ଧରମାର ସେଲ୍ଫି
ଧରମାର ସେଲ୍ଫି

ଧରମାର ସେଲ୍ଫି

“ତମେ ବାପ-ପୁଅ-ଝିଅ ବସି ମୋବାଇଲରେ ଦିନ ସାରା ଲାଗିଥାଅ । ଛୁଟିରେ ଅଛ ବୋଲି ନିଜେ ତ କାମ କରିବନି, ପିଲାଙ୍କୁ ବି ବିଗାଡ଼ି ଦେବ ନା କ’ଣ? ଏମାନେ ତ Text book କମ୍ ଆଉ Facebook ବେଶି ପଢ଼ୁଛନ୍ତି । ଆଉ ତମେ ବି କିଛି କମ୍ ନୁହଁ । ତମ ଅଫିସରେ କାମଦାମ ଅଛି କି ନାହିଁ, ଯେତେବେଳେ ଦେଖ WhatsApp, ଟ୍ଵିଟରରେ ମାତୁଛ । ଘରେ ବି ସେଇୟା ।”

ଜଳଖିଆ ବାଢ଼ୁ ବାଢ଼ୁ ଶ୍ରୀମତି ସକାଳୁ ସକାଳୁ ଆମ ମାନଙ୍କ କ୍ଲାସ ନେଇଗଲେ । ଜଳଖିଆ ଖାଉ ଥିବା ସମୟରେ WhatsAppର ସେହି ଚିର ପରିଚିତ Notification sound, ଟୁଁ ଟୁଁ ଟୁଁ-ଟୁଁ ଟୁଁ ଶୁଣି, ଖୋଲିଗଲା ସ୍ପ୍ରୀଂ ପରି ଚେୟାରରୁ ଉଠି ମୋବାଇଲ ଆଡ଼କୁ ହାତ ବଢ଼େଇବାକୁ ଯାଉଥିଲି………

– “କୋଉ urgent ମେସେଜ ଆସିଗଲା କି? ଖାଇ ସାରି ଦେଖିଲେ ହବ ନି? ଏ ବାବୁ, ଜଳଖିଆ ଖାଇସାରି ବାପା ତାଙ୍କ ମୋବାଇଲରେ ଲାଗନ୍ତୁ କି ଯାହା କରନ୍ତୁ, ତୁ ଚୁପ ଚାପ ବସି ପଢ଼ିବୁ ।”
– “ପ୍ଲିଜ ମମି, ବାପାଙ୍କ ନୂଆ ଓପ୍ପୋ ଫୋନ୍‌ରେ କେତେ ବଢ଼ିଆ କ୍ୟାମେରା ଫିଚର ସବୁ ଅଛି, ମୁଁ ପୁରା ଦେଖି ପାରିନି । ସେଲ୍ଫି ମସ୍ତ ଆସୁଛି । ଟିକେ ଛାତ ଉପରକୁ ଯାଇ ସେଲ୍ଫି ନେବି । ବ୍ୟାକଗ୍ରାଉଣ୍ଡରେ crown ହୋଟେଲ ଆଉ କଳିଙ୍ଗ ଷ୍ଟାଡିଅମ ବି ଆସିବ, wow!
– “ପାପା ତାକୁ ମନାକର । ଜାଣିଛ, ବାବୁ କହୁଥିଲା, ଛାତ ଉପରକୁ ଯାଇ ପାଣି ଟାଙ୍କି ଉପରେ ଛିଡ଼ା ହେଇ ସେଲ୍ଫି ନବ !”
ଝିଅ ଆମର ବୁଝିଲାଭଳିଆ କଥା କହିଲା ନା ଇର୍ଷାରେ କହିଲା, ବୁଝିବା ପୂର୍ବରୁ ଶ୍ରୀମତୀଙ୍କ ରହିତାଦେଶ ଆସିଗଲା ।
– “ଛାତ ଉପରକୁ ଯାଇ କେହି ବି ସେଲ୍ଫି ନେବେ ନାହିଁ । ଖବରକାଗଜରେ ସେଲ୍ଫି ତୋଳିଲାବେଳେ ଦୁର୍ଘଟଣା ଖବର ପ୍ରାୟ ସବୁଦିନେ ଆସୁଛି ।”

ଏ ପ୍ରକାରର ରହିତାଦେଶ ବଳବତ୍ତର ରହେ, କାରଣ ଏହା ଉପରେ ଆଉ ଅପିଲ ସିଷ୍ଟମ ନାହିଁ । ପିଲାମାନେ ବି ମୋ ମୁହଁକୁ ଅନେଇ ମତେ ଅଡ଼ୁଆରେ ପକାନ୍ତି ନାହିଁ । ସେମାନଙ୍କୁ ଘର ପ୍ରଶାସନର ଇକୋ ସିଷ୍ଟମ ଭଲଭାବେ ଜଣା । ଅନନ୍ୟୋପାୟ ହୋଇ ବାବୁ ଟା ମୋ ପାଖରେ ବସି ନୂଆ ମୋବାଇଲ ଫୋନ୍‌ର ତର୍ଜମା କରୁ କରୁ କହିଲା-

“ପାପା ଜାଣିଛ କୋଣାର୍କ ମନ୍ଦିର ବିଷୟରେ ! ଆମ କ୍ଲାସରେ ସାଙ୍ଗ ମାନେ କହୁଥିଲେ କି ଧର୍ମପଦ ତା ବାପାଙ୍କ ମନ୍ଦିର ତୋଳା ସରିଲା ପରେ ପୁରା ଟପକୁ ଚଢ଼ିଯାଇ ସେଲ୍ଫି ନେଉଥିଲା । କିନ୍ତୁ ବ୍ୟାଲାନ୍ସ ବିଗିଡ଼ିଗଲା ଆଉ ଖସି ପଡ଼ିଲା ସମୁଦ୍ର ଭିତରକୁ !”

ମୋ ମୁଣ୍ଡଟା ଘାଇଁ ଘାଇଁ ବୁଲେଇ ଦେଲା । ସେ ସମୟରେ କୋଣାର୍କର ନିଅଁ ପତ୍ତନର ବନ୍ଧୁର ଶିଳାରେ ଚନ୍ଦ୍ରଭାଗା ମୁହାଣର ଲହଡ଼ି ପିଟି ହୋଇ ଚୁର ଚୁର ହେଇ ଗଲା ପରି, ମୋ ମନରେ ରାଗ, ଆଶଙ୍କା, ଆଶ୍ଚର୍ଯ୍ୟ, ପଶ୍ଚାତ୍ତାପ ସବୁ ଲହଡ଼ି ମାରୁଥାନ୍ତି । ଶ୍ରୀମତୀ ଛଳ ଛଳ ଆଖିରେ ମତେ ଅନେଇ ଥାଆନ୍ତି । ପ୍ରଥମ ଥର ପାଇଁ ବୋଧ ହେଲା CBSE ପାଠ୍ୟକ୍ରମର ପଙ୍ଗୁତା, ଯାହା ପିଲାଙ୍କୁ ନିଜ ରାଜ୍ୟର ଐତିହ୍ୟ କିମ୍ବଦନ୍ତୀ ବିଷୟରେ ଅନଭିଜ୍ଞ ରଖିଥାଏ । ମୁଁ ପ୍ରକୃତିସ୍ଥ ହେଲା ବେଳକୁ, ଝିଅ ଦ୍ଵାରା କଥାଟି ମୋ ବାପାଙ୍କ କାନରେ ପଡ଼ି ସାରିଥିଲା । ବାପା ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ । ବାଡ଼ି ଠକ ଠକ କରି ଡ୍ରଇଂ ରୁମକୁ ପଶି ଆସିଲେ ।

– ତମ ମାନଙ୍କୁ ପିଲାବେଳେ ଏ ଧର୍ମପଦ, ଶିବେଇ ସାଁତରା, ମଧୁବାବୁ, କାଞ୍ଚିବିଜୟ, ରାମାୟଣ, ମହାଭାରତ, ଆହୁରି ଅନେକ କଥା କାହାଣୀ ସବୁ କିଏ କହିଥିଲା? ତୋ’ ବୋଉ ନହେଲେ ମୁଁ । ତମେମାନେ ତ ଭାବୁଛ ପିଲାଙ୍କୁ ନାମୀଦାମୀ ସ୍କୁଲରେ ଦାଖିଲା ଦେଇ ଟ୍ୟୁସନ୍ ଲଗେଇ ଦେଲେ ତମ କର୍ତ୍ତବ୍ୟ ସରିଲା । ପିଲାଙ୍କୁ ମଣିଷ କରିବାଟା ଏତେ ସହଜ ନୁହେଁ ମ । ହେତୁ ପାଇବା ଦିନରୁ ତ ଛୁଆ ଦି’ଟାଙ୍କୁ ଅଲଗା ରୁମରେ ଶୁଆଉଛ, ସେମାନେ ତମଠୁ କାହାଣୀ ଶୁଣିବେ କେମିତି?…….

ସେଦିନ ବାପାଙ୍କୁ ବାପାପଣିଆ ଦେଖେଇବାର ସୁବର୍ଣ୍ଣ ସୁଯୋଗ ମିଳି ଯାଇଥିଲା । ସାରା ଦିନ ଅସହଜତାରେ ବିତାଇବା ପରେ ସନ୍ଧ୍ୟା ବେଳେ ବାଲ୍‌କୋନିରେ ବସି ଚାହା ପିଉପିଉ ଭାବୁଥିଲି ଆମ ବାବୁର ସେ ମହାନ ସାଙ୍ଗ, ଯିଏ ଧରମାର ସେଲ୍ଫି ବିଷୟରେ ଅଜ୍ଞ ଜଗତକୁ ଜଣେଇ ଥିଲା, ତାକୁ ନିଶ୍ଚୟ ଭେଟିବି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu