You are currently viewing ଗାଆଁ ଶୀତ ଦିନ
Odia Poem - Gaon Sita Dina

ଗାଆଁ ଶୀତ ଦିନ

ଭାରି ଭଲଲାଗେ ଶୀତୁଆ ସକାଳ
କଅଁଳ ଖରାର ତାତି
ଭାରି ଭଲଲାଗେ କମଳ ରେଜେଇ
ଆଇ ମା’ ସହ ରାତି ।।

ଭାରି ଭଲଲାଗେ ମୁଆଁ ଖିଆ ଆଉ
ପୁଷ ପୁନେଇର ଜହ୍ନ
ମନ କିଣି ନିଏ ମୋ ମା’ର ଝୋଟି
ମାଣ ବସାର ସେ ଦିନ ।।

ଭାରି ଭଲଲାଗେ ଧାନ କଟା ଆଉ
ହଳଦୀ ପତ୍ରର ବାସ
ଭଲଲାଗେ ପୁଣି ଅଷ୍ଟମି ଏଣ୍ଡୁରୀ
ଅଳସୀ ଫୁଲର ଚାଷ ।।

ଭାରି ଭଲଲାଗେ ବନ୍ଧା, ଫୁଲ କୋବି
ବାଡ଼ି ଶାଗର ସେ ଭଜା
ଭଲଲାଗେ ପୁଣି ବଡ଼ଦିନ ଛୁଟି
ସାଙ୍ଗସାଥୀଙ୍କର ମଜା ।।

ମୋ ଗାଁରେ ଜେଜେ ନିଆଁ ଜାଳୁଥାନ୍ତି
ନିଇତି ସକାଳ ସଞ୍ଜେ
ମା’ ଘସି ଦିଏ ତେଲ ଆଉ
ଘିଅ ନାତି ନାତୁଣିଙ୍କୁ ଦମ୍ଭେ ।।

କେତେ ରଙ୍ଗଗ ଫୁଲ ଫୁଟିଯାଏ ପୁଣି
ମୋ ଗାଁ’ର ବୁକୁ ଚିରି
କେତେ ଜାତି ପକ୍ଷୀ ଉଡ଼ି ଆସୁଥାନ୍ତି
ଅଭିନନ୍ଦନକୁ ଧରି ।।

ଏସବୁ ଭିତରେ ନୁଆ ବରଷର
ନୂତନ ପରଷ ପାଇ
ମୋ ଗାଁ ଦାଣ୍ଡ ହସି ଉଠେ ପୁଣି
ଶୀତ ଋତୁ ଯାଏ ସରି ।।

ଭାରି ଭଲଲାଗେ ଏଇ ଶୀତଋତୁ
ଯେବେ ମୁଁ ଗାଁରେ ଥାଏ
ସହରରେ ଥାଇ ହିଟର ଲଗାଇ
ଶୀତଋତୁକୁ କି ପାଏ?

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଐଶ୍ୱର୍ଯ୍ୟା ଦାସ ଓଡ଼ିଆ ଭାଷାରେ ଗପ ଓ କବିତା ଆଦି ରଚନା କରିଥାନ୍ତି ।