You are currently viewing କୋଣାର୍କର କିମ୍ବଦନ୍ତୀ
କୋଣାର୍କର କିମ୍ବଦନ୍ତୀ

କୋଣାର୍କର କିମ୍ବଦନ୍ତୀ

“ଶସ୍ୟ ଶ୍ୟାମଳା, ନଳିନୀ ଖୋଦିତା ନଦୀ ନିଷେବିତା ସାଗର ବନ୍ଦିତା”, ଓଡ଼ିଶା ଅଲୌକିକ କାହାଣୀରେ ଖୋଦିତ କିମ୍ବଦନ୍ତୀ, ଯାହା ମନୀଷାର ଭାବନାର ଚିତ୍ର ପଟଳକୁ କେବଳ ଦୋହଲାଇ ଦିଏନି ବରଂ ହଜାଇ ଦିଏ ସ୍ଵର୍ଗୀୟ ଆନନ୍ଦରେ। ସତେ ପାରିଜାତର ପୁଷ୍ପ ରାଜ ଯେମିତି ଗାଇ ଉଠୁଛନ୍ତି ରାଗିଣୀ, ବିମୋହିତ କରିନିଏ ସେଇ କାରୁକାର୍ଯ୍ୟର କୋଣାର୍କ, ପ୍ରଫୁଲ୍ଲିତ କରିଦିଏ ତନୁ ମନକୁ କଳା କଳା ଜଳ ରାଶି, ଆଚ୍ଛାଦିତ ମେଘର ଭାସିୟମାନ ମେଘ ଖଣ୍ଡ, ସମସ୍ତଙ୍କର ଇଚ୍ଛା ଥାଏ ହଜି ଯିବାକୁ । ମୁଁ ବା ବାଦ୍ ପଡ଼ିବି କେମିତି ।

ଇଚ୍ଛା ଥାଏ କୋଣାର୍କ ଯିବି, ହେଲେ ସାଙ୍ଗ ଦେବାକୁ କେହି ନଥାନ୍ତି, ହଠାତ ସାର୍ ଆସି କହିଲେ ମୁନୁ ତମର PGର ଶେଷ ବର୍ଷ, କେବେ ଥେସିସ୍ ପୂରା କରିବ, କେବେ ଆଉ ରିସର୍ଚ ସରିବ ତମର? ମୁଁ କହିଲି ସାର୍ ମୁଁ ତ ପ୍ରସ୍ତୁତ ଅଛି ଯିବାକୁ, ହେଲେ କେହି ସାଙ୍ଗ ମିଳୁନାହାନ୍ତି । ହଉ ଚାଲ ! ମୋର ବି କୋଣାର୍କରେ ବୁଲିବା ହେଇଯିବ ଆଉ ତମ ରିସର୍ଚ ବି । ସାର୍, ମୁଁ ଆଉ ଦେବ୍ ବାହାରିଲୁ କୋଣାର୍କ… ସେଦିନ ରାତିରେ ବାହାରିଲୁ । ସକାଳୁ ସକାଳୁ ପହଞ୍ଚି ଚନ୍ଦ୍ରଭାଗା ଆଡ଼େ ଚାଲିଲୁ… ସେଠାରେ ପ୍ରାତଃ ସ୍ନାନ ସାରି କୋଣାର୍କ ଦର୍ଶନ କରିବାକୁ ଗଲୁ ।

ଆଃ କି ସୁନ୍ଦର୍ କି ଅପୂର୍ବ ସକାଳ, ମନର ଦୁଃଖ ଦେହର କ୍ଳାନ୍ତି ଅବସରି ଯାଉଥିଲା ଯେମିତି ! ଏତେ ସୁନ୍ଦରତା ଭିତରେ ନିଜକୁ ହଜେଇ ଦଉଥିଲି, ପ୍ରଜାପତି ପରି ଉଡ଼ି ବୁଲୁଥିଲି, ଦେବ୍ ଆସି ମଝିରେ ମଝିରେ ମନେପକେଇ ଦଉଥାନ୍ତି, “ମୁନୁ ତମ କାମ କେତେବେଳ ଆରମ୍ଭ କରିବ? ସେତିକି ବୁଲା ଥାଉ, ଏବେ ଚାଲ ଯିବା କାମ ଆରମ୍ଭ କରିବା ।”

ବହୁତ ଲୋକଙ୍କୁ ପଚାରିଲୁ କିମ୍ବଦନ୍ତୀ ବିଷୟରେ । ସବୁ ସେଇ ତୃତୀୟ ଶ୍ରେଣୀରେ ପଢ଼ିଥିବା କଥା ହିଁ କହିଲେ କେହି କିଛି ଅଧିକ କହିଲେନି କି ଅଲଗା କହିଲେନି । ସେଠାରେ ବସୁଥିବା ବୃଦ୍ଧାଙ୍କୁ ପଚାରିଲୁ, ସେ କହିଲେ କୋଣାର୍କର ଭୂତ ହିଁ କହିପାରିବ କୋଣାର୍କର କିମ୍ବଦନ୍ତୀ । ଆମେ ଦୁହେଁ ହସିଲୁ ।

– ଭୂତ ! ମାଉସୀ ଭୂତ କୌଠୁ ଆସିବ, ଭୂତ ପୁଣି କେମିତି କାହାଣୀ କହିବ ଯେ?
– ହଁ ଲୋ ଝିଅ, ରାତ୍ରି ପ୍ରହର ମାଡ଼ି ଆସିଲେ ଏଠି ଜନଶୂନ୍ୟ ହୋଇଯାଏ, ଲୋକ ରୁହନ୍ତି ନାହିଁ, ତେବେ ଖୋଲି ଉଠେ କୋଣାର୍କ ଗାଥା, ନାଚି ଉଠନ୍ତି ପାଷାଣ ଆଦୃତ ନର୍ତ୍ତକୀ, ବାହୁନି ବାହୁନି କାନ୍ଦି ଉଠେ କୋଣାର୍କ ।
– ହେଲେ ମାଉସୀ ସେମାନେ କନ୍ଦାନ୍ତି କ’ଣ ପାଇଁ?
– ସେ ସବୁ ଅନେକ କଥା ଲୋ ଝିଅ, ମୁଁ ତୋତେ କହିପାରିବିନି । ତୁ ପାରିବୁ ତ ରାତ୍ରି ପ୍ରହରରେ ରହିପାରିବୁ, ତା’ହେଲେ ତୋତେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ ।

କିଛି ସମୟ ମୁଁ ଦେବ୍‌ଙ୍କୁ ଅନାଇଲି ଆଉ ସେ ଆଖିରେ ରାଜି ହେବାକୁ କହିଲେ । କିଛି ସମୟ ପରେ ମାଉସୀଙ୍କୁ ଆଉ ପାଇନଥିଲି, ଦିନ ସରି ସନ୍ଧ୍ୟା ହେଲା, ଲୋକ ସବୁ ଚାଲିଗଲେ, କୋଣାର୍କ ଶୂନ୍ୟ ହେଇଗଲା । ମୁଁ ଆଉ ଦେବ୍ ଦୁହେଁ ଲୁଚି ରହିଥିଲୁ କୋଣାର୍କର ବନ୍ଦୀ ଶାଳାରେ । ମୋତେ ବହୁତ ଡର ଲାଗୁଥାଏ, ଦେବ୍‌ଙ୍କ ହାତକୁ ଜୋର୍‌ରେ ଜାବୁଡ଼ି ଧରି ରହିଥାଏ ମୁଁ, ଦେବ୍ ମୋତେ ସାହାସ ଦେଉଥାନ୍ତି, “ମୁନୁ ରୁହ ଏମିତି ଡରିଲେ କ’ଣ ହେବ? ସେ ମାଉସୀ ଯାହା କହୁଥିଲେ ମିଛ ତମେ କେମିତି ଆଧୁନିକ ଝିଅ ହେଇ ଭୂତ ପ୍ରେତ ଉପରେ ବିଶ୍ୱାସ କରୁଛ? ରୁହ ମୁଁ ବି ଦେଖିବି କଉ ଭୂତ ମୋ ସାମନାକୁ ଆସିବ ।” ଏହା କହି ମୋ ହାତକୁ ଭିଡ଼ି ଧରିଥିଲେ । ପୂର୍ବ ଦିନର କ୍ଳାନ୍ତି ସେଦିନ ସେଇ ସନ୍ଧ୍ୟାରେ ଅନୁଭବ ହଉଥିଲା, ମୁଁ ଶୋଇ ପଡ଼ିଲି ଦେବ୍‌ଙ୍କ କାନ୍ଧରେ ମୁଣ୍ଡ ରଖି । ହେଲେ ଦେବ୍‌ଙ୍କର ଭୂତ ଦେଖିବା ନିଶା ଯାଉନଥିଲା । ସେ ଶୋଇନଥିଲେ । ଚାହୁଁ ଚାହୁଁ ରାତ୍ରି ପ୍ରହର ମାଡ଼ି ଆସିଲା, ସୁ ସୁ ପବନର ଗର୍ଜନରେ ମୋ ନିଦ ଭାଙ୍ଗି ଗଲା, ମୁଁ ଉଠିପଡ଼ି ହଠାତ ଡରି ଗଲି, ଦେବ୍ ମୋ ପାଟିରେ ହାତ ଦେଇ କ‌ହିଲେ “ଚୁପ୍ ଚୁପ୍ ।”

ଦୁଇଜଣ ଚୁପ୍ ରହି ଦେଖିଲୁ କେମିତି ସେଇ ପାଷାଣ ଖୋଦିତ ନର୍ତ୍ତକୀ ଜୀବନଦାନ ପାଇଯାଇଛନ୍ତି । ଆଶ୍ଚର୍ଯ୍ୟ ଏମିତି କେମିତି ସମ୍ଭବ..?? ମୋତେ ବହୁତ ଡର ଲାଗୁଥାଏ, ତଥାପି ଦେବ୍‌ଙ୍କ ହାତକୁ ଜୋର୍‌ରେ ଜାବୁଡ଼ି ଧରି ଧୀରେ ଧୀରେ ଆଗକୁ ପାଦ ଥାପିଲୁ, ଯାଇ ଯାଇ କେତେବେଳେ ଝାଉଁ ବଣ ଭିତରେ ପଶି ଗଲୁ ଜାଣିପାରିଲୁନି ।

ଦେବ୍ କହୁଥାନ୍ତି, “ମୁନୁ ତମର କିଛି ହେଇନି ତ? ଠିକ୍ ଅଛ ତ??” “ହଁ ଠିକ୍ ଅଛି ମୁଁ ।” ହଠାତ ପଛରୁ କାନ୍ଦିବା ସ୍ଵର, କାହାର ନୂପୁରର ସ୍ଵର ଯେମିତି କର୍ଣ୍ଣ ସ୍ପର୍ଶ କରୁଛି ।
– କିଏ? କିଏ? କିଏ ତମେ କାନ୍ଦୁଛ ଏ ଜନଶୂନ୍ୟ ଘୋର ଜଙ୍ଗଲେ?? ଦେଖା ଦିଅ ! ଦେଖା ଦିଅ !

ଶହ ଶହ ସଂଖ୍ୟାରେ ମାଡ଼ି ଆସିଲେ ଅପୂର୍ବ ସୁନ୍ଦରୀମାନେ । ସେଥିରେ ଏକ ଛୋଟ ବାଳକ ମଧ୍ୟ ଥିଲା । ଯେମିତି ଆମକୁ ଘେରି ଗଲେ, ପ୍ରଶ୍ନ ପରେ ପ୍ରଶ୍ନ କରି ଉଠିଲେ ।
– ତମେ ଦୁହେଁ ପ୍ରେମ ପକ୍ଷୀ ପରି ଲାଗୁଛ, ତଥାପି ଏତେ ରାତିରେ ତମେ ଦୁହେଁ କ’ଣ ପାଇଁ ଆସିଛ? ତମକୁ କ’ଣ ଏ ସାମାଜ ସ୍ୱୀକୃତି ଦଉନି ବଞ୍ଚିବାକୁ? ନା ଆମପରି ତମେ କାହା ଅପେକ୍ଷା ରତ??
– ନାହିଁ ନାହିଁ ଆମେ କୋଣାର୍କ ଉପରେ ଗବେଷଣା କରୁଛୁ, ଆମେ କୋଣାର୍କ କାରୁକାର୍ଯ୍ୟର ପ୍ରକୃତ କିମ୍ବଦନ୍ତୀ ବିଷୟରେ ଜାଣିବାକୁ ଚାହୁଁଛୁ ।

– ଗବେଷଣା?? ତମ ଗବେଷଣାର ପ୍ରୟୋଜନ କାହା ପାଇଁ? କେଉଁ ଅବା ଖୁସି ମିଳିବ ଆମକୁ? କ’ଣ ଫେରେଇ ଦେଇ ପାରିବ ମୋ ସିନ୍ଥିର ସିନ୍ଦୂର? କ’ଣ ଫେରେଇ ଦେଇ ପାରିବ ମୋ ପାଦର ଘୁଙ୍ଗୁରର ସ୍ଵର? କ’ଣ ଫେରେଇ ଦେଇପାରିବ ଅଦିନ ବସନ୍ତେ ଝଡ଼ି ପଡ଼ିଥିବା ଯୌବନର ବସନ୍ତକୁ? କ’ଣ କ’ଣ ଫେରେଇ ଦେଇ ପାରିବ କୁହ? କୁହ?? ଚୁପ୍ କାଇଁ ରହିଲ?? ତମ ପରି ବହୁତ ଲୋକ ଗବେଷଣା ନାଁ ଧରି ଆସନ୍ତି, ଆମ ସହ କଥା ହୁଅନ୍ତି, ହେଲେ ଇତିହାସରେ ଆମର ବଳିଦାନ ବିଲୁପ୍ତ କରିଦିଅନ୍ତି । ଯେମିତି ରାମାୟଣରେ ଉର୍ମିଳାଙ୍କ ପ୍ରତିଦାନକୁ କେହି କେବେ ଲୋକ ଗୋଚର କରିନାହାନ୍ତି । ସେମିତି ଆମେ ଅଲୋଡ଼ା ।
ପ୍ରଶ୍ନ ପରେ ପ୍ରଶ୍ନ କରି ଚାଲି ଥିଲେ ନର୍ତ୍ତକୀଗଣ । ମୁଁ ରହି ରହି କହିଲି, “ଦେଖନ୍ତୁ ଆମକୁ କୁହନ୍ତୁ ପ୍ରକୃତ ସତ କ’ଣ? ମୁଁ କଥା ଦଉଛି ଲୋକ ଗୋଚର କରିବାକୁ ଚେଷ୍ଟା କରିବି ।” “ହଉ ତେବେ ଶୁଣ”, ପଛରୁ ଶୁଭିଲା ଏକ ସ୍ଵର । ଚିହ୍ନା ଚିହ୍ନା ଲାଗୁଥିଲା ସ୍ଵରଟା । ମୁଁ ଆଉ ଦେବ୍ ପଛକୁ ଦେଖି ହଠାତ୍ ଚମକି ପଡ଼ିଲୁ । ସେଇ ବୃଦ୍ଧା, ଯିଏ ସକାଳେ ଆମ ସହ କଥା ହେଇଥିଲେ, ଦେବ୍ “କହିଲେ ତମେ ମାଉସୀ??”

– ହଁ ମୁଁ, ମୁଁ ଚନ୍ଦ୍ରଭାଗା, ଶୁଣିବୁ ! ଶୁଣିବୁ ମୋ ଇତିହାସ ! ଅତୀତର ଛାତି ଚିରିଥିବା କରୁଣ କାହାଣୀ ଆଜି ବି ଅବହେଳିତ ନିଷ୍ପେସିତ । ତେବେ ଶୁଣ….
ଧୀରେ ଧୀରେ ବୃଦ୍ଧାଙ୍କ ଶରୀର ତରୁଣୀ ହେବାରେ ଲାଗିଲା, ସେ ସୁନ୍ଦରୀ ତରୁଣୀରେ ପରିଣତ ହୋଇଗଲେ । ଆମ ଦୁଇ ଜଣଙ୍କ ହାତକୁ ହାତ ସହ ମିଶେଇ ଦେଇ ପଥର ଉପରେ ବସେଇ ଦେଲେ । ବସିଲୁ ଆମେ ଦୁଇ ଜଣ । ସେ ସୁନ୍ଦର ସଦ୍ୟ ବିବାହିତ ତରୁଣୀ ଆରମ୍ଭ କଲେ ତାଙ୍କ ଅତୀତର ସେହି କରୁଣ କାହାଣୀ;

ଛୋଟ ବେଳେ ବହୁ ଗେଲରେ ବଢ଼ିଥିଲି, ଦଶ ବର୍ଷ ବୟସରେ ମୋର ବିବାହ ହେଇଗଲା କମଳ ମହାରଣାଙ୍କ ସହ, ଆମେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଥିଲୁ ସତ ହେଲେ କେହି କାହାକୁ ଦେଖିନଥିଲୁ । ମୁଁ ତାଙ୍କୁ ଦେଖିଥିଲି ଲୁଚି ଲୁଚି ଓଢଣୀ ଫାଙ୍କ ତଳୁ, ହେଲେ ସେ ମୋତେ ଦେଖିପାରିନଥିଲେ । ବିବାହ ସାରିଲା, ଯିଏ ଯାହା ଘରକୁ ଚାଲିଗଲେ । ସମୟ ସହ ବୟସ ମଧ୍ୟ ବଢ଼ିଲା ୧୪ ବର୍ଷରେ ପାଦ ଦେଲି, ବାପା ଭାର-ବ୍ୟବହାର ଧରି ମୋତେ ଶାଶୁଘରେ ଛାଡ଼ିବାକୁ ଆଣିଲେ, ବାପ ଘର ପର ହୋଇଗଲା । ପିଲା ଦିନ ବହୂ-ଚୋରି ଖେଳ ବି ସରିଗଲା, ମା କୋଳେ ଅଳିଅର୍ଦଳି ବି ଶେଷ ହେଇଗଲା, ଜାଣିନଥିଲି ପୁଣି କେବେ ଘର ବାହୁଡ଼ିବି । ମାଆ କାନିରେ ଚାଉଳ ଦେଇ ବିଦାୟ ନେଇ ଘରୁ ଆସିଲି, ମାଆ ଛାଡ଼ି ଶାଶୂ ପାଇଲି, ଘର ଛାଡ଼ି ନୂଆ ଘର ପାଇଲି, ସାଙ୍ଗ ସାଥି ଛାଡ଼ି ସ୍ଵାମୀ ପାଇଲି ।

ସେଦିନ ଥିଲା ଗୋଟେ ସ୍ମରଣୀୟ ଦିନ, ଗୋଟେ ଝିଅ ଜୀବନର ଆଶାତୀତ ପରିଧିର ଦିନ । ସ୍ଵାମୀ ମୋର ପାଖକୁ ଆସିବେ, ବାସର ଶେଜ ସଜା ହୋଇଥାଏ, ମୁଣ୍ଡରେ ହାତେ ଓଢ଼ଣୀ ଦେଇ ସବୁ ଝିଅଙ୍କ ପରି ସ୍ଵାମୀଙ୍କ ଆସିବା ବାଟକୁ ଚାହିଁ ରହିଥାଏ । ସଞ୍ଜ ଢଳି ରାତି ହେଲା, ଚଉଟି ଦୀପରୁ ଘିଅ ବି ସରି ଆସୁଥାଏ, ହେଲେ ସ୍ଵାମୀ ଏତେ ପର୍ଯ୍ୟନ୍ତ ଆସିଲେନି, ମନ ବ୍ୟତିବ୍ୟସ୍ତ ହେଉଥାଏ, ଦେଖୁ ଦେଖୁ ରାତି ପାହିଗଲା । ସକାଳୁ ଉଠୁ ଉଠୁ ଶାଶୁ ଆସି କହିଲେ, “ରାଜା ନରସିଂହ ଦେବ ମନ୍ଦିର ନିର୍ମାଣ କରିବେ, ବାରଶହ ବଢ଼େଇଙ୍କୁ କାଲି ରାତିରେ ଡାକି ପଠେଇଲେ, କମଳ ବି ଯାଇଚି ମୁଖ୍ୟ କାରିଗର ଭାବେ । ମୋ କମଳ ବହୁତ ଭଲ ମୂର୍ତ୍ତୀ ଗଢ଼ିପାରେ ପାଷାଣରେ ।”

ମୋତେ ଯେତିକି ଗର୍ବ ଲାଗୁଥିଲା, ତା’ଠୁ ଅଧିକ ବଳି ପଡ଼ିଯାଉଥିଲା ସ୍ଵାମୀଙ୍କ ବିଦାୟ । ସେଦିନ ଠୁ ଆରମ୍ଭ ହେଇଗଲା ବେଦନା ବିଧୁର ରାତି । ସେପଟେ ସ୍ଵାମୀ ମୋର ମୋନାଲିସା ଛବିମାନ ଖୋଦିତ କରିଚାଲିଥିଲେ ପାଷାଣରେ । ଦିନେ ବିଶୁ ମହାରଣାଙ୍କୁ ଯାଇ କହିଲେ, “ମହାରଣା ହେ, ସ୍ତ୍ରୀଙ୍କୁ ମୋର ବାସର ଶେଜରେ ଛାଡ଼ି କରି ଆସିଛି, ଥରୁଟିଏ ଅନୁମତି ଦେଲେ ଯାଇ ତାଙ୍କୁ ଦେଖି ଆସନ୍ତି, ମୋ ମନର ମାନସୀ ମୋ ଭାବ ପ୍ରଣୟର ତୃଷ୍ଣାର ପରିଧି ମୋ ଚନ୍ଦ୍ରଭାଗା କୁ ।”

“ନାହିଁ କମଳ ମହାରଣା ରାଜାଙ୍କ ଆଦେଶ ମନ୍ଦିର କାର୍ଯ୍ୟ ଶେଷ ନହେଲା ଯାଏଁ ଯାଇ ପାରିବନି ତମେ ଘରକୁ, ତମ ମନ ମନ୍ଦିରରେ ତମେ ତାଙ୍କ ପ୍ରତି ଛବି ଆଙ୍କି ପାଷାଣ ଖୋଦିତ କର, ମୋର ବି ସ୍ତ୍ରୀ ଥିଲେ ଗର୍ଭବତୀ । ମୋ ପିଲାଟିଏ କେତେ ବଡ଼ ହେବଣି, ମୁଁ ଆଜି ଯାଏଁ ଦେଖି ପାରିଲିନି ତାକୁ, ମୋ ମନ କ’ଣ ବିକଳ ହଉନି କମଳ ।”

କମଳ ମହାରଣା ଚୁପ୍ ରହିଲେ । ନିଜ ମନର ମାନସୀ ଚନ୍ଦ୍ରଭାଗାର ପ୍ରତିରୂପ ଦେଇ ଚାଲିଲେ ସେଇ ପାଷାଣରେ, ସୁନ୍ଦରରୁ ଅଧିକ ସୁନ୍ଦର ହୋଇ ଚାଲିଥିଲା ପାଷାଣ ଖୋଦିତ ନର୍ତ୍ତକୀମାନ । ୟା ଭିତରେ ବାର ବର୍ଷ ବିତିଗଲା, ସ୍ୱାମୀଙ୍କ ପାଖରୁ କୌଣସି ସନ୍ଦେଶ ଆସି ପହଞ୍ଚି ପାରୁ ନଥାଏ । ସ୍ଵାମୀ ଥାଆନ୍ତି ବହୁତ ଦୂରରେ, ପୁତ୍ରର ବିକଳେ ଶାଶୂଙ୍କ ଦାଉ ଆଉ ସହି ହେଉ ନଥାଏ ।

ରାତି ସରି ସୂରୁଜ ଉଠିଲା ବେଳକୁ ଡର ଲାଗୁଥାଏ, ତଥାପି ଥାଏ ମନରେ ଆଶା, କାଇଁ ଆଜି ସ୍ଵାମୀଙ୍କ ଆସିବା ଖବର ଆସିବନି ତ ! ସେପଟେ ବାପାମାଆଙ୍କୁ ବାର ବର୍ଷ ହେଲା ଦେଖି ମଧ୍ୟ ନ ଥାଏ । ସକାଳୁ ଉଠି ହଳଦୀଗିନା ଧରି ବାହାରି ଥାଏ, ନଈ ପାଖକୁ । ଶାଶୂ ଆସି ପଛରୁ ଧକ୍କାଟିଏ ମାରିଲେ, ହଳଦୀଗିନା ସହ ମୁଁ ବି ତଳେ ପଡ଼ିଗଲି । “ହଇ ଲୋ ହେଇ, ଅଲକ୍ଷଣୀ କାହା ପାଇଁ ସଜ ହଉଛୁ ଲୋ, ଆଶୁ ଆଶୁ ପୁଅକୁ ଖାଇଲୁ । ତୋ ମୁହଁରେ ଲାଜ ନାହିଁ, ସଜ ହଉଛୁ, ପୋଡ଼ାମୁହିଁ । ପୁଅକୁ ଖାଇସାରି ଆଉ କ’ଣ ଅଛୁ ମୋତେ ଖାଇବାକୁ । ଯା’ ମୋ ଘରୁ ବାହାର, ଆଜିଠୁ ଖାଇବା ପିଇବା ତୋର ବନ୍ଦ ।”

ସ୍ଵାମୀଙ୍କ ଆସିବା ଆଶାର କିରଣ ଛିଞ୍ଚି ନିଜକୁ ସବୁବେଳେ ସଜେଇ ହଉଥାଏ । ସବୁ ଲୋକ କହୁଥାନ୍ତି ସେ ଆଉ ନାହାଁନ୍ତି, ହେଲେ ମୋର କିନ୍ତୁ ବିଶ୍ୱାସ ଥାଏ ସେ ଫେରିବେ । ମୁଁ ମୁଣ୍ଡରୁ ସିନ୍ଦୂର ପୋଛି ବିନି, ମୋ ସିନ୍ଥିରେ ସିନ୍ଦୂର ମୋ ସ୍ୱାମୀଙ୍କୁ ସବୁ ବିପଦରୁ ରକ୍ଷା କରିବ । ମୁଁ ପୋଛିବିନି… ନା ନା କେବେ ନୁହଁ । ସାହି ଲୋକ ଆଉ ଶାନ୍ତିରେ ରଖେଇ ଦଉନଥାନ୍ତି, ଶେଷରେ ସେଦିନ ରାତିରେ ଘରୁ ବାହାରି ଆସିଲି । ସେଇ ନଈ ପାଖେ ବସିଲି, ଭାବିଲି ଆତ୍ମହତ୍ୟା କରିବି, ଆଉ ଏ ଦୁଃଖ ସହିପାରିବିନି । ସ୍ଵାମୀ ଥାଉଥାଉ ମୋ ସ୍ୱାମୀ ଦେଇଥିବା ସିନ୍ଦୂର, ହାତର ସଂଖାକୁ ମୁଁ ନଷ୍ଟ କରିପାରିବିନି । ଶେଷରେ ଉଠିଲି ଲମ୍ଫ ଦେବାକୁ । ଯାଉ ଯାଉ ପଛରୁ ଟାଣି ଧରିଲେ କେହି ଜଣେ । ବୁଲି ପଡ଼ିଲି ।

– ହେ ସୁନ୍ଦରୀ ତମେ ଆତ୍ମହତ୍ୟା କାଇଁ କରିବାକୁ ଚାହୁଁଛ?
– କିଏ ଆପଣ? କାହିଁକି ମୋତେ ବଞ୍ଚେଇଲେ ଆପଣ? ଛାଡ଼ନ୍ତୁ ମୁଁ ଆଉ ବଞ୍ଚିବାକୁ ଚାହୁଁନି । ସହି ପାରିବିନି ଆଉ ଟାହି-ଟାପରା, ଶାଶୂଙ୍କ ନିର୍ଯ୍ୟତନା, ସ୍ଵାମୀଙ୍କ ଦହନରେ ମୁଁ ଆଉ ବଞ୍ଚି ପାରିବିନି । ସ୍ଵାମୀ ସୁଖ ତ ମିଳିଲାନି, ଦେହରୁ ବସନ୍ତ ବିଦାୟ ନେଇଗଲା, ଝଡ଼ି ପଡ଼ିଲା ଯୌବନ। ଆଶାର କଣିକା ବି ଆଜି ନଷ୍ଟ ହେଇଗଲା ଯେବେ ଶୁଣିଲି ସ୍ଵାମୀ ଆଉ ଏ ଜଗତରେ ନାହାନ୍ତି । କଉ ଆଶା ନେଇ ଆଉ ବଞ୍ଚିବି ।”
– ତମ ସ୍ଵାମୀ କ’ଣ କରନ୍ତି??
– ସ୍ଵାମୀ ମୋର ବିଖ୍ୟାତ କାରିଗର । ଆଜିକୁ ବାର ବର୍ଷ ହେଇଗଲା ସେ କୋଣାର୍କ ମନ୍ଦିର କାମ କରୁଥିଲେ….
କହି କାନ୍ଦି ଉଠିଲି;
– ଶୁଣ ସୁନ୍ଦରୀ ତମେ ଜମା ବିଚଳିତ ହାଅନାହିଁ, ମୁଁ ରାଜା ଲାଙ୍ଗୁଳା ନରସିଂହ ଦେବ । ତମ ସ୍ଵାମୀଙ୍କର କିଛି ହେଇନି ସେ ବଞ୍ଚିଛନ୍ତି ।
– ମହାରାଜ ଆପଣ !
– ହଁ ମୁଁ ! ମୋ ପ୍ରଜା ଭଲ ଅଛନ୍ତି କି ନାହିଁ ଦେଖିବାକୁ ଆସିଥିଲି । ତମ ସ୍ୱାମୀଙ୍କୁ କାଲି ପୁରସ୍କୃତ କରାଯିବ ରାଜ ଦରବାରରେ । ସେ ବହୁତ ଭଲ କାରିଗର, ପାଷାଣ ଦେହରେ ତମ ଜୀବନ୍ତ ପ୍ରତିମା ଖୋଦିତ କରିଦେଇଛନ୍ତି ଚନ୍ଦ୍ରଭାଗା । ଚାଲ ତମ ଶାଶୂଙ୍କ ପାଖକୁ ଯିବା ମୁଁ ତାଙ୍କୁ କହିବି ।

ମୁଁ ଆଉ ମହାରାଜ ଆସିଲୁ, ହଠାତ୍ ଶାଶୂ ଚିଲେଇଲେ, “ପୋଡ଼ାମୁହିଁ ପତର ଗୋଟେଇ, ପୁଅକୁ ତ ଖାଇଲୁ ଖାଇଲୁ ପର-ପୁରୁଷ ସହ ସମ୍ପର୍କ ରଖିଲୁ, ତୋତେ ମରଣ ହେଲାନି । କଉଠି ମଲୁନି ତୁ, କାହାକୁ ନେଇ ଆସିଛୁ ମୋ ଘରକୁ? ବାହାର ମୋ ଘରୁ ବାହାର ।” ଏତିକି କହି ଧକ୍କାଟିଏ ମାରିଲେ, ପଡ଼ୁ ପଡ଼ୁ ମହାରାଜ ଧରିନେଲେ ।

– ଆରେ ଆରେ, ଏମିତି କ’ଣ କହୁଛ ତାଙ୍କୁ? ସେ ସୀତା ପରି ପବିତ୍ର, ଗୀତା ପରି ନିର୍ମଳ, ମୁଁ ମହାରାଜ ।
– ହେ ପ୍ରଭୁ ଛାମୁ ଆପଣ ! ହଁ, ତମକୁ ତମ ପୁଅର ଖବର ଦେବାକୁ ଆସିଥିଲି । ବାଟରେ ତମ ବୋହୂ ସହ ଦେଖା ହେଲା । କାଲି ତମ ପୁଅ ରାଜ ଦରବାରରେ ପୁରସ୍କୃତ ହେବ । ବୋହୂଙ୍କୁ ଧରି ଆସିବ, ମୁଁ ଏବେ ଆସୁଛି ।

ସେପଟେ କମଳ ମହାରଣାଙ୍କ ଖୁସି କହିଲେ ନ ସରେ… ବାର ବର୍ଷ ପରେ ସ୍ତ୍ରୀ ସହ ଦେଖା ହେବ, କେମିତି ଥିବେ ମୋର ପ୍ରିୟତମା ।

ଶାଶୂଙ୍କ ତାଗିଦ୍, “ଦୟାକରି ମୋ ପୁଅ ଜୀବନରୁ ତୁ ଚାଲିଯା, ହାତ ଯୋଡ଼ୁଛି ତୋତେ, ତୋ ଅଲକ୍ଷଣୀ ମୁହଁ ଆଉ ଯେମିତି ତାକୁ ଦେଖେଇବୁନି ଦୟା କର ମୋ ଉପରେ ।” ଶାଶୂଙ୍କ କଥାରେ କଥା ନକହି, “ମାଆ ମୁଁ ଆପଣଙ୍କ ଗୋଡ଼ ଧରୁଚି, ଥରଟିଏ ତାଙ୍କୁ ଦେଖିବାକୁ ସୁଯୋଗ ଦିଅନ୍ତୁ, ସତ କହୁଚି ଆଉ କେବେ ତାଙ୍କ ଜୀବନରେ ଆସିବିନି, କି ଆଉ ଏ ଘରକୁ ଫେରିବନି ମାଆ । ଥରଟେ ଖାଲି ସୁଯୋଗ ଦିଅନ୍ତୁ ।”

– ହଉ ଗୋଟେ ସର୍ତରେ । ସେ ଯେମିତି ତୋ ମୁଁହ ନ ଦେଖେ ।
– ହଉ ମାଆ ଠିକ ଅଛି, ଯାହା ଆପଣଙ୍କ ଇଚ୍ଛା ।

ରାତି ପାହି ସକାଳ ହେଲା । ଘରୁ ପାଦ କାଢ଼ି ବାହାରକୁ ଗଲି, ସଜ ହୋଇ ବାହାରିଲି, ଶାଶୂ ଆଗେ ଗଲେ ଆଉ ମୁଁ ପଛେ ପଛେ । ସେପଟେ ସ୍ଵାମୀ ମୋର ରାଜଦରବାରରେ ଠିଆ ହୋଇଥାନ୍ତି । ମାଆଙ୍କୁ ଦେଖି ସେ ପଚାରିଥିଲେ, “ମାଆ ଚନ୍ଦା କାଇଁ?? ସେ କ’ଣ ଆସିନାହିଁ? ସେ ଭଲ ଅଛି ନା ମା??” ହେଲେ ମାଆ ଥିଲେ ନିରୁତ୍ତର । ପଦଟିଏ କହିଲେନି ।

ରାଜଦରବାରରେ ଭିଡ଼ ଭିତରେ ଜଣେ କେହି ପଛରୁ ଠେଲିଦେଲା, ସିଧା ଯାଇ ସ୍ୱାମୀଙ୍କ ଚରଣରେ ପଡ଼ିଲି ଆଉ ସ୍ଵାମୀ ମୋତେ ଉଠେଇଲେ ହେଲେ ଚିହ୍ନିପାରି ନଥିଲେ । ସେଇ ପଡ଼ିବା କ୍ଷଣି ସ୍ଵାମୀଙ୍କ ପାଦ ଛୁଇଁ ବିଦାୟ ନେଲି । ଜୀବନରେ ଥରେ ହେଲେ ସ୍ଵାମୀଙ୍କ ସ୍ପର୍ଶ ତ କିଛି କ୍ଷଣ ପାଇଁ ଅନୁଭବ କଲି । ସେ ଖୁସିର କ୍ଷଣ ଭିତରୁ ବାହାରି ଆସିଲି । “ହେ ମାଆ କଳା ଜଳରାଶି ମୋତେ ଗ୍ରହଣ କର, କଳଙ୍କିତ ହୋଇ କଳଙ୍କିନୀର ଆଖ୍ୟା ନେଇ ନିନ୍ଦନୀୟା ଜୀବନ ଜିଇଁବା ଅପେକ୍ଷା ମୃତ୍ୟୁ ହିଁ ଶ୍ରେୟସ୍କର…..” କହି କଳା ଘୁମର ଜଳ ରାଶିକୁ ଡିଆଁ ମାରିଦେଲି ।

ଶେଷରେ ସ୍ଵାମୀ ଆସି ପହଞ୍ଚିଥିଲେ ଚନ୍ଦ୍ରଭାଗା କୂଳରେ, ହେଲେ ପାଇନଥିଲେ ମୋତେ…

ଆଜି ବି ଚନ୍ଦ୍ରଭାଗା କୂଳେ ଶୁଭେ ପାଷାଣରେ ଖୋଦିତ ହେଉଥିବାର ଶବ୍ଦ । ଲୋକେ କଳାଘୁମର ଜଳରାଶିକୁ ଦେଖି ଉପଭୋଗ କରନ୍ତି ହେଲେ ସେଥିରେ ଥାଏ ମୋର ଦୁଃଖର ବେଦନା, ମୋ ଲୁହର ପରିଭାଷା । କେହି ବୁଝନ୍ତି ନାହିଁ କେହି ଶୁଣନ୍ତି ନାହିଁ, ସେମିତି ଏ ଚନ୍ଦ୍ରଭାଗା କାନ୍ଦି ଚାଲେ….

ତା’ର କାହାଣୀ ସରୁ ସରୁ ରାତି ପାହିଯାଇଥିଲା ଆଉ ମୋ ହାତ ଥିଲା ଦେବ୍‌ଙ୍କ ହାତରେ । ହଠାତ ସେମାନେ ଉଭେଇ ଯାଇଥିଲେ । ଆମେ ପଳାଇ ଆସିଥିଲୁ ସେଇଠୁ ଆଉ ଅପେକ୍ଷା କରିଥିଲୁ ଆଉ ଗୋଟେ ରାତିକୁ ଆଉ ଏକ ନର୍ତ୍ତକୀର କାହାଣୀକୁ….

ଡ. ମୃଣ୍ମୟୀ ଚାନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ମୃଣ୍ମୟୀ ଚାନ୍ଦ ପେଶାରେ ଜଣେ ଡାକ୍ତର, କିନ୍ତୁ ଛୋଟବେଳୁ ନିଶା ତାଙ୍କର କବିତା ଲେଖିବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।