ଶ୍ରାବଣ ଆସିଲେ ମଧୂ ବରଷିଲେ
ମନେପଡ଼େ ପ୍ରିୟତମା,
ସଜେ ଶିଖି ନାଚି ଚନ୍ଦ୍ରିକା ତୋଳିଲେ
ଝୁରେ ପ୍ରାଣ ପ୍ରିୟତମା ।
ଭରା ସରସୀରେ ତରଙ୍ଗ ଝଲସେ
ମେଘ ମାଳ ଛବି ଆଙ୍କି,
ପ୍ରୀତିର ପଣତ ବାଦଲ ପରାଏ
ଲାଜେ ଖସି ଯାଏ ଦେଖି ।
ମାଟିର ମହକ ପୁଲକ ଭରିଲେ
ସାଜେ ଧରା ସବୁଜିମା,
ଘନ ଆକାଶ କି ଭରିଛି ସତେ
ହରିଣୀ ଆଖିର ନିଳୀମା ।
ଫୁଲର ପସରା ବନେ ଉପବନେ
ଖୋସା ଭରି ହସେ ସଖୀ,
ମୁକୁଳା କେଶରୁ ମୁକ୍ତା ଝରିଯାଏ
କୁସୁମ ବରଷେ ଦେଖି ।
ଶ୍ୱେତ ବସନରେ ଭିଜା ତନୁମନେ
ସତେ ସେ ଚାରୁ ଚନ୍ଦ୍ରମା,
ଶ୍ରାବଣ ଆସିଲେ ମଧୂ ବରଷିଲେ
ମନେପଡ଼େ ପ୍ରିୟତମା ।
– ଶାନ୍ତନୁ କୁମାର ସାହୁ