ଲାଲ୍ ପରୀ
ଲାଲ୍ ପରୀ

ଲାଲ୍ ପରୀ

ସଞ୍ଜ ନଉଁନଉଁ ଆଈମା କୋଳରେ ବସି କାହାଣୀ ଶୁଣିବାକୁ ଭାରି ଭଲଲାଗେ । ଆଈ ସବୁବେଳେ କାହାଣୀରେ ବୁଢ଼ୀ ଅସୁରୁଣି କଥା ଓ ମଣ୍ଡାଖିଆ ଅସୁର କଥା କହେ । କିନ୍ତୁ ଥରେ ମୋ ଜିଦି ରଖିବାକୁ ଯାଇ ଆଈ ଲାଲ୍ ପରୀର କାହାଣୀ ଶୁଣେଇଲେ । ଆଈ କହୁଥିଲେ ଲାଲ୍ ପରୀ କୁଆଡ଼େ ଭାରି ସୁନ୍ଦରୀ ଥିଲା, ମନଖୋଲି ହସୁଥିଲା ଗାଉଥିଲା, ନାଚୁଥିଲା ଆଉ ଯେତେ ଇଛା ମନଭରି ଆକାଶରେ ଏ ରାଜ୍ୟରୁ ସେ ରାଜ୍ୟ ଉଡ଼ି ବୁଲୁଥିଲା । ଦିନକର କଥା ଥରେ ଆକାଶରେ ଉଡ଼ୁଥିବା ସମୟରେ ପରୀର ଗୋଟିଏ ସୁନ୍ଦର ରାଜ୍ୟ ଉପରେ ନଜର ପଡ଼ିଲା । ଆଉ ଦିନେ ସେ ସେହି ରାଜ୍ୟକୁ ବୁଲିବାପାଇଁ ଆସିଲା । ଲାଲପରୀ ସେହିରାଜ୍ୟର ଗୋଟିଏ ଉଦ୍ୟାନ ଭିତରେ ଭ୍ରମଣ କରୁଥିବା ସମୟରେ ସେହି ରାଜ୍ୟର ରାଜକୁମାର ଲାଲ୍ ପରୀକୁ ଦେଖି ତା’ ପ୍ରେମରେ ପଡ଼ିଯାଇଥିଲା । ପରୀ ସବୁଦିନ ସେ ଉଦ୍ୟାନକୁ ବୁଲିବାକୁ ଆସୁଥିଲା ଆଉ ରାଜକୁମାର ମଧ୍ୟ ପରୀକୁ ଦେଖିବା ବାହାନାରେ ଉଦ୍ୟାନକୁ ଆସୁଥିଲା । ପରୀ ଯେତେବେଳେ ଜାଣିଲା ରାଜକୁମାର ତାକୁ ଲୁଚି ଦେଖୁଛି, ସେ ଭୟରେ ଉଦ୍ୟାନରୁ ଉଡ଼ିଯିବାକୁ ଚେଷ୍ଟାକରିବା ସମୟରେ ରାଜକୁମାର ଦୌଡ଼ିଆସି ଲାଲପରୀକୁ ତା’ ବାହୁବନ୍ଧନରେ ବାନ୍ଧିଦେଲା । ଆଉ ତା’ପରେ ପରୀ……

ଆଗକୁ ଆଉ ମୁଁ ଶୁଣିନି କାରଣ ସେତେବେଳକୁ ନିଘୋଡ଼ ନିଦରେ ଶୋଇଯାଇଥିଲି ମୁଁ । ଆଈ ମଧ୍ୟ ଆଉ କାହାଣୀ ନଶୁଣେଇ ମୋତେ କୋଳରେ ଜାକିଧରି ଶୋଇ ଯାଇଥିଲେ ।

ସେଦିନ ରାତିର ସେ ଲାଲ୍ ପରୀ କାହାଣୀଟି ଅଧା ରହିଯାଇଥିଲା କେବଳ ମୋ ନିଦ ପାଇଁ । ହେଲେ ଆଜି ଏତେ ବର୍ଷପରେ ବାକି ରହିଯାଇଥିବା କାହାଣୀର କଳ୍ପନା କରିପାରୁଥିଲି ମୁଁ । ସତରେ ପ୍ରେମରେ ପଡ଼ିବାପାଇଁ ଲୋଡ଼ା ଗୋଟିଏ ସୁନ୍ଦର ହୃଦୟ । ସେଥିପାଇଁ ତ ସେଇ କିଛି ମୁହୂର୍ତ୍ତରେ ସେ ମୋର ଏତେ ନିଜର ହୋଇଯାଇଥିଲା ଯେ ତାକୁ ଭୁଲିଯିବା ମୋ ପାଇଁ ଏତେ ସହଜ ନଥିଲା । ବୟସ ବଢ଼ିବା ସହ ଚ଼ଞ୍ଚଳ ମନର ଭାବନା ମନକୁ ମତୁଆଲା କରିବାକୁ ବେଶି ସମୟ ନିଏ ନାହିଁ । ପ୍ରେମ ଭଳି ଏକ ପବିତ୍ର ପାପକୁ ପରମେଶ୍ୱର ସୃଷ୍ଟି କରିଛନ୍ତି । ଏ ପବିତ୍ର ପାପ କରିବାରୁ ମୁଁ ବା କେମିତି ବର୍ତ୍ତିଥାନ୍ତି !

ସେଦିନ କଲେଜରୁ ଘରକୁ ଫେରିବା ପାଇଁ ବସକୁ ଅପେକ୍ଷା କରିଥାଏ ମୁଁ । ବସ ଆସିବାକୁ କିଛି ସମୟ ଥାଏ । ଏକା ଏକା ଷ୍ଟାଣ୍ଡରେ ବସିବାକୁ ବିରକ୍ତ ଲାଗୁଥିଲା ହେଲେ ବସିବା ଛଡ଼ା ଅନ୍ୟ କିଛି ଉପାୟ ନଥିଲା । ହେଲେ ଗପୁଡ଼ିମାନେ କେତେ ମସୟ ବା ଚୁପଚାପ୍ ହୋଇ ବସିପାରିବେ? କାହା ସହ କଥା ହେବି ଯେ? ଏବେ ଏବେ ତ ମାଆ ସହ କଥା ହଉଥିଲି । ଏବେ କୋଉ ସାଙ୍ଗକୁ ଫୋନ କଲେ, “ତୁ ମୁଣ୍ଡ ଖରାପ କରେନା” କହି ଫୋନ ରଖିଦେବେ । କ’ଣ କରିବି? ଆଉ ଚୁପଚାପ ହେଇ ବସିହବନି ବୋଲି ଭାବୁ ଭାବୁ ବସ ଆସି ଷ୍ଟାଣ୍ଡରେ ଲାଗିଲା । ଯାହା ହଉ ଏବେ ଟିକେ ଶାନ୍ତିରେ ବସରେ ଆରାମରେ ଶୋଇପାରିବି । ବସରେ ବ୍ୟାଗ ରଖିସାରିବା ପରେ ବସ ସିଟରେ ମୁଣ୍ଡ ଆଉଯାଇ ଟିକେ ଶୋଇପଡ଼ିଲି । କିଛି ସମୟ ପରେ…..

– “ଏକ୍ସକ୍ୟୁଜ୍ ମି । ଏଇ ସିଟ୍ରେ କେହି ଅଛନ୍ତି କି?” ହଠାତ ନିଦଟା ଭାଙ୍ଗିଗଲା । ଆଖି ଖୋଲି ଦେଖେ ତ ଜଣେ ଯୁବକ ମୋ ପାଖ ସିଟରେ ବସିବା ପାଇଁ କହୁଥିଲେ । ପ୍ରତ୍ୟୁତ୍ତରରେ ମୁଁ କହିଲି, “ନାଁ କେହି ନାହାନ୍ତି ଆପଣ ବସିପାରିବେ ।” କହି ନିଜ ନିଦକୁ ସମ୍ମାନ ଜଣାଇ ଶୋଇଲାବେଳକୁ ପୁଣିଥରେ କେହି ଡାକିଲା ପରି ଅନୁଭବ ହେଲା ।

– “ହାଏ ….ଆଇ ଆମ ଉଦୟ ! ଆଣ୍ଡ ୟୁ?” ସେ ଯୁବକ ଜଣକ କହିଲେ ।
– ସ୍ୱପ୍ନା
– ନାଇସ ନେମ୍ ।

ଓଃ.. ନାଇସ ନେମ୍ ନାଁ ଛେନା । ସବୁ ପୁଅ ଏକାଭଳି ସବୁ ସ୍ଥାନରେ ଚଗଲାମି କାଢ଼ନ୍ତି । ୟାଙ୍କୁ ଖାଲି ଏଇ ସିଟ୍ ଦେଖାଗଲା ବସିବାକୁ । ଆରେ ଚିହ୍ନା ନାହିଁ ଜଣା ନାହିଁ ଆଉ ବସୁ ବସୁ ଗପିବା ଆରମ୍ଭ କରିଦେଲେଣି । କିନ୍ତୁ ପରେ ମନର ଭାବନାକୁ ଭସାମେଘରେ ଭସେଇଦେଇ କହିଲି

– “ଥାଙ୍କ ୟୁ ।”
– “ଆପଣ କୁଆଡ଼େ ଯିବେ?” ପୁଣିଥରେ ପଚାରିଲେ ସେ।
– ଦୁଷ୍ଟ ସେଇ ପବନର ଚଗଲାମିରେ ଉଡ଼ୁଥିବା ମୋର ଅସଜଡା କେଶଗୁଡ଼ାକୁ ସଜାଡ଼ୁସଜାଡ଼ୁ କହିଲି, “ବାଲେଶ୍ୱର ।”
– “ଆଛାଃ… ତା’ହେଲେ ବାଲେଶ୍ୱର ଆପଣଙ୍କ ଘର । ସେ ଅଳ୍ପ ହସି କହିଲେ ।
– “ହଁ ! ଆଉ ଆପଣଙ୍କ ଘର କେଉଁଠି?” ମୁଁ ପଚାରିଲି ।
– “ଭୁବନେଶ୍ୱର
– ତାପରେ ଟିକେ ବିରକ୍ତ ହୋଇ ମୁଁ କହିଲି, “ମୁଁ ବସରେ ଯିବାଆସିବା କରେନି, ହଠାତ୍ ବାପାଙ୍କର କାମ ପଡ଼ିଗଲା । ସେଥିପାଇଁ ବସରେ ଯିବାକୁ ପଡ଼ୁଛି ।”
– “ଆଛା କ’ଣ ପଢ଼ୁଛନ୍ତି ଆପଣ?” ପୁଣିଥରେ ସେ ପଚାରିଲେ ।
– ହେ ଭଗବାନ ! ଇଏ କେତେ ପ୍ରଶ୍ନ ପଚାରୁଛନ୍ତି ମନେ ମନେ ଗାଳି ଦଉଥାଏ କିନ୍ତୁ ଉତ୍ତରରେ କହିଲି, “+୩ କେମେଷ୍ଟ୍ରି ଅନର୍ସ ଏଇଟା ଲାଷ୍ଟ ଇଅର ।”
– “ୱାଓ ଦାଟସ୍ ଗୁଡ୍ ।”
– “ହେଲେ ଗୋଟେ କଥା ମୁଁ ବୁଝିପାରିଲିନି । ଆପଣଙ୍କ ଘର ତ ଭୁବନେଶ୍ୱର, ଆପଣ ବାଲେଶ୍ୱର ବସରେ କୁଆଡ଼େ ଯାଉଛନ୍ତି?”
– ହେ ହେ …ଜାଣିନି !
– “କି ଅଜବ ଲୋକ କୁଆଡେ ଯାଉଛନ୍ତି ଜାଣିନାହାନ୍ତି ଆଉ ବସରେ କେମିତି ବସିଲେ ।”
– “ସତ କଥା କହିବି ! ମୁଁ ତୁମକୁ ବସ ଷ୍ଟାଣ୍ଡରେ ଏକା ଏକା ବସି ବିରକ୍ତ ହେଉଥିବାର ଦେଖି । ତୁମ ସହ କଥା ହେବାକୁ ତୁମ ପାଖକୁ ଆସିବି ଭାବିଲି କିନ୍ତୁ…. ସେତେବେଳକୁ ତୁମେ ବସରେ ବସିପଡ଼ିଲ, ସେଥିପାଇଁ ….ମୁଁ ବି….”

– “ଓ ମାଇଁ ଗଡ୍ !” କହି ମୁଣ୍ଡରେ ହାତଦେଇ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଥାଏ । ସେ କିନ୍ତୁ କହିବା ବନ୍ଦ କରିନଥିଲେ ।

– “ମୁଁ ତୁମକୁ ହଜେଇବାକୁ ଚାହୁଁନଥିଲି । ଆଉ ହଜେଇବାକୁ ଚାହୁଁନଥିଲି ମୋ ପ୍ରଥମ ପ୍ରେମକୁ । ଜାଣିଛ ମୋ କଥା ଶୁଣିଲାପରେ ତୁମ କୋମଳ ହାତର ଶକ୍ତ ଚାପୁଡ଼ା ମୋ ଗାଲରେ ବାଜିଲେ ବି ଦୁଃଖ ନାହିଁ । କିନ୍ତୁ ଆଜି ଯଦି ମୁଁ ତୁମକୁ ମୋ ମନ କଥା ନକହେ ତେବେ ସାରା ଜୀବନ ‘କହିଁକି କହିଲିନି’ର ପଶ୍ଚାତାପର ନିଆଁରେ ମତେ ଜଳିବାକୁ ପଡ଼ିବ । ସେଥିପାଇଁ ମୁଁ ଆଜି କହିବାକୁ ଚାହେଁ । ପ୍ରଥମ ଦେଖାରେ ତୁମକୁ ମୁଁ ଭଲପାଇବସିଛି ଆଉ ସାରା ଜୀବନ ପାଇଁ ତୁମକୁ ନିଜର କରିବାକୁ ଚାହୁଁଛି ।” କହି ଚୁପ ରହିଲେ ସେ ।

ଏ ପ୍ରେମ ବି ଗୋଟିଏ ଅଜବ ଜିନିଷ । କେତେବେଳେ କାହାକୁ ହେଇଯାଏ କେହି ଜାଣିପାରନ୍ତିନି । ଉଦୟଙ୍କ କଥା ଶୁଣିଲା ପରେ ତାଙ୍କ ପ୍ରଶ୍ନର ଉତ୍ତର ଦେବକୁ ମୋ ପାଖରେ ସାହାସ ନଥିଲା । କହିବାକୁ ବହୁତ କଥା ଭାବୁଥିଲି ହେଲେ ସେତେବେଳେ ବସ କଣ୍ଡକ୍ଟର ଷ୍ଟପେଜ ଆସିଗଲା କହିବାରୁ ସଙ୍ଗେ ସଙ୍ଗେ ସିଟରୁ ଉଠିପଡ଼ି, “ସରି ! ମତେ ଏବେ ଯିବାକୁ ହେବ, ମୋ ଷ୍ଟପେଜ ଆସିଗଲା ।” କହି ବସରୁ ଓହ୍ଲାଇ ପଡ଼ିଲି ।

ମୁହଁମୋଡି ଓହ୍ଲାଇ ପଡ଼ିଲି ସିନା ହେଲେ ଏ ଅବୁଝା ମନକୁ ବୁଝେଇ ପାରିନଥିଲି । ଘରେ ପହଞ୍ଚିଲାପରେ ସେଦିନ କିଛି ଗୋଟେ ହରେଇଦେଲି ଭାବି ବହୁତ କାନ୍ଦିଥିଲି । ନିଜକୁ ଧିକ୍କାର କରିବା ଛଡ଼ା ମୋ ପାଖେ ଆଉ କିଛି ଉପାୟ ନଥିଲା । ପ୍ରେମ ଆରମ୍ଭ ହେବା ପୂର୍ବରୁ ହିଁ ମୁଁ ସମାପ୍ତ କରିଦେଲି । କ’ଣ ମାନେ ଏ ଜୀବନରେ ତା’ ବିନା? ଏତେ ବର୍ଷ ହେଲା ଯାହାକୁ ପ୍ରତୀକ୍ଷା କରିଥିଲି ତାକୁ ମୁଁ ଚିହିଁବାରେ ଭୁଲ କରିଦେଲି କେମିତି? ହୃଦୟ ଭିତରେ ଗୋଳେଇ ଘାଣ୍ଟି ହେଉଥିବା ଏମିତି ଅସଂଖ୍ୟ ପ୍ରଶ୍ନ ଆଗରେ ମୁଁ ଥିଲି ଶବ୍ଦହୀନା । ତା’ପରେ ସମୟର ଲୁଚକାଳି ଖେଳରେ ଉଦୟଙ୍କୁ ଖୋଜିବାରେ ଅସଫଳ ହୋଇଥିଲି ମୁଁ । ହେଲେ ଆଶା ଛାଡ଼ିନଥିଲି । ଅପେକ୍ଷା କରିଚାଲିଥିଲି ସେ ସୂର୍ଯ୍ୟଙ୍କ ଉଦୟକୁ ଯିଏ ମୋ ଅସଂପୂର୍ଣ୍ଣ ଜୀବନର ଗଳ୍ପକୁ ଲେଖିବାରେ ମତେ ଆଲୋକ ରଶ୍ମୀ ଦେଖାଇବ ।

ତିନିବର୍ଷ ପରେ ମୋ ଅଫିସ୍ର କିଛି ଅଫିସିଆଲ କାମରେ ମତେ କଟକ ଯିବାକୁ ପଡ଼ିଥିଲା । କାମସାରି ଫେରିଲା ବେଳକୁ ସନ୍ଧ୍ୟା ହେଇଗଲା । ସନ୍ଧ୍ୟାରେ କଟକର ଗଳିରେ ଚିକିମିକି ଲାଇଟ୍ରେ ସଜ୍ଜିତ ଦୋକାନ ବଜାର ଚଳଚଞ୍ଚଳ । ଗୋଟିଏ ଅଟୋ ଆଣି ବାଦାମବାଡ଼ି ବସଷ୍ଟାଣ୍ଡରେ ଛାଡ଼ିଦେଲା । ତରତର ହୋଇ ରାସ୍ତା ପାରି ହେଉ ହେଉ ହଠାତ୍ ଜଣେ ବ୍ୟକ୍ତିଙ୍କ ସହ ଧକ୍କା ହୋଇଗଲି ।

“ସରି ! ସରି ! ମୁଁ ଟିକେ ଜଲଦିରେ ଥିଲି ଆପଣଙ୍କୁ ଦେଖିପାରିଲିନି” କହି ହାତରେ ଧରିଥିବା ମୋ ଡାଏରୀ ଓ କିଛି ଅଫିସର ଫାଇଲଗୁଡ଼ାକୁ ରାସ୍ତାରୁ ସାଉଁଟୁ ସାଉଁଟୁ ଶୁଣାଗଲା, “ତୁମେ କ’ଣ ସବୁବେଳେ ଏମିତି ଜଲଦିରେ ଥାଅ?” ରାସ୍ତା ଉପରେ ଗାଡ଼ିମାନଙ୍କର ବୁକୁଫଟା ଚିତ୍କାର ଆଗରେ ଏତେ ସରଳ କଣ୍ଠସ୍ୱର ପୁଣି କାହାର ବୋଲି ଭାବି ମୁହଁ ଉପରକୁ କରି ଚାହିଁଲା ବେଳକୁ ଆଖିରୁ ଅଜାଣତରେ ଦୁଇଧାର ଲୁହ ଝରିଯାଇଥିଲା । ରାସ୍ତାରେ ଧକ୍କା ହେଇଥିବା ବ୍ୟକ୍ତି ଜଣକ ଆଉ କେହି ନଥିଲେ ସେ ଥିଲେ ମୋ ଉଦୟ ।

– “ଉଦୟ ! ତମେ?”
– “ଚିହ୍ନିଁପାରିଲ ତା’ହେଲେ ।” ଅଭିମାନ ଭରା ଆଖିରେ ସେ କହିଲେ ।

– “ସେଦିନ ବସରୁ ସ୍ୱାର୍ଥପର ପରି ଓହ୍ଲାଇ ପଡ଼ିଥିଲି ସତ ହେଲେ ହୃଦୟଟା ତୁମ ପାଖରେ ରହିଯାଇଥିଲା ।”
ମୋ ଆଖିରୁ ଲୁହ ପୋଛିଦେଇ ସେ କହିଲେ, “ଜାଣିଛ ସ୍ୱପ୍ନା ! ତୁମେ ଓହ୍ଲାଇଥିବା ଷ୍ଟପେଜକୁ ମୁଁ ବହୁତଥର ଯାଇଛି । ତୁମକୁ ବହୁତ ଖୋଜିଛି । ପାଖ ଦୋକାନୀମାନଙ୍କୁ ମଧ୍ୟ ତୁମ ବିଷୟରେ ପଚାରିଛି କିନ୍ତୁ ତୁମକୁ କେହି ଜାଣିନାହାନ୍ତି ବୋଲି କହିଲେ ।”

– “ହା ହା ହା ….ହା ହା ହା .. ବାସ ବାସ ଉଦୟ ପ୍ଲିଜ ଆଉ ହସିପାରିବିନି ।”
– “ହସୁଛ ଯେ?”
– “ଆରେ ସେଇଟା ମୋ ଷ୍ଟପେଜ ନଥିଲା ।” ହସି ହସି କହିଲି ମୁଁ ।
– “ଆଉ ତମେ ଓହ୍ଲାଇପଡ଼ିଲ କ’ଣ ପାଇଁ??”
– “କହିଥିଲିନା ସେଦିନ ମୁଁ ପ୍ରଥମଥରପାଇଁ ବସରେ ଯାଉଥିଲି, ସେଥିପାଇଁ କନଫ୍ୟୁଜରେ ସେ ଷ୍ଟପେଜରେ ଓହ୍ଲେଇ ପଡ଼ିଥିଲି ।”
– “ଓ ମାଇଁ ଗଡ୍ ! କି ପାଗଳ ଝିଅ ହାବୁଡ଼ରେ ପଡିଲା ମଣିଷ । ଏଇ ଝିଅ ନିଜ ଷ୍ଟପେଜ ବି ମନେରଖୁନି ।”
– “ସେଇ ପାଗଳ ଝିଅକୁ ସାରାଜୀବନ ସମ୍ଭାଳିପାରିବ ତ ଉଦୟ ?”
– “ନାଁ ବାବା ନାଁ… ତୁମପରି ଗପୁଡ଼ି ଝିଅକୁ କିଏ ବାହାହବ । ଗପି ଗପି ତା’ ମୁଣ୍ଡଖରାପ କରିଦବ ତମେ ।” ମତେ ଚିଡ଼େଇବା ପାଇଁ ଉଦୟ କହିଲେ।
– “କ’ଣ କହିଲ ତମେ? ମୁଁ ଗପୁଡ଼ି… ଗପୁଡ଼ି ମୁଁ….” ତାଙ୍କ କାନ ମୋଡ଼ି କହୁ କହୁ ନଜର ପଡ଼ିଲା ଦୂର ଆକାଶର ସେ କପଟୀ ଜହ୍ନ ଉପରେ, ଯିଏକି କଳାବାଦଲ ଭିତରେ ଲୁଚି ଆମକୁ ଦେଖି ମୁରୁକି ମୁରୁକି ହସୁଥିଲା । କାରଣ ସେଦିନ ଆଇମା କାହାଣୀର ସେ ଲାଲ୍ ପରୀ ପରି ମୁଁ ବି ଉଦୟଙ୍କ ବାହୁବନ୍ଧନରେ ବାନ୍ଧିହୋଇଯାଇଥିଲି । ଆଉ ସେ ବାହୁବନ୍ଧନରୁ ନମକୁଳିବା ପାଇଁ ଉଦୟଙ୍କୁ ବାଧ୍ୟ କରୁଥିଲି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu