You are currently viewing ଆସ ବୁଲିଯିବା ରଥଯାତ୍ରା
Odia Poem Asa Bulijiba Rathajatra (ଆସ ବୁଲିଯିବା ରଥଯାତ୍ରା) by Nibedita Mohapatra

ଆସ ବୁଲିଯିବା ରଥଯାତ୍ରା

ଅଣସର ପିଣ୍ତି ଲୀଳା ଗଲାଣି ସରି
ଆଡ଼ପ ମଣ୍ତପକୁ ବିଜେ ହେବେ ଶ୍ରୀହରି
ଭାଇ ଭଗ୍ନୀ ଦୁହିଁଙ୍କୁ ନିଜ ସାଙ୍ଗରେ ଧରି
ନବଦିନ ପାଇଁ ଆଜି ଯିବେ ସେ ବାହାରି ॥

ଗୋପାଳ ବଲ୍ଲଭ ଖେଚୁଡ଼ିକୁ ଖାଇ ଦେଇ
ରତ୍ନ ସିଂହାସନୁ ପ୍ରଭୁ ଆସିବେ ଓହ୍ଲାଇ
ମଥାରେ ବନ୍ଧା ଫୁଲ ଟାହିଆକୁ ହଲାଇ
ପହଣ୍ତି ବିଜେ କରିବେ କଳା ଗୋସାଇଁ ॥

ନନ୍ଦିଘୋଷେ ବିରାଜିତ ହେବେ ନୀଳମଣି
ତାଳଧ୍ୱଜରେ ବସିବେ ଭାଇ ହଳପାଣି
ଭାରି ଅଲିଅଳି ପରା ସୁଭଦ୍ରା ଭଉଣୀ
ଅଟନ୍ତି ସେ ତ ଦର୍ପଦଳନର ରାଣୀ ॥

ମୁଖ୍ୟ ଆୟୁଧ ତାଙ୍କର ଚକ୍ର ସୁଦର୍ଶନ
ଦେବୀ ରଥରେ ହୁଅନ୍ତି ପରା ବିଦ୍ୟମାନ
ଚଳନ୍ତି ପ୍ରତିମା ରୂପୀ ମଦନମୋହନ
ରାମକୃଷ୍ଣଙ୍କ ସହ ରଥେ ବିରାଜମାନ ॥

ଶଙ୍କରାଚାର୍ଯ୍ୟ କରିବେ ରଥରେ ଆଳତି
ଛେରାପହଁରା ପାଇଁ ଆସିବେ ଗଜପତି
ଭକ୍ତି ପୁଷ୍ପାଞ୍ଜଳି ଦେଇ ମାଗିବେ ମିନତି
ସଂସାରର ଦୁଃଖ କ୍ଲେଶ କରିବାକୁ ଇତି ॥

ଚାରିଆଡ଼େ ଦିଶୁଥିବ ଭକତଙ୍କ ମୁଣ୍ତ
ଲୋକାରଣ୍ୟ ହୋଇଯାଇଥିବ ବଡଦାଣ୍ତ
କେତେ ସାଧୁସନ୍ଥ ଆସି ହୋଇଥିବେ ରୁଣ୍ତ
ଦାରୁବ୍ରହ୍ମ ଦର୍ଶନେ ଧନ୍ୟ କରିବେ ପିଣ୍ତ ॥

ମନ୍ତ୍ର ଗାଇ କରୁଥିବେ ନାମ ସଂକୀର୍ତ୍ତନ
ଦୁଇ ବାହୁ ମେଲି ପୁଣି ଭକ୍ତି ନିବେଦନ
ଭୁଲିଯାଇ ମୋହମାୟା ଜ୍ଞାତି ପରିଜନ
ସର୍ବେ ହୋଇଥିବେ ପରା ଭାବରେ ମଗନ ॥

ଥରେ ଦେଖିଦେଲେ ରଥରେ ବାମନ ରୂପ
ତୁଟି ଯାଇଥାଏ ଜନ୍ମଜନ୍ମାନ୍ତର ପାପ
ପୂର୍ଣ୍ଣ ହୋଇଯାଏ ଜୀବନର ସବୁ ତପ
ଦୂରିଭୁତ ହୁଏ ଯେତେ ମନର ସନ୍ତାପ ॥

ଶରଧା ବାଲିରେ ଯେବେ ରଥ ଗଡ଼ିଯିବ
ଦିବ୍ୟ ଭାବନାରେ ଆତ୍ମା ବିଭୋର ହୋଇବ
ପଞ୍ଚଭୂତର ଶରୀର ମୋକ୍ଷ ପାଇଯିବ
ସକଳ କଳୁଷ କାଳିମା ନାଶ ହୋଇବ ॥

ଛୁଆଁ ଅଛୁଆଁର ଭେଦଭାବ ଦୂର କରି
କୋଳାଗ୍ରତ କରି ନେବେ ସଭିଙ୍କୁ ଆଦରି
ଶୁଣିବାକୁ ଦୀନଦୁଃଖି ଜନଙ୍କ ଗୁହାରି
ପୁଣ୍ୟ ବଡ଼ଦାଣ୍ତରେ ବିଜେ ମୁରଲିଧାରୀ ॥

ହୃଦୟଟି ତାଙ୍କର ଦୟାର ମହୋଦଧି
ଆଶିଷ ଦିଅନ୍ତି ଢାଳି ସେ କରୁଣାନିଧି
ତାଙ୍କ କୃପାବଳେ ମିଳିଯାଏ କୋଟିନିଧି
ପାର କରି ଦେଇଥାନ୍ତି ଭବର ବାରିଧି ॥

ମର୍ତ୍ତ୍ୟ ବୈକୁଣ୍ଠରେ ଚାଲିଛି ଅପୂର୍ବ ମେଳା
ଦେବତା କରୁଛନ୍ତି ଏଠି ମାନବ ଲୀଳା
ଶୂନ୍ୟବ୍ରହ୍ମ ରୂପେ ବିରାଜି ନନ୍ଦର ବଳା
ଉଦ୍ଧାର କରି ଦିଅନ୍ତି ବୁଡିବାର ଭେଳା ॥

– ନିବେଦିତା ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୁରୀ ଜିଲ୍ଲାର ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗର ନିବାସୀ ନିବେଦିତା ମାହାପାତ୍ର ମୁଖ୍ୟତଃ ଓଡ଼ିଆ ଭଜନ ଆଦି ରଚନା ଆଦିରେ ରୁଚି ରଖନ୍ତି । ଭଜନାଞ୍ଜଳୀ ସହ ସେ ଅନେକ ଗପ ଓ କବିତା ଆଦି ରଚନା କରିଛନ୍ତି ।