You are currently viewing ଅପେକ୍ଷାରେ ସର୍ବେ
Odia Poem Apekshare Sarbe (ଅପେକ୍ଷାରେ ସର୍ବେ) by Rashmimayee Pati

ଅପେକ୍ଷାରେ ସର୍ବେ

ଦେଇଥିଲୁ ପରା କଥା ମାଉସୀକୁ ବର୍ଷକୁ ଥରେ ଆସିବୁ
ଆଠ ଦିନ ରହି ମାଉସୀ ପାଖରେ
ଶ୍ରୀ ମନ୍ଦିର ବାହୁଡ଼ିବୁ – ୧

ଛ’ ତିଅଣ ଓ ନ’ ଭଜା କରି ଅପେକ୍ଷାରେ ମାଉସୀ ମା’
ଘୋଷ ଯାତ୍ରା ପରା ପାଖେଇ ଆସିଲା
ଭୁଲିଲୁ କାଳିଆ ସୁନା – ୨

କଥା ଦେଇଥିଲୁ ଭକତ ଜନଙ୍କୁ ରଥରେ ବଡ଼ଦାଣ୍ଡରେ
ଘଣ୍ଟ ଘଣ୍ଟା ସୁରେ ମଜ୍ଜିଯିବୁ ତୁହି
ଦର୍ଶନ ତାଙ୍କୁ ଦେବୁରେ – ୩

ତୋର ସୃଷ୍ଟିକୁ ଦେଖିଦବୁ ଥରେ ଭକତେ ଦେଖିବେ ତତେ
କୋଟି ଭକତଙ୍କ ପ୍ରାଣ ତୃପ୍ତି ହେବ
ବାହୁଡ଼ି ଯିବେ ସନ୍ତୋଷେ – ୪

ଘୋଷ ଯାତ୍ରା ପରା ପାଖେଇ ଗଲାରେ ଭୁଲିଲୁ କି ତୋର କଥା
ରଥ ଚାହିଁଅଛି ଦାଣ୍ଡ ଚାହିଁ ଅଛି
ଚାହିଁଛି ବାଲି ଶରଧା – ୫

କି ପାଲା ଲଗାଇ ବଡ଼ ଦେଉଳରେ ମଉନେ ଆଜି ବସିଛୁ
ଭିନ୍ନ ଇତିହାସ ରଚିବୁ କି ଆଜି
ଏଇ ମନସ୍ଥ କରିଛୁ – ୬

ଚାତକଟି ଯେହ୍ନେ ଚାହେଁ ବାଦଲକୁ ସର୍ବେ ଚାହୁଁଛନ୍ତି ତତେ
ଜଗନ୍ନାଥ ମୟ କେବେ ହବ ଦାଣ୍ଡ
ସେଇ ଅପେକ୍ଷାରେ ସର୍ବେ – ୭

– ରଶ୍ମି ମୟୀ ପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମିମୟୀ ପତି ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ଅନେକ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହ ଅନେକ ସାହିତ୍ୟ ସଂସ୍ଥା ପକ୍ଷରୁ ତାଙ୍କୁ ଅତୀତରେ ସମ୍ମାନୀତ କରାଯାଇଛି ।