ବାଘ ମାତିଛି
ବାଘ ମାତିଛି

ବାଘ ମାତିଛି

ୟେ ପୁଣି କୋଉ ବାଘ? ମଣିଷଖିଆ ବାଘ ଗୁଡ଼ା ତ କେବେରୁ ପୃଥିବୀରୁ ଲୋପ ପାଇଗଲେଣି । ପୁଣି ଥରେ ବାଘ ମାତିଛି !!! କଥାଟା ଠିକରେ ବୁଝା ପଡ଼ିଲାନି ଗାଁ’ର ସେ ମାଉସୀକୁ ସେଦିନ । ଗାଁ’ର ମୁରବୀ ସେଦିନ ବାଘର ଉତ୍ପାତ ବିଷୟରେ ମାଉସୀକୁ ଆଗରୁ ସୂଚନ ଦେଇଥିଲେ ବି ମାଉସୀ କଥାଟାକୁ ଏତେ ଗୁରୁତ୍ଵ ଦେଇନଥିଲେ । ଦିନ କେଇଟାରେ ତା’ର ଝିଅ ବାହାଘର । ବାହାଘର ୮୦ ଭାଗ କାମର ପ୍ରସ୍ତୁତି ସରିଲାଣି, ଦିନ କେଇଟାରେ ଝିଅ ତା’ର ବିଦା ହେଇକି ଶାଶୁଘରକୁ ଚାଲିଯିବ । ଉପରବେଳା ସମୟ ଦିନ ପ୍ରାୟ ୧ଟା ବେଳେ ମାଉସୀକୁ ଟିକେ ପାଖ ଗାଁ’କୁ କିଛି ଜରୁରୀ କାମରେ ଯିବାକୁ ପଡ଼ିଲା । ଘରେ ଝିଅକୁ ଏକୁଟିଆ ଛାଡ଼ି ଯିବାକୁ ମନକୁ ଟିକେ କଷ୍ଟ ଲାଗୁଥିଲେ ବି ନିଜେ ଅଣ୍ଟା ଭିଡ଼ି ବାହାରି ପଡ଼ିଲା କିଛି ବିପଦ ଆଶଙ୍କା ନକରି । ପାଖ ଗାଆଁଟା, ସନ୍ଧ୍ୟା ପୂର୍ବରୁ ଆରାମରେ ଫେରି ହେବ । ମଉସା ଆର ପାରିକୁ ଯିବାର ୧୩ ବର୍ଷ ହେଇଗଲାଣି । ଚତୁର୍ଥ ଶ୍ରେଣୀ କର୍ମଚାରୀ ଚାକିରୀଟେ ମିଳିଛି ତାକୁ ଗାଆଁ ସ୍କୁଲରେ, ସେଇଥିରେ ଘର ଚାଲେ । ମାଉସୀର ଭାଇ କେବେ କେବ ଆସି ତା’ର ସୁବିଧା ଅସୁବିଧା ବୁଝିକରି ଯାଏ ।

ଯାହା ହଉ ମାଉସୀ ଏବେ ବାହାରିପଡ଼ିଲା ପାଖ ଗାଁକୁ ଯିବାକୁ, ଝିଅ ଘରେ ଶୋଇଥାଏ, ଭିତରୁ କବାଟ କିଳି ଦେବାକୁ ଝିଅକୁ କହି ମାଉସୀ ଚାଲିଗଲା । ବାଘଟିଏ ବହୁତ ଦିନ ଆଗରୁ ଆଖି ପକେଇଥିଲା ମାଉସୀର ଝିଅ ଉପରେ । ଖାଲି ସୁଯୋଗ ଖୋଜୁଥିଲା କେମିତି ତାକୁ ପାଇବ । ଦିନ ଆସି ୨ଟା ବାଜିଲା ଗାଁ ଟିକେ ଶୂନଶାନ ପଡ଼ିବାରୁ ବାଘଟି ମାଉସୀ ଘର ଆଡ଼େ ମାଡ଼ିଚାଲିଲା ।

ମୁହୂର୍ତ୍ତକ ମଧ୍ୟରେ ବାଘ ଆସି ପହଞ୍ଚିଲା । ଝିଅ ତା’ ଝରକା ଖୋଲା ରଖି ଶୋଇଥିଲା । ଝରକା ବାଟେ ବାଘ ଝିଅକୁ ଆଖି ପୁରେଇ ଦେଖିଲା । ମନରେ ବାଘର କାମନା ପୂରି ଆସିଲାଣି । ଆଖି ଲାଲ ହେଇଯାଉଛି । ସହଜ ଶିକାରକୁ ଅତି ନିକଟରେ ପାଇ ବାଘ ଖୁସିରେ ନିଜ ପଞ୍ଝାରେ ନିଜ ମୁହଁ କୁଣ୍ଡେଇ ହେଉଥାଏ, ମାଟିରେ ଗୋଡ଼ କଛାଡ଼ୁଥାଏ । ଅତି ନିର୍ଭୟରେ କବାଟ ଯାଇକି ବାଡ଼େଇଲା । ଝିଅକୁ ଲାଗିଲା ମାଉସୀ ଆସିଗଲା ଏତେ ଶୀଘ୍ର ।

ଭିତରୁ ପଚାରିଲା “ମାଆ କ’ଣ ଆଣିଛୁ ମୋ ପାଇଁ?” ବାଘ ନୀରବ, ଠିକ ଯେପରି ହରିଣ ଶିକାର ବେଳେ ସେ ଲୁଚି ଯାଇଥାଏ ଆଉ ଠିକ ସମନାକୁ ଆସିଲେ ତା’ଉପରେ କୁଦି ପଡ଼ି ତାକୁ ଝୁଣି ପକାଏ । ଝିଅ ଭାବିଲା କବାଟ ଖୋଲିବାରେ ଡେରି ହୋଇଗଲା ବୋଧେ ମାଆ ତା’ର ରାଗିକି କିଛି କହୁନି । ଏବେ ଝିଅ ପାଦର ପାଉଁଜି ଖୁବ ନିକଟରୁ ଶୁଭିଲା, ବାଘ ବି ନିଜକୁ ପ୍ରସ୍ତୁତ କରିନେଲା । ଝିଅ କବାଟ ଖୋଲିଲା, ହେଲେ ଏ କ’ଣ ଦେଖୁଛି ସେ, ତା’ର ମାଆ ନାହିଁ ।

କିଛି ଭାବିବା ଆଗରୁ ବାଘ ତାକୁ ଟେକି ନେଇ ଗଲା ବାରି ପଛ ପଟ ବୁଦା ଆଡ଼କୁ ନିଜର ଭୋକ ମେଣ୍ଟେଇବାକୁ । ଝିଅର କରୁଣା ଚିତ୍କାର ଶୁଣାଗଲାନି କାହାକୁ ଆଉ । ଅତି ବିଭତ୍ସ ଭାବେ ବାଘ ତାକୁ ଖାଇଲା ଆଉ ଛାଡ଼ି ଦେଇଗଲା ତା’ର ସେଇ ମୁମୁର୍ଷ ଶରୀରକୁ ସେଇଠି । ମାଉସୀ ସନ୍ଧ୍ୟାକୁ ଆସି ଦେଖେ ତ ଝିଅ ଘରେ ନାହିଁ, କବାଟ ମେଲା ପଡ଼ିଛି, ପାଖରେ ବାଘର ଘୋଷରା ଚିହ୍ନ ।

ଅନୁସରଣ କରି ଗଲା ପରେ ମିଳିଲା ତାକୁ ଝିଅର ଅବଶେଷ, କିଛି ଚିରି ଯାଇଥିବା ପିନ୍ଧା ଲୁଗା ଆଉ ଝିଅର ଅଧା ମରା ଅର୍ଧ ନଗ୍ନ ଦେହଟି ।

ମାଉସୀକୁ ସବୁ ବୁଝା ପଡ଼ିଥିଲା । ଭାବିଲା ବାଘକୁ ମାରିବ ଯେମିତି ବି ହଉ । ବାଘ ନାଆଁରେ ଫେରାଦ ହେବକୁ ଥାନାକୁ ଗଲା । ଦେଖିଲା ସେଇଠି ଆଉ ଗୁଡ଼ାଏ ଅବ୍ଦ ବାଘ ବସିକି ସଭା କରୁଥାନ୍ତି । କିଛି ଭାବିବା ଆଗରୁ ତାକୁ ଖବର ମିଳିଲା ଯେ ଝିଅ ତା’ର ଗାଁରେ ଆତ୍ମହତ୍ୟା କରିଦେଇଛି । କିଛି ନବୁଝି ଘରକୁ ଆସିଲା ଆଉ ନିଜେ ନିଜକୁ ପଚାରିଲା ପ୍ରକୃତରେ ଝିଅକୁ ମାରିଲା କିଏ? ମଣିଷ ଖିଆ ବାଘ ନା ଆଉ କିଏ?

“ମାଉସିକୁ ଏବେ ଆଉ ବାଘ ଡର ନାହିଁ । ତା’ର ଜୀବନକୁ ବାଘ କେବେରୁ ନେଇ ସାରିଛି ।” ମାଉସୀ ଗଲା ସପ୍ତାହ ଗାଁ ଛାଡ଼ି କୁଆଡ଼େ ପଳେଇଛି । ଗାଁର ସେ ବାଘଟା ୩ଥର ଧରାପଡ଼ିଥିଲେ ବି କୌଣସି ଯନ୍ତା ତାକୁ ଠିକରେ ଅଟକେଇକି ରଖିପାରୁନି, ସେ ପୁଣି ଖସି ଯାଉଛି ।

“ତେଣୁ, ସାବଧାନ ବାଘ ମାତିଛି ।”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu