You are currently viewing ସମ୍ପର୍କ
Odia Poem Samparka (ସମ୍ପର୍କ) by Snigdha Jena

ସମ୍ପର୍କ

ଘରକୁ ବାହାଘର ପରେ ପ୍ରଥମଥର ବୁଲିବାକୁ ଆସିବେ ନଣନ୍ଦ ଓ ତାଙ୍କ ସ୍ୱାମୀ । ସେଥିପାଇଁ କେତେ କ’ଣ ଆୟୋଜନ । ଶାଶୁ ମଣିମାଳାଙ୍କ କଡ଼ା ତାଗିଦ, ସବୁ ଯେମିତି ଠିକରେ ହବ । ଚାରିଦିନ ଆଗରୁ ଘର ସଜାଡ଼ି ସବୁ ଜିନିଷକୁ ସଜାଡ଼ି ରଖିଚି ରୁଚି । ରୋଷେଇର ଲମ୍ୱା ଲିଷ୍ଟ । ସବୁ ତାକୁ କରିବାକୁ ହବ । ଯାହା ଜିନିଷ ଆସିବ ଚିଠା କରି ରଖିଛି ସେ । ଘର ବୋଲି କେତେ କାମ, କହିବାକୁ କେତେ ସମୟ ବା ଲାଗେ !!!

“ଘରେ ଲୋକ ଚାରିଟା, କାମ କ’ଣ ଯେ, ଖାଲି ଦି’ଟା ଫୁଟେଇ ଖାଇବା କଥା” । ଯେ କରେ ସେ ଜଣେ କାମ କ’ଣ…

ଯେତେବେଳେ ରୁଚି ଆସିଥିଲା ନୂଆ ହେଇ ଶାଶୁଘରକୁ, ନା ନିଜ ଘର ଭାବି ଶାଶୁ ଘରକୁ, ସେ ସବୁ କେବଳ ଭାବନାରେ ରହି ଯାଇଛି । ସେ ସିନା ସମସ୍ତଙ୍କୁ ଆପଣେଇ ନେଇଛି ହେଲେ ସେ କାହାର ନିଜର ହେଇ ପାରିନି । କାହିଁକି ନା ଚିରାଚରିତ ସମାଜର ନିୟମ ଏଇଆ କି ଗୋଟେ ନାରୀ ଆଉ ଗୋଟେ ନାରୀର ଶତ୍ରୁ । ଶାଶୁମାନଙ୍କ ପାଇଁ କେବଳ କଥାରେ ବୋହୂ ଝିଅ, ପ୍ରକୃତରେ ନୁହେଁ ।

ପ୍ରଥମେ ଏଠି କାମ କରିବାକୁ ଲୋକଟେ ଆସୁଥିଲା, ଶାଶୁ ତାକୁ ମନା କଲେ । କହିଲେ “ତୁ କାହିଁକି ଆସିବୁ, ବୋହୂ ତ ଆସିଲାଣି । ଘରେ କାମ ବା କ’ଣ ଯେ !” ସେଦିନୁଁ ସେ ଅସିଲାନି । କିନ୍ତୁ ପୁଅକୁ କୁହାଗଲା, ତା’ର କ’ଣ କମ କଥା? କହୁଛି ଟଙ୍କା କମ ଦଉଚ । ବାସ୍ତବ କଥା ଶୁଣିଥିଲା କେବଳ ରୁଚି । ବୋହୂ ନୁହେଁ ସେ ନିଜେ ଥିଲା ଘରର କାମବାଲି…

ରୁଚି ମଧ୍ୟବିତ୍ତ ପରିବାରର ଝିଅ । ଦେଖିବାକୁ ଏତେ ସୁନ୍ଦର ନୁହେଁ କି ଅସୁନ୍ଦର ନୁହେଁ ମଧ୍ୟ । ଆଙ୍କି ଦେବା ପରି ଓଠ ଓ ଆଖି । ଯିଏ ଦେଖେ ତା’ ପାଖେ ଟିକେ ଅଟକି ଯାଏ । ଯେବେ ବାହାଘର ପ୍ରସ୍ତାବ ଆସିଥିଲା, ପ୍ରଥମ ଦେଖାରେ ସମସ୍ତେ ରାଜି ହୋଇ ଯାଇଥିଲେ । ବଡ଼ ଘରକୁ ଗୋଟେ ବୋଲି ପୁଅ । ଏଥିରେ କିଏ ବା କାହିଁକି ଅରାଜି ହବ !! ଶଶୁର ନିଜେ ରୁଚି ବାପାଙ୍କ ହାତ ଧରି କହିଥିଲେ, “ସମୁଦୀ ମୋର ଝିଅ ଦରକାର । ରୁଚି ମୋ ଝିଅ ହୋଇ ଯିବ ବୋହୂ ନୁହେଁ ।”

ସେଦିନ ବାହାଘର । ଘରେ ବନ୍ଧୁ ବାନ୍ଧବ ଭର୍ତ୍ତି । ସମସ୍ତେ ବହୁତ ଖୁସି କି ଏମିତି ଘର ମିଳିଛି ରୁଚିକୁ । ଘର ବର ସବୁ ଭଲ । କିନ୍ତୁ ଏ ଖୁସି କେଇ ମୁହୂର୍ତ୍ତରେ ବଦଳିଗଲା ଯେତେବେଳେ ଶାଶୁ ମଣିମାଳା ବୋହୂ ପାଖକୁ ଯାଇ ନିରିଖେଇ ଦେଖିବାକୁ ଲାଗିଲେ ଏବଂ ପଚାରିଲେ, “ଏସବୁ କ’ଣ ସୁନା?” “ନା ମାଆ ! ସବୁ ସୁନା ନୁହେଁ”, ରୁଚିର ଛୋଟ ଉତ୍ତର । ଶାଶୁ ହାତ ଛିଞ୍ଚାଡ଼ି କହିଲେ, “ତା’ହେଲେ କାଇଁ ଲଗେଇଛୁ ଏ ସବୁ?” ହସ ସବୁ ଲୁହରେ ବଦଳି ସାରିଥିଲା । ସବୁ ଦେଖୁଥିଲେ ବନ୍ଧୁ ବନ୍ଧବ । ଏତେ ବଡ଼ ଘର ଆଉ ଏତେ ଲୋଭ !!!

ନିଜ ସମ୍ୱଳକୁ ଚାହିଁ ସବୁ ଦେଇଥିଲେ ରୁଚିର ବାପା । ଯେମିତି ଝିଅକୁ କିଛି ଶୁଣିବାକୁ ନ ପଡ଼ୁ । ତଥାପି ଯାଉ ଆସୁ ଶୁଣିବାକୁ ମିଳିଥାଏ ତାକୁ… “ତାଙ୍କ ବୋହୂ କେତେ କ’ଣ ଆଣିଚି । ମୋ ଭାଗ୍ୟରେ ସେସବୁ କାଇଁ?”

ବାହାଘର ପ୍ରଥମ ଦିନରେ ବୁଝି ଯାଇଥିଲା ରୁଚି, ଶାଶୁଘର ଆଉ ନିଜ ଘର ଭିତରେ ଥିବା ପାର୍ଥକ୍ୟକୁ । ହାତରୁ ମେହେନ୍ଦି ଲିଭିନି ଚତୁର୍ଥୀ ପରେ ସବୁ କାମ ଲଦି ଦିଆଗଲା । ନୂଆ ଜାଗା ନୂଆ ଲୋକ କେମିତି ସବୁ କରିବ ଜଣା ନାହିଁ । ତଥାପି ସେ ଚୁପଚାପ ସବୁ କରିଚି । ପ୍ରତି ବଦଳରେ କେବଳ ଟିକେ ଭଲ ପାଇବା ଆଉ ସ୍ନେହ ଚାହିଁଛି ସେ । ହେଲେ ସେତକ ବି ମିଳିନି ତାକୁ ।

ରାତିରେ ସବୁ କାମ ପରେ ସଂଗ୍ରାମର ଛାତିରେ ମୁଣ୍ଡ ରଖି କାନ୍ଦିଦିଏ ରୁଚି । ସଂଗ୍ରାମ ଦୀର୍ଘଶ୍ୱାସ ନେଇ ଆଉଁଶି ଦିଅନ୍ତି ତା’ ମୁଣ୍ଡକୁ । ସବୁ ଦୁଃଖ ଭୁଲିଯାଏ ସେ । ସତେ ନିଜକୁ କେତେ ଅସହାୟ ମନେ କରନ୍ତି ସଂଗ୍ରାମ !

“କେତେ ପ୍ରସ୍ତାବ ଆସୁଥିଲା ମୋ ପୁଅ ପାଇଁ । ହେଲେ ସଂଗ୍ରାମର ବାପା କ’ଣ ଦେଖି ତତେ ଠିକ୍ କଲେ କେଜାଣି ! ନା ରୂପ ନା ଯୌତୁକ କୋଉ କଥାରେ ତମେ ସମାନ?” ଶାଶୁଙ୍କ ନୀତିଦିନିଆ ଗଞ୍ଜଣା । ସବୁ ଶୁଣି ଚୁପ୍ ରୁହେ ରୁଚି । କ’ଣ ବା ଉତ୍ତର ଦେବ ସେ?

ସବୁ ନିଜେ ଶୁଣି ଆଉ ଦେଖି ଚୁପ୍ ରହେ ସଂଗ୍ରାମ । କେତେଥର ଭାବିଛି ଏ ସବୁକୁ ବିରୋଧ କରିବ… କିନ୍ତୁ କରିପାରେନି । ଯଦି କିଛି କହିଲା ତେବେ ‘ସ୍ତ୍ରୀ ବୋଲକରା’ ନାଁ ଦିଆଗଲା । ସେ ଚାହିଁଲେ ନିଜ ସ୍ତ୍ରୀକୁ ନେଇ ଅଲଗା ରହି ପାରିବ, କିନ୍ତୁ ସମାଜ କ’ଣ କହିବ? “ଏ ବୟସରେ ମାଆବାପାଙ୍କୁ ଛାଡ଼ିଲେ?? ରୁଚି କିନ୍ତୁ ମନା କରେ । ରାତିରୁ ଦିନ ଘର ଗୋଟାକ ଯାକର କାମ କରେ ରୁଚି । କିନ୍ତୁ କେବେ କାହାର ସ୍ନେହ ପାଇନି ସେ । କେବଳ ଶୁଣିଛି ଗଞ୍ଜଣା ।

– କ’ଣ ଶୋଇ ପଡ଼ିଲୁ ନା କ’ଣ !

କାହାର ଡାକରେ ରୁଚି ଚମକି ପଡ଼ିଲା । ସବୁ ଭାବନା ସେଇଠି ଅଧା ରହିଗଲା ।

– ନା ମାଆ ସବୁ ସଜାଡ଼ି ରଖିଚି ।
– ମୋ ପେଟ ପୂରିଗଲା ସେଇଠୁ ! ଖାଇବାକୁ ଦବୁନୁ କି?

ରୁଚି ତରବର ହୋଇ ଖାଇବା ସଜାଡ଼ି ଦେଲା । ସଂଗ୍ରାମ ଅଫିସ୍ ଯିବେ । ତାଙ୍କ ପାଇଁ ଖାଇବା କଲା । ଘରେ ଲୋକ କମ୍ କିନ୍ତୁ ପସନ୍ଦ ଅଲଗା । କିଏ କ’ଣ ଖାଇବ ସେ ହିସାବରେ କରାଯିବ । ଶାଶୁ ରୋଷେଇଘରକୁ ପଶି ଆସି କହିଲେ,

– ମନେ କରି ଆରିସା ପିଠା କରିବୁ ମୋ ଝିଅକୁ ଭଲ ଲାଗେ ।
– ଏତେ ସବୁ ପାଇଁ ସମୟ ହବନି ମାଆ ।

ଶାଶୁଙ୍କ ମୁହଁର ରଙ୍ଗ ବଦଳି ଗଲା । ରୁଚି ବୁଝି ପାରି ଚୁପ୍ ରହିଲା । ମାଂସ ତରକାରୀ, ମାଛ ବେସର, ଭଜା, ଖିରି, ପଣସ ପିଠଉ, ଆରିସା ପିଠା ଏମିତି କେତେ କ’ଣ ସବୁ ଗୋଟି ଗୋଟି କରି ସଜେଇ ରଖୁଥିଲା ରୁଚି । ସେ ଭୁଲି ସାରିଥିଲା ସକାଳୁ ଖାଇନି କିଛି ସେ ।

ନିଜକୁ ଯଥା ସମ୍ଭବ ସଜେଇ ମଣିମାଳା ବସିଥିଲେ ଦୁଆର ମୁହଁରେ । ସବୁଠୁ ଭଲ ଶାଢ଼ୀ ଆଉ ଗହଣା ପିନ୍ଧି ଝାଳରେ ଓଦା ହୋଇ ଏକା ରୋଷେଇ ଘରେ ଖଟୁଥିଲା ରୁଚି । ନା ତା’ପାଇଁ ଥିଲା ସମବେଦନା ନା ଦୟା ।

କିଏ ଆସିଲାଣି ଦେଖ ତ ! କୋମଳ ଡାକରେ ରୁଚି ବୁଝିଗଲା ନିତି ଆସିଲେନି । ଲୁଗା କାନିରେ ମୁହଁ ପୋଛି ନିଜକୁ ଟିକେ ସଜାଡ଼ି ଦେଲା ରୁଚି । ଘରର ବୋହୂ ସେ । ତାକୁ ଏମିତି ଦେଖିଲେ କିଏ କଣ ଭାବିବେ ! ଓଠରେ ହସ ଫୁଟେଇ ନିତି ଆଉ ଜୋଇଁଙ୍କୁ ପାଛୋଟି ନେଲା ରୁଚି ।

ଅତିଥି ଚର୍ଚ୍ଚାରେ ଅନେକ ସମୟ କଟିଗଲା । ସମସ୍ତଙ୍କ ଖାଇବାକୁ ବାଢ଼ି ଦେଲା ରୁଚି । ଶଶୁରଙ୍କ ପାଇଁ ଖାଇବା ନେଇ ତାଙ୍କ ରୁମରେ ଦେଇ ଆସିଲା । ରୁଚିର ହାତ ଧରି ଶଶୁର ପଚାରିଲେ, ମାଆ ତୁ ଖାଇଚୁ?” ଅଟକିଥିବା ସବୁ ଲୁହ ବୋଲ ନ ମାନି ବହି ଯାଇଥିଲା । ସବୁ ବୁଝି ଥିଲେ ଶଶୁର ଦିନକୃଷ୍ଣ ବାବୁ । “ତତେ ଝିଅ କହି ଆଣିଛି ସତ କିନ୍ତୁ ବାପାର କର୍ତ୍ତବ୍ୟ କରିନି ମାଆ । ଆଜି ଯାଏଁ ଚୁପ୍ ଥିଲି । ଏବେ ମତେ ବାପାର କର୍ତ୍ତବ୍ୟ କରିବାକୁ ଦେ ମାଆ ।” ରୁଚି ଆଖିରେ ଲୁହର ବନ୍ୟା ।

ସନ୍ଧ୍ୟାରେ ଶାଶୁ କହିଗଲେ ସରୁ ଚକୁଳି ହବ । ଆଉ ସୁଜି ମଣ୍ଡା କରିବୁ । ସେ କଥାରେ ଥିଲା ଆଦେଶ । ରୁଚି ହୁଁ କହିଲା । ସେତିକି ବେଳେ ଦିନ କୃଷ୍ଣ ବାବୁ କହିଲେ, “ନିଜ ଝିଅ ଜୋଇଁଙ୍କ ଖାଇବା ବ୍ୟବସ୍ଥା ନିଜେ କର ମାଳା । ମୋ ଝିଅ କାହାର ଗୋଲାମ ନୁହେଁ !”

ରାତିରେ ଦି’ଟା ଅଲଗା ଅଲଗା ଘରେ ଖାଇ ବସିଥିଲେ ସମସ୍ତେ । ଗୋଟେ ଘରେ ସଂଗ୍ରାମ, ରୁଚି ଓ ତାଙ୍କ ବାପା । ଆର ଘରେ ଶାଶୁ ଓ ତାଙ୍କ ଝିଅ ଜୋଇଁ ।

ପ୍ରଥମ କରି ରୋଷେଇ କରିଥିଲେ ସଂଗ୍ରାମ । ସମସ୍ତେ ଖାଇ ବସିଥିଲେ । ସମ୍ପର୍କ ତିଆରି କରିବାକୁ ସାରା ଜୀବନ ଲାଗେ ଆଉ ଭାଙ୍ଗିବାକୁ ଗୋଟେ ମୁହୂର୍ତ୍ତ । ନ ଚାହିଁ ବି ଏମିତି ସମ୍ପର୍କକୁ ଭାଙ୍ଗିବାକୁ ହୋଇଥିଲା ରୁଚିକୁ । ଯାହା କେବଳ ବୋଝ ଥିଲା । ସମ୍ପର୍କ ଘର ଲୋକଙ୍କୁ ନେଇ ନୁହେଁ, ସେମାନଙ୍କ ଭଲ ପାଇବା ଆନ୍ତରିକତାରେ ତିଆରି ହୁଏ । କାହିଁକି ବୋହୂ କେବେ ଝିଅ ହୋଇ ପାରେନି? ନା ଶାଶୁ ନିଜକୁ କେବଳ ଶାଶୁ ଜାଗାରେ ରଖି ନେଇଥାନ୍ତି । ସଂପର୍କର ପରିଭାଷା ବଦଳି ଯାଏ ଏମିତି ।

– ସ୍ନିଗ୍ଧା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ନିଗ୍ଧା ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।