ବିଦେଶରେ ଭାରତୀୟଙ୍କୁ ସମ୍ମାନ
ବିଦେଶରେ ଭାରତୀୟଙ୍କୁ ସମ୍ମାନ

ବିଦେଶରେ ଭାରତୀୟଙ୍କୁ ସମ୍ମାନ

କିଛିମାସ ତଳେ ଏକ ଦଳ ସହ ୟୁରୋପ ଭ୍ରମଣରେ ଯାଇଥିଲି । ସମୁଦାୟ ୧୦ଟି ଦେଶ ବୁଲି ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିଲୁ । ୪୮ ଜଣ ଯାତ୍ରୀ ବିଭିନ୍ନ ସହରରୁ ଦିଲ୍ଲୀରେ ଏକତ୍ରିତ ହୋଇ ଏୟାରଇଣ୍ଡିଆ ଫ୍ଲାଇଟ୍‌ରେ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କଲୁ । ଲଣ୍ଡନ ସହରର ଲୋକସଂଖ୍ୟା ପ୍ରାୟ ଏକକୋଟି, ଭାରତର ପୂର୍ବତନ ଶାସକମାନଙ୍କ ସହର । ଏଠାରେ ଥିବା ଟେମ୍‌ସ ନଦୀ ଚଉଡ଼ାରେ ଦୀର୍ଘ ନୁହେଁ କିନ୍ତୁ ସ୍ରୋତସ୍ୱିନୀ । ତା’ର କୂଳେ କୂଳେ ବୁଲିଲୁ । ବହୁତ ବ୍ୟାଙ୍କ, ବାଣିଜ୍ୟ କେନ୍ଦ୍ର, ହୋଟେଲ ଇତ୍ୟାଦି ଅଛି । ଆମର

ବେଶପୋଷାକ ଦେଖି କେତେକ ଇଂରେଜ କହିଲେ, “ଇଣ୍ଡିଆନ, ଦି ଗ୍ରେଟ୍ କଣ୍ଟ୍ରି, ପ୍ଲିଜ୍ ହାଓ ଏ ଫାର୍ ଟୁର୍, ଇଟ୍ ଦି ଟେମ୍‌ସ ୱିଥ୍ ଅସ୍ ।’ ଆମେ ଗଲୁ କେନ୍ଦ୍ରସ୍ଥଳ ‘ଗ୍ରାଫଲଗାର ସ୍କୋୟାର’କୁ । ଭିଡ଼ ଥାଏ । ସେଠାରେ ଏକ କୃତ୍ରିମ ଝରଣା ଅଛି । ଶୁଣିଲୁ ‘ଓଃ, ଇଣ୍ଡିଆନ୍, ଇୟୋର ଗାନ୍ଧୀ କମ୍ପେଲ୍‌ଡ ଦ ବ୍ରିଟିଶ୍ ଟୁ ଭ୍ୟାକେଟ୍ ୟୋର କଣ୍ଟ୍ରି । ଉଇ ହାଭ୍ ଏଜୁକେଟେଡ୍ ହିମ୍ । ଆମର ବସ୍ ଅଗ୍ରଗତି କଲା । ଗାଇଡ୍ ବୁଝାଇଦେଲେ ଏକ ବୃହତ୍ କୋଠାକୁ ନିର୍ଦ୍ଦେଶ କରି- ‘ଦି ଟେମ୍ପଲ’, ବିଖ୍ୟାତ ଆଇନ କଲେଜ, ଏହିଠାରୁ ଗାନ୍ଧିଜୀ ତାଙ୍କ ଯୁବାବସ୍ଥାରେ ବାରିଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହା ନିକଟରେ ବ୍ରିଟିଶ୍ ପାର୍ଲାମେଣ୍ଟ ହାଉସ୍, ପ୍ରଧାନମନ୍ତ୍ରୀଙ୍କ ବାସସ୍ଥାନ ଟିକିଏ ଗଳି ଭିତରକୁ, ସୁରକ୍ଷା ପାଇଁ ବୋଧହୁଏ । ‘ହାଇଡ୍ ପାର୍କ’ରେ ଯେକୌଣସି ବ୍ୟକ୍ତି ଟେବୁଲ ଉପରେ ଦଣ୍ଡାୟମାନ ହୋଇ ଭାଷଣ ଦେଇପାରିବ, କେବଳ ରାଣୀଙ୍କ ବିରୋଧରେ କିଛି କହିପାରିବ ନାହିଁ । ଇଂଲିଶ ଚାନେଲ ପାରିହେଲୁ ଡୋଭରଠାରେ। ।

ପ୍ୟାରିସର ଇଫେଲ ଟାୱାର ପୃଥିବୀର ପ୍ରସିଦ୍ଧ ଲୌହନିର୍ମିତ କୀର୍ତ୍ତି, ଯାହାକୁ ହିଟ୍‌ଲରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜର୍ମାନମାନେ ଭାଙ୍ଗିବାକୁ ରାଜି ହୋଇ ନ ଥିଲେ । ସେଠାକାର ଗାଇଡ୍ କହୁଥିଲେ, ‘ଇଣ୍ଡିଆନ୍ ଟୁରିଷ୍ଟ ଭେରି ଡିସିପ୍ଲିନ୍‌ଡ, ଦେ କମ୍ ଇନ୍ ଏ କ୍ୟୁ, ୟୁ ସି ଅଦର କଣ୍ଟ୍ରି ପିପୁଲ, ହାଓ ଦେ ଆର୍ ପୁସିଙ୍ଗ ଇଚ୍ ଅଦର । ଟିକେଟ୍ କରି ଲିଫ୍‌ଟରେ ସର୍ବୋଚ୍ଚ ଉଚ୍ଚତାକୁ ଯାଇହୁଏ । ରାତି ୧୨ଟାରେ ଏହି ଟାୱାର ବିଦ୍ୟୁତ୍ ଆଲୋକରେ ଝଲସିଉଠେ ମାତ୍ର ପାଞ୍ଚମିନିଟ୍ ପାଇଁ । ଫ୍ରାନ୍ସର ପୋଲିସ ଆମକୁ ଧନ୍ୟବାଦ ଦେଲେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିବାରୁ, ଯଦିଓ ଏଠାରେ ନିଗ୍ରୋ ବିକ୍ରେତାମାନେ ଯାତ୍ରୀମାନଙ୍କୁ ବ୍ୟସ୍ତ କରୁଥାନ୍ତି । ଆମଷ୍ଟରଡାମ୍‌ରେ ବୋଟ ଯୋଗେ ‘କେନଲଟୁର’- ବହୁତ ପୁରୁଣା ସହର ଯାତାୟାତର ମାଧ୍ୟମ ପ୍ରଧାନତଃ ସାଇକେଲ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବୋଟରେ ‘ଟଏଲେଟ’ ବ୍ୟବହାର କରିପାରିବେ । ସୁଇଜରଲାଣ୍ଡର ସୁଉଚ୍ଚ ଆଲପସ ପର୍ବତମାଳା, ତା’ ଉପରେ ହୋଟେଲମାନ । ।

ଆଞ୍ଜେଲବର୍ଗରେ ‘ଟେସାସ’ ହୋଟେଲରେ ଭାରତୀୟଙ୍କ ପାଇଁ ବ୍ରେକ୍‌ଫାଷ୍ଟ-ଉପମା, ଇଡ୍‌ଲି, ଚୁଡ଼ାସନ୍ତୁଳା, ସମ୍ବର, ଚଟ୍‌ନି, ମସଲା ଚା’ ଆଦି ଉପଲବ୍ଧ । ସର୍ବୋଚ୍ଚ ଶିଖର ୱାମ୍‌ପ୍ରେଠରେ ବରଫ ଗଦାଗଦା, ଭାରତୀୟ ରେଷ୍ଟୁରାଣ୍ଟରେ ‘ବଫେ’, ହିନ୍ଦୀ ସିନେମାର ଗୀତ ବାଜୁଥାଏ, ମନେହୁଏ ଆମେ ଭାରତର ପର୍ବତ ଉପରେ ଅଛୁ । ଏହା ହିମାଳୟର ଶିଖର ପ୍ରାୟ, ତଳ ଭାଗରେ ଇଣ୍ଟରସାକେ ସହର । ଟୁରିଷ୍ଟ କେନ୍ଦ୍ର । ଏଠାରେ ଏକ କେନ୍ଦ୍ରସ୍ଥଳରେ ମୁମ୍ବାଇ । ସିନେମା ଜଗତର ପ୍ରଡ୍ୟୁସର-ଡାଇରେକ୍ଟର ୟଶ୍ ଚୋପ୍ରାଙ୍କର ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ବହୁ ସମ୍ମାନର ଅଧିକାରୀ ସେ ଥିଲେ ସୁଇଜରଲାଣ୍ଡରେ । ତାଙ୍କର କେତେକ ସିନେମାର ସୁଟିଙ୍ଗ୍ ଏହିଠାରେ ହିଁ ସେ କରିଥିଲେ । ଫଳକରେ ତାଙ୍କ ବିଷୟରେ ତଥ୍ୟ ଉଲ୍ଲେଖ ଅଛି । ନିକଟସ୍ଥ ଅନ୍ୟ ଏକ ବରଫାବୃର ଶୃଙ୍ଗ, ନାମ ‘ତିତ୍‌ଲିସ’ ସର୍ବୋଚ୍ଚ ସ୍ଥଳରେ ହିନ୍ଦୀ ସିନେମା ‘ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’ର କଳାକର-ଶାହରୁଖ ଖାଁ ଓ କାଜଲଙ୍କର ବିଶାଳ କଟ୍‌ଆଉଟ୍ ବିଦ୍ୟମାନ । ଏଥିରୁ ଜଣାଯାଏ ସୁଇଜରଲାଣ୍ଡର ଅଧିବାସୀ କେତେ ଭଲପାଆନ୍ତି ଭାରତର କଳାକାରଙ୍କୁ । ଏଠାକାର ଏକ ଫଟୋ ଷ୍ଟୁଡିଓରେ ଭାରତୀୟ କ୍ରିକେଟ ଷ୍ଟାର ଓ ମୁମ୍ବାଇ ଷ୍ଟାରଙ୍କର କଷ୍ଟ୍ୟୁମ୍ ମିଳୁଛି, ଯାହାକୁ ଭଡ଼ାରେ ନେଇ ଜଣେ ଫଟୋ ଉଠାଇପାରିବେ । ଇଟାଲୀର ‘ପିସା’ ଟାୱାର ନିକଟରେ ଗୁଜରାଟ ବ୍ୟବସାୟୀଙ୍କର ସୌଖୀନ ଷ୍ଟୋର, ସବୁ ଭାରତୀୟ ଉପହାର ସାମଗ୍ରୀ ମିଳେ, ବିଦେଶର ଯାତ୍ରୀମାନେ ଏଠାରୁ ଆଗ୍ରହରେ ଭାରତର ସାମଗ୍ରୀ କିଣି ପ୍ରଶଂସା କରୁଥାନ୍ତି । ସମୁଦ୍ର ମଧ୍ୟସ୍ଥ ଭେନିସ୍‌ ଦ୍ୱୀପରେ ଫେରି ଯାତ୍ରା କଲାବେଳେ ଭାରତୀୟ ମେନୁର ଖାଦ୍ୟ ଓ ଗୀତ । ଭଟିକାନସିଟି ପ୍ୟାଲେସ ରୋମର କଲୋସିଅମ, ସବୁଠାରେ ଭାରତର ଯାତ୍ରୀ ମାଳ ମାଳ । ସେଠାକାର ସ୍ଥାନୀୟ ଯାତ୍ରୀ ଆମକୁ ସାହାଯ୍ୟ କରି କେଉଁଦିଗକୁ ଗତି କରିବାକୁ ହେବ, କ’ଣ କୀର୍ତ୍ତି ଦେଖିବାକୁ ହେବ, ଭାରତୀୟ ବୋଲି, ଇଂଲିଶ ଭାଷାରେ ବୁଝାଇ ଦିଅନ୍ତି । ଟିକଟ୍ କରି ପ୍ରବେଶ କରିବା, କ୍ୟୁ ତିଆରି କରିବା, ଗାଇଡ୍‌ଙ୍କ ନିର୍ଦ୍ଦେଶ ମାନିବା ଆଦି କାର୍ଯ୍ୟର ପ୍ରଶଂସା ସବୁଠାରେ ମିଳିଲା । ଯେଉଁ ଯେଉଁ ସହରକୁ ଆମେ ଭ୍ରମଣ କରିଛୁ, ସବୁଠାରୁ ଭାରତୀୟ ରେଷ୍ଟୂରାଣ୍ଟରେ ଗାଇଡ୍ ଆମକୁ ସ୍ୱାଦିଷ୍ଟ ଭାରତୀୟ ବ୍ରେକ୍‌ଫାଷ୍ଟ, ଲଞ୍ଚ, ଡିନର୍ ଖୁଆଇଛନ୍ତି । ୟୁରୋପରେ ଥିବା ଆମେ ଅନୁଭବ କରିପାରି ନାହୁଁ, କେବଳ ରାସ୍ତା, ହୋଟେଲ, ଦର୍ଶନୀୟ କୀର୍ତ୍ତି ବ୍ୟତୀତ । ଡେନ୍‌ମାର୍କର ରାଜଧାନୀ କୋପେନ୍‌ହାଗେନ୍‌ରେ ସାଇକେଲର ବ୍ୟବହାର ଅଧିକ । ଏଠାରେ ବହୁତ ଦୁର୍ଗ ଦେଖାଯାଏ । ଦିନାମାରମାନେ ଯୁଦ୍ଧଖୋର ଜାତି ଥିଲେ । ୟୁରୋପର ଅନ୍ୟ ଦେଶଗୁଡ଼ିକୁ ପରାଜିତ କରି ତାଙ୍କର ମୂଲ୍ୟବାନ ଧନସମ୍ପଦ ଅପହରଣ ପରେ ଏହି ଦୁର୍ଗମାନଙ୍କରେ ‘ଏକ୍‌ଜିବିଶନ ହଲ’ ନିର୍ମାଣ କରିଛନ୍ତି । ଭାରତରୁ ମଧ୍ୟ ନେଇଥିବା ସୁନା, ହୀରା ଓ ଶାଗୁଆନ କାଠର ଉପକରଣ ସେଠାରେ ସ୍ଥାନିତ ହୋଇଛି । କୋପେନହାଗେନ୍‌ଠାରୁ ୧୦ କି.ମି. ସମୁଦ୍ର ପଥରେ ଫେରି ‘ବଲଟିକ୍ ସାଗର’ ଅତିକ୍ରମ କରି ସ୍ୱିଡେନରେ ପ୍ରବେଶ କଲୁ । ସହର ମଧ୍ୟକୁ ଚାଲିଚାଲି ଗତିକରି ବହୁ ଭାରତୀୟ ପୁରୁଷ ଓ ମହିଳାଙ୍କୁ ଅଫିସରୁ ଫେରୁଥିବାରୁ ଦେଖିଲୁ । ସେଠାରେ ମଧ୍ୟ କେତେକ ଭାରତୀୟ ରେଷ୍ଟୁରାଣ୍ଟ ଅଛି । ଖାଦ୍ୟ ଖାଇଲୁ ।

ଆମ ଦେଶର ବହୁ ଯୁବତୀଯୁବକ କର୍ମସଂସ୍ଥାନ ପାଇଁ ୟୁରୋପ ଯାଇଛନ୍ତି । ସେଠାରେ ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ଆଇଟି, ଶିଳ୍ପସଂସ୍ଥା ତଥା ଛୋଟବଡ଼ କମ୍ପାନୀରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କର ସେବା ପାଇଁ ରୁଚିକର ଦେଶୀୟ ଖାଦ୍ୟ ରାନ୍ଧି ପରଷିବା ପାଇଁ କେତେକ ଗୁଜୁରାଟ, ପଞ୍ଜାବ, ଉତ୍ତରପ୍ରଦେଶର ବ୍ୟକ୍ତି ସହଯୋଗୀ କର୍ମଚାରୀମାନଙ୍କୁ ନେଇ ଘରଭଡ଼ା ମାଧ୍ୟମରେ ଖାଦ୍ୟଶାଳା ଖୋଲିଛନ୍ତି । ଏହା ସେଠାକାର ୟୁରୋପୀୟ ଅଧିବାସୀଙ୍କ ଦ୍ୱାରା ଆଦୃତ ହୋଇଛି । ଆମେ ଲକ୍ଷ୍ୟ କଲୁ ଆମ ସହିତ ଗୋରା, କଳା ବ୍ୟକ୍ତିମାନେ ମଧ୍ୟ ସେଠାରେ ଆନନ୍ଦରେ ଭୋଜନ କରୁଛନ୍ତି । ଭାରତର ମସଲାଯୁକ୍ତ ସୁସ୍ୱାଦୁ ଖାଦ୍ୟ, ପାୟସ (ଖିରି), ଦକ୍ଷିଣ ଭାରତୀୟ ଦୋସା, ଇଡ୍‌ଲି, ଉପମା, ସମ୍ବର ଆଦି ଜଳଖିଆ ସାମଗ୍ରୀର ସେଠାରେ ଚାହିଦା ଅଛି । ତେଣୁ ଆମେ ଯେଉଁ ଦୁଇସପ୍ତାହ ୟୁରୋପରେ ବିତାରିଲୁ, ତାହା ଆଦୌ ବିଦେଶ ଭଳି ଲାଗୁ ନ ଥିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu