You are currently viewing ସୁଇଜରଲାଣ୍ଡ ଡାଏରୀ
ସୁଇଜରଲାଣ୍ଡ ଡାଏରୀ

ସୁଇଜରଲାଣ୍ଡ ଡାଏରୀ

ସୁଇଜରଲାଣ୍ଡରେ ୮ ମାସର ରହଣି ଭିତରେ ବହୁ ନୂଆ ନୂଆ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ମିଳିଥିଲା । ଛୁଟିଦିନ ମାନଙ୍କରେ ବିଶେଷ କାମ ନ ଥିଲେ ଆମେ ପରିବାର ସହ କୌଣସି ନା କୌଣସି ନୂଆ ଜାଗା ଦେଖିବାକୁ ଚାଲିଯାଉ । ଏ ବର୍ଷ ଖରା ଦିନରେ ମାର୍ଟିନି ସହର ନିକଟରେ ଥିବା ଓଏସ୍ଟର୍ଣ ସିଟିକୁ ଆମେ ବୁଲିବାକୁ ଯାଇଥିଲୁ । ଅବଶ୍ୟ ଯିବା ପୂର୍ବରୁ କିଛି ଖାଦ୍ୟ ସାମଗ୍ରୀ, ପାନୀୟ ସହ ଆବଶ୍ୟକ ବିବରଣୀ ସଂଗ୍ରହ କରି ନେଇଥିଲୁ । ଯିବା ପାଇଁ ବିଭିନ୍ନ ମାଧ୍ୟମ ଯଥା ଟ୍ରେନ, ବସ୍ ଇତ୍ୟାଦି ଥିଲେ ମଧ୍ୟ ଆମେ ଚାଲି ଚାଲି ଯିବାକୁ ସ୍ଥିର କରିଥିଲୁ । ମାର୍ଟିନିରୁ ବାହାରି ଆମେ “ଡ୍ରାନ୍ସ” ନଦୀ କୁଳ ଦେଇ ଚାଲି ଚାଲି ଯାଇ ଓଏସ୍ଟର୍ଣ ସିଟିରେ ପହଞ୍ଚିଲୁ । ନଦୀକୂଳ ରାସ୍ତାଟି ଅତ୍ୟନ୍ତ ପରିସ୍କାର ଓ ମଝିରେ ମଝିରେ ବସିବା ପାଇଁ କାଠ ନିର୍ମିତ ବେଞ୍ଚ ସବୁ ରଖା ଯାଇଛି ।

Drance River
ଚିତ୍ର ୧: ଡ୍ରାନ୍ସ ନଦୀ କୂଳ ରାସ୍ତା

ଯିବା ରାସ୍ତାରେ ବହୁତ ନାସପାତି, ଆପ୍ରିକଟ ଗଛ ଦେଖିବାକୁ ମିଳେ । ମାର୍ଟିନିରେ ବହୁତ ଆପ୍ରିକଟ ଚାଷ କରାଯାଏ ଓ ଏହାର ସ୍ୱାଦ ମଧ୍ୟ ବହୁତ ଭଲ । ଏଠାକାର ଚାଷ କ୍ଷେତ୍ରରେ କୌଣସି ବାଡ଼ ନ ଥାଏ । ମୁଖ୍ୟତ ବୁଲା ଜୀବଜନ୍ତୁ ନ ଥିବାରୁ ଏହାର ଆବଶ୍ୟକ ନ ଥାଏ ବୋଲି ମୋତେ ଲାଗିଲା । ଏତେ ପାଖରୁ ପାଚିଲା ଆପ୍ରିକଟ ଦେଖି ଆଉ ଲୋଭ ସମ୍ବରଣ କରି ହେଲନି ଓ ଆମେ ବି ଗଛରୁ ତୋଳି ପାଚିଲା ଆପ୍ରିକଟ କିଛିଟା ପାଟିରେ ପକାଇ ପକାଇ ଆଗକୁ ବଢ଼ି ଚାଲିଲୁ । ପ୍ରାୟ ଦେଢ଼ ଘଣ୍ଟା ଚାଲିଚାଲି ଗଲାପରେ ଆମେ ଓଏସ୍ଟର୍ଣ ସିଟିରେ ଯାଇ ପହଞ୍ଚିଲୁ । ସେଠାରେ ପହଞ୍ଚିଲା ପରେ ସେଠାରେ ଥିବା ସୁନ୍ଦର ହ୍ରଦକୁ ଦେଖି ଚାଲି ଚାଲି ଯିବାର ସବୁ କ୍ଲାନ୍ତି ମେଣ୍ଟି ଯାଇଥିଲା । ଖରାଦିନ ହୋଇଥିବାରୁ ଆମେ ଗାଧେଇବାର ଯୋଜନା କରି ଯାଇଥିଲୁ । ପାହାଡ଼ ନିକଟରେ ଥିବା ହ୍ରଦଟି ଖରାଦିନେ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ହ୍ରଦ ଚାରିପଟେ ସବୁଜ ରଙ୍ଗର ଘାସ ସହ ବିଭିନ୍ନ ଫୁଲ ଓ ଫଳ ଗଛ ଏହାର ସୌନ୍ଦର୍ଯ୍ୟକୁ ବହୁ ଗୁଣରେ ବଢ଼ାଇ ଦେଇଥିଲା । ହ୍ରଦରେ ବିଭିନ୍ନ ଜଳ କ୍ରୀଡ଼ାର ବ୍ୟବସ୍ତା କରାଯାଇଛି । କିଛି ସମୟ ହ୍ରଦ ଚାରିପଟେ ବୁଲିଲା ପରେ ଆମେ ଆଉ ବେଶୀ ସମୟ ନଷ୍ଟ ନ କରି ହ୍ରଦ ଭିତରକୁ ଗାଧେଇବାକୁ ଚାଲି ଗଲୁ । ହ୍ରଦର ପାଣି ବହୁତ ସ୍ୱଚ୍ଛ । ପାଣି ତଳେ ଥିବା ମାଛମାନଙ୍କୁ ଅତି ସହଜରେ ଦେଖି ଦେଉଥିଲା । ଏହାର ସ୍ୱଚ୍ଛ ପାଣିକୁ ଦେଖି ଓଡ଼ିଆରେ ପଢ଼ିଥିବା ଏକ ଗପ “ଚକୁଳିଆ ପଣ୍ଡା ଓ କାଚ କେନ୍ଦୁ ପାଣି” କଥା ମନେ ପଡ଼ି ଯାଇଥିଲା । ମନ ଭରି ପାଣିରେ ଗାଧେଇଲା ପରେ ଆମେ ପୁଣି ଚାଲି ଚାଲି ଫେରିଥିଲୁ । ଆସିଲାବେଳେ “ଡ୍ରାନ୍ସ” ନଦୀ କୂଳରେ ବସି ମଧ୍ୟାନ ଭୋଜନ କରିଥିଲୁ । ନଦୀ କୂଳରେ ବସି ଥଣ୍ଡା ଥଣ୍ଡା ପବନରେ ଭୋଜନ କରିବା ଏକ ନିଆରା ଅନୁଭୂତି ଥିଲା ।

Ocern City Late
ଚିତ୍ର ୨: ଓଏସ୍ଟର୍ଣ ସିଟି ନିକଟରେ ଥିବା ହ୍ରଦ

ସେମିତି ଆଉ ଗୋଟେ ଛୁଟି ଦିନରେ ଆମେ ସକାଳୁ ସକାଳୁ ସୁଇଜରଲାଣ୍ଡର ଅନ୍ୟ ଏକ ପ୍ରସିଦ୍ଧ ସହର ଲଉଜେନକୁ ବୁଲିବାକୁ ବାହାରିଲୁ । ଲଉଜେନ ସହରଟି ମୁଖ୍ୟତଃ ଏଠାରେ ଥିବା ଶିକ୍ଷାନୁଷ୍ଠାନ ଇପିଏଫଏଲ ପାଇଁ ପ୍ରସିଦ୍ଧ । ଏହାଛଡ଼ା ଏଠାରେ ଥିବା ବିଶ୍ୱ ପ୍ରସିଦ୍ଧ ଅଲମ୍ପିକ ମିଉଜିୟମ ପ୍ରତି ବର୍ଷ ପ୍ରାୟ ୨,୫୦,୦୦୦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଖେଳ କୁଦରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହାର ମହତ୍ତ୍ୱ ବହୁତ ଅଧିକ । ଆମେ ମାର୍ଟିନିରୁ ବାହାରି ଟ୍ରେନରେ ଯାଇ ଲଉଜେନରେ ପହଞ୍ଚିଲୁ । ଯଦିଓ ଜାଗା ଖୋଜିବାରେ ଟିକେ ସମୟ ଲାଗିଲା, କିନ୍ତୁ ସେଠି ପହଞ୍ଚିଲା ପରେ ସବୁ ଭୁଲି ମିଉଜିୟମ ଦେଖିବାରେ ଲାଗି ଯାଇଥିଲୁ । ମିଉଜିୟମଟି ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଆମେ ପ୍ରଥମେ ବାହାର ଭାଗଟି ବୁଲି ଦେଖିଥିଲୁ । ଏଠାରେ ବିଭିନ୍ନ ପ୍ରସିଦ୍ଧ ଖେଳାଳିମାନଙ୍କର ପ୍ରତିମୂର୍ତ୍ତି ରଖା ଯାଇଛି । ଏଠାରେ ବିଭିନ୍ନ ଖେଳ ସହ ସମ୍ପୃକ୍ତ ମୂର୍ତ୍ତି ସବୁ ରଖା ଯାଇଛି । ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଏଠାରେ ଥିବା ଦୌଡ଼ିବା ଟ୍ରାକ । ଆମେ ବି ସେଠି ଦୌଡ଼ିବା ଚେଷ୍ଟା କରିଥିଲୁ । ବିଭିନ୍ନ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଟ୍ରାକ ଉପରେ ଦୌଡ଼ିବାର ମଜା ନେଉଥିଲେ ।

Alampic Gate of Switerland
ଚିତ୍ର ୩: ଅଲମ୍ପିକ ମିଉଜିୟମର ମୁଖ୍ୟ ଦ୍ଵାର

ମିଉଜିୟମର ବାହାର ଭାଗରେ ବୁଲି ସରିଲା ପରେ ଆମେ ମିଉଜିୟମ ଭିତରକୁ ପ୍ରବେଶ କଲୁ । ଭିତରକୁ ପ୍ରବେଶ କରିବାକୁ ଟିକେଟ କାଟିବାକୁ ପଡ଼େ । ଆମେ ଟ୍ରେନ ଟିକେଟ ସହ ମିଉଜିୟମ ଟିକେଟ ବି ମାର୍ଟିନି ଷ୍ଟେସନରୁ କିଣି ଦେଇଥିବାରୁ ସହଜରେ ଭିତରକୁ ପ୍ରବେଶ କରିଗଲୁ । ସୁଇଜରଲାଣ୍ଡରେ ଅନ୍ୟ ଏକ ସୁବିଧା ମୋତେ ବହୁ ପ୍ରଭାବିତ କରିଥିଲା ତାହା ହେଉଛି ଏଠିକାର ଟ୍ରେନ ଟିକେଟ କାଉଣ୍ଟର । ଏଠି ଟ୍ରେନ ଟିକେଟ ସହ ଜଣେ ଅତି ସହଜରେ ବସ୍, ମେଟ୍ରୋ, ମିଉଜିୟମ ଟିକେଟ ଇତ୍ୟାଦି କମ ମୂଲ୍ୟରେ ଏକା ଥରକେ କିଣି ପାରିବ । ଟିକେଟ କାଉଣ୍ଟରରେ ବୁଲିବାକୁ ଯାଉଥିବା ଜାଗା ବିଷୟରେ ପଚାରିଲେ ସେମାନେ ଜାଗା ଓ ସେଠାକୁ ଯାଉଥିବା ବସ୍, ମେଟ୍ରୋ ଓ ମିଉଜିୟମ ଟିକେଟର ବିବରଣୀ ସହ ଟିକେଟ ପ୍ରଦାନ କରନ୍ତି । ଏକାଥରେ ସବୁ ଟିକେଟ କଲେ, କମ ମୂଲ୍ୟରେ ହୋଇଯାଇଥାଏ । ୧୯୯୩ରେ ନିର୍ମିତ ଅଲମ୍ପିକ ମିଉଜିୟମଟି ୩ ମହଲା ବିଶିଷ୍ଟ, ଯେଉଁଠି ମାଟି ଉପରେ ଗୋଟେ ମହଲା ଓ ମାଟି ତଳେ ଆଉ ଦୁଇ ମହଲା ଅବସ୍ଥିତ । ମିଉଜିୟମକୁ ପ୍ରବେଶ କଲେ ପ୍ରଥମେ ଅଲମ୍ପିକ ଖେଳର ଜନ୍ମ ଓ ଏହାର ଇତିହାସ ବଡ଼ ବଡ଼ ଟେଲିଭିଜନ ପରଦାରେ ପ୍ରଦର୍ଶିତ ହେଉଥାଏ ଯାହାକି ଦେଖିବାକୁ ଅତ୍ୟନ୍ତ ବାସ୍ତବିକ ଲାଗେ । ତା’ତଳ ଦୁଇ ମହଲାରେ ମୁଖ୍ୟତ ଖେଳ ସହ ଜଡ଼ିତ ତଥ୍ୟ, ସାମଗ୍ରୀ ସହ ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ପାଇଁ କିଛିଟା ଖେଳ ରଖା ଯାଇଛି । ଏଠାରେ ଅଲମ୍ପିକ ଖେଳ ସହ ସମ୍ପୃକ୍ତ ବିଭିନ୍ନ ସାମଗ୍ରୀ ଯଥା ଅଲମ୍ପିକ ପୋଷାକ, ଅଲମ୍ପିକ ମେଡାଲ, ଅଲମ୍ପିକ ଟର୍ଚ୍ଚ, ଅଲମ୍ପିକ ମାସ୍କଟ ଇତ୍ୟାଦି ଅତି ଯତ୍ନ ସହକାରେ ରଖା ଯାଇଛି । ବିଭିନ୍ନ ଦେଶରେ ଆୟୋଜିତ ହେଇଥିବା ଅଲମ୍ପିକର ଭିଡ଼ିଓ ଓ ଏହା ସହ ଜଡ଼ିତ ତଥ୍ୟ ଓ ସାମଗ୍ରୀ ସବୁ ଏଠାରେ ରଖା ଯାଇଛି । ମିଉଜିୟମ ଭିତର ବୁଲି ଦେଖିଲା ପରେ ଆମେ ଏଠାରେ ରଖା ଯାଇଥିବା କିଛିଟା ଖେଳ ଖେଳିବାକୁ ଚେଷ୍ଟା କଲୁ । ଆଉ ଶେଷରେ କିଛି ସମୟ ବସି ପୁରୁଣା ଅଲମ୍ପିକର ଭିଡିଓ ଦେଖିଲୁ । ଅଲମ୍ପିକ ମିଉଜିୟମଟି ଜେନେଭା ହ୍ରଦ କୂଳରେ ଅବସ୍ଥିତ, ତେଣୁ ଫେରିଲା ବେଳକୁ ଜେନେଭା ହ୍ରଦ କୂଳରେ କିଛି ସମୟ ବିତାଇ ପୁଣି ମାର୍ଟିନିକୁ ଫେରି ଆସିଲୁ ।

Raching Track in Switerland
ଚିତ୍ର ୪: ଅଲମ୍ପିକ ମିଉଜିୟମର ରେସିଙ୍ଗ ଟ୍ରାକ
Alampics Mascot
ଚିତ୍ର ୫: ଅଲମ୍ପିକ ମାସ୍କଟ
Alampic Trouch
ଚିତ୍ର ୬: ଅଲମ୍ପିକ ଟର୍ଚ୍ଚ

କିଛି ସହକର୍ମୀଙ୍କ ଉପଦେଶ ଅନୁସାରେ କିଛି ଦିନ ପୂର୍ବରୁ ସେମିତି ଏକ ସୁନ୍ଦର ସ୍ଥାନ ସାମ୍ପଲାକ ଦେଖିବାର ସୁଯୋଗ ମିଳିଥିଲା । ଆଲ୍‌ପସ୍ ପର୍ବତର ବହୁ ଉଚ୍ଚରେ (୧୪୭୦ ମିଟର) ଅବସ୍ଥିତ ସାମ୍ପଲାକ ଗାଆଁଟି ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବର୍ଷସାରା ବିଭିନ୍ନ ଦେଶର ବହୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରେ । ମାର୍ଟିନିରୁ ବାହାରି ସେଣ୍ଟ ବର୍ଣ୍ଣାର୍ଡ ନାମକ ଏକ ସ୍ୱତନ୍ତ୍ର ଟ୍ରେନରେ ବସି ଆମେ ଅନ୍ୟ ଗୋଟେ ଛୋଟ ଷ୍ଟେସନ ଓର୍ସିର୍ସ ଅଭିମୁଖେ ଯାତ୍ରା କଲୁ । ମାର୍ଟିନିରୁ ଓର୍ସିର୍ସକୁ ଟ୍ରେନ ଯାତ୍ରା ବହୁତ ରୋମାଞ୍ଚକର ଥିଲା । ଟ୍ରେନଟି ଧୀରେ ଧୀରେ ପାହାଡ଼ ଚଢ଼ିବାକୁ ଲାଗିଲା । ପାହାଡ଼ ଉପରେ ମଧ୍ୟ ବହୁ ଛୋଟଛୋଟ ଘର ଦେଖିବାକୁ ମିଳିଥିଲା । ଘରଗୁଡ଼ିକ ବେଶୀ ବଡ଼ ନ ହେଲେ ବି ଏହାର ବଗିଚାଗୁଡ଼ିକ ଖୁବ ଆକର୍ଷଣୀୟ ଥିଲା । ସୁଇଜରଲାଣ୍ଡରେ ବୁଲିଥିବା ବିଭିନ୍ନ ଜାଗାର ଅନୁଭୂତିରୁ ମୁଁ ଦେଖିଲି ଏଠି ପାହାଡ଼ର ବହୁ ଉପରେ ମଧ୍ୟ ଲୋକମାନେ ଘର କରି ରହିଥାନ୍ତି ଓ ସେଠାରେ ମଧ୍ୟ ଆବଶ୍ୟକୀୟ ଦରକାରୀ ସୁବିଧା ସବୁ ଉପଲବ୍ଧ । ପାହାଡ଼ ଉପରେ ଅଙ୍ଗୁରୁ ଗଛସବୁ ଧାଡ଼ି ଧାଡ଼ି ଦେଖିବାକୁ ମିଳିଥିଲା । କିଛି ସମୟ ଟ୍ରେନ ଯାତ୍ରା ପରେ ଆମେ ଓର୍ସିର୍ସ ଷ୍ଟେସନରେ ପହଞ୍ଚିଲୁ । ସେଠାରୁ ଆଉ ଆଗକୁ ଟ୍ରେନ ଟ୍ରାକ ନାହିଁ, ତେଣୁ ସେଠୁ ଏକ ବସ୍ ଯୋଗେ ଆମେ ଆମର ଗନ୍ତବ୍ୟ ସ୍ଥଳ ସାମ୍ପଲାକକୁ ଯାତ୍ରା କଲୁ । ବସ୍‌ଟି ଆମକୁ ଅଙ୍କାବଙ୍କା ଘାଟି ରୋଡ଼୍ ଦେଇ ପାହାଡ଼ର ବହୁ ଉଚ୍ଚକୁ ନେଇ ଶେଷରେ ସାମ୍ପଲାକରେ ପହଞ୍ଚାଇ ଦେଲା । ସାମ୍ପଲାକ ମୁଖ୍ୟତଃ ଆଲ୍‌ପସ୍ ପର୍ବତର ବହୁ ଉଚ୍ଚରେ ଥିବା ଏକ ଗାଁ । ଏଠାରେ ଥିବା ପାହାଡ଼ ଚଢ଼ିବାକୁ ବହୁ ପର୍ଯ୍ୟଟକ ନିଜ ନିଜ ଉପକରଣ ସହ ଏଠାକୁ ଆସିଥାନ୍ତି । ଆଉ ପାହାଡ଼ ଉପରକୁ ଚଢ଼ିବାକୁ ଆମେ ଉଚିତ ମନେ ନ କରି ସେଠାରେ ଥିବା ଆଖ ପାଖ ଜଙ୍ଗଲ, ଝରଣା, ହ୍ରଦ ଇତ୍ୟାଦି ବୁଲିବାକୁ ଲାଗିଲୁ । ପ୍ରଥମେ ଜଙ୍ଗଲ ଭିତରକୁ କିଛି ବାଟ ଏକ ଝରଣା କୂଳ ଦେଇ ଚାଲି ଚାଲି ଗଲୁ, କିନ୍ତୁ ଧୀରେ ଧୀରେ ରାସ୍ତାଟି କଠିନ ହେବାରୁ ଆଉ ବେଶୀ ଆଗକୁ ନ ଯାଇ ସେଠୁ କିଛି ସମୟ ଝରଣା କୂଳରେ ଅତିବାହିତ କରି ଫେରି ଆସିଲୁ । ଫେରିବା ବାଟରେ ଏକ ସୁନ୍ଦର ଜାଗା ଦେଖି ବସିଲୁ ଓ ଘରୁ ନେଇଥିବା ଖାଦ୍ୟ ବାହାର କରି ଖାଇବାରେ ଲାଗିଲୁ । କିଛି ସମୟ ବିଶ୍ରାମ ପରେ ଚାଲି ଚାଲି ପାଖରେ ଥିବା ଏକ ସୁନ୍ଦର ହ୍ରଦ କୂଳରେ ପହଞ୍ଚିଲୁ । ହ୍ରଦଟି ପାହାଡ଼ରୁ ବହି ଆସୁଥିବା ଝରଣାରେ ତିଆରି ଭଳି ମୋତେ ଲାଗିଲା । ହ୍ରଦ କୂଳଟି ବହୁତ ସୁନ୍ଦର ଥିଲା ଓ ସେଠାରେ କାଠର ବେଞ୍ଚ ସବୁ ବସିବାପାଇଁ ତିଆରି କରାଯାଇଥିଲା । ଲୋକମାନେ ହ୍ରଦରେ ଛୋଟ ଛୋଟ ପେଡାଲ ବୋଟ୍‌ରେ ବୁଲୁଥାନ୍ତି । ବହୁ ସମୟ ହ୍ରଦ କୂଳରେ ବିତାଇଲେ ପରେ ବି ମନ ଭରୁ ନ ଥିଲା, କିନ୍ତୁ ଡେରି ହେଉଥିବାରୁ ସେଠାରୁ ବସ୍‌ଷ୍ଟାଣ୍ଡ ଆଡ଼କୁ ଚାଲିବାକୁ ଲାଗିଲୁ । ବସ୍ ଆସିବାକୁ କିଛି ସମୟ ଥିବାରୁ ସମୟ କାଟିବାକୁ ଆଖପାଖ ଦୋକାନରେ ମିଳୁଥିବା ସାମଗ୍ରୀ ସବୁ ଦେଖିବାକୁ ଲାଗିଲୁ । ହୋଟେଲ ଓ ଘରଗୁଡ଼ିକ ଛୋଟ ହେଲେ ବି ବିଭିନ୍ନ ଫୁଲ ଗଛରେ ସଜା ହୋଇ ଏତେ ସୁନ୍ଦର ଲାଗୁଥିଲା ଯେ ଏହାର ଫୋଟୋ ନ ଉଠାଇ ରହି ହେଲାନି । କିଛି ଦୋକାନ ବୁଲିସାରି ଆମେ ବସି ଆଇସକ୍ରିମ ଖାଇବାରେ ଲାଗିଲୁ । କିଛି ସମୟ ପରେ ବସ୍ ଆସିଗଲା ଓ ଆମେ ପୁଣି ବସ୍‌ରେ ବସି ଓର୍ସିର୍ସକୁ ଫେରିବାକୁ ଲାଗିଲୁ । ବସ୍‌ରେ ଫେରିଲା ବେଳେ ତଳକୁ ଦେଖି ଲାଗୁଥିଲା ଯେ ଆମେ ପାହାଡ଼ର କେତେ ଉପରକୁ ଚାଲି ଯାଇଥିଲୁ । ଓର୍ସିର୍ସରେ ପହଞ୍ଚି ସେଠୁ ପୁଣି ଟ୍ରେନରେ ମାର୍ଟିନି ଫେରି ଆସିଲୁ ।

Samplac lake
ଚିତ୍ର ୭: ସାମ୍ପଲାକ ହ୍ରଦ
Hotel Near Samplac Lake
ଚିତ୍ର ୮: ସାମ୍ପଲାକରେ ଥିବା ଏକ ହୋଟେଲ

ସେମିତିରେ ସୁଇଜରଲାଣ୍ଡରେ ଦେଖିବାକୁ ବହୁ ଦର୍ଶନୀୟ ସ୍ଥାନ ଅଛି । ଯଦିଓ ସବୁ ଦେଖିବା ସମ୍ଭବପର ନୁହେଁ ତଥାପି ଆମର ୮ ମାସର ରହଣି ଭିତରେ ବହୁ ନୂଆନୂଆ ଜାଗା ଦେଖିବାର ସୁଯୋଗ ମିଳିଛି ଓ ବହୁତ କିଛି ବାକି ରହିଯାଇଛି ଯାହାକୁ ଦେଖିବାର ସୁଯୋଗ ଭବିଷ୍ୟତରେ ମିଳିପାରେ ବୋଲି ଆଶା କରୁଛି । ଶେଷରେ ପ୍ରସିଦ୍ଧ ଲେଖକ ସୁସାନ ସୋଂଟାଗଙ୍କ ନିମ୍ନଲିଖିତ ଉକ୍ତିରେ ଭ୍ରମଣ କାହାଣୀଟିକୁ ଶେଷ କରିବାକୁ ଚାଁହୁଛି ।

“I haven’t been everywhere, but it’s on my list.” – Susan Sontag

– ଡ. ଶାନ୍ତିପ୍ରିୟ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଶାନ୍ତିପ୍ରିୟ ପରିଡ଼ା ପେଶାରେ ଜଣେ ଇଞ୍ଜିନିୟର୍ ଏବଂ ନିଶାର ତାଙ୍କର ନୂଆ ନୂଆ ଜାଗା ବୁଲିବା ଆଉ ସେହି ସ୍ଥାନଗୁଡ଼ିକର ବର୍ଣ୍ଣନ କରନ୍ତି ସେ କାହାଣୀ ମାଧ୍ୟମରେ ।