବେଳେ ଯେ ନିଦ ଆସିଯାଇଛି ସେ ଜାଣିପାରିନାହାନ୍ତି ।

ଦୁର୍ଯୋଗ ଗୋଟିଏ ପରେ ଗୋଟିଏ ଦାଉ ସାଧିବା ପରି ଏ ଅବସ୍ଥାରେ ଆଜି ସକାଳୁ ସକାଳୁ ପୁଣି ଏ ପୁରୁଣା ରୋଗ ତାଙ୍କୁ ଆକ୍ରମଣ କରିଛି । ଦୁର୍ବଳ ଦେହ ଓ ଅବଶ ମନରେ ସେ ଅଣନିଶ୍ୱାସୀ ଅନୁଭବ, ସତେ ଯେମିତି ଗୋଟେ ମୁହୂର୍ତ୍ତରେ ତାଙ୍କୁ ଲାଗିଲା ଯଦି ସତରେ ମୃତ୍ୟୁ ହୋଇଯାଏ ଏ କୋଠରୀରେ ତେବେ?

ଏ ଭୟ ସହ ସହଯୋଗ କରିବାକୁ ପଛକୁପଛ ଅନେକ ଦୁଃଶ୍ଚିନ୍ତା ତାଙ୍କ ମନକୁ କବଳିତ କରିଚାଲିଲେ । ଯଦି ସତରେ ତାଙ୍କର ଆଜି ଏ ହୋଟେଲ କୋଠରୀରେ ମୃତ୍ୟୁ ହୋଇଯାଏ ତେବେ ଏଇ କ’ଣ ସଂଜ୍ଞା ସଫଳ ଜୀବନର? ଯଦି ଏମିତି ହିଁ ମରିବାର ଥିଲା ଏକାକୀ ତାଙ୍କୁ ତେବେ ଏତେ ଅର୍ଥ ଉପାର୍ଜନ, ସ୍ୱାଚ୍ଛନ୍ଦ ଜୀବନର ଯଥାର୍ଥତା ଆଉ କୋଉଠି ରହିଲା? ଏ ଶେଷ ସମୟ ଜୀବନର ହିଁ ଉପହାସ କରୁଛି ତାଙ୍କୁ ଓ ପ୍ରଶ୍ନ କରୁଛି ତାଙ୍କ ସାର୍ଥକତା ଉପରେ ।

ଧ୍ୟାନମଗ୍ନ ପ୍ରାୟ ସେ ଭାବି ଚାଲିଥିଲେ ଓ ତାଙ୍କ ହିସାବରେ ମରୁଥିଲେ ଧୀରେ ଧୀରେ । ହଠାତ୍ ମୋବାଇଲ୍ ରିଙ୍ଗ୍‌ରେ ପ୍ରକୃତିସ୍ଥ ହେଲେ ଅବିନାଶ । ସେ ବିହ୍ୱଳିତ ଅବସ୍ଥାରୁ ବେଶ୍ କିଛି ସମୟ ଲାଗିଲା ତାଙ୍କୁ ସଚେତନ ହେବାକୁ । ବାଲ୍ୟବନ୍ଧୁ ପ୍ରକାଶର ଫୋନ୍ ।

ପାଞ୍ଚମିନିଟ୍‌ର କଥାବାର୍ତ୍ତା ଆଉଥରେ ମନେ ପକାଉଥିଲେ ସେ । ପ୍ରକାଶର କଥାବାର୍ତ୍ତାର ସାରାଂଶ ଥିଲା, ଗତକାଲି ରୋହନ ତାଙ୍କ ସହ କଥା ହେବା ପରେ ବ୍ୟସ୍ତ ହୋଇ ତାଙ୍କର କିଛି ବନ୍ଧୁଙ୍କୁ ଫୋନ୍ କରିଥିଲା । ଯୋଗକୁ ପ୍ରକାଶ କଲିକତାରେ ହିଁ ଥିଲେ ଓ ଆଜି ସକାଳୁ ଭୁବନେଶ୍ୱର ବାହାରୁଥିଲେ । ଡାକ୍ତରୀ ପେସା ପାଇଁ, ଏ ସମୟରେ ମଧ୍ୟ ତାଙ୍କ ପାଇଁ କିଛି କଟକଣା ନଥିଲା ଯିବା ଆସିବାରେ । ପ୍ରକାଶ ରୋହନଠାରୁ ସବୁ ଶୁଣିବା ପରେ, ଅବିନାଶଙ୍କୁ ଫୋନ୍ କରିଥିଲେ ଏବଂ ଅଧଘଣ୍ଟା ମଧ୍ୟରେ ପ୍ରସ୍ତୁତ ରିହବା ପାଇଁ କହିଲେ ।

ପ୍ରାଣାନ୍ତକ ଯନ୍ତ୍ରଣା ପରେ ହଠାତ୍ ଯନ୍ତ୍ରଣା ଉଭାନ୍ ହୋଇଗଲେ ଯେଉଁ ଅନୁଭବ, ତାକୁ କେବଳ ଅନୁଭବୀ ହିଁ କହିପାରିବେ । ପରବର୍ତ୍ତୀ ଛ’ଘଣ୍ଟା ସେ ଯେପରି ଭାସୁଥିଲେ କେଉଁଠି । ଭ୍ରମଣ ସମୟରେ ପ୍ରକାଶକୁ ମଧ୍ୟ ଜାଣିବାକୁ ଦେଇନାହାନ୍ତି ତାଙ୍କର ମାନସିକସ୍ଥିତି ସେ । ପକ୍କା ବିଜିନେସ୍‌ମ୍ୟାନ୍ ଭଳି କଥା ହେଇ ଆସିଛନ୍ତି ରାସ୍ତା ସାରା । କିନ୍ତୁ କ’ଣ କଥା ହେଇଛନ୍ତି ସେସବୁ ବି ମନେ ରଖିନାହାନ୍ତି । କେମିତି ଗୋଟେ ବିହ୍ୱଳ ଅବସ୍ଥାରେ ଥିଲେ ସେ । ଦିନ ପ୍ରାୟ ଦୁଇଟା ବେଳକୁ କଟକରେ ପହଞ୍ଚିଗଲେ ଅବିନାଶ । ପ୍ରକାଶକୁ ଶୀଘ୍ର ପହଞ୍ଚିବାକୁ ପଡ଼ିବ ଭୁବନେଶ୍ୱରରେ, ସେଥିପାଇଁ କ୍ଷମା ମାଗିନେଇ ସେ ଘର ସାମ୍ନାରେ ଅବିନାଶଙ୍କୁ ଛାଡ଼ି ଦେଇଗଲା । ପ୍ରକାଶ ଛାଡ଼ିଗଲାପରେ ନିଶ୍ଚଳ ହୋଇ ଅବିନାଶ ଘର ସାମ୍ନାରେ ଠିଆ ହୋଇ ଘରକୁ ହିଁ ଦେଖିଥିଲେ । ସତରେ କ’ଣ ଦୀର୍ଘ ଆଠଦିନ ହେଲା ସେ ଏଇ ଘରକୁ ଏତେ ଝୁରିଛନ୍ତି ଓ ଆଜି ସକାଳେ ମରିବା ପୂର୍ବରୁ ବି ଏଇ ଘର କଥା ଭାବିଛନ୍ତି? ସତରେ ସେ ଆଉ ମରି ଯାଇନାହାନ୍ତି ତ? ନିଜକୁ ଚିମୁଟି ନିଶ୍ଚିନ୍ତ ହେବାପରେ, ସାଷ୍ଟାଙ୍ଗ ହୋଇ ଘରକୁ ପଶିଲେ ସେ ।

ବୋଉ ପ୍ରଥମେ ତାଙ୍କୁ ଦେଖି ତାଟକା ହେଇ ଅନେଇ ରହିଲା । ନିଜ ଆଖିକୁ ବିଶ୍ୱାସ କରିପାରିଲାନାହିଁ । ବୋଉର ବିସ୍ମୟ, ଉଚ୍ଛ୍ୱାସ ଭିତରେ ପ୍ରକୃତିସ୍ଥ ହେବାକୁ ତାଙ୍କୁ ନିଜ ସହ ଖୁବ୍ କସରତ କରିବାକୁ ପଡ଼ିଲା । ଦୁଇଦିନ ପରେ ପ୍ରଥମଥର ତାଙ୍କୁ କ୍ଷୁଧାର ପ୍ରକୋପ ଉପଲବ୍ଧ ହେଲା । ସେମିତିରେ ବି ବହୁତ କମ୍ କଥା କହୁଥିଇବା ଅବିନାଶ ଖୁବ୍ ସ୍ୱଳ୍ପରେ କହିଲେ, ଠିକ୍ ଅଛି । ଶୀଘ୍ର ଖାଇବାକୁ ଦେ ।

ବୋଉ କହିଲା ଯା’ ଶୀଘ୍ର ହାତମୁହଁ ଧୋଇ ଆସେ । ମୁଁ ବି ଖାଇବାକୁ ବାଢ଼ୁଥିଲି । ସାଙ୍ଗରେ ଖାଇବା । ସୁନାପିଲା ଭଳି ଅବିନାଶ ହାତ ମୁହଁ ଧୋଇ ଟେବୁଲ୍‌ରେ ବସିଗଲେ ଓ ବୋଉ ବଡ଼ ବଡ଼ ଗୁଳା କରି ଭାତ, କ୍ଷୀର, ଆଳୁଭର୍ତ୍ତା ଖୋଇଦେଲା । ଅପରାଧୀ ଭଳି କହିଲା ଆଜି କିଛି କରିନିରେ, ଏଥିରେ ଚଳେଇଦେ ।

ଅବିନାଶ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ଭୋ-ଭୋ ହୋଇ କାନ୍ଦିଉଠିଲେ । ବୋଉ କାନିରେ ଲୁହ ପୋଛୁ ପୋଛୁ କହିଲେ ଏଇ ଅମୃତକୁ ହିଁ ଦୀର୍ଘ ଅଠତିରିଶ ବର୍ଷହେଲା ଖୋଜି ଚାଲିଚି । ଏବେ ବୁଝିପାରୁଛି କାହିଁକି ମତେ ଅଣନିଶ୍ୱାସୀ ଲାଗୁଥିଲା । କ’ଣ ଖୋଜୁଥିଲି ମୁଁ । ମୋତେ ଆଉ ଏବେ କୁଆଡ଼େ ଯିବାର ନାହିଁ । ଏଇଠି ରହିବି, ତୋ ପାଖରେ, ସବୁଦିନ ଭାତ, କ୍ଷୀର, ଆଳୁଭର୍ତ୍ତା ଖାଇବି ।

ଜୀବନରେ ପାଠପଢ଼ା, ଅର୍ଥ ଉପାର୍ଜନ, କ୍ଷମତା ସବୁକିଛି ନୁହେଁ ସେ କଥା ଏ ଆଠଦିନରେ କାରାଜୀବନ ମୋତେ ଭଲ ଭାବରେ ବୁଝେଇ ସାରିଛି । ଆହୁରି ଅନେକ କିଛି କରିବାର ଅଛି ମୋର । ସେସବୁ କହି ହୁଏନି କି ବୁଝେଇ ହୁଏନି । କେବଳ ଆତ୍ମ ଉପଲବବ୍ଧି କରିହୁଏ ।

ବୋଉ ସବୁ ବୁଝିଲା ଭଳି ମୁଣ୍ଡ ଆଉଁସି ଦେଲା ତାଙ୍କର । ମନେ ମନେ ଅବିନାଶ ଭାବୁଥିଲେ ପ୍ରକୃତରେ ଏ କରୋନା ନୁହେଁ, ଏ ହେଉଛି “କରୁଣା” ।

– ଡ. ଶ୍ରଦ୍ଧାଞ୍ଜଳି ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଶ୍ରଦ୍ଧାଞ୍ଜଳି ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।