You are currently viewing ଗୁହାରି
Odia Bhajan Guhari (ଗୁହାରି) by Kali Kumar Behera

ଗୁହାରି

ଅଣସର ବାସେ ରୁହ ବୋଲି ପ୍ରଭୁ କରିଛ କି ତୁମ୍ଭେ ମାନ ।
ସେ ଦୋଷରେ ତୁମ୍ଭେ କରି ରୋଷ ପ୍ରଭୁ ନେଉଛ କି ଆମ୍ଭ ପ୍ରାଣ?
ତୁମରି ବିଧିର ବିଧାନକୁ ପ୍ରଭୁ କେ କରିବ ଆକଳନ ।
ଜୀବନ ମରଣ ଜୀବାତ୍ମାରେ ପୁନଃ ତୁମ୍ଭ ବିନା ନାହିଁ ଆନ ।।
ତୁମ୍ଭେ କର୍ତ୍ତା ଧର୍ତ୍ତା ଦଇବ ବିଧାତା ସର୍ବତ୍ର ଉଡ଼ୁଛି ବାନା
ସେଥିଲାଗି ମୁହିଁ ତୁମରି ସମ୍ମୁଖେ ଗୁହାରୀ କରୁଛି ସିନା ।।
ବଞ୍ଚାଇ ଦିଅ, ପାରି କରି ନିଅ, ଆହେ ମହାପ୍ରଭୁ
ଏହି ବିଷମ ବିପଦ କାଳୁ ।
ତୁମ୍ଭ ବିଜୟର ମଶାଲଟି ପୁନଃ ସାରା ବିଶ୍ୱରେ
ଦାଉ ଦାଉ ହୋଇ ଜଳୁ ।।

ଯଦି ତୁମ୍ଭେ କର୍ତ୍ତା ଧର୍ତ୍ତା ଦଇବ ବିଧାତା
ତେବେ କାହିଁକି ଲୁଚିଛ ଗୋପନେ ମନ୍ଦିରକୁ କରି ଢାଲ ।
ଯଦି ତୁମେ ସର୍ବଶକ୍ତିଶାଳୀ
ତେବେ ଦେଖାଅ ତୁମ୍ଭର ଅସୀମ ଅପାର ବଳ ।।

ନା ତୁମ୍ଭେ ସର୍ବ ଶକ୍ତିମାନ
ନା ତୁମ୍ଭେ ସର୍ବତ୍ର ବିଦ୍ୟମାନ
ତେବେ କିଆଁ ତୁମ୍ଭେ ଉଡ଼ାଇ ବୁଲୁଛ
କିଆଁ ମିଛରେ ପ୍ରଚାର କରୁଛ
ଜଗତର ପାଳନ କରତା ବୋଲି
ତୁମ ନାମର ଗାଥାକୁ ଉଚ୍ଛେଦ କର
ନୋହିଲେ ହୋ ପ୍ରଭୁ ! ଜନ ସମ୍ମୁଖରେ ତୁମ୍ଭ
ଗୁମର ମୁଁ ଦେବି ଖୋଲି ।।
ତୁମ୍ଭେ ଭୀରୁ, ତୁମ୍ଭେ ପ୍ରାଣ କାତରେ
ରଣ ଛାଡ଼ି ପଳାୟନ କର ବୋଲି
କାବ୍ୟ, ପୁରାଣେ ଯାହା ଉଲ୍ଲେଖ ରହିଛି
ବୃଥା ନ ଯିବ ହେ ଖାଲି ।।

ତ୍ରାହି ତ୍ରାହି ଯେବେ ଚତୁଃଦିଗେ ଶୁଭେ ତୁମ୍ଭେ ଡାକ କିମ୍ପା ନ ଶୁଣ
ଏହି ବିଷମ ବିପଦ କାଳୁ ନ ଉଦ୍ଧାରିଲେ ପ୍ରଭୁ
ଭଗବାନ ବୋଲି ରହିବ କି ତୁମ୍ଭ ପଣ ।
କୁହ ଜଗତର ପିତା, କୁହ ଜଗତରନାଥ
ତୁମ୍ଭେ କେଉଁଠି ଲୁଚିଛ କୁହ
ସ୍ଥାଣୁ ନ ପାଲଟି, ବଧିର ନ ହୋଇ
ତୁମ୍ଭ ଅସ୍ତିତ୍ୱର ଜବାବ ଥରେ ଦିଅ ।।

କେଉଁଆଡ଼େ ତ ଦେଖାଯାଉ ନାହିଁ
ତୁମ୍ଭ ଅସ୍ତିତ୍ୱର ଚିହ୍ନବର୍ଣ୍ଣ
ତୁମ୍ଭ ଜୀବିତ ଥିବାର ପ୍ରମାଣ
ଏଇ ଯେ ଚାରିଆଡ଼େ ଏବେ
ଅସଂଖ୍ୟ ଶବର ଗୋଦାମ
ତେବେ ! କ’ଣ ହୋଇଗଲା
ତୁମ୍ଭ ବଂଶର ଅବସାନ
ତୁମ୍ଭ ଜାତିର ନିଃଶ୍ଚିହ୍ନ ।।

– କାଳି କୁମାର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କାଳି କୁମାର ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।